Unknown

 

 

 

 

 

 

 

 

 

 

 

ବିଶ୍ୱ-ବିସ୍ମୟ

ଶ୍ରୀ ବାସୁଦେବ ତ୍ରିପାଠୀ

 

ସୂଚୀପତ୍ର

 

୧.

ନଭଶ୍ଚୁମ୍ବୀ ଅଟ୍ଟାଳିକା

୨.

କୁଇନ୍ ମେରୀ

୩.

ମାନମନ୍ଦିର ଓ ଦୂରବୀକ୍ଷଣ ଯନ୍ତ୍ର

୪.

ଦୀର୍ଘତମ ସେତୁ

୫.

ଇଜିପଟ୍‌ରେ ବିଚିତ୍ର ଭୂଖନନ

୬.

ଦୁଃସାହାସିକ ବ୍ୟୋମବିହାର

୭.

ହୀରକରାଜ କୁଲିନନ୍ ଓ କୋହିନୁର

୮.

ଗଭୀରତମ ସମୁଦ୍ରକୁ ଯାତ୍ରା

୯.

ଭୁବନବିଖ୍ୟାତ ତାଜମହଲ

୧୦.

ମାରାତ୍ମକ ବୋମାବର୍ଷଣ ଓ ଜନକ୍ଷୟ

୧୧.

ସମୟବିଜ୍ଞାପକ ବିଚିତ୍ର ଘଣ୍ଟା

୧୨.

ସର୍ବୋଚ୍ଚ ଶୃଙ୍ଗକୁ ଆରୋହଣ

୧୩.

ବିଚିତ୍ର ଶବ୍ଦ

୧୪.

ଏ ଯୁଗରେ ବେତାର

୧୫.

ସୁଏଜ୍‌ ଓ ପାନାମା କେନାଲ

Image

 

ନଭଶ୍ଚୁମ୍ବୀ ଅଟ୍ଟାଳିକା

 

‘ଅଭାବହିଁ ଉଦ୍ଭାବନର ମୂଳ କାରଣ’—ଅଭାବ ନ ଥିଲେ ମନୁଷ୍ୟ କିଛି ପଦାର୍ଥ ପ୍ରୟୋଜନ କରନ୍ତା ନାହିଁ । ଯେଉଁ ଆଦିମ ଯୁଗର ମନୁଷ୍ୟ ଦିନେ ଗିରିଗୁହାରେ ବାସ କରୁଥିଲା, ବନ୍ୟଜନ୍ତୁଙ୍କୁ ଶିକାର କରି ଜୀବନଯାତ୍ରା ନିର୍ବାହ କରୁଥିଲା, ନିଆଁ ପାଣିର ବ୍ୟବହାର ଉତ୍ତମ ରୂପେ ଶିଖି ନଥିଲା, କଥା କହି ନ ଜାଣି ମନର ଭାବ ସଙ୍କେତ ଦ୍ୱାରା ବ୍ୟକ୍ତ କରୁଥିଲା ଓ ପଶୁଙ୍କ ତୁଲ୍ୟ କାଳଯାପନ କରି ପରମ ସନ୍ତୋଷ ଲାଭ କରୁଥିଲା; ସେହି ମନୁଷ୍ୟ ଆଜି ଗୃହ ନିର୍ମାଣ କରି ବସବାସ କଲା କାହିଁକି? ଏହା ମୂଳରେ ‘ଅଭାବ’ ହିଁ ବିଦ୍ୟମାନ । ସେ ଯୁଗର ପତ୍ର-କୁଟୀର ସଭ୍ୟତା କାଳକ୍ରମେ ପରିବର୍ତ୍ତିତ ହୋଇ କିପରି ଆଧୁନିକ ଯୁଗରେ ପଦାର୍ପଣ କରିଅଛି, ତାହାର ପ୍ରକୃଷ୍ଟ ପ୍ରମାଣ ଦିଏ ପୃଥିବୀର ବିରାଟ ଅଟ୍ଟାଳିକା—‘ଏମ୍ପାୟାର ଷ୍ଟେଟ୍ ବିଲ୍‍ଡ଼ିଂ ।’

 

ପୃଥିବୀ ପ୍ରସିଦ୍ଧ ନିଉୟର୍କ ସହର ଉତ୍ତର ଆମେରିକାରେ ଅବସ୍ଥିତ । ଏହା ଜନବହୁଳ ହେତୁ ଏଠାରେ ସ୍ଥାନର ଅଭାବ ସର୍ବଦା ଅନୁଭୂତ ହୁଏ । ଅଳ୍ପ ସ୍ଥାନରେ ସ୍ୱଚ୍ଛନ୍ଦରେ ବାସ କରିବା ପାଇଁ ଲୋକମାନେ ବହୁ ଦିନରୁ ଇଚ୍ଛା କରୁଥିଲେ । ଆଜି ବିଜ୍ଞାନଯୁଗର ବିଜ୍ଞ ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରେ ବହୁତଳ ଅଟ୍ଟାଳିକାଗୁଡ଼ିକ ନିର୍ମିତ ହୋଇ ସେମାନଙ୍କର ଆକାଙ୍‌କ୍ଷାକୁ ଅନେକାଂଶରେ ପୂରଣ କରିବାକୁ ସର୍ମଥ ହୋଇଛି । ବିଜ୍ଞାନର କୃତିତ୍ୱରେ ଜଗତ ଯେପରି ସ୍ତମ୍ଭୀଭୂତ ହୋଇଛି, ତାହା ସ୍ମରଣ କଲେ ବିଶ୍ୱାସ ହୁଏ,ଦିନ ଆସିବ, ମନୁଷ୍ୟ ନିକଟରେ ଆଉ କିଛି ଅଜେୟ ହୋଇ ରହିବ ନାହିଁ । ଧନ୍ୟ ମନୁଷ୍ୟ ! ଧନ୍ୟ ତୋର ବୁଦ୍ଧି ! !

 

୧୯୩୧ ମସିହାରେ ‘ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ’ ନିର୍ମିତ ହୋଇଥିଲା । ଏହା ଭୂପୃଷ୍ଠରୁ ୧୨୪୮ ଫୁଟ ଉଚ୍ଚ ହୋଇଥିବାରୁ ରୁଷିଆ ଦେଶର ମସ୍କୋ ସହରରେ ଅବସ୍ଥିତ ‘ସୋଭିଏଟ୍’ ପାଲେସ୍‌କୁ ଉଚ୍ଚତାରେ ଲଙ୍ଘି ଯାଇଅଛି । ‘ସୋଭିଏଟ୍ ପାଲେସ୍’ ଉଚ୍ଚତାରେ ୧୩୬୫ ଫୁଟ ହେଲେ ସୁଦ୍ଧା ତାହା ପୃଥିବୀର ସର୍ବୋଚ୍ଚ ଅଟ୍ଟାଳିକା ରୂପେ ଆଉ ଗଣ୍ୟ ହେଉନାହିଁ । କାରଣ ‘ଏମ୍ପାୟାର ଷ୍ଟେଟ୍ ବିଲ୍‌ଡିଂ’ ଉପରେ ୨୨୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟ ଟେଲିଭିଜନ ଯନ୍ତ୍ର ସ୍ଥାପିତ ହେବାରୁ, ପ୍ରାସାଦର ସର୍ବମୋଟ ଉଚ୍ଚତା ୧୪୭୦ ଫୁଟ ହୋଇଛି । ଆମ ଓଡ଼ିଶାର ସୁପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର କଥା ଭାବ । ଏହାର ଉଚ୍ଚତା ୧୯୨ ଫୁଟ । ଛଅ ଗୋଟି ଜଗନ୍ନାଥଙ୍କ ମନ୍ଦିରକୁ ଯଦି ଗୋଟିଏ ପରେ ଗୋଟିଏ ଖଞ୍ଜି ଦିଆଯାଇ ନିଉୟର୍କ ପ୍ରାସାଦ ସହିତ ତୁଳନା କରାଯାଏ, ତେବେ ମଧ୍ୟ ଉଚ୍ଚତମ ଅଟ୍ଟାଳିକା ‘ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ’ ତାହାଠାରୁ ୯୬ ଫୁଟ୍ ଅଧିକ ହେବ । ଏତେ ବଡ଼ ଅଟ୍ଟାଳିକାର ପାଦଦେଶରେ ଦଣ୍ଡାୟମାନ ହୋଇ ତାହାର ଅଗ୍ରଭାଗକୁ ଚାହିଁଲେ କାହାର ହୃଦୟ କ୍ଷଣକ ପାଇଁ ସ୍ତମ୍ଭୀଭୂତ ନ ହେବ ?

 

ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକାର ନିର୍ମାଣ କୌଶଳରେ ବିଶେଷତ୍ୱ ପରିଲକ୍ଷିତ ହୁଏ । ସାଧାରଣତଃ ଆମ୍ଭେମାନେ ଯେଉଁ ସବୁ ଅଟ୍ଟାଳିକା ନିର୍ମାଣ କରୁ, ସେଗୁଡ଼ିକର ମୂଳଦୁଆ ପାଞ୍ଚ ଛଅ ଫୁଟ ମୋଟା ହୁଏ । କାରଣ ମୂଳଦୁଆର କାନ୍ଥ ଉପରେ ଦୁଇ କିମ୍ବା ଚାରି ମହଲାର କୋଠା ନିର୍ଭର କରେ । କଡ଼ି, ବରଗା, ଛାତ ଇତ୍ୟାଦିର ଓଜନକୁ ସମ୍ଭାଳି ରଖିବା ପାଇଁ ମାଟି ତଳେ ବହୁ ପଥର କିମ୍ବା ଇଟା ପୋତା ପଡ଼େ । ଯେଉଁ ଗୃହର କାନ୍ଥ ଓ ମୂଳଭିତ୍ତି ଦୃଢ଼ ନୁହେଁ, ତାହା ଦୀର୍ଘ ବର୍ଷ ସ୍ଥାୟୀ ହୋଇ ରହେ ନାହିଁ; ମାତ୍ର ଆଧୁନିକ ଇଞ୍ଜିନିୟର୍‌ମାନେ ଇସ୍ପାତ୍ ସାହାର୍ଯ୍ୟରେ ସୁଗଠିତ ଫ୍ରେମ ବା ପଞ୍ଜର ନିର୍ମାଣ କରୁଥିବାରୁ କାନ୍ଥକୁ ଗୃହର ଏକ ଗୁରୁତ୍ୱପୂର୍ଣ୍ଣ ଅଶଂ ବୋଲି ବିଚାର କରୁନାହାନ୍ତି । ମାଟି ଘରମାନଙ୍କରେ ଯେପରି ଛଣ, ଶେଣି, ବତା ଭିଡ଼ା ଯାଇ ଛଣ ଛପର କରାଯାଏ, ଝାଟି ମାଟି କାନ୍ଥରେ ଯେପରି ମାଟି ଲେସାଯାଏ, ସେହିପରି ପଞ୍ଜର ଘରଗୁଡ଼ିକରେ ଇଟା, ଚୂନ, ସିମେଣ୍ଟ, ଛଡ଼ ଇତ୍ୟାଦି ଢଳେଇ ହୋଇଥାଏ । କାନ୍ଥଗୁଡ଼ିକ କୌଣସି ଚାପବହନ ନକରି ଗୃହର ବହିରାବଣ ସ୍ୱରୂପ ଥାଏ ଓ ଖରା, ବର୍ଷା, ଝଡ଼, ତୋଫାନରୁ ଗୃହକୁ ରକ୍ଷା କରେ । ଇଞ୍ଜିନିୟର୍‌ମାନେ ଏଭଳି କାନ୍ଥ ଫାଟି ପଡ଼ିବା କିମ୍ବା ଭୁଷୁଡ଼ି ପଡ଼ିବା ଆଶଙ୍କା କରନ୍ତି ନାହିଁ ।

 

ଆଣ୍ଡୃ କାର୍ନେଜୀ ନାମକ ଜନୈକ ବ୍ୟକ୍ତି ପ୍ରଥମେ କେତେକ ସହକର୍ମୀଙ୍କ ସହ ମିଳି ଏକ ଉତ୍କୃଷ୍ଟ ଧରଣର ଇସ୍ପାତ୍ ପ୍ରସ୍ତୁତ କରିଥିଲେ । ତାହାକୁ ସେ ରେଳ ଓ ସେତୁ ନିର୍ମାଣ କାର୍ଯ୍ୟରେ ବହୁବାର ଲଗାଇ ଉତ୍କର୍ଷ ଉପଲବ୍ଧି କରିବା ପରେ ଉକ୍ତ ଅଟ୍ଟାଳିକାରେ ତାହା ବ୍ୟବହାର କଲେ । ଇସ୍ପାତ୍ ଖଞ୍ଜା ଗୃହଗୁଡ଼ିକରେ ଏକ ବିଶେଷତ୍ୱ ଥାଏ । ତାହାର ପ୍ରଧାନ କାନ୍ଥ ବୋଲି କିଛି ନାହିଁ । ଘରର କାନ୍ଥ ତଳ କାନ୍ଥ ଉପରେ ନିର୍ଭର କରେ ନାହିଁ କି ପ୍ରଧାନ କାନ୍ଥଗୁଡ଼ିକ ତଳୁ ଦୃଢ଼ ରୂପେ ଗଢ଼ା ହୋଇ ଆସେ ନାହିଁ । ଆମ ଦେଶରେ କୋଠାବାଡ଼ିଗୁଡ଼ିକ ଲକ୍ଷ୍ୟ କଲେ ଦେଖିବ, କୋଠାରେ ଚାରି କାନ୍ଥ ଖୁବ୍‍ ଦୃଢ଼ ଥାଏ । ଉପର ମହଲାର କାନ୍ଥ ତଳ ମହଲା କାନ୍ଥ ଉପରେ ନିର୍ଭର ନ କରି ରହିପାରେ ନାହିଁ; ମାତ୍ର ଆମେରିକାରେ କୋଠାବାଡ଼ିଗୁଡ଼ିକ ସେହିପରି ନିର୍ମିତ ହୁଏ ନାହିଁ । ଗୃହକର୍ତ୍ତା ତଳ ମହଲାକୁ ଦୋକାନ କଲେ କୋଡ଼ିଏ ମହଲାକୁ ବ୍ୟାଙ୍କ ଅଫିସ୍ ଅଥବା ସିନେମା ଗୃହ କରି ପାରନ୍ତି । ଯେଉଁ କାର୍ଯ୍ୟପାଇଁ ଯେପରି ଘର ପ୍ରୟୋଜନ, ସେହି ମାପଚୁପରେ କୋଠରୀ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।

 

ନିଉୟର୍କ ସହର ଏକ ପ୍ରଧାନ କେନ୍ଦ୍ରପୀଠରେ ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ ଅବସ୍ଥିତ । ଏହି ସୌଧ ନିମିତ୍ତ ଦୁଇମାଣ ଜମି ପ୍ରୟୋଜନ ପଡ଼ିଅଛି ଏବଂ ତାହା ସେ କାଳ ଦୂରରେ ଅନ୍ୟୂନ ଦଶ କୋଟି ଟଙ୍କାରେ କ୍ରୟ କରାଯାଇଥିଲା । ଅଟ୍ଟାଳିକାଟି ନିର୍ମିତ ହେବା ସମୟରେ ନିର୍ମାଣୋପଯୋଗୀ ପଦାର୍ଥଗୁଡ଼ିକ କେଉଁଠି କିପରି ରଖା ଯାଉଥିଲା, ତାହା ଏକ ବିସ୍ମୟର କଥା । ରାସ୍ତାକୁ ଅବରୋଧ କରି ଜିନିଷପତ୍ର କ’ଣ ଜମାଇ ରଖିବା ସମ୍ଭବ ହୋଇଥିବ ? ବାସ୍ତବିକ୍ ଏହା କାହାରି ଯାତାୟାତରେ ତିଳେ ମାତ୍ର ବାଧା ସୃଷ୍ଟି କରି ନଥିଲା, କି କେହି କେବେ ଅଭିଯୋଗ ଆଣି ନଥିଲେ । ଦୈନିକ ଦୁଇ ଲକ୍ଷ ଲୋକ ଓ ଚାଳିଶ ହଜାର ଯାନବାହନ ସୁରୁଖୁରୁରେ ଯିବାପାଇଁ ପଥ ସର୍ବଦା ଉନ୍ମୁକ୍ତ ରହୁଥିଲା-

 

ବହୁ ବର୍ଷର ଗବେଷଣା ପରେ ଯେଉଁ କଂକ୍ରିଟକୁ ଉତ୍କୃଷ୍ଟ ବୋଲି ଇଞ୍ଜିନିୟରମାନେ ବିବେଚନା କରୁଛନ୍ତି, ସେହି ଲୌହ, ସିମେଣ୍ଟ, ଗୋଡ଼ି, ବାଲି ପ୍ରଭୃତିର ସମ୍ମିଶ୍ରଣରେ ସମଗ୍ର ସୌଧଟି ମୁଣ୍ଡ ଟେକି ଠିଆ ହୋଇଅଛି । ଏଥିରେ ଲୌହ ଖର୍ଚ୍ଚ ହୋଇଅଛି, ସେଗୁଡିକ ତିନି ଦିନ ମଧ୍ୟରେ ପିଟ୍‌ସ୍‌ବର୍ଗର ଲୌହ କାରଖାନାରୁ ଆନୀତ ହୋଇଥିଲା । କାରିଗରମାନେ ଛଅ ମାସ ମଧ୍ୟରେ ଅଟ୍ଟାଳିକାର ଫ୍ରେମ୍ ବା ପଞ୍ଜରାଟିକୁ ଗଢି ଦେଇଥିଲେ । ଏକ ହିସାବରୁ ଜଣାଯାଏ ଯେ, ଉକ୍ତ ପ୍ରାସାଦର ଫ୍ରେମଟିକୁ ଗଠନ କରିବାରେ ପ୍ରାୟ ସାଢ଼େ ଷୋଳଲକ୍ଷ ମହଣ ଇସ୍ପାତ୍ ପ୍ରୟୋଜନ ପଡ଼ିଥିଲା ଏବଂ କାରିଗରମାନେ ଏକବର୍ଷ କାଳ ଖରା, ବର୍ଷା ସହି ତାହାକୁ ନିର୍ମାଣ କରିଥିଲେ । ଯେଉଁଦିନ ଏହି ବିଶ୍ୱାଳ ସୌଧର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବ, ସେହିଦିନ ଦେଶବାସୀ କି ଆନନ୍ଦିତ ହୋଇ ନ ଥିବେ ! ପୃଥିବୀପ୍ରସିଦ୍ଧ ସୁବୃହତ୍ ଅଟ୍ଟାଳିକାର ଦର୍ଶନରେ ସେମାନଙ୍କ ପ୍ରାଣ ଆନନ୍ଦରେ କି ଭଳି ଉଦ୍‌ବେଳିତ ହୋଇଥିବ, ତାହା କଳ୍ପନା କରିବା ସହଜ ନୁହେଁ ।

 

ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ ବ୍ୟତୀତ ଆମେରିକାରେ ସହସ୍ରାଧିକ ସୌଧ ଦେଖିବାକୁ ମିଳେ । କୋଡ଼ିଏ ମହଲାରୁ ଅଧିକ ଉଚ୍ଚ ଅଟ୍ଟାଳିକାର ସଂଖ୍ୟା ଚାରିଶହରୁ ବେଶି ଏବଂ ଦଶ ମହଲାରୁ ଅଳ୍ପ ଉଚ୍ଚ ଅଟ୍ଟାଳିକାର ସଂଖ୍ୟା ପାଞ୍ଚ ହଜାରରୁ କିଛି ଅଧିକ ।

 

ପ୍ରସିଦ୍ଧ ଉଲ୍‌ବାର୍ଥ ନିଉୟର୍କ ସହରର ଏକ ଦର୍ଶନୀୟ ପ୍ରାସାଦ । କାରଣ ଏହାର ଚଟାଣଗୁଡ଼ିକର କ୍ଷେତ୍ରଫଳ ତିରିଶି ଏକର । ପାଞ୍ଚହଜାର ଝରକା ଦ୍ୱାର ପ୍ରାସାଦଟି ସର୍ବଦା ଆଲୋକରେ ଉଦ୍ଭାସିତ ହେଉଅଛି । ତିନି ଶହରୁ ଅଧିକ କର୍ମଚାରୀ ଏହାର ରକ୍ଷଣାବେକ୍ଷଣା ଦ୍ୱାୟିତ୍ୱ ତୁଲାଉଅଛନ୍ତି ଏବଂ ସେଥିପାଇଁ ଲକ୍ଷାଧିକ ଟଙ୍କା ବେତନ ଦିଆ ଯାଉଅଛି । ପ୍ରତ୍ୟେକ ବର୍ଷ ପ୍ରାୟ ଏକ କୋଟି ଦର୍ଶକ ଏହି ସୁରମ୍ୟ ପ୍ରାସାଦ ଦର୍ଶନ କରିବାକୁ ଆସନ୍ତି । ‘ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ’ ନିର୍ମିତ ହେବାର ୧୮ବର୍ଷ ପୂର୍ବେ ଏହା ନିର୍ମିତ ହୋଇଥିଲା । ଏହାର ଖ୍ୟାତି ଅବଧି ଲୋପ ପାଇ ନାହିଁ; କାରଣ ଏହା ଉଚ୍ଚତାରେ ସାତ ଶହ ବୟାଳିଶ ଫୁଟ ଓ ଏଥିରେ ୫୪ଟି ମହଲା ରହିଛି-

 

ଏହା ଛଡ଼ା ଚିକାଗୋ ସହରରେ ବୟାଳିଶ ମହଲାରେ ଏକ ଅଟ୍ଟାଳିକା ରହିଛି । ଏହା ଏତେ ବଡ଼ ଯେ, ଏଥିରୁ ଯେଉଁ ଭଡ଼ା ଆଦ।ୟ କରାଯାଏ, ସେହି ଟଙ୍କାରେ ଏକ ରଙ୍ଗମଞ୍ଚର ଖର୍ଚ୍ଚ ସ୍ୱଚ୍ଛନ୍ଦରେ ଚଳିଯାଏ । ଏହାକୁ ନିର୍ମାଣ କରିବାରେ ଗୃହକର୍ତ୍ତାଙ୍କୁ କୋଡ଼ିଏ ନିୟୁତ ଡଲାର (ଆମେରିକା ମୁଦ୍ରା) ବ୍ୟୟ କରିବାକୁ ପଡ଼ିଥିଲା । ଆହୁରି ଏକ ପ୍ରାସାଦ ନିର୍ମିତ ହେବା ପାଇଁ ଜନୈକ ବ୍ୟକ୍ତି ଶହେ ଏକର ଜମି ଦଖଲ କରିଥିଲେ । ଏହାର ଉଚ୍ଚତା ୭୪୪ ଫୁଟ । ନିର୍ମାଣ କୌଶଳ ଓ ବିସ୍ତୃତିରେ ତାହା ପୃଥିବୀରେ ବଡ଼ ବୋଲି କେହି କେହି କହନ୍ତି । ଏଥିରେ ଯେଉଁ ଧନ ବ୍ୟୟିତ ହୋଇଛି, ତାହା ଶୁଣିଲେ ବିଶେଷ ଆଶ୍ଚର୍ଯ୍ୟ ବୋଧ ହୁଏ ।

 

‘ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ’କୁ ଗଢ଼ିବାରେ କଳ୍ପନା ନଥିବା ପୂର୍ବରୁ ୧୮୮୯ ଖ୍ରୀଷ୍ଟାଦ୍ଦରେ ଯେଉଁ ଏକ ଟାଉଆର୍ ଫ୍ରାନ୍ସରେ ନିର୍ମିତ ହୋଇଥିଲା, ତାହାର ନାମ ଇଫେଲ ଟାଉଆର । ଏହା ଦେଖିବାକୁ ବାସ୍ତବିକ ବଡ଼ ଚମତ୍କାର! ପାଞ୍ଚଗୋଟି ଜଗନ୍ନାଥ ମନ୍ଦିରର ଉଚ୍ଚତା ଏହା ସଙ୍ଗେ ସମାନ ହେବ ନାହିଁ । ପୂର୍ବେ ଏହାର ବହୁ ଖ୍ୟାତି ଓ ପ୍ରଶସ୍ତି ଥିଲା । ଫ୍ରାନସ୍ ଦେଶର ବିଖ୍ୟାତ ଇଞ୍ଜିନିୟର୍ ଗସଟେଭ ଇଫେଲ୍‍ଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା । ଟାଉଆରର ଶୀର୍ଷ ଦେଶରେ ଦଣ୍ଡାୟମାନ ହୋଇ ଚତୁର୍ବ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ ୬୦ ମାଇଲି ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଦୃଶ୍ୟ ଉପଭୋଗ କରିବାକୁ ମିଳେ । ଇଉରୋପୀୟମାନେ ଉକ୍ତ ଟାଉଆରକୁ ପାଶ୍ଚାତ୍ୟ ଦେଶର ବୃହତ୍ତମ ଟାଉଆର ବୋଲି ୧୯୩୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଘୋଷଣା କରୁଥିଲେ । ମାତ୍ର ‘ଏମ୍ପାୟର ଷ୍ଟେଟ୍ ବିଲ୍ଡ଼ିଂ’ ନିର୍ମିତ ହେବା ଦିନଠାରୁ ଉକ୍ତ ଟାଉଆରକୁ ସର୍ବୋଚ୍ଚ ବୋଲି କୁହାଯାଉ ନାହିଁ ।

 

ଆମେରିକାର ବହୁତଳ ପ୍ରାସାଦଗୁଡ଼ିକୁ ଗୋଟିଏଁ ଲେଖାଏଁ କ୍ଷୁଦ୍ର ସହରର ସଂକ୍ଷିପ୍ତ ସଂସ୍କରଣ କହିଲେ ସତ୍ୟର ଅପଳାପ ହେବ ନାହିଁ । ଆମ ଓଡ଼ିଶାର ଗୋଟିଏ ଛୋଟ ସହରର ଲୋକେ ଆମେରିକା ଯେ କୌଣସି ବୃହତ୍ ଅଟ୍ଟାଳିକାରେ ଆନନ୍ଦରେ ବାସ କରିପାରିବେ । ସ୍ଥାନର ଅଭାବ କଦାପି ଘଟିବ ନାହିଁ । ଜଣେ ଲୋକ ତଳକୁ ଆଦୌ ନ ଓହ୍ଲାଇ ମାସ ମାସ ଧରି ସେହି କୋଠାଘରମାନଙ୍କରେ ଚଳି ଯାଇପାରେ । ମନୁଷ୍ୟର ଯାହା କିଛି ପ୍ରୟୋଜନ, ସେଗୁଡ଼ିକ ସେହି ଉତ୍ତୁଙ୍ଗ ଅଟ୍ଟାଳିକା ମଧ୍ୟରେ ପ୍ରାୟ ଦେଖିବାକୁ ମିଳେ । ସ୍କୁଲ, କଲେଜ, ସରକାରୀ,ବେସରକାରୀ ଅଫିସ, ସିନେମା, ଥିଏଟର, ଡାକଘର, ଡାକ୍ତରଖାନା, ହୋଟେଲ, ବଜାର ପ୍ରଭୃତି ସୌଧର ବିଭିନ୍ନ ଅଂଶରେ ଥାଏ । ସହସ୍ରାଧିକ ଲୋକ ଦୈନିକ ଏହା ମଧ୍ୟରେ ଚଳାଚଳ ହୁଅନ୍ତି । ଯେ କୌଣସି ଆଗନ୍ତୁକ ଏଥିରେ ବାସକଲେ, ତାଙ୍କର କୌଣସି ଅଭାବ ଘଟିବ ନାହିଁ । ଖାଇବା, ପିଇବା, ଖେଳିବା, ପଢ଼ିବା, ମଉଜ ମଜଲିସ୍ କରିବା, ଧର୍ମାଳୟକୁ ଯାଇ ଈଶ୍ୱରଙ୍କ ଉପାସନା କରିବା ପ୍ରଭୃତି କାର୍ଯ୍ୟ ଅକ୍ଳେଶରେ ସାଧିତ ହୋଇପାରିବ ।

 

ଲୋକେ ସାଧାରଣ ଅଟ୍ଟାଳିକାର ଉପର ମହଲାରେ ବାସ କରିବାକୁ ସବୁଠୁ ବିଶେଷ ପସନ୍ଦ କରନ୍ତି । ମୁକ୍ତ ବାୟୁ ଓ ଉଜ୍ଜଳ ଆଲୋକ ସହଜରେ ମିଳେ । ମାତ୍ର ତଳ ମହଲା ଗୁଡ଼ିକରେ ସେହି ଆନନ୍ଦ ଉପଭୋଗ କରି ହୁଏ ନାହିଁ । ପୂର୍ବେ ସେ ଦେଶର ଲୋକେ ତଳ ମହଲାରେ ବାସ କରିବାକୁ ବିଶେଷ ଭଲ ପାଉଥିଲେ । ବହୁତଳ ବିଶିଷ୍ଟ ସୌଧରୁ ବିଶେଷ ଭଡ଼ା ମିଳେ ନାହିଁ । କାରଣ ଲୋକମାନେ ଭାବୁଥିଲେ ଯେ, ଏତେ ଉଚ୍ଚ କୋଠାରେ ରହିଲେ ଯିବାଆସିବା କରିବା କଦାପି ସହଜ ନୁହେଁ । କେହି ମଧ୍ୟ ବଳ ଓ ସମୟ ଖର୍ଚ୍ଚ କରି ଆନନ୍ଦ ଉପଭୋଗ କରିବାକୁ ଆଗ୍ରହ କରନ୍ତି ନାହିଁ । ଲୋକଙ୍କର ସେହି ଅସୁବିଧାକୁ ଏବେ ବିଜ୍ଞାନ ଦୂର କରିଛି । ସହରମାନଙ୍କରେ ଯେଉଁ ଆଲୋକମାଳା ରାତ୍ରିର ଘନ ଅନ୍ଧାରକୁ ଘୁଞ୍ଚାଇ ଦେଉଛି, ଯେଉଁ ତାର ନିମିଷକ ମଧ୍ୟରେ ସମ୍ବାଦକୁ ଦୂର ଦୂରାନ୍ତରକୁ ଘେନି ଯାଉଛି, ସେ ସବୁ ବିଜୁଳି ଶକ୍ତି ଦ୍ୱାରା ପରିଚାଳିତ । ଲିଫଟ୍‌ ଏହି ବିଜୁଳି ଶକ୍ତି ଦ୍ୱାରା ଚାଳିତ ହୋଇ ବହୁ ଅସୁବିଧା ଦୂର କରୁଅଛି । କୌଣସି ଲୋକ ଦୁଇ ମହଲାରୁ ଶହେ ମହଲା ଯିବାପାଇଁ ଇଚ୍ଛା କଲେ ଲିଫଟ୍‌ ମୁହୂର୍ତ୍ତକ ମଧ୍ୟରେ ଯଥା ସ୍ଥାନରେ ପହଞ୍ଚାଇ ଦେଉଛି-। ଏଣୁ ଲୋକେ ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂର ୧୮୬୦ଟି ପାହାଚକୁ ଆଉ ଉଠୁ ନାହାନ୍ତି ।

 

ନିଉୟର୍କର ଉତ୍ତୁଙ୍ଗ ଅଟ୍ଟାଳିକାରେ ବାସ କଲେ ଯେଉଁ ଆନନ୍ଦ ଅନୁଭୂତ ହୁଏ, ତାହାର ବିଶଦ ବର୍ଣ୍ଣନା ଅନୁଭବୀମାନେ କରିଥାନ୍ତି । ସେମାଙ୍କ ଠାରୁ ଏହାର କୌତୁହଳୋଦ୍ଦୀପକ କାହାଣୀ ଶୁଣିଲେ ହୃଦୟ ଯୁଗପତ୍ ଆନନ୍ଦ ଓ ବିସ୍ମୟରେ ଜଡ଼ିତ ହୁଏ । ବିଭିନ୍ନ କୋଠରିକୁ ଯିବାପାଇଁ ୭୨ଟି ଲିଫ୍ଟ ରହିଥିବାରୁ ପାହାଚର ମୂଲ୍ୟ ସମ୍ପୂର୍ଣ୍ଣ କମି ଯାଇଛି । ବିଜ୍ଞାନର ଅଦ୍ଭୁତ କୃତିତ୍ୱକୁ ସ୍ୱାଗତ୍ୱ ଜଣାଇବା ପାଇଁ ମନୁଷ୍ୟ ଉତ୍କଣ୍ଠିତ ନ ହେବ କାହିଁକି ?

 

ବିଭିନ୍ନ କୋଠରୀମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ ଟେଲିଗ୍ରାଫ୍ ଓ ଟେଲିଫୋନର ବ୍ୟବସ୍ଥା କରାଯାଇଛି । କୋଠରୀଗୁଡ଼ିକରେ ଉପଯୁକ୍ତ ଆଲୋକ ଦେବା ପାଇଁ ତିନି ହଜାର ବିଜୁଳିବତୀ ଖଞ୍ଜା ଯାଇଛି । ପ୍ରତ୍ୟହ ସନ୍ଧ୍ୟାସମୟରେ ତିନି ଶହ ସ୍ତ୍ରୀଲୋକ କୋଠରୀଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି । ଫଳରେ କୁତ୍ରାପି ଆବର୍ଜ୍ଜନା ପରିଦୃଷ୍ଟ ହୁଏ ନାହିଁ ।

 

ସହରର ଯେଉଁ ସବୁ ଦୂଷିତ ବାୟୁ ଆକାଶ ମଣ୍ଡଳକୁ ଉତ୍‌ଥିତ ହୁଏ ତାହା ନଭଶ୍ଚୁମ୍ବୀ ଅଟ୍ଟାଳିକାବାସୀଙ୍କର ସ୍ୱାସ୍ଥ୍ୟହାନି କରିବା ଆଶଙ୍କାରେ ଏମ୍ପାୟର ଷ୍ଟେଟ୍ ବିଲ୍ଡ଼ିଂର ଦଶମହଲା ତଳେ ଥିବା ଝରକାଗୁଡ଼ିକ କେବେ ହେଲେ ଉନ୍ମୁକ୍ତ ହୁଏ ନାହିଁ । ପ୍ରାସାଦ ଉପରୁ ବିଶୁଦ୍ଧ ବାୟୁ ପମ୍ପ ସାହାର୍ଯ୍ୟରେ ଅଣାଯାଇ କକ୍ଷମାନଙ୍କରେ ଛାଡ଼ି ଦିଆଯାଏ । ଯେଉଁମାନେ କୋଇଲାଖଣି ଦେଖିଥିବେ, ସେମାନଙ୍କୁ ଏ କଥାଟି ବୁଝିବାକୁ ଖୁବ୍ ସହଜ ହେବ । କୋଇଲାଖଣିରୁ ଦୂଷିତ ବାୟୂ ନିର୍ଗତ ହେବା ପାଇଁ ବ୍ୟବସ୍ଥା ରହିଛି, ଶୁଦ୍ଧ ଅମ୍ଳଜାନକୁ ଏକ ବିରାଟ ପଙ୍ଖା ସାହାର୍ଯ୍ୟରେ ଖଣିରେ ଭର୍ତ୍ତି କରିବା ପାଇଁ ସେହିପରି ଯନ୍ତ୍ର ଅଛି ।

 

ବଡ଼ ଆଶ୍ଚର୍ଯ୍ୟ କଥା ଯେ, ଏହି ପ୍ରକାଣ୍ଡ ଅଟ୍ଟାଳିକା ଉପରେ ଯେଉଁ ମାନମନ୍ଦିରଟି ପ୍ରତିଷ୍ଠିତ ହୋଇଛି ତାହା ସମଗ୍ର ବିଶ୍ୱର ଏକ ଦର୍ଶନୀୟ ବସ୍ତୁ । ଏହା କିପରି ସ୍ଥାପିତ ହୋଇଛି, ଓ କି କି କାର୍ଯ୍ୟ କରୁଛି, ତାହା ଜାଣିବା ପାଇଁ ସମଗ୍ର ପୃଥିବୀରୁ ହଜାର ହଜାର ଦର୍ଶକ ଆସି ପ୍ରତିଦିନ ପରିଦର୍ଶନ କରୁଛନ୍ତି । ଏଠାରେ ପ୍ରତ୍ୟେକ ବର୍ଷ ଅନ୍ୟୂନ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ଚାଲେ । ଏହି ଅଟ୍ଟାଳିକା ଉପରେ ଯେଉଁ ଟେଲିଭିଜନ୍ କେନ୍ଦ୍ର ରହିଛି, ତଦ୍ଦ୍ୱାରା ୩୮ ମାଇଲରୁ ୭୦ ମାଇଲି ପର୍ଯ୍ୟନ୍ତ ଚିତ୍ର ପ୍ରେରିତ ହୋଇପାରୁଛି । ୧୯୪୮ ଖ୍ରୀଷ୍ଟାଦ୍ଦରେ ଲଣ୍ଡନରେ ଯେଉଁ ଅଲମ୍ପିକ୍ ଖେଳର ପ୍ରତିଯୋଗିତା ହୋଇଥିଲା,ତାହା ଏହିଠାରୁ ତିନିଦିନ ପର୍ଯ୍ୟନ୍ତ ଟେଲିଭିଜନ ଯନ୍ତ୍ରଦ୍ୱାରା ପ୍ରଚାରିତ ହେଉଥିଲା ।

 

ଏ କଥା ସ୍ୱତଃସିଦ୍ଧ ଯେ, ଉଚ୍ଚତାନୁଯାୟୀ ବାୟୁର ତାପର ହ୍ରାସ କିମ୍ବା ବୃଦ୍ଧି ଘଟେ । ଉଚ୍ଚ ସ୍ଥାନଟି ସର୍ବଦା ଶୀତଳ, କାରଣ ଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଧୂଳିକଣା ଯଥେଷ୍ଟ କମ୍ ଥାଏ । ନିମ୍ନ ବାୟୁମଣ୍ଡଳ ଅପେକ୍ଷା ଉର୍ଦ୍ଧ୍ୱ ବାୟୁମଣ୍ଡଳ ଅପେକ୍ଷାକୃତ ପାତଳ । ତେଣୁ ତାହା ସୂର୍ଯ୍ୟତାପ ବିକିରଣ କରି ଚଞ୍ଚଳ ଶୀତଳ ହୁଏ । ସମୁଦ୍ରପୃଷ୍ଠର ବାୟୁମଣ୍ଡଳଠାରୁ ଉଚ୍ଚ ପର୍ବତର ବାୟୁମଣ୍ଡଳ ଶୀତଳ ଓ ହାଲୁକା । ଉକ୍ତ ତଥ୍ୟାନୁଯାୟୀ ନିଉୟର୍କ ଅଟ୍ଟାଳିକାସ୍ଥ ସର୍ବୋଚ୍ଚ ମହଲାର ବାୟୁ ତାପ ସର୍ବଦା ଛଅ କିମ୍ବା ସାତ ଡିଗ୍ରୀ ଊଣା ଥାଏ । ଏଠାରେ ପବନର ଗତି ସାଧାରଣତଃ ଘଣ୍ଟାରେ ୭୦ । ୮୦ ମାଇଲ । ଗ୍ରୀଷ୍ମ ଓ ଶୀତ ଋତୁମାନଙ୍କରେ ପବନର ଗତି ଘଣ୍ଟାରେ ଯଥାକ୍ରମେ ୫୦ ଓ ୩୫ ମାଇଲରୁ ଅଧିକ ହୁଏ । ଝଡ଼ ସମୟରେ କୌଣସି ସୌଧବାସୀ ପକ୍କା ବାରଣ୍ଡାରେ ବିହାର କରିବା ପାଇଁ ଅନୁମତି ପାଆନ୍ତି ନାହିଁ । ଥରେ ଦୈବାତ୍ ଉତ୍ତାପରେ ଭୀଷଣ ପରିବର୍ତ୍ତନ ପରିଲକ୍ଷିତ ହେଲା-। ଦେଖାଗଲା, ବରଫ ତରଳିବାର ଉତ୍ତାପଠାରୁ ସେହିଦିନର ଉତ୍ତାପ ୧୬ ଡିଗ୍ରୀ କମିଯିବା ବେଳେ ସର୍ବନିମ୍ନ କକ୍ଷରେ ମୋଟେ ୮ ଡିଗ୍ରୀ ଉତ୍ତାପ ଥିଲା । କେହି କେହି କହନ୍ତି ଯେ, ଝଡ଼ ସମୟରେ ସମୁଦାୟ ଅଟ୍ଟାଳିକାଟି ଆନ୍ଦୋଳିତ ହୁଏ । ମାତ୍ର ଏପରି ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ । ସୁଦକ୍ଷ ଇଞ୍ଜିନିୟରମାନେ ବହୁ ଆଲୋଚନା ପରେ ସ୍ଥିର କରିଅଛନ୍ତି ଯେ, ଯଦି ୯ ଘଣ୍ଟାକାଳ ଏକ ପ୍ରକାଣ୍ଡ ଘୂର୍ଣ୍ଣିବାୟୁ କାଳଗ୍ରାସୀ ତୋଫାନ ସହ ୯୦ ମାଇଲି ବେଗରେ ବହେ, ତେବେ ସମଗ୍ର ସୌଧଟି ମୋଟ ୧୧/୨ ଇଞ୍ଚ ଘୁଞ୍ଚି ଯାଇପାରେ । ମାତ୍ର ଏହା କେବେ ଘଟି ନାହିଁ । ଗୋଟିଏ ଝଡ଼ ସମୟର କଥା ନିମ୍ନରେ ଉଲ୍ଲେଖ କରାଗଲା ।

 

୧୯୪୮ ମସିହା ସେପଟେମ୍ବର ମାସର ଏକ ଦିନ । ଚାହୁଁ ଚାହୁଁ ଦୂର ଦିଗ୍‌ବଳୟକୁ ଘନ ଅନ୍ଧାକାର କରି ଏକ ପ୍ରବଳ ଝଡ଼ ବତାସ ମାଡ଼ିଆସିଲା । କୁଆପଥର ସହ ଅଚାନକ ବର୍ଷା ବହୁ ସମୟ ଧରି ମୂଷଳ ଧାରାରେ ବର୍ଷିଲା । ଘୂର୍ଣ୍ଣିବାୟୁର କବଳରେ ପଡ଼ି ଶତ ଶତ ପକ୍ଷୀ ଓ କୀଟ ପତଙ୍ଗ ଅଟ୍ଟାଳିକା ଦେହରେ ଧକ୍କା ଖାଇ କ୍ଷତ ବିକ୍ଷତ ହୋଇଗଲେ । ପାଞ୍ଚଶହ ମୃତ ପକ୍ଷୀ ରାସ୍ତା ଉପରେ ପଡ଼ି ରହିଲେ । ଯେଉଁ କେତେକ ମୃମୂର୍ଷୁ ଅବସ୍ଥାରେ ପଡ଼ି ରହିଥିଲେ, ସେମାନଙ୍କର ଚିକିତ୍ସା କରା ଯାଇଥିଲା; ମାତ୍ର ସେମାନେ ବଞ୍ଚି ନଥିଲେ ।

 

ଏହି ଅଟ୍ଟାଳିକାକୁ ବଜ୍ର ଦାଉରୁ ରକ୍ଷା କରିବା ପାଇଁ ବିଜ୍ଞାନସମ୍ମତ ପ୍ରତିରୋଧକ ପନ୍ଥା ଅବଲମ୍ବନ କରାଯାଇଛି । ଫଳରେ ପାଞ୍ଚଶହ ଥର ବଜ୍ର ପଡ଼ି ମଧ୍ୟ ପ୍ରାସାଦର କୌଣସି ଅଙ୍ଗ ହାନି କରି ନାହିଁ । ଥରେ କୌଣସି ଏକ ଝଡ଼ରେ ୧୯ ଥର ବଜ୍ରପାତ ମୃହୁର୍ମୁହୁଃ ଘଟିଥିଲା । ସେଥିରେ ଅଟ୍ଟାଳିକାର କୌଣସି କ୍ଷତି ହୋଇ ନଥିଲ । ।

 

ମାନମନ୍ଦିର ନିକଟରେ ଠିଆ ହୋଇ ପ୍ରକୃତିର ଅପରୂପ ଶୋଭା ଅବଲୋକନ କଲେ ପ୍ରାଣରେ ଅପାର ଆନନ୍ଦ ଜାଗ୍ରତ ହୁଏ । ବାୟୁମଣ୍ଡଳ ସର୍ବଦା ଘୁ ଘୁ ଗର୍ଜନ କଲେ ମଧ୍ୟ ବିଶେଷ ବିରକ୍ତି ବୋଧହୁଏ ନାହିଁ । ଏଠାରେ ପବନର ଗତି ପ୍ରାୟ ତଳୁ ଉପରକୁ ହୁଏ । ତେଣୁ କୁଆପଥର-ବୃଷ୍ଟି ତଳୁ ଉପରକୁ ଉଠେ । ଉକ୍ତ ଅଟ୍ଟାଳିକାରେ ଥରେ ରକ୍ତ ବୃଷ୍ଟି ହେବାର ଦେଖା ଯାଇଥିଲା । ଏହାର ତଥ୍ୟ ଉଦ୍‍ଘାଟନ କରିବାକୁ ଯାଇ ବୈଜ୍ଞାନିକମାନେ କହିଲେ ଯେ, ଏଭଳି ବର୍ଷା ହେବାର କୌଣସି ବିଶେଷତ୍ୱ ନାହିଁ । କାରଣ ଘୂର୍ଣ୍ଣିବାୟୁ ଦ୍ୱାରା ଯେଉଁ ଧୂଳି ପଟଳ ସହରରୁ ଉତ୍‌ଥିତ ହୁଏ ତାହା କେବଳ ନାଲି ରଙ୍ଗର ମାଟି । ସେହି ମାଟି ବର୍ଷା ସମ୍ପାତରେ ଆସି ରକ୍ତ ବୃଷ୍ଟି ହେଲା ପରି ଜଣା ଯାଇଥିଲା । ଏତଦ୍‌ବ୍ୟତୀତ ଆହୁରି ଥରେ ଦୁଗ୍ଧ ପରି ଧଳା-ବର୍ଷା ଲୋକେ ଦେଖିଥିଲେ । ମାତ୍ର ତାହାର ମୂଳ କାରଣ ଅବଧି ବୈଜ୍ଞାନିକମାନେ ସ୍ଥିର କରି ନାହାନ୍ତି । ଯେଉଁଥର ଗୋଲାକାର ଧଳା ବଟିକା ପ୍ରାସାଦ ଉପରେ ପଡ଼ିଥିବାର ଦେଖାଗଲା, ସେଥର ଲୋକେ ନାନା କଥା କହିଲେ । ପରିଶେଷରେ ସିଦ୍ଧାନ୍ତ ହେଲା ଯେ, ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂଠାରୁ ଅଳ୍ପ ଦୂରରେ ଯେଉଁ ମଦକାରଖାନାଟି ରହିଛି ସେଥିରୁ ବାଲିଗୁଣ୍ଡ ଉଡ଼ି ଆସି ଏଭଳି ଆକାର ଧାରଣ କରିଛି ।

 

୧୯୪୬ ମସିହାରେ ଏକ ବୋମାବର୍ଷୀ ଉଡ଼ାଜାହାଜ ଅଟ୍ଟାଳିକାର ୭୮ତମ ମହଲାରୁ ଭୀଷଣ ବେଗରେ ଧକ୍କା ଦେଇଥିଲା । ତଦ୍ଦ୍ୱାରା ୧୪ ଜଣ ଲୋକ ଉଡ଼ାଜାହାଜରେ ଥାଇ ମୃତ୍ୟୁକୁ ବରଣ କରଥିଲେ ଓ ବ୍ୟୋମଯାନର ସୁଦୃଢ଼ ଇଞ୍ଜିନ୍‌ଟି ପ୍ରାସାଦର ଏକ କୋଠରୀ ଦ୍ୱାର ଦେଇ ଚାଲି ଯାଇଥିଲା । ସେହି ଦୁର୍ଘଟଣା ବେଳେ ନିମ୍ନ ମହଲାର ଲୋକେ କୌଣସି କଥା ଲେଶମାତ୍ର ଜାଣି ନଥିଲେ । ବାସ୍ତବିକ୍‌ ଏହି ଅଟ୍ଟାଳିକା କେଡ଼େ ଦୃଢ଼ ଭାବିଲେ ବିସ୍ମୟ ଜାତ ହୁଏ ।

 

ଆମେରିକାରେ ଯେଉଁ ସବୁ ହର୍ମ୍ୟ ନିର୍ମିତ ହେଉଅଛି, ସେଗୁଡ଼ିକ ନିର୍ମାଣ କରିବାପାଇଁ ବହୁ ସମୟ ଲୋଡ଼ା ହେଉନାହିଁ । କାରିଗରମାନେ ବିଶେଷ ଦକ୍ଷ ଥିବାରୁ ସେମାନଙ୍କୁ ତିରିଶ ମହଲା କୋଠା ତୋଳିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗେ ନାହିଁ । ଏତେ ଅଳ୍ପ ସମୟ ମଧ୍ୟରେ ଗୋଟିଏ ଗୋଟିଏ ବିରାଟ ସୌଧକୁ ଠିଆ କରାଇବା କ’ଣ କମ୍ ବିଚିତ୍ର କଥା ।

 

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୁବୃହତ୍‍ ସୈାଧଗୁଡ଼ିଏ ନିର୍ମିତ ହେଉଥିଲେ ସୁଦ୍ଧା ସେଗୁଡ଼ିକ ସ୍ଥାୟୀ ନୁହେଁ । ସୈାଧ ନିର୍ମାତାମାନେ କହନ୍ତି ଯେ, ଆମେରିକା ଯୁକ୍ତରାଷ୍ଟ୍ରର ମାଟିରେ ସ୍ଥାୟୀ ଅଟ୍ଟାଳିକା ନିର୍ମିତ କରିବା କଦାପି ସମ୍ଭବ ନୁହେଁ । ହୀନବଳ ମୃତ୍ତିକା ଉପରେ ବୃହତ ଅଟ୍ଟାଳିକା ନିର୍ମାଣ କରିବା ଅପେକ୍ଷା ନୂତନ ସୈାଧ ନିର୍ମାଣ କରିବା ସବୁଠାରୁ ବେଶି ନିରାପଦ—ବେଶି ଶାନ୍ତିଦାୟକ ।

 

୨୨୨ ଫୁଟ ଉଚ୍ଚତାର ଯେଉଁ ଟେଲିଭିଜନ୍ ମାସ୍ତୁଲ୍ ଅଟ୍ଟାଳିକାର ଅଗ୍ରଭାଗରେ ସ୍ଥାପିତ ହୋଇଅଛି, ତାହାର ଓଜନ ପ୍ରାୟ ୧୬୮୦ ମହଣ । ଏହା ଉପରେ ୬ଟି ଟେଲିଭିଜନ୍ କେନ୍ଦ୍ର ଓ ୩ଟି ବେତାର କେନ୍ଦ୍ର ସ୍ଥାପିତ ହେବାରେ ୯୮ଲକ୍ଷ ଟଙ୍କା ବ୍ୟୟିତ ହୋଇଛି । ସମଗ୍ର ପୃଥିବୀରେ ଏହାଠାରୁ ବଳି ବଡ଼ ଶବ୍ଦ ଓ ଚିତ୍ର ପ୍ରକ୍ଷେପକ ବେତାର କେନ୍ଦ୍ର ଅନ୍ୟ କୈାଣସିଠାରେ ନାହିଁ ।

 

ବିଜ୍ଞାନର ଆହୁରି ଉନ୍ନତି ହେଲେ କ୍ରମଶଃ ଆହୁରି ବିଶାଳକାୟ ଅଟ୍ଟାଳିକାମାନ ଯେ ନିର୍ମିତ ନ ହେବା ତା’ କିଏ କହିବ ?

Image

 

କୁଇନ୍ ମେରୀ

 

‘ସାତ ସମୁଦ୍ରର ରାଣୀ କିଏ?’—ଏ ପ୍ରଶ୍ନ କଲେ ତୁମେ ପୃଥିବୀ ମାନଚିତ୍ରରୁ ହୁଏତ ପ୍ରଶାନ୍ତ ମହାସାଗରକୁ ନିର୍ଦ୍ଦେଶ କରିବ । ଏଭଳି ଉତ୍ତର ଯେ ଭୁଲ୍‍, ତା’ ନୁହେଁ । ସାତ ସମୁଦ୍ର ମଧ୍ୟରେ ଏହା ଯେପରି ବୃହତ୍ତମ ସେହିପରି ଗଭୀରତମ । ତେଣୁ ରାଣୀ କହିବାଟା ଯଥାର୍ଥ । ମାତ୍ର ଏଠାରେ କୈାଣସି ସମୁଦ୍ରକୁ ରାଣୀ କୁହା ନଯାଇ ଏକ ଜାହାଜକୁ ହିଁ କୁହ।ଯାଉଛି । ସାତ ସମୁଦ୍ରରେ ଯେଉଁ ସବୁ ଜାହାଜ ସଦର୍ପରେ ସ୍ୱଗୌରବକେତନ ଉଡ଼ାଇ ଉତ୍ତାଳ-ଫେନିଳ-ବୀଚିମାଳାର ମସ୍ତକକୁ ନିର୍ମମ ଭାବେ ଆଘାତ କରନ୍ତି, ସେମାନଙ୍କ ମଧ୍ୟରେ ‘କୁଇନ୍ ମେରୀ’ ପ୍ରଧାନ ।

 

୧୮୩୮ ଖ୍ରୀଷ୍ଟାବ୍ଦରେ ଯେଉଁଦିନ ପ୍ରଥମ ବାଷ୍ପୀୟ ପୋତ ‘ମରସେ’ ଇଂଲଣ୍ଡର ପ୍ରଧାନ ବନ୍ଦର ଲିଭରପୁଲ ତ୍ୟାଗ କଲା, ସେଦିନ ଦେଶବାସୀଙ୍କ ପ୍ରାଣରେ କି ଆନନ୍ଦ ! କି ଉଦବେଗ !! ସମସ୍ତେ ସମସ୍ୱରରେ କହିଲେ, ବାଃ...ଜାହାଜଟି କି ଚମତ୍କାର ଦିଶୁଛି !!’’ ଇତି ମଧ୍ୟରେ ଶହେ ବର୍ଷ ଅତୀତ ହୋଇଗଲା । ୧୯୩୮ ଖ୍ରୀଷ୍ଟାବ୍ଦରେ ପୁନର୍ବାର ସେହି ପୋତାଶ୍ରୟରୁ ଆହୁରି ଏକ ନୂତନ ଜାହାଜ ସମୁଦ୍ରକୁ ଅବତରଣ କଲା । ତାହାର ନାମ ‘ମ୍ୟୁରେଟାନିଆଁ ।’ ଲୋକେ ପୁରାତନ ଜାହାଜ ସହିତ ନୂତନ ଜାହାଜଟିକୁ ତୁଳନା କଲେ । ବାଃ...ବାଃ...ଏ ତ ପୁଣି ପରିବର୍ତ୍ତନ! ନୂଆ ଜାହାଜଟି ‘ମରସେ' କୁ ଚାଳିଶ ଗୁଣରେ ବଳି ଯାଇଛି । ଏହାର ଓଜନ ତେତିଶ ହଜାର ଟନ୍‌ରୁ ଅଧିକ ହୋଇଛି । ଏଡ଼େ ଜାହାଜ ପୁଣି ନିର୍ମିତ ହୋଇପାରେ ! ଏଭଳି ବୃହତ୍ ଜାହାଜଟିଏ ନିର୍ମାଣ କଲେ କେତେ ଧନ ବ୍ୟୟ କରିବାକୁ ପଡ଼େ ଓ କି କି ଅଭିଜ୍ଞତା ଅର୍ଜ୍ଜନ କରିବାକୁ ପଡ଼େ, ତାହା କଳ୍ପନା କରିବା ପୂର୍ବରୁ କାରଖାନାକୁ ସିଧାସଳଖ ଯାଇ ସ୍ୱଚକ୍ଷୁରେ ସମସ୍ତ ଦୃଶ୍ୟ ଦେଖି ଆସିବା ଉତ୍ତମ ନୁହେଁ କି ?

 

ଇଂଲଣ୍ଡର ପ୍ରସିଦ୍ଧ କମ୍ପାନୀ କାମେଲ ଲିଆଡ଼ ‘ମ୍ୟୁରେଟାନିଆ’ ଜାହାଜକୁ ବାରକେନ୍‌ହେଡ଼୍‌ଠାରେ ନିର୍ମାଣ କରିଥିଲେ । ଏଥିରେ ଯେଉଁ ସବୁ ଯନ୍ତ୍ରପାତି ଖଞ୍ଜା ଯାଇଛି, ତାହା ସମୀକ୍ଷା କଲେ ଜାହାଜଟି ବିଶାଳତା ସମ୍ୱନ୍ଧରେ ଯଥେଷ୍ଟ ଜ୍ଞାନ ଉପଲବ୍ଧି ହୁଏ । ଏହା ‘ମର୍‌ସେ’ ଜାହାଜଠାରୁ ପ୍ରତ୍ୟେକ ଗୁଣରେ ବଡ଼ ବୋଲି କୁହା ଯାଇପାରେ । ‘‘ମ୍ୟୁରେଟାନିଆ’ ଜାହାଜକୁ ଗଢ଼ିବା ପାଇଁ ଯେଉଁ ଇସ୍ପାତ୍ ପଟାଗୁଡ଼ିକ ପ୍ରୟୋଜନ ପଡ଼ିଲା, ସେଗୁଡ଼ିକୁ ଆଣ୍ଟି ରଖିବା ପାଇଁ କମ୍ପାନୀକୁ ବହୁ ଟନର ଲୌହ କଣ୍ଟା ଖର୍ଚ୍ଚ କରିବାକୁ ହେଲ । ଯଦି ସେହି କଣ୍ଟା ବ । ପେଚଗୁଡ଼ିକୁ କେହି ଏକ ସରଳରେଖାରେ ସଜାଇ ରଖନ୍ତା, ତାହା ଦେଢ଼ ମାଇଲ ପର୍ଯ୍ୟନ୍ତ ଲମ୍ବିଯାଆନ୍ତା । ଜାହାଜର ଉପରି ଭାଗକୁ ଚାକ୍‌ଚିକ୍‌କଣ କରିବା ଉଦ୍ଦେଶ୍ୟରେ ତିନି ଶହ ଗ୍ୟାଲନରୁ ଅଧିକ ପୁଟ ପ୍ରୟୋଜନ ପଡ଼ିଲା । ସେତିକି ମଧ୍ୟ ନୁହେଁ, ଚାରି ଜଣ ସୁଦକ୍ଷ ପୋତ ବିଶେଷଜ୍ଞ ଅନ୍ୟ କୌଣସି କାର୍ଯ୍ୟରେ ଲିପ୍ତ ନ ଥାଇ ଦିନରାତି ଜାହାଜର ଚତୁର୍ଦ୍ଦିଗରେ ବୁଲି ପେଚ ଓ ଖିଲ କିଭଳି ଲଗାଯାଉଛି, ତାହା ତନ୍ନ ତନ୍ନ କରି ତଦାରଖ କରୁଥିଲେ । କାରିଗରମାନଙ୍କ ପାଇଁ ତିରିଶ କ୍ରୋଶ ବ୍ୟାପୀ ଏକ ସୁଦୀର୍ଘ ମଞ୍ଚ ଜାହାଜର ଭିତରେ ଓ ବାହାରେ ନିର୍ମିତ ହୋଇଥିଲା । ଏକକାଳୀନ ବହୁଲୋକ ଜାହାଜରେ ଯାତାୟତ କରିବା ପାଇଁ ଏହାକୁ ଦଶ ମହଲା କରାଯାଇଥିଲା । ଏଥିରେ କୌଣସି ଯାତ୍ରୀର କିଛି ଅଭାବ ଘଟେ ନାହିଁ । ପାଠାଗାର, ନୃତ୍ୟଶାଳା, ପ୍ରେକ୍ଷାଳୟ, ଶିଶୁଶିକ୍ଷା ସଦନ, ଏକାଧିକ ଭୋଜନାଗାର ପ୍ରସାଧନ କକ୍ଷ, ସନ୍ତରଣ ପାଇଁ ଦୁଇଟି ଜଳାଧାର, ଦୁଇଟି ବ୍ୟାୟାମଶାଳା, ବୈଦ୍ୟୁତିକ ରଶ୍ମିରେ ସ୍ନାନ କରିବା ପାଇଁ ଗୃହ ବ୍ୟତୀତ ଯୁଗୋପଯୋଗୀ ଆହୁରି କେତେକ ବିଳାସକକ୍ଷ ଦ୍ୱାରା ଜାହାଜଟି ଶୋଭାବନ୍ତ ହୋଇଥିଲା । ଅସ୍ତକାଳୀନ ରବିଙ୍କର ରକ୍ତିମ ଆଭା, ଆହ୍ଲାଦଦାୟିନୀ ଚନ୍ଦ୍ରଙ୍କର ସୁଶୀତଳ କିରଣ ଓ ମଧୁମନ୍ଦ ସମୀରଣ ଉପଭୋଗ କରିବା ପାଇଁ ଜାହାଜରେ ଯେଉଁ ବ୍ୟବସ୍ଥା ହୋଇଥିଲା, ତାହା ବାସ୍ତବିକ ପ୍ରଶଂସନୀୟ ।

 

‘ମ୍ୟୁରେଟାନିଆ’ ସେ କାଳରେ ବୃହତ୍ତମ ଜାହାଜ ହେଲେ ମଧ୍ୟ ପରବର୍ତ୍ତୀ କାଳରେ ଇଂରେଜ ଜାତିର ଶ୍ରେଷ୍ଠ ନିଦର୍ଶନ ‘କୁଇନ୍‌ମେରି’ ‘ଏଲିଜାବେଥ୍’ ଓ ଫ୍ରାନ୍‌ସର ‘ନର୍ମାଣ୍ଡି’ ଜାହାଜ ନିକଟରେ ଅତି କ୍ଷୁଦ୍ର ଓ ନଗଣ୍ୟ ହୋଇଥିଲା, ଏ କଥା ନିରାଟ ସତ୍ୟ । ଏହି ଜାହାଜ ଗୁଡ଼ିକ ନିର୍ମିତ ହୋଇ କିପରି ଏକାଧିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ତାହା ଶୁଣ ।

 

ଜାହାଜ ନିର୍ମିତ ହେଉଥିବା ସ୍ଥାନକୁ ଇଂରାଜୀରେ ‘Ship-building yard’ କହନ୍ତି-। ପ୍ରତ୍ୟେକ ଜାହାଜ ଏକ ବୃହତ୍ ଲୁହା ଭାଡ଼ି ଉପରେ ଥାଇ କାର୍ଯ୍ୟାରମ୍ଭ ହୁଏ । ଧନଶାଳୀ କମ୍ପାନୀମାନେ ସାଧାରଣତଃ ସୁଦୀର୍ଘ ଭାଡ଼ି ନିର୍ମାଣ କରନ୍ତି । ଏକାଧିକ ଜାହାଜ ସେହି ଭାଡ଼ି ଉପରେ ଥାଇ କାର୍ଯ୍ୟ ହୁଏ । ଶହ ଶହ କାରିଗର ଦିନରାତି ଲାଗି ଜାହାଜ ନିର୍ମାଣ କରନ୍ତି । ନଦୀ କିମ୍ବା ସମୁଦ୍ର ତଟରେ ଲୌହ ଭାଡ଼ିକୁ ନିର୍ମାଣ କରାଯାଏ । ଆମ ଭାରତର ଭାଇଜାଗାପଟମ୍‍ଠାରେ ଯେଉଁ ‘Ship-building yard’ ନିର୍ମିତ ହୋଇଛି, ତାହାର ମୋଟ କ୍ଷେତ୍ରଫଳ ୫୬ ଏକର-। ଆବଶ୍ୟକତା ଅନୁଯାୟୀ ଏହାକୁ ଉନ୍ନତ କରା ଯାଇପାରିନାହିଁ । ଇଂଲଣ୍ତ, ଫ୍ରାନ୍‌ସ, ଜର୍ମାନୀ, ଜାପାନ, ଆମେରିକା, ରୁଷିଆ ପ୍ରଭୃତି ଦେଶ ବିଶେଷ ଧନଶାଳୀ ହେତୁ ସେମାନଙ୍କର Ship building yard ଗୁଡ଼ିକ ଖୁବ୍‌ ପ୍ରଶସ୍ତ । ସେ ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ଅର୍ଜ୍ଜନ କରିବା ପାଇଁ ଆମ ଦେଶବାସୀଙ୍କ ପକ୍ଷରେ ସୁଯୋଗ ନାହିଁ ।

 

ତେବେ ଏତିକି ମନେ ରଖିବାକୁ ହେବ ଯେ, ଦୁଇଧାଡ଼ି ସୁଦୃଢ଼ ଲୌହଖମ୍ବ ଉପରେ ଜାହାଜର ଭାଡ଼ି ନିର୍ମିତ ହୋଇଥାଏ । ଜାହାଜ ପ୍ରଥମେ ସେହି ଭାଡ଼ି ଉପରେ ଥାଇ ନିର୍ମିତ ହୁଏ । ଗୋଟିଏ ଗୋଟିଏ ଭାଡ଼ି ସାଧାରଣତଃ ଅଢ଼େଇଶହ ଫୁଟ ଉଚ୍ଚ ହୋଇଥାଏ । ଏକାଧିକ କ୍ରେନ୍‌ ବିଜୁଳିଶକ୍ତି ଦ୍ୱାରା ପରିଚାଳିତ ହୋଇ ସେହି ଭାଡ଼ି ଉପରେ ଏଣେ ତେଣେ ବିଚରଣ କରୁଥାନ୍ତି । ରେଲଗାଡ଼ି ଲାଇନ୍‌ରୁ ଅକସ୍ମାତ୍‌ ଖସି ପଡ଼ିଲେ ଏହି କ୍ରେନ ସାହାଯ୍ୟରେ ତାହା ତଳୁ ଉଠାଇବାକୁ ପଡ଼େ । କ୍ରେନ ଦେଖିବାକୁ ଠିକ୍‌ ବଗ ପରି । ଏହା ନିକଟସ୍ଥ କାରଖାନାରୁ ଜାହାଜର ଅଂଶ ପାଇଁ ଯେଉଁ ଜିନିଷ ପ୍ରୟୋଜନ, ସେଗୁଡ଼ିକୁ ଉଠାଇ ଆଣି କାରିଗରମାନଙ୍କ ହାତ ପାଖରେ ପହଞ୍ଚାଇ ଦିଏ । ତା’ ନୋହିଲେ ଏତେ ଉଚ୍ଚକୁ ବଡ଼ ବଡ଼ ଲୌହପଦାର୍ଥ ଉଠାଇ ପାରନ୍ତା କିଏ ?

 

ତୁମେ ନଦୀ କୂଳରେ ନୌକା ନିର୍ମିତ ହେବାର ଦେଖିଥିବ । କାରିଗରମାନେ ନୌକାକୁ ଭୂମିଠାରୁ ଅଳ୍ପ ଉଚ୍ଚରେ ରଖି ତାହା ନିର୍ମାଣ କରନ୍ତି । ନିର୍ମାଣ କାର୍ଯ୍ୟ ସମାପ୍ତ ହେଲେ ତାହାକୁ ଧୀରେ ନଦୀ ଜଳକୁ ଖସାଇ ଦିଅନ୍ତି । ଜାହାଜଟି ମଧ୍ୟ ସେହିପରି ଅବସ୍ଥାର ସମ୍ମୁଖୀନ ହୁଏ । ଜାହାଜକୁ ବହୁ ଖମ୍ବ ଓ କାଠଗଡ଼ର ଠେକ ଦ୍ୱାରା ଡେରି ରଖି ବଡ଼ ବଡ଼ ଶକ୍ତ ଶିକୁଳିରେ ତାହାକୁ ଚତୁର୍ଦ୍ଦିଗରୁ ବାନ୍ଧି ରଖନ୍ତି । ଜାହାଜର ନିମ୍ନଭାଗ ଭୂମି ସହିତ ସମାନ୍ତରାଳ ନ ହୋଇ କିଞ୍ଚିତ୍‌ ଗଡ଼ାଣିଆ ହେବା ଦ୍ୱାରା ଜାହାଜକୁ ସହଜରେ ଠେଲିଦେବାକୁ ସୁବିଧା ହୁଏ ।

 

ପ୍ରତ୍ୟେକ ଜାହାଜର ସମ୍ମୁଖସ୍ଥ ମଙ୍ଗର ଗଠନ ପ୍ରଣାଳୀ ବଡ଼ କୌଶଳପୂର୍ଣ୍ଣ । ନୌକାର ଆଗ ମଙ୍ଗ ପରି ଏହା ଅଣଓସାରିଆ ଓ ଗୋଜିଆ । ଜାହାଜ ନିର୍ମିତ ହେଉଥିବା ବେଳେ ସମ୍ମୁଖ ମଙ୍ଗଟି ସର୍ବଦା ଉପରକୁ ରଖାଯାଏ । ତଳ ମଙ୍ଗ ଖୁବ୍‌ ଯତ୍ନ ସହକାରେ ଧୀରେ ଧୀରେ ଜଳକୁ ଖସାଇ ଦେଲେ ବିପଦ ଘଟେ ନାହିଁ ।

 

ଯଦି ସାବଧାନତାରେ ଜାହାଜକୁ ସମୁଦ୍ର ମଧ୍ୟକୁ ଠେଲି ନ ଦେଇ ତହିଁରେ କିଛି ତ୍ରୁଟି କରାଯାଏ, ତେବେ ଜାହାଜର ମାଲିକ ବହୁ ଖର୍ଚ୍ଚାନ୍ତ ହୁଅନ୍ତି । କାରଣ ଜାହାଜଟି ଓଜନ ଥିବା ହେତୁ ମାଟିରେ ପଶିଯାଏ ଓ ତହିଁରୁ ଉଦ୍ଧାର କରିବାକୁ ବହୁ ସମୟ ପ୍ରୟୋଜନ ହୁଏ ।

 

ଜାହାଜଗୁଡ଼ିକ ସମୁଦ୍ର ମଧ୍ୟରେ ଗତି କଲାବେଳେ ଉତ୍ତାଳତରଙ୍ଗ-ମାଳାର ମୁହୁର୍ମୁହୁଃ ଆଘାତ ଓ ଝଡ଼ ତୋଫାନର ଆକ୍ରମଣ ସହ୍ୟ କରିବାକୁ ପଡ଼େ । ଯଦି ଜାହାଜର ଗଠନ ପ୍ରଣାଳୀ ସୁଚିନ୍ତିତ ଓ ବିଜ୍ଞାନସମ୍ମତ ହୋଇ ନ ଥାଏ ତେବେ ତାହା କଦାପି ତିଷ୍ଠି ପାରେନାହିଁ । ସାମୟିକ ଏପରି ଘଟେ ଯେ, ଦୁଇ ପ୍ରକାଣ୍ତ ଢେଉ ଉପରେ ଜାହାଜରେ ଦୁଇ ମଙ୍ଗ ରହିଯିବା ଫଳରେ ମଧ୍ୟାଂଶ ସମ୍ପୂର୍ଣ୍ଣ ରୂପେ ବଙ୍କେଇ ଯାଏ ଏବଂ ନାନା ଦୁର୍ଘଟଣା ଜାହାଜ ମଧ୍ୟରେ ଘଟେ । ଏହା ଛଡ଼ା ବରଫ-ପାହାଡ଼ ଦେହରେ ଜାହାଜ ଥରେ ଧକ୍‌କା ଲାଗିଲେ ତହିଁରୁ ରକ୍ଷା ପାଇବା ସମ୍ଭବ ହୁଏ ନାହିଁ-। ପୃଥିବୀର ବିଖ୍ୟାତ ଜାହାଜ ଟାଇଟାନିକ୍‌ ଖଣ୍ତେ ଭାସମାନ ବରଫ ପାହାଡ଼ ଦେହରେ ଧକ୍‌କା ଖାଇ ଯେପରି ଜଳମଗ୍ନ ହେଲା ତାହାର ଶୋଚନୀୟ କାହାଣୀ ଶୁଣିଲେ ହୃଦୟ ଦୁଃଖରେ ଜର୍ଜରିତ ହେବ । ଜଣେ ନୁହେଁ, ଦୁଇ ଜଣ ନୁହେଁ, ଦେଢ଼ ହଜାର ମନୁଷ୍ୟ ଜାହାଜ ସହ ଜୀବନ୍ତ ସମାଧି ଲାଭ କରିଥିଲେ । ଜାହାଜର ନିର୍ମାଣ କୌଶଳ ଠିକ୍‌ ନ ହେଲେ ବହୁ ଧନ ଜୀବନ କ୍ଷୟ ହୁଏ ।

 

ଜାହାଜର ନିମ୍ନାଂଶ କେବଳ ଖାଣ୍ଟି ଇସ୍ପାତରେ ନିର୍ମିତ ହେଲେ ସୁଦ୍ଧା ବିପଦ ଦୂରୀଭୂତ ହେବ ନାହିଁ । ଏଣୁ ନିମ୍ନାଂଶ ସହ ଚତୁର୍ଦ୍ଦିଗର କାନ୍ଥ ଦୃଢ଼ କରିବାକୁ ହୁଏ । ଇସ୍ପାତ୍‌ ପଟାଗୁଡ଼ିକରେ ଲୌହ ପେଚ ଓ ଖିଲି ଉତ୍ତମ ରୂପେ ଦିଆ ନଗଲେ ଜଳ ଜାହାଜ ମଧ୍ୟକୁ ପଶେ । ଏଣୁ ମାପଚୁପ ଅନୁଯାୟୀ ଖିଲଗୁଡ଼ିକ ଜାହାଜର ଯଥା ସ୍ଥାନରେ ବସାଇବାକୁ ପଡ଼େ । ଜାହାଜ କମ୍ପାନୀମାନେ ସେମାନଙ୍କର ଜାହାଜକୁ ବୀମା କରିଥାନ୍ତି । ବୀମା କମ୍ପାନୀ ଜାହାଜର ବୀମା ଗ୍ରହଣ କରିବା ପୂର୍ବରୁ ସୁଦକ୍ଷ ସ୍ୱତନ୍ତ୍ର କର୍ମଚାରୀଙ୍କ ଦ୍ୱାରା ଜାହାଜଟିକୁ ପରୀକ୍ଷା କରନ୍ତି । ସେହି କର୍ମଚାରୀ ଆଉ ଯାହା ଦେଖନ୍ତୁ ପଛେ, ଆଗେ ଖିଲଗୁଡ଼ିକ ନିୟମାନୁଯାୟୀ ଯଥା ସ୍ଥାନରେ ମରା ଯାଇଛି କି ନାହିଁ, ତାହା ଲକ୍ଷ୍ୟ କରନ୍ତି । ପୁନଶ୍ଚ ଜାହାଜର ଗଠନ ଓ ଆକାର ନିର୍ଦ୍ଦିଷ୍ଟ ମାପରେ ହୋଇ ନ ଥିଲେ, ସେହି କର୍ମଚାରୀ ଜାହାଜର ବୀମା ଗ୍ରହଣ କରିବା ନିରାପଦ ନୁହେଁ ବୋଲି ସମ୍ପୃକ୍ତ କମ୍ପାନୀକୁ ଜଣାଇ ଦିଅନ୍ତି । ଉକ୍ତ ନିୟମ ଅବଶ୍ୟ ସବୁ ଜାହାଜ ପାଇଁ ପ୍ରଯୁଜ୍ୟ ହୋଇ ନଥାଏ । ଯୁଦ୍ଧ ଜାହାଜଗୁଡ଼ିକ ବିଭିନ୍ନ ସରକାରଙ୍କ ଇଚ୍ଛାନୁଯାୟୀ ନିର୍ମିତ ହୁଏ । ମାତ୍ର ଯାତ୍ରୀବାହୀ ଜାହାଜ ଓ ବାଣିଜ୍ୟ ଜାହାଜକୁ ହିଁ ନିର୍ଦ୍ଦିଷ୍ଟ ନିୟମରେ ଗଢ଼ିବାକୁ ହୁଏ ।

 

ସାଧାରଣତଃ ଜାହାଜରେ ଏକାଧିକ ମହଲା ବା ଡେକ୍‍ ଥାଏ । ପ୍ରତ୍ୟେକ ମହଲାରେ ବହୁ କୋଠରୀ ଥାଏ । ଜାହାଜର ନିମ୍ନଦେଶ ଇସ୍ପାତ୍‌ ଓ କାଠ ଦ୍ୱାରା ନିର୍ମିତ ନହୋଇ ଯଦି କେବଳ ଇସ୍ପାତ୍‌ରେ ନିର୍ମିତ ହୁଅନ୍ତା ତେବେ ବହୁ ଅସୁବିଧା ପଡ଼ନ୍ତା । ଯାତ୍ରୀମାନେ ଚାଲିବାବେଳେ ଠକ୍‌-ଠକ୍‌ ଶବ୍ଦ ଶୁଣିବାକୁ ମିଳିବା ସଙ୍ଗେ ସଙ୍ଗେ ଅନ୍ୟ ଯାତ୍ରୀମାନଙ୍କର ଶାନ୍ତିଭଙ୍ଗ ହେଉଥାନ୍ତା । ରେଳଗାଡ଼ିର କୋଠରୀ ପରି ଜାହାଜର କୋଠରୀ ହେଲେ ମଧ୍ୟ ଏହା ତାହାଠାରୁ ଯଥେଷ୍ଟ ଉନ୍ନତ ଓ ସୁନ୍ଦର । ପ୍ରତ୍ୟେକ କୋଠରୀରେ ଯେଉଁ ଦ୍ୱାରା ଓ ଝରକା ଲଗା ଯାଇଥାଏ । ସେଗୁଡ଼ିକ ଛିଦ୍ରଶୂନ୍ୟ ଦେବାପାଇଁ ବ୍ୟବସ୍ଥା ଥାଏ । କବାଟ ଗୁଡ଼ିକ ଦ୍ୱାରା ବନ୍ଧରେ ଧକ୍‌କା ଦେଲେ ସୁଦ୍ଧା କୌଣସି ଶବ୍ଦ ହୁଏ ନାହିଁ । ରବର ଦିଆଯାଇଥିବା ହେତୁ ଦ୍ୱାର ଓ ଝରକା ସର୍ବଦା ନିବୁଜ ରହେ । ଯଦି ଅକସ୍ମାତ୍‌ ଏକ ଜାହାଜ ସହିତ ଅନ୍ୟ କୌଣସି ଜାହାଜର ସଂଘର୍ଷ ହୁଏ ତେବେ ଜାହାଜର କାନ୍ଥ ଫାଟି ଯାଏ । ଜଳ ଡେକ ଭିତରେ ନ ପଶିବାପାଇଁ ଏକ କଳ ରହିଛି । ତାହାକୁ ଘୂରାଇବା ସଙ୍ଗେ ସଙ୍ଗେ ଜଳରୋଧକ ଦ୍ୱାରଗୁଡ଼ିକ ଆପେ ଆପେ ବନ୍ଦ ହୋଇଯାଏ ।

 

ଜାହାଜଟି ଗଢ଼ା ଯିବା ପରେ ତାହାକୁ ସମୁଦ୍ରକୁ ଅଣାଯାଏ ଏବଂ ପରେ ତହିଁରେ ଚୌକୀ, ଖଟ, ବେଞ୍ଚ, ଦର୍ପଣ ଇତ୍ୟାଦି ଉପକରଣ ଖଞ୍ଜାଯାଏ । ଏଥିପାଇଁ ଯାବତୀୟ କଳକବ୍ଜା ଓ ଉପକରଣ ସ୍ୱତନ୍ତ୍ର କାରଖାନାରୁ ଅଣାଯାଏ । ଜାହାଜରେ ଯେ କେବଳ ଇସ୍ପାତ୍‌ ବ୍ୟବହୃତ ହୁଏ ସେପରି ନୁହେଁ, ମୂଲ୍ୟବାନ ଶକ୍ତ କାଠ ମଧ୍ୟ ଜାହାଜର ନିମ୍ନାଂଶ,କାନ୍ଥ, କବାଟ, କୋଠରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । ତଦ୍ଦ୍ୱାରା ଜାହାଜଟି ଯଥେଷ୍ଟ ସୁଦୃଢ଼ ହୁଏ । ଇଞ୍ଜିନ୍‌ ବ୍ୟତୀତ ଜାହାଜରେ ପାଲ ଓ ମାସ୍ତୁଲ ଥାଏ । କୌଣସି କାରଣ ବଶତଃ ଇଞ୍ଜିନ୍‌ ଅକର୍ମଣ୍ୟ ହୋଇଗଲେ ମାସ୍ତୁଲ ଓ ପାଲ ଦ୍ୱାରା ଜାହାଜ ଚାଲେ । ତା’ ନୋହିଲେ ମହାସମୁଦ୍ରକୁ ପାରି କରାଇବ କିଏ ?

 

ଜାହାଜଟିଏ ନିର୍ମିତ ହେବା ପୂର୍ବରୁ ପ୍ରତ୍ୟେକ କମ୍ପାନୀର ବିଶେଷଜ୍ଞମାନେ ଯେଭଳି ଜାହାଜ ନିର୍ମାଣ କରିବାକୁ ଇଚ୍ଛା କରନ୍ତି, ତାହାର ବିଭିନ୍ନ ନକ୍‌ସା ପ୍ରସ୍ତୁତ କରନ୍ତି । ଯେଉଁ ନକ୍‌ସାଟି ଉପଯୁକ୍ତ ବୋଲି ବିବେଚିତ ହୁଏ, ତଦନୁରୂପ ଏକ ଜାହାଜ ନିର୍ମିତ ହୁଏ । ତାକୁ ‘ମଡେଲ ଜାହାଜ’ କହନ୍ତି । ଏପରି ‘ମଡେଲ ଜାହାଜ’ କରିବା ଦ୍ୱାରା କମ୍ପାନୀ ଅଯଥା କ୍ଷତିରୁ ରକ୍ଷା ପାଆନ୍ତା ଏବଂ ଭାବୀ ଜାହାଜର ଦୋଷତ୍ରୁଟି ସହଜରେ ଜାଣି ପାରନ୍ତି । ଜାହାଜଟିଏ ସମୁଦ୍ରକୁ ଆସିବା ପୂର୍ବରୁ ଏହି ‘ମଡ଼େଲ ଜାହାଜ’ କିପରି ପରୀକ୍ଷିତ ହୁଏ, ତାହା ଜାଣିବା ଆବଶ୍ୟକ ।

 

ପ୍ରଥମେ ପୋତ-ବିଶେଷଜ୍ଞମାନେ କାଗଜରେ ଭାବୀ ଜାହାଜର ଏକ ନକ୍‌ସା ପ୍ରସ୍ତୁତ କରନ୍ତି । ସେହି ନକ୍‌ସା ପ୍ରସ୍ତୁତ ହେଉଥିବା ସମୟରେ ସେମାନେ ବିଭିନ୍ନ ବିଷୟ ପ୍ରତି ଦୃଷ୍ଟି ଦିଅନ୍ତି । ପୂର୍ବାର୍ଜିତ ଅଭିଜ୍ଞତା ସହ ନୂତନ ନକ୍‌ସାଟି ଟଣାଯିବା ପରେ ସେହି ମାପ ଅନୁଯାୟୀ ଏକ ଛୋଟ ଜାହାଜ ନିର୍ମିତ ହୁଏ । ତାହାକୁ ନେଇ ସେମାନେ ଏକ ବଡ଼ ଜଳାଧାର ମଧ୍ୟରେ ଚଳାଇବାର ବ୍ୟବସ୍ଥା କରନ୍ତି । ବେଗ ଓ କାର୍ଯ୍ୟକାରିତା ପ୍ରତି ଲକ୍ଷ୍ୟ ରଖି ଜାହାଜଟି ଜଳାଧାର ମଧ୍ୟରେ ଗତି କରେ । ଜଳରେ ଢେଉ ସୃଷ୍ଟି କରିବା ପାଇଁ ତଡ଼ିତ୍‌ ଶକ୍ତି ବଳରେ ଗୋଟାକୁ ଗୋଟା ଢେଉ ସୃଷ୍ଟି କରାଯାଏ । ଯଦି ଜାହାଜଟି ନାନା ବାଧା ସତ୍ତ୍ୱେ ଜଳରେ ନିମଜ୍ଜିତ ହୁଏ ନାହିଁ, ତେବେ ଜାହାଜ କର୍ତ୍ତୃପକ୍ଷ ସେହି ଅନୁରୂପ ବୃହତ୍‌ ଜାହାଜଟିଏ ନିର୍ମାଣ କରନ୍ତି ।

 

‘କୁଇନ୍‌ ମେରୀ’ ଜାହାଜଟି ଦୁଇବର୍ଷ କାଳ ପ୍ରାୟ ସାତ ହଜାର ଥର ପରୀକ୍ଷିତ ହୋଇ କୃତିତ୍ୱ ସହକାରେ ଉତ୍ତୀର୍ଣ୍ଣ ହୋଇଥିଲା ।

 

୧୯୩୪ ଖ୍ରୀଷ୍ଟାବ୍ଦରେ ‘କୁଇନ୍‌ମେରୀ’ ଜାହାଜର ନିର୍ମାଣ କାର୍ଯ୍ୟ ସମାପ୍ତ ହେବାରୁ ତାହା ସମୁଦ୍ରକୁ ଅବତରଣ କଲା । ଏଥିରେ ବାରଗୋଟି ମହଲା ଅଛି । ଚାରୋଟି ଜଙ୍ଗଲର ସମସ୍ତ କାଠ ଏହି ବୃହତ୍ତମ ଜାହାଜ ନିର୍ମିତ ହେବାର ବ୍ୟୟିତ ହୋଇଛି । ‘ମ୍ୟୁରେଟାନିଆ’ ଜାହାଜରେ ଯେତେ ଇସ୍ପାତ୍‌ ଖିଲ ବ୍ୟବହୃତ ହୋଇଥିଲା, ଏଥିରେ ତାହାଠାରୁ ବହୁ ଗୁଣ ଅଧିକ ଖିଲ ଲାଗିଅଛି । ଯଦି ସେହି ଖିଲଗୁଡ଼ିକୁ ଧାଡ଼ି କରି ରଖାଯାଏ, ତାହା ‘ମ୍ୟୁରେଟାନିଆ’ ଜାହାଜରେ ଲାଗିଥିବା ଖିଲର ଦୈର୍ଘ୍ୟଠାରୁ ୧୨୦ ମାଇଲ ଅଧିକ ହେବ । ମେରୀ ଜାହାଜର ଧୂଆଁ ନଳଗୁଡ଼ିକ ଏଡ଼େ ପ୍ରଶସ୍ତ ଯେ ତହିଁରେ ତିନୋଟି ରେଳପଥ ଅକ୍ଳେଶରେ ନିର୍ମିତ ହୋଇପାରିବ । ଦୈର୍ଘ୍ୟ ଓ ପ୍ରସ୍ଥରେ ‘କୁଇନ୍‌ମେରୀ’ ଯଥାକ୍ରମେ ୧୦୨୦ ଓ ୧୧୮ ଫୁଟ । ଏଥିରେ ୨୧୩୯ ଜଣ ଯାତ୍ରୀ ନିରାପଦରେ ବସି ପାରନ୍ତି । ଏହା ୨୩୪ ଫୁଟ ଉଚ୍ଚ ହେତୁ ପାଞ୍ଚଶହରୁ ଅଧିକ ପ୍ରଥମ ଶ୍ରେଣୀ କୋଠରୀ ରହିଛି । ଟେଲିଫୋନ୍‌ ସାହାଯ୍ୟରେ ଯାତ୍ରୀମାନେ ସେହି କୋଠରୀ ମଧ୍ୟରେ କଥାବାର୍ତ୍ତା ହୁଅନ୍ତି ଓ ରେଡ଼ିଓରୁ ବିଭିନ୍ନ ଦେଶର ସମ୍ବାଦ ଶୁଣି ଆନନ୍ଦ ଉପଭୋଗ କରନ୍ତି । ଜାହାଜର ବିଭିନ୍ନ ସ୍ଥାନକୁ ଚାରି ହଜାର ମାଇଲ ଲମ୍ବର ତା’ର ବିଦ୍ୟୁତ ପ୍ରବାହ ବହନ କରିଅଛି । ରାତ୍ରିରେ ଜାହାଜଟିର ସମସ୍ତ ବିଜୁଳିବତୀକୁ ଲଗାଇ ଦେଲେ ତାହା ନୀଳ ଫେନିଳ ମହାସମୁଦ୍ର ମଧ୍ୟରେ ଏକ ଆଲୋକପିଣ୍ତ ଗଡ଼ି ଗଲାପରି ଅନୁମିତ ହୁଏ । ତିରିଶ ହଜାର ବିଜୁଳିବତୀ ଯେଉଁଠି କାର୍ଯ୍ୟ କରେ, ସେଠାରେ ଦିନ ଓ ରାତି ମଧ୍ୟରେ ପାର୍ଥକ୍ୟ ଅଛି ବୋଲି ଜଣା ହେବ କିପରି ?

 

ଲୋକଙ୍କୁ ବିପଦ ବେଳେ ରକ୍ଷା କରିବା ପାଇଁ ଜାହାଜ ମାନଙ୍କରେ ‘ଜୀବନ-ତରୀ’ ରଖାଯାଇଥାଏ । ଏଥିରେ ଯେଉଁ ୨୪ଟି ‘ମଟର ଜୀବନ-ତରୀ’ ରହିଛି, ତହିଁରେ ଅନ୍ୟୂନ ୩୨୫୦ ଜଣ ଯାତ୍ରୀ ବସି ପାରିବେ । ତିନୋଟି ନଙ୍ଗରର ଓଜନ ୧୩୨୦ ମହଣ । ‘କୁଇନ୍‌ମେରୀ’ କୁ ବାସ୍ତବିକ୍‌ ସାତସମୁଦ୍ରର ରାଣୀ କୁହାଯିବାରେ ଆଶ୍ଚର୍ଯ୍ୟ କଅଣ ?

 

ମାତ୍ର ଇଂରେଜମାନଙ୍କ ଦ୍ୱାରା ଆହୁରି ଏକ ଜାହାଜ ନିର୍ମିତ ହୋଇଥିଲା । ତାହାର ନାମ ‘କୁଇନ୍‌ଏଲିଜାବେଥ୍‌ ।’ ଏହାକୁ ‘କୁଇନ୍‌ମେରୀ’ ଜାହାଜର ଭଗିନୀ କହିବା ସବୁଠାରୁ ସମୀଚୀନ । ଦୈର୍ଘ୍ୟରେ ଏହା ୧୦୩୦ ଫୁଟ, ଓଜନରେ ୮୫୦୦୦ ଟନ୍‌ । ‘କୁଇନ୍‌ମେରୀ’ ବାର ମହଲା ହେବା ସ୍ଥଳେ ‘କୁଇନ୍‌ ଏଲିଜାବେଥ୍‌’ ଚଉଦ ମହଲା ହୋଇଛି ।

 

ଫ୍ରାନ୍‌ସ ସରକାରଙ୍କର ‘ନର୍ମାଣ୍ତି’ ନାମକ ଜାହାଜଟି ‘କୁଇନ୍‌ମେରୀ’ ପରି ଏକ ବିରାଟ ଜାହାଜ । ଏହାର ଗଠନ ପ୍ରଣାଳୀ ବିଶେଷ କୌଶଳପୂର୍ଣ୍ଣ । ‘କୁଇନ୍‌ମେରୀ’ ଓ ‘ନର୍ମାଣ୍ତି’ ମଧ୍ୟରେ କେଉଁ ଜାହାଜଟି ବୃହତ୍ତର, ଏ ସମ୍ବନ୍ଧରେ ନାନା ବାଦାନୁବାଦ ହୋଇଛି । ଉଭୟ ଦେଶର ସରକାର ସ୍ୱ ସ୍ୱ ଜାହାଜକୁ ପୃଥିବୀରେ ବୃହତ୍ତମ ବୋଲି ଘୋଷଣା କରନ୍ତି । ମାତ୍ର ସରକାରୀ ହିସାବରୁ ଜଣାଯାଏ ଯେ, ଇଂରେଜ ଜାହାଜ ‘କୁଇନ୍‌ମେରୀ’ ୧୦୨୦ ଫୁଟ ସ୍ଥଳେ ‘ନର୍ମାଣ୍ତି ’ ୧୦୨୯ ଫୁଟ ଦୈର୍ଘ୍ୟ ହେଉଛି । ଓଜନରେ ମେରୀ ୮୧୨୩୫ ଟନ ଏବଂ ‘ନର୍ମାଣ୍ତି’ ୮୩୪୨୩ ଟନ । ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ, ନର୍ମାଣ୍ତି ଜାହାଜ କୁଇନ୍‌ମେରୀଠାରୁ ନିଶ୍ଚୟ ବଡ଼ । ମାତ୍ର ଇଂରେଜମାନେ ସେମାନଙ୍କ ଜାହାଜକୁ ବୃହତ୍ତର କହିବାର ଯଥେଷ୍ଟ କାରଣ ଦେଖାନ୍ତି । ଫରାସୀ ଜାହାଜ ବହୁ ଚେଷ୍ଟା ସତ୍ତ୍ୱେ ୧୭୯୦୦୦ ଅଶ୍ୱଶକ୍ତି ଜାତ କରେ; ମାତ୍ର ତାର ଇଂରେଜ ପ୍ରତିଦ୍ୱନ୍ଦୀ ୧୮୯୦୦୦ ଅଶ୍ୱଶକ୍ତି ସୃଷ୍ଟି କରୁଛି ଓ ପ୍ରୟୋଜନ ସ୍ଥଳେ ଆହୁରି ୨୦୦୦୦୦ ଶକ୍ତି ଜାତ କରି ପାରିବ । ଦୁଇ ଜାହାଜ ମଧ୍ୟରେ ବହୁବାର ବେଗ–ପ୍ରତିଯୋଗିତା ହୋଇଛି । ମାତ୍ର ଫଳାଫଳ ଅମୀମାଂସିତ ରହିଛି କହିବାଟା ଠିକ୍‌ ହେବ ନାହିଁ । ଇଂରେଜମାନେ ସଗର୍ବରେ କହନ୍ତି କି, ଯଦି ‘କୁଇନ୍‌ମେରୀ ପୃଥିବୀର ବୃହତ୍ତମ ଜାହାଜ ନୁହେଁ, ତେବେ ତାହା ‘ବ୍ଳୁ ରିବ୍ୟାଣ୍ତ’ ପୁରସ୍କାର ପାଇଲା କିପରି ?’

 

ଆଟଲାଣ୍ଟିକ ମହାସାଗରରେ ଜାହାଜମାନଙ୍କ ମଧ୍ୟରେ ଖୁବ୍‌ ପ୍ରତିଯୋଗିତା ହୁଏ । ଯେଉଁ ଜାହାଜ ସର୍ବାପେକ୍ଷା ବେଗଶାଳୀ ହୁଏ, ତାକୁ Blue Riband ନାମକ ଏକ ରୌପ୍ୟ ବିଜୟୋପହାର ପ୍ରଦତ୍ତ ହୁଏ । ସେହି ସମ୍ମାନ ୧୯୨୯ ଖ୍ରୀଷ୍ଟାବ୍ଦରେ ଜର୍ମାନୀର ଜାହାଜ ‘ବିମ୍ରେନ୍‌’ କୁ ପ୍ରଦତ୍ତ ହୋଇଥିଲା । ତାହା ପରେ ‘ନର୍ମାଣ୍ତି’ ୧୯୩୫ ଖ୍ରୀଷ୍ଟାବ୍ଦରେ ସେହି ପୁରସ୍କାର ଲାଭ କଲା ଏବଂ ପରବର୍ଷ ‘କୁଇନ୍‌ମେରୀ’ ତାହା ଗ୍ରହଣ କରିବା ଫଳରେ ଦୁଇଦେଶ ମଧ୍ୟରେ ଘୋର ବାଦବିସମ୍ବାଦ ସୃଷ୍ଟି ହେଲା । ‘ନର୍ମାଣ୍ତି’ କ’ଣ ହଟିଯିବା ଜାହାଜ ? ପରବର୍ତ୍ତୀ ବର୍ଷ ସୌଭାଗ୍ୟ କ୍ରମେ ‘ନର୍ମାଣ୍ତି’ Blue Riband କୁ ଅଗଷ୍ଟ ମାସରେ ଗ୍ରହଣ କରିବାରୁ ଇଂରେଜମାନଙ୍କ ମଧ୍ୟରେ ଘୋର ପ୍ରତିଦ୍ୱନ୍ଦିତା ଉପୁଜିଲା । ସେମାନେ ମଧ୍ୟ ବେଗ ପ୍ରତିଯୋଗିତାରେ ପର ବର୍ଷ ଆହୁରି ଥରେ ପୂର୍ବ ସମ୍ମାନକୁ ଘେନି ଆସିଲେ ।

 

‘କୁଇନ୍‌ରୋ’କୁ ଆଟଲାଣ୍ଟିକ୍‌ ମହାସାଗର ପଞ୍ଚିମରୁ ପୂର୍ବକୁ ଓ ପୂର୍ବରୁ ପଶ୍ଚିମକୁ ଅତିକ୍ରମ କରିବାରେ ମୋଟେ ୩ ଦିନ ୨୦ ଘଣ୍ଟା ଓ ୪୨ ମିନିଟ୍ ସମୟ ଲାଗିଥିଲା ।

 

ଏମାନଙ୍କ ବ୍ୟତୀତ ପୃଥିବୀର ଆଉ ଯେଉଁ ବୃହତ୍‌ ଜାହାଜଗୁଡ଼ିକ ଅଛି, ସେମାନଙ୍କ ମଧ୍ୟରୁ ଜର୍ମାନୀର ‘ବ୍ରିମେନ୍‌’ ଜାହାଜର ନାମ ଉଲ୍ଲେଖଯୋଗ୍ୟ ।

 

ଆମ ଭାରତବର୍ଷ ସ୍ୱାଧୀନତା ପ୍ରାପ୍ତି ପରେ ନୌବାଣିଜ୍ୟରେ ଉତ୍କର୍ଷ ବିଧାନ ନିମନ୍ତେ ଖୁବ୍‌ ଉଦ୍ୟମ ଚଳାଇଛି । ସମୟ ଆସିପାରେ, ଦିନେ ଏହି ଦେଶର ବନ୍ଦରରୁ ଯେଉଁ ଜାହାଜ ନୀଳ ପାରାବାରରେ ସନ୍ତରଣ କରିବ, ତାହା ‘କୁଇନ୍‌ମେରୀ ଓ ନର୍ମାଣ୍ତି’ କୁ ବଳି ନ ଯିବ କାହିଁକି ?

Image

 

ମାନମନ୍ଦର ଓ ଦୂରବୀକ୍ଷଣ ଯନ୍ତ୍ର

 

ଏହି ବିରାଟ ସୌରଜଗତ ଏକ ଉନ୍ମକ୍ତ ଗ୍ରନ୍ଥ । ଉକ୍ତ ଗ୍ରନ୍ଥରେ ନକ୍ଷତ୍ରଗଣଙ୍କୁ ଗୋଟିଏ ଲେଖାଏଁ ପୃଷ୍ଠା ନ କହି ଅକ୍ଷର କହିଲେ ଯଥାର୍ଥ ହେବ । ନଭୋମଣ୍ତଳରେ କେତେ ଗ୍ରହ, ନକ୍ଷତ୍ର ଅଛନ୍ତି,ତାହା କଳନା କରିବା ସହଜ ନୁହେଁ; ତଥାପି ଜ୍ୟୋତିର୍ବିଦ ପଣ୍ତିତମାନେ ସେମାନଙ୍କର ଗଣନାରୁ ବିରତ ହୋଇ ନାହାନ୍ତି କି ହେଉ ନାହାନ୍ତି ।

 

ପୃଥିବୀ ଅତି ପୁରାତନ—ଏହାର ଜନ୍ମ ସମ୍ଭବତଃ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଘଟିଥିଲା । କେତେ ପୂର୍ବରୁ ଏହି ସୌରଜଗତ ବିଦ୍ୟମାନ ଥିଲା, ତାହା ଅବଧି ମନୁଷ୍ୟର ଅବୋଧ୍ୟ ରହିଅଛି ।

 

ବିଖ୍ୟାତ ଜ୍ୟୋତିର୍ବିଦ୍ୟାବତୀ ଖନା ଭାରତରେ ସୁପରିଚିତା । ସେ ମିହିରଙ୍କ ପତ୍ନୀ । ପ୍ରାଚୀନ ଭାରତରେ ତାଙ୍କ ସମ ବିଦୁଷୀ ମହିଳା କ୍ୱଚିତ୍‌ ପରିଦୃଷ୍ଟ ହୁଅନ୍ତି । ଜ୍ୟୋତିଃଶାସ୍ତ୍ରରେ ସେ ବିଶେଷ ପାରଦର୍ଶିନୀ ଥିଲେ । ଥରେ ରାଜା ବିକ୍ରମାଦିତ୍ୟ ସଭାପତିମାନଙ୍କୁ ଆକାଶର ନକ୍ଷତ୍ର ସଂଖ୍ୟା ଗଣିବାକୁ କହିଲେ । କୌଣସି ପଣ୍ତିତ କୃତକାର୍ଯ୍ୟ ନ ହେବାରୁ ରାଜା ବରାହଙ୍କଠାରୁ ଉତ୍ତର ପାଇବାକୁ ଇଚ୍ଛା କଲେ । ବେଦ, ବେଦାନ୍ତ, ନ୍ୟାୟ, ଦର୍ଶନ, ମୀମାଂସା, ଜ୍ୟୋତିଷାଦି ଶାସ୍ତ୍ରରେ ବ୍ୟୁତ୍ପତ୍ତି ଲାଭ କରିଥିବା ପଣ୍ଡିତ ମଧ୍ୟ ସେ ଦିନ ରାଜାଙ୍କ ପ୍ରଶ୍ନରେ କୃତକାର୍ଯ୍ୟ ନ ହୋଇ ସମୟ ପ୍ରାର୍ଥନା କଲେ । ରାଜା ସମୟ ଦେଲେ । ପଣ୍ତିତ ପ୍ରବର ବିଷଣ୍ଣ ମୁଖରେ ଗୃହକୁ ଫେରି କିଛି ଖାଇଲେ ନାହିଁ କି ପିଇଲେ ନାହିଁ । ଖନା ଶଶୁରଙ୍କୁ ଭୋଜନ କରିବାକୁ ଅନୁରୋଧ କରନ୍ତେ, ବରାହ ବୋହୂଙ୍କ ନିକଟରେ ସମସ୍ତ କଥା କହିଲେ । ଖନା ତଳେ କେତୋଟି ଅଙ୍କ କଷି ନିମ୍ନଲିଖିତ ନକ୍ଷତ୍ର ସଂଖ୍ୟା କହିଲେ :—

 

‘‘ସାତ ସାତ ଆହୁରି ସାତ, ସାତ ଦେଇ ଭରା,

ଭାତ ଖାଅ ହେ ଶଶୁର ବୁଢ଼ା ଆକାଶରେ ଏତେ ତାରା ।’’

 

ରାଜା ସେହିଦିନ ପ୍ରଥମେ କୁଳବଧୂ ଖନାଙ୍କଠାରୁ ନକ୍ଷତ୍ର ଗଣନାର ସୂତ୍ର ଜାଣିଥିଲେ ।

 

ଆଜିକାଲି ଜ୍ୟୋତିର୍ବିଦ୍‌ ପଣ୍ତିତମାନେ ଖାଲି ଆଖିରେ ଗ୍ରହ, ନକ୍ଷତ୍ରଙ୍କୁ ନ ଦେଖି, ଯେଉଁ ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟବେକ୍ଷଣ କରୁଅଛନ୍ତି, ତାହାର ନାମ—ଦୂରବୀକ୍ଷଣ ଯନ୍ତ୍ର । ଖାଲି ଆଖିରେ ଲୋକ ଏକ ହଜାର ନକ୍ଷତ୍ର ଦେଖିପାରେ । ଯାହାର ଦୃଷ୍ଟିଶକ୍ତି ପ୍ରଖର, ସେ ଚେଷ୍ଟା କଲେ ଦେଢ଼ହଜାର ନକ୍ଷତ୍ର ଦେଖି ପାରିବ । ମାତ୍ର ଗୋଟିଏ ଛୋଟ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଏକ ଲକ୍ଷ କୋଡ଼ିଏ ହଜାର ଜ୍ୟୋତିଷ୍କ ଦେଖାଯିବେ ଏବଂ ବଡ଼ ଯନ୍ତ୍ରଟିରେ ଅନ୍ୟୂନ ଆଠ କୋଟି ନକ୍ଷତ୍ର ଜାଣି ହେବ । ନକ୍ଷତ୍ରମାନଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ମାନମନ୍ଦିର ରହିଅଛି । ଚୀନ ଦେଶରେ ଯେଉଁ ମାନମନ୍ଦିର ଅଛି, ତାହା ପେକିଂ ସହରରେ ଅବସ୍ଥିତ । ଦକ୍ଷିଣ ଆକାଶକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ‘ହାରଭାଡ଼୍‌ ମାନମନ୍ଦିର’ ପେରୁରେ ପ୍ରତିଷ୍ଠିତ । ଉତ୍ତର ଆମେରିକାର ଚିକାଗୋସ୍ଥ ‘ୟାରକିସ୍‌ ମାନମନ୍ଦିର’ଟି ଜେନେଭା ହ୍ରଦ କୂଳରେ । ବର୍ଲିନଠାରୁ ଅଳ୍ପ ଦୂରରେ ‘ପିଟସ୍‌ ଡାମ୍‌ ମାନମନ୍ଦିର’ ନକ୍ଷତ୍ରମାନଙ୍କର ଆଲୋଚନା ଫଟୋ ଉତ୍ତୋଳନ କରେ । ଲଣ୍ତନରେ ‘ଗ୍ରୀନ୍‌ଉଇଚ୍‌ ମାନମନ୍ଦିର ’ ବିଶେଷ ଦର୍ଶନୀୟ । ଉତ୍ତର ଆମେରିକାର କାଲିଫର୍ଣ୍ଣିଆରେ ଥିବା ‘ମାଉଣ୍ଟ ପାଲୋମାର ମାନମନ୍ଦିର’ ସେମାନଙ୍କ ଅପେକ୍ଷା ବୃହତ୍ତମ । ବୈଜ୍ଞାନିକମାନେ ପାଞ୍ଚ ବର୍ଷ କାଳ ନାନା ଗବେଷଣା ପରେ ଉକ୍ତ ସ୍ଥାନଟିକୁ ଉପଯୁକ୍ତ ବୋଲି ବିବେଚନା କରିଥିଲେ । ମାଉଣ୍ଟ ପାଲୋମାର ଭୂପୃଷ୍ଠରୁ ୫୭୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ତାହା ଉପରେ ଯେଉଁ ସୁବୃହତ୍‌ଦୂରବୀକ୍ଷଣ ଯନ୍ତ୍ର ସ୍ଥାପିତ ହୋଇଅଛି, ତାହା ଦେଢ଼ଶହ ଫୁଟ ଉଚ୍ଚ ।

 

ପୁରାତନ ଚୀନ ସଭ୍ୟତାରୁ ଜଣାଯାଏ ଯେ, ଖ୍ରୀ: ପୂ: ୩୦୦୦ ବର୍ଷ ତଳେ ସେ ଦେଶର ଲୋକ ନାକ୍ଷତ୍ରିକ ଜଗତ ସମ୍ବନ୍ଧରେ ନାନା ତଥ୍ୟ ଜାଣିଥିଲେ । ଭାରତ, ଗ୍ରୀସ୍‌, ଇଜିପ୍‌ଟ ଓ ବେବିଲୋନ୍‌ବାସୀଙ୍କର ଜ୍ୟୋତିଷ ଶାସ୍ତ୍ରରେ ଯଥେଷ୍ଟ ଜ୍ଞାନ ଥିଲା । ଦୂର ନକ୍ଷତ୍ରମାନଙ୍କୁ କାଚ ସାହାଯ୍ୟରେ ଦେଖିବାର ବାସନା ବହୁ ଲୋକଙ୍କର ଥିଲା । ମାତ୍ର ଦୁଇଜଣ ଡଚ୍‌ବାସୀ ୧୬୦୮ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଏହି ଦିଗରେ କୃତିତ୍ୱ ଲାଭ କରିଥିଲେ । ଗାଲିଲିଓ ଯେଉଁ କାଚ ପ୍ରସ୍ତୁତ କରିଥିଲେ, ତାହା ପ୍ରଥମ ବୈଜ୍ଞାନିକ ଡଚ୍‌ବାସୀଙ୍କଠାରୁ ଦଶଗୁଣ ଶକ୍ତିଶାଳୀ ଥିଲା । ବୈଜ୍ଞାନିକମାନଙ୍କ ଜ୍ଞାନପିପାସା ସେତିକିରେ ତୃପ୍ତ ହୋଇ ନଥିଲା । ସେମାନେ ଆହୁରି ଉଦ୍ୟମ ଚଳାଇଥିଲେ । ଉଇଲିୟମ୍‌ ହରଚେଲ ୪୮ ଇଞ୍ଚ ବ୍ୟାସର ଏକ କାଚ ପ୍ରସ୍ତୁତ କରାଇଲେ । ଏହାର ଓଜନ ପ୍ରାୟ ଏକ ଟନ ଥିଲା । ରୋଜି ନାମକ ଜନୈକ ବୈଜ୍ଞାନିକ ତାଙ୍କ ଜମିଦାରୀରେ ଗୋଟିଏ ବୃହତ୍‌ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରି, ତହିଁରେ ମୋଟା କାଚ ଖଞ୍ଜିଥିଲେ । ମାତ୍ର ତାହା ନଭୋମଣ୍ତଳ ସମ୍ବନ୍ଧରେ ଯଥୋଚିତ ଜ୍ଞାନ ପ୍ରଦାନ କରି ନଥିଲା । ଏଥର ଯେଉଁ କାଚ ନିର୍ମିତ ହେଲା, ତାହାର ବ୍ୟାସ କେତେ ଜାଣ ? ଶହେ ଇଞ୍ଚ । ଏତେ ବଡ଼ କାଚ କରିବାରେ କାରିଗରମାନଙ୍କୁ ଖୁବ୍‌ ସାବଧାନ ହେବାକୁ ପଡ଼ିଥିଲା । ଥରେ ନୁହେଁ କି ଦୁଇଥର ନୁହେଁ, ଆଠଥର ବାରମ୍ବାର ଅକୃତକାର୍ଯ୍ୟ ହେବା ପରେ କାଚଟି ପଦାକୁ ଆସିଲା । ଏଥିରେ ୧୨୫୦୦୦ ପାଉଣ୍ତ ବ୍ୟୟ କରାଯାଇଥିଲା । ଲୋକ ବିଶ୍ୱାସ କଲେ, ଦୀର୍ଘ ନଅ ବର୍ଷ ପରେ ଯେଉଁ କାଚ କାରଖାନରୁ ଆସିଲା, ତାହାଠାରୁ ଆହୁରି ଅଧିକ ବଡ଼ କାଚ କରିବ କିଏ ? ମାତ୍ର ୧୯୩୪ ମସିହା ମାର୍ଚ୍ଚ ମାସ ୨୫ ତାରିଖ ରବିବାର ଦିନ ଦେଖାଗଲା—ଛଅହଜାର ଦର୍ଶକ ନିଉୟର୍କର କର୍ଣ୍ଣିଙ୍ଗ କାଚକାରଖାନାରେ ରୁଣ୍ତ ହୋଇ ଖଣ୍ତିଏ ବଡ଼ କାଚକୁ ଅନାଇ ରହିଛନ୍ତି । ଉଃ.......ଏଥିରେ ପୁଣି ଏତିକି ପରିଶ୍ରମ ! ଶହ ଶହ ମାଇଲ ଦୂରରୁ ଆସିଥିବା ବୈଜ୍ଞାନିକଗଣଙ୍କ ମୁଖରେ ଉଦ୍‌ବେଗ ଫୁଟି ଉଠୁଥାଏ । ଦିନେ ନୁହେଁ କି ଦୁଇଦିନ ନୁହେଁ—ଦୁଇବର୍ଷ ଆୟୋଜନ କରି ଯେଉଁ କାର୍ଯ୍ୟ କରାଯାଉଅଛି, ସେଥିରେ କିଏ ଅବା ଉତ୍କଣ୍ଠିତ ନ ହେବ ?

 

ଯାହାହେଉ, ଦୁଇଶହ କୋଟି ଟଙ୍କାରେ ଯେଉଁ ଦୁଇଶହ ଇଞ୍ଚ ବ୍ୟାସର କାଚ ପ୍ରସ୍ତୁତ ହେଲା, ତାହାର ଗଠନ ପ୍ରଣାଳୀ ବଡ଼ ଅଦ୍ଭୁତ ।

 

ଦଶ ଗଜ ବ୍ୟାସର ଏକ ବିରାଟ ଚୁଲି ଦଶଦିନ ପର୍ଯ୍ୟନ୍ତ ଅହରହ ଜ୍ୱଳନ୍ତ ଅବସ୍ଥାରେ ରହିଲା ଓ ତହିଁରେ ୪୦ ଟନ୍‌ର କାଚ ତିଆରି ମସଲା ପୂରଣ କରାଗଲା । ୨୮୦୦ ଡିଗ୍ରୀ (ଫାରେନ୍‌ହିଟ୍‌) ଉତ୍ତାପ ଦେବାଦ୍ୱାରା ଦ୍ରବ୍ୟଗୁଡ଼ିକ ଧୀରେ ତରଳିବାକୁ ଲାଗିଲା । ତିନି ସପ୍ତାହ କାଳ ବିଶେଷଜ୍ଞମାନେ ତାହା ପର୍ଯ୍ୟବେକ୍ଷଣ କରୁଥାନ୍ତି । ଦ୍ରବ୍ୟଗୁଡ଼ିକ ସମ୍ପୂର୍ଣ୍ଣରୂପେ ତରଳି ଯିବା ପରେ ଦର୍ଶକମାନଙ୍କ ଉପସ୍ଥିତିରେ ତାହାକୁ ଏକ ଛାଞ୍ଚରେ ଦଶଘଣ୍ଟା ଯାଏ ଢଳାଗଲା । ସାତମାସ ଅତୀତ ହେବା ପରେ ଉକ୍ତ କାଚଟିକୁ ଛାଞ୍ଚରୁ କାଢ଼ିବାର ବ୍ୟବସ୍ଥା ହେଲା ।

 

ତୁମ୍ଭେମାନେ ଭାବୁଥିବ, ଖଣ୍ତେ କାଚ ପ୍ରସ୍ତୁତ କରିବାକୁ ଏତେ ସମୟ ଲାଗିଲା କାହିଁକି-? ବୈଜ୍ଞାନିକ ଉପାୟରେ ଉତ୍ତପ୍ତ କାଚକୁ ଧୀରେ ଧୀରେ ଶୀତଳ ନ କଲେ, ତାହା ଫାଟିଯାଏ-। ଏଣୁ ବୈଜ୍ଞାନିକମାନେ ଧୈର୍ଯ୍ୟ ଧରି ପ୍ରତ୍ୟହ ୧.୪ ଡ଼ିଗ୍ରୀ ଉତ୍ତାପ ଏଥିରୁ କମାଇବାକୁ ବ୍ୟବସ୍ଥା କଲେ । କାଚଟି ପୂରା ଶୀତଳ ହେବାକୁ ଦୀର୍ଘ ଏଗାର ମାସ ଲାଗିଥାନ୍ତା । ମାତ୍ର ପ୍ରଥମ କାଚଟି କାଳେ ନଷ୍ଟ ହୋଇଯିବ, ଏହି ଆଶଙ୍କାରେ ତାହାକୁ ଚାରିମାସ ପୂର୍ବରୁ କାଢ଼ି ଦ୍ୱିତୀୟ କାଚର କାର୍ଯ୍ୟ ଆରମ୍ଭ କରାଗଲା ।

 

୧୯୩୫ ଖ୍ରୀଷ୍ଟାବ୍ଦର ଗ୍ରୀଷ୍ମ ଋତୁରେ ଦ୍ୱିତୀୟ କାଚ ଖଣ୍ତି ପନ୍ଦରଲକ୍ଷ ଟଙ୍କାରେ ପ୍ରସ୍ତୁତ ହୋଇଥିଲା । ଦୁର୍ଯୋଗକୁ ସେହି ବର୍ଷ ଭୀଷଣ ବନ୍ୟା ହେବାରୁ ନଦୀଜଳ କାରଖାନାର କାନ୍ଥ ପର୍ଯ୍ୟନ୍ତ ମାଡ଼ି ଆସିଲା । ଏଥିରେ କାରଖାନାର କର୍ମକର୍ତ୍ତା ମହାଆତଙ୍କ ମଣିଲେ । ଶହ ଶହ ମଜୁରିଆ ଓ ସ୍ୱେଚ୍ଛାସେବକ ବାହିନୀଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁ କାରଖାନାଟି ବିପତ୍ତିରୁ ରକ୍ଷା ପାଇଥିଲା ।

 

ସେହି ଦୁଇଶହ ଇଞ୍ଚ କାଚକୁ କାଲିଫର୍ଣ୍ଣିଆକୁ ବୋହି ନେବା ପାଇଁ ବିଭିନ୍ନ ମତ ପ୍ରକାଶ ପାଇଲା । ମାତ୍ର ପରିଶେଷରେ ସ୍ଥିର ହେଲା ଯେ, କାଚକୁ ଏକ ଇସ୍ପାତ ଯନ୍ତାରେ ପୂରାଇ ଜାହାଜରେ ଲଦି ଦିଆଯିବ ଏବଂ ପାନାମା କେନାଲ ବାଟେ ତାହାକୁ କାଲିଫର୍ଣ୍ଣିଆକୁ ନିଆଯିବ । ରେଲଗାଡ଼ିରେ ନେଲେ ସଂକୀର୍ଣ୍ଣ ସୁଡ଼ଙ୍ଗ ଦ୍ୱାରା ତାହା ହୁଏତ ନଷ୍ଟ ହୋଇପାରେ । ତେଣୁ ଜାହାଜରେ କାର୍ଲିଫର୍ଣ୍ଣିଆର ଏକ ସ୍ୱତନ୍ତ୍ର କାରଖାନାକୁ ନିଆଗଲା । ସେଠାରେ କାଚକୁ ମସୃଣ କରିବା ପାଇଁ କାରଖାନାକୁ ଦୀର୍ଘ ତିନିବର୍ଷ ସମୟ ଲାଗିଥିଲା । କାରଣ କାଚକୁ କ୍ରମାଗତ ଘଷିଲେ ତାହା ଉତ୍ତପ୍ତ ହୋଇ ଫାଟିଯିବାର ସମ୍ଭାବନା ଥାଏ । ତେଣୁ ବହୁ ଦିନ ବ୍ୟବଧାନରେ କିଛି ସମୟ ପାଇଁ କାଚକୁ ଘଷାମଜା କରାଯାଉଥିଲା । ସମସ୍ତ କାର୍ଯ୍ୟ ଶେଷହେବା ପରେ ୨୦ଟନ ଓଜନ କାଚକୁ ୫୭୦୦ ଫୁଟ ଉଚ୍ଚରେ ଥିବା ପାଲୋମାର ମାନମନ୍ଦିର ଉପରକୁ ନିଆଗଲା ଏବଂ ୭୦ ଫୁଟ ଲମ୍ବ ଓ ୨୦ ଫୁଟ ବ୍ୟାସର ଏକ ବୃହତ୍‌ ଦୂରବୀକ୍ଷଣ ନଳୀରେ ଖଞ୍ଜି ଦିଆଗଲା ।

 

ବର୍ତ୍ତମାନ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଗଣ ଜୋଡ୍ରେଲ ବ୍ୟାଙ୍କଠାରେ ୨୬୫ ଫୁଟ ବ୍ୟାସର ଏକ ନୂତନ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିଛନ୍ତି । ତାହାକୁ ପୃଥିବୀର ବୃହତ୍ତମ ମାନମନ୍ଦିର ବୋଲି କୁହାଯାଉଛି ।

 

ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା କଣ ?

 

ଏହି ବିଶ୍ୱବ୍ରହ୍ମାଣ୍ତର ସମସ୍ତ କ୍ଷେତ୍ରକୁ ଆମ୍ଭେ ଦେଖିବାକୁ ପାଉ ନାହୁଁ । ଯେଉଁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ବଳରେ ଦଶକୋଟି ନକ୍ଷତ୍ର ପରିଦୃଷ୍ଟ ହେଉଅଛନ୍ତି, ସେହି ଯନ୍ତ୍ରଟି କିପରି କାର୍ଯ୍ୟ କରେ ତାହା ଜାଣିବାର କଥା ।

 

ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ମାନମନ୍ଦିର ଉପରେ ସ୍ଥାପନ କରାଯାଏ । ଉକ୍ତ ଯନ୍ତ୍ର ସର୍ବଦା ଗତିଶୀଳ । ତଦ୍ଦ୍ୱାରା ନଭୋମଣ୍ତଳରେ ଯେଉଁ ଜ୍ୟୋତିଷ୍କଗଣ ଅଛନ୍ତି, ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବାପାଇଁ ଯନ୍ତ୍ରଟିକୁ ସ୍ୱେଚ୍ଛାନୁଯାୟୀ ଘୂରା ଯାଇଥାଏ । କୌଣସି ବ୍ୟକ୍ତି ସେହି ବିରାଟ ଯନ୍ତ୍ରକୁ ହାତରେ ଘୂରାଇବା ସହଜ ନୁହେଁ । ତେଣୁ ବିଦ୍ୟୁତ୍‌ଶକ୍ତିର ପ୍ରୟୋଜନ ପଡ଼େ । ଯେପରି ସୁଇଚ୍‌ ଟିପିଲେ ବିଜୁଳିବତୀ ଜଳି ଉଠେ, ସେହିପରି ସୁଇଚ୍‌କୁ ଟିପିବା କ୍ଷଣି ଦୂରରେ ଥିବା ଯନ୍ତ୍ରଟି ଆପେ ଆପେ ପର୍ଯ୍ୟବେକ୍ଷଣକାରୀଙ୍କ ନିକଟକୁ ଧୀରେ ଚାଲିଆସେ ।

 

ଆଜିକାଲି ନାକ୍ଷତ୍ରିକ-ଜଗତ ସମ୍ବନ୍ଧରେ ଅଧିକ ଜ୍ଞାନ ଆହରଣ କରିବାପାଇଁ ପଣ୍ତିତମାନେ ବହୁ ଉଦ୍ୟମ ଚଳାଇଅଛନ୍ତି । ସେମାନେ ଫଟୋଗ୍ରାଫ୍‌ ସାହାଯ୍ୟରେ ନକ୍ଷତ୍ରମାନଙ୍କର ଫଟୋ ଗ୍ରହଣ କରୁଅଛନ୍ତି । ଯେଉଁ ଚନ୍ଦ୍ର ପୃଥିବୀଠାରୁ ଦୁଇଲକ୍ଷ ଚାଳିଶ ହଜାର ମାଇଲ ଦୂରରେ ଅବସ୍ଥିତ, ତାକୁ ଶକ୍ତିଶାଳୀ କାଚ ସାହାଯ୍ୟରେ ମୋଟେ ଅଶୀ ମାଇଲ ମଧ୍ୟରେ ଦେଖି ହେଉଅଛି । ବହୁକାଳରୁ ଅମୀମାଂସିତ ଥିବା ଏକ ଜଟିଳ ପ୍ରଶ୍ନ ହେଉଛି—ମଙ୍ଗଳ ଗ୍ରହରେ ଜୀବଜନ୍ତୁ ଅଛନ୍ତି କି ନାହାନ୍ତି ? ଏହି ଗ୍ରହଟି ପୃଥିବୀର ପରବର୍ତ୍ତୀ ଗ୍ରହ ଏବଂ ପୃଥିବୀଠାରୁ ଯଥେଷ୍ଟ କ୍ଷୁଦ୍ର । ମଙ୍ଗଳ ପୃଥିବୀର ନିକଟବର୍ତ୍ତୀ ହେବା ସମୟରେ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖିଲେ, ତହିଁରେ ଅନେକଗୁଡ଼ିଏ କଳାରେଖା ଓ ଚିହ୍ନ ପରିଲକ୍ଷିତ ହୁଏ । ତାହା ଦେଖି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଉକ୍ତ ଗ୍ରହରେ ନଈ, ନାଳ, ସମୁଦ୍ର, ମରୁଭୂମି ଓ ପର୍ବତ ବ୍ୟତୀତ ଆଉ କିଛି ନାହିଁ । ଏଣୁ ଏଠାରେ ମନୁଷ୍ୟ ବାସ କରୁଥିବାର ଅନୁମିତ ହୁଏ ।

 

ସେ ଯାହାହେଉ, ଅଦ୍ୟାପି ଏହି ବିରାଟ ବ୍ରହ୍ମାଣ୍ତ ଯେ ମନୁଷ୍ୟ ନିକଟରେ ପ୍ରହେଳିକା ହୋଇ ରହିଅଛି—ଏ କଥା ନିରାଟ ସତ୍ୟ ।

 

ଦୂରବୀକ୍ଷଣ ଯନ୍ତ୍ରରେ ନକ୍ଷତ୍ରମାନଙ୍କର ଦୂରତ୍ୱ

 

ଘନ ଅନ୍ଧକାର ରାତ୍ରିରେ ଯେଉଁ ସବୁ ନକ୍ଷତ୍ର ଆକାଶରେ ପ୍ରଦୀପ ଭଳି ଜୁଳୁ ଜୁଳୁ ହେଉଥାନ୍ତି, ସେମାନଙ୍କୁ ନିରୀକ୍ଷଣ କଲେ ପାର୍ଥକ୍ୟ ସ୍ପଷ୍ଟ ରୂପେ ଦେଖାଯାଏ । ନକ୍ଷତ୍ରଗଣ ଗ୍ରହମାନଙ୍କଠାରୁ ଭିନ୍ନ । ସେମାନେ ସୂର୍ଯ୍ୟଙ୍କଠାରୁ କେତେ ଗୁଣରେ ବଡ଼, ତାହା ଅବଧି କଳନା କରାଯାଇନାହିଁ । ତଥାପି ଜ୍ୟୋତିର୍ବିଦ ପଣ୍ତିତମାନେ କେତୋଟି ନକ୍ଷତ୍ରଙ୍କର ଦୂରତ୍ୱ ଗଣନା କରିଅଛନ୍ତି । ସେମାନଙ୍କର ଦୂରତ୍ୱକୁ ଗଣିତଶାସ୍ତ୍ର ସଂଖ୍ୟାରେ ପ୍ରକାଶ କରିବା ସମ୍ଭବ ନୁହେଁ । ତେଣୁ ‘ଆଲୋକ-ବର୍ଷ’ ଦ୍ୱାରା ଦୂରତ୍ୱ ଗଣାଯାଏ । ‘‘ଆଲୋକ-ବର୍ଷ’ କଅଣ ଜାଣ ? ଏକ ‘ଆଲୋକ-ବର୍ଷ’ କହିଲେ ୫୮,୮୮୦,୦୦୦,୦୦୦,୦୦୦ ମାଇଲକୁ ବୁଝାଏ । ଏହି ଅସୀମ ଦୂରତ୍ୱକୁ ମନୁଷ୍ୟ କଣ କଳ୍ପନା କରିପାରିବ ? ପୃଥିବୀର ନିକଟତମ ନକ୍ଷତ୍ର ପ୍ରକ୍‌ସିମା ସେଣ୍ଟାଉରି ପୃଥିବୀଠାରୁ ୨୫ଲକ୍ଷ କୋଟି ମାଇଲ ଦୂରରେ ଅବସ୍ଥିତ । ଏହା ପୃଥିବୀ ଠାରୁ ଚାରି ‘ଆଲୋକ-ବର୍ଷ’ ବୋଲି କୁହାଯାଇପାରେ । ସେହି ଆଲୋକ ପୃଥିବୀରେ ପହଞ୍ଚିବାକୁ ଚାରି ବର୍ଷ ଲାଗେ । ଶନି ପୃଥିବୀଠାରୁ ସାତ ଶହ ଗୁଣ ବଡ଼ । ମାତ୍ର ପ୍ରଖ୍ୟାତ ବୈଜ୍ଞାନିକ ପାର୍ସିଭେଲ ଲୋଏଲ ତାଙ୍କ ସହକର୍ମୀଙ୍କ ସହଯୋଗରେ ୧୯୩୦ ଖ୍ରୀଷ୍ଟାବ୍ଦରେ ‘ପ୍ଳୁଟୋ ’ ଗ୍ରହକୁ ଆବିଷ୍କାର କରିଥିଲେ । ତାଙ୍କ ମତରେ ତାହା ପୃଥିବୀଠାରୁ କ୍ଷୁଦ୍ର ଏବଂ ଗ୍ରହମାନଙ୍କ ମଧ୍ୟରେ ଶେଷ ଗ୍ରହ ।

 

ବାସ୍ତବିକ୍‌ ଏହି ବିଶ୍ୱବ୍ରହ୍ମାଣ୍ତ କି ବିଚିତ୍ର ! କି ଅଦ୍ଭୁତ !! ଏ ସବୁ ବିଷୟ କଳ୍ପନା କଲେ ପରମେଶ୍ୱରଙ୍କ ଲୀଳାର ଆଦିଅନ୍ତ କିଛି ବୁଝି ହୁଏ ନାହିଁ । ଏଣୁ ଆମ ଭାଗବତକାର କହିଛନ୍ତି—

 

‘‘ବ୍ରହ୍ମାଣ୍ତ ମାଳ ମାଳ ହୋଇ

ତୋ ଲୋମକୂପେ ବିରାଜଇ ।’’

Image

 

ଦୀର୍ଘତମ ସେତୁ

 

ରଘୁପତି ରାମଚନ୍ଦ୍ର ବାନର ସେନାଙ୍କ ବଳରେ ଲଙ୍କାକୁ ସେତୁବନ୍ଧ ବାନ୍ଧିଥିଲେ—ଏ କଥା ସମସ୍ତେ ପୁରାଣରୁ ପଢ଼ିଥାଇଁ । ସମୁଦ୍ରରେ ସେତୁ ବାନ୍ଧିବା ଅସମ୍ଭବ ଲାଗିପାରେ; ମାତ୍ର ସେ ଯୁଗରେ ଏହା ସମ୍ଭବ ଥିଲା ଏବଂ ଏ ଯୁଗରେ ବି ଦକ୍ଷ ଇଞ୍ଜିନିୟରମାନେ ଉର୍ମିମାଳା-ବିକ୍ଷୋଭିତ ନୀଳ ଜଳଧିର ଗଭୀରତମ ପ୍ରଦେଶରୁ ସୁଦୃଢ଼ ସ୍ତମ୍ଭ ଗଢ଼ି ବିରାଟ ସେତୁ ନିର୍ମାଣ କରୁଅଛନ୍ତି । ଦୁଇ ଭୂଭାଗ ମଧ୍ୟରେ ଥିବା ପ୍ରତିବନ୍ଧକ ଦୂର ହେଉଛି । ବୁଦ୍ଧିମାନ ମନୁଷ୍ୟ ପକ୍ଷରେ କିଛି ଅସମ୍ଭବ ହୋଇ ରହୁନାହିଁ ।

 

କଲିକତାର ଭାସମାନ ହାବଡ଼ା ପୋଲ କଥା ଶୁଣିଥିବ । ତାହା କ୍ଷୁଦ୍ର ହେଲେ ହେଁ ଖୁବ୍‌ ବିଚିତ୍ର ! ତାହାଠାରୁ ସହସ୍ର ଗୁଣରେ ସୁନ୍ଦର ଯେଉଁ ସେତୁ ଅଛି ତାହା କେଉଁଠି ଜାଣ କି ?

 

ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋ ସଙ୍ଗେ ଓଲ୍‌ଲାଣ୍ତକୁ ସଂଯୁକ୍ତ କରୁଥିବା ‘ଓକଲାଣ୍ତ ବେ’ (Oakland Bay Bridge) ପୃଥିବୀର ଦୀର୍ଘତମ ସେତୁ ନାମରେ ପରିଚିତ-। ୧୯୩୬ ମସିହା ନଭେମ୍ବର ମାସ ୧୨ ତାରିଖ ଦିନ ଉକ୍ତ ସେତୁଟି ସର୍ବସାଧାରଣଙ୍କ ପାଇଁ ଉଦ୍‌ଘାଟିତ ହୋଇଥିଲା । ଏଥି ପୂର୍ବରୁ ଯେଉଁ ସବୁ ପୁରାତନ କେନାଲ ଓ ସେତୁ ବିଭିନ୍ନ ଦେଶରେ ଥିଲା, ସେମାନଙ୍କ ମଧ୍ୟରୁ ଏଠାରେ କେତୋଟିର କଥା ଉଲ୍ଲେଖ କରାଗଲା ।

 

ଜାପାନର ଇଓ୍ୟାକନ୍‌ଠାରେ ଯେଉଁ କାଠ ଓ ଲୌହର ସେତୁ ଅଛି, ତାହା ୧୬୭୩ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ତାହା ୭୫୦ ଫୁଟ ଦୈର୍ଘ୍ୟ ଏବଂ ପାଞ୍ଚୋଟି ଖିଲାଣ ଏଥିରେ ଅଛି । ସେତୁଟିକୁ ସୁଦୃଢ଼ ରଖିବା ପାଇଁ ପ୍ରତ୍ୟେକ ଖିଲାଣକୁ ପାଞ୍ଚବର୍ଷରେ ଥରେ ଲେଖାଏଁ ମରାମତି କରିବାକୁ ପଡ଼େ । ପଚିଶ ବର୍ଷ ମଧ୍ୟରେ ସମଗ୍ର ସେତୁର ଆବଶ୍ୟକୀୟ ପରିବର୍ତ୍ତନ ହେବାଦ୍ୱାରା ତାହା ଅବଧି ତିଷ୍ଠି ରହିଛି ।

 

ଜେକୋସ୍ଲୋଭାକିଆର ‘ଚାର୍ଲସ୍‌ ସେତୁ’ ବିଶେଷ ଉଲ୍ଲେଖଯୋଗ୍ୟ । ଏହା ଦୈର୍ଘ୍ୟରେ ମୋଟେ ପାଞ୍ଚଶହ ଗଜ ହେଲେ ସୁଦ୍ଧା ଏକ ଐତିହାସିକ ଖ୍ୟାତି ଅର୍ଜନ କରିଅଛି ।

 

କାନାଡାର କୁଇବେକ୍‌ ସେତୁ ସହର ପତ୍ତନଠାରୁ ୯ ମାଇଲ ଉଚ୍ଚରେ ଅବସ୍ଥିତ । ସେଣ୍ଟଲରେନ୍‌ସ ନଦୀର ଏକ ସ୍ଥାନରେ ଉକ୍ତ ସେତୁ ନିର୍ମିତ ହୋଇଛି ଏବଂ ତାହା ସମ୍ପର୍ଣ୍ଣ ହେବାରେ ଦଶବର୍ଷ ଲାଗିଥିଲା । ସେତୁଟି ବାରମ୍ବାର ଭୂମିସାତ୍‌ ହୋଇଥିଲେ ସୁଦ୍ଧା ତୃତୀୟଥର ନିମନ୍ତେ ତାହାର କାର୍ଯ୍ୟ ଚାଲିଥିଲା । ସେତୁର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୩୨୩୮ ଫୁଟ ଓ ୮୮ ଫୁଟ । ଏହାକୁ ପୃଥିବୀର ବୃହତ୍ତମ ଖିଲାଣ-ପୋଲ କହିଲେ ଅତ୍ୟୁକ୍ତି ହେବନାହିଁ । ଅଠର ଲକ୍ଷ ପାଉଣ୍ତ ବ୍ୟୟରେ ନିର୍ମିତ କୁଇବେକ୍‌ସେତୁ ଅଧୁନା କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ଜଣାଯାଇ ନାହିଁ । ସେହି ସେଣ୍ଟଲରେନ୍‌ସ ନଦୀର ଅପର ଏକ ଅଂଶରେ ଦୁଇମାଇଲରୁ କିଞ୍ଚିତ ଅଧିକ ଦୈର୍ଘ୍ୟର ଦୁଇ ମହଲା ସେତୁ ନିର୍ମିତ ହୋଇଛି । ଉକ୍ତ ସେତୁଟି ଏତେ ବିସ୍ତୃତ ଯେ, ତହିଁରେ ଦୁଇଟି ଟ୍ରାମ ଗାଡ଼ି, ଦୁଇଟି ଚଲା ରାସ୍ତା ଓ ଚାରୋଟି ମଟର ରାସ୍ତା ନିର୍ମିତ ହେଲେ ସୁଦ୍ଧା କୌଣସି ଅସୁବିଧା ଘଟିବ ନାହିଁ ।

 

ଅଷ୍ଟ୍ରେଲିଆସ୍ଥ ନିଉସାଉଥ୍‌ ଓୟେଲ୍‌ସ୍‌ ରାଜଧାନୀ ସିଡ଼ନିଠାରେ ଯେଉଁ ପ୍ରକାଣ୍ତ ସେତୁ ଦେଖିବାକୁ ମିଳେ, ତାହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆଠ ବର୍ଷ ପ୍ରୟୋଜନ ପଡ଼ିଥିଲା । ଡରମ୍ୟାନ୍‌ଲଙ୍ଗ ଆଣ୍ତ କୋ ନାମକ ଏକ କମ୍ପାନୀ ସେତୁକୁ ଗଢ଼ିବା ପାଇଁ ଠିକା ନେଇଥିଲେ । ସମଗ୍ର ସେତୁର ଦୈର୍ଘ୍ୟ ୩୭୭୦ ଫୁଟ । ଏଥିରେ ଯାନବାହନ ଗତାଗତ କରିବା ପାଇଁ ୫୭ ଫୁଟ ଚଉଡ଼ାର ଏକ ରାସ୍ତା ଥିବା ବ୍ୟତୀତ ଦୁଇଟି ଚଳାରାସ୍ତା ଓ ଚାରୋଟି ରେଲପଥ ରହିଛି ।

 

ଆମେରିକାର ନିଉର୍ୟକସ୍ଥ ସେତୁ ସର୍ବାପେକ୍ଷା ଚିତ୍ତାକର୍ଷକ । ତାହାକୁ ଏକ ଦୀର୍ଘ ସେତୁ କହିଲେ ଅସମୀଚୀନ ହେବ ନାହିଁ । ସ୍ଥଳ ଓ ଜଳଭାଗରେ ଦୀର୍ଘ ୨୫ମାଇଲ ବ୍ୟାପି ତାହା ଗତି କରିଅଛି ।

 

ବର୍ତ୍ତମାନ ପୃଥିବୀର ବୃହତ୍ତମ ସେତୁର ଅଦ୍ଭୁତ କାହାଣୀ ଶୁଣ ।

 

ପ୍ରାୟ ଅନେକ ବର୍ଷ ପୂର୍ବେ, ସମ୍ଭବତଃ ୧୯୧୯ ଖ୍ରୀଷ୍ଟାବ୍ଦରେ ବିଖ୍ୟାତ ଇଞ୍ଜିନିୟର ମି: ଯୋସେଫ୍ କହିଲେ, ‘‘ଦେଶର ଭବିଷ୍ୟତ ଉନ୍ନୟନ କାର୍ଯ୍ୟରେ ନିର୍ଭର କରେ । ମୋ ଦେଶକୁ ସମୃଦ୍ଧଶାଳୀ କରିବାକୁ ହେଲେ ମୋତେ ଆଉ ଶୋଇ ରହିବାକୁ ହେବ ନାହିଁ ।’’ ସେହି ମୁହୂର୍ତ୍ତରେ ଯୋସେଫ୍ କାଗଜ ପେନସିଲ୍ ଧରି ନକ୍ସାଟିଏ ଅଙ୍କନ କଲେ; ମାତ୍ର ତାହା ପସନ୍ଦକୁ ଆସିଲା ନାହିଁ । ପୁଣି ଥରେ ଆଙ୍କିଲେ । ଏଥର ସେ ଖିଆପିଆ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥାନ୍ତି । ତାଙ୍କ ନକ୍ସା ଓ ଯୋଜନାଟି କାଲିଫର୍ଣ୍ଣିଆର ବ୍ୟବସ୍ଥାପକ ସଭା ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରି ଅନୁମୋଦନ କଲେ ଏବଂ ଯୁକ୍ତରାଷ୍ଟ୍ର ସରକାରଙ୍କ ଯୁଦ୍ଧ ବିଭାଗ ତାହାକୁ ମଞ୍ଜୁର କଲାରୁ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଏକର ଜମି ଦଖଲ କରିବାକୁ ପଡ଼ିଲା । ଏଥିରେ ଭୂମି-ମାଲିକମାନଙ୍କର ସ୍ୱାର୍ଥରେ ହାନି ଘଟିବାରୁ ନାନା ମାଲିମକଦ୍ଦମା କୋର୍ଟକୁ ଗଲା । ଯାହା ହେଉ, ୧୯୩୦ ମସିହା ମାର୍ଚ୍ଚ ମାସରେ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସ୍ଥିର ହେଲା । ନିଉୟର୍କରେ ଥିବା ଜର୍ଜ ଓ୍ୱାସିଙ୍ଗଟନ୍ ସେତୁଠାରୁ Golden Gate Bridgeକୁ ଏକ ହଜାର ଛଅ ଶହ ନବେ ଫୁଟ୍‍ ଅଧିକ କରିବାକୁ ସେ ନିର୍ଦ୍ଦେଶ ପାଇଲେ । ପାଞ୍ଚ ବର୍ଷ କାଳ କ୍ରମାଗତ କାର୍ଯ୍ୟ ଚାଲି ଶେଷକୁ ୯୨୧୭ ଫୁଟ ଦୈର୍ଘ୍ୟ ୯୦ ଫୁଟ ପ୍ରସ୍ଥର ସେତୁ ନିର୍ମିତ ହୋଇଗଲା । ପ୍ରଥମେ ଛଅଗୋଟି ବଡ଼ ବୋମା ଉଡ଼ାଜାହାଜ ଯୋଗେ ଅଣାଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ନିକ୍ଷେପ କରାଗଲା । ସମୁଦ୍ର ମଧ୍ୟରୁ ଭଜାରୁଜା ପଥର ସହ ମାଟି, କାଦୁଅ, ପଙ୍କ ଇତ୍ୟାଦି ନିଷ୍କାସିତ ହୋଇ ଜାହାଜରେ କୂଳକୁ ଅଣାଗଲା । ପରେ ସିମେଣ୍ଟ, ଲୁହା, ଗୋଡ଼ି, ବାଲି ଇତ୍ୟାଦି ଦ୍ୱାରା ସିମେଣ୍ଟର ପାହିଆ ନିର୍ମିତ ହେଲା । ସେତୁର ଦୁଇପ୍ରାନ୍ତରେ ଦୁଇଟି ବୃହତ୍ ପାହିଆ ନିର୍ମିତ ହେବା ପରେ ପରେ ଏକ ଝୁଲା ପୋଲ ଖଞ୍ଜା ଯିବାର ବ୍ୟବସ୍ଥା କରାଗଲା । ‘ଜର୍ଜ’ ଓ୍ୱାସିଙ୍ଗଟନ୍ ସେତୁ’କୁ ନିର୍ମାଣ କରିଥିବା କେତେକ ଦକ୍ଷ ଇଞ୍ଜିନିୟର ମଧ୍ୟ ଏହି ସେତୁ ନିର୍ମାଣ କରିବାକୁ ସାହସ କରି ନ ଥିଲେ ।

 

ଯେଉଁ ଇଞ୍ଜିନିୟରମାନେ ସେମାନଙ୍କର ଧୀଶକ୍ତି, କୌଶଳ, ସାହସ, ଧୈର୍ଯ୍ୟ ଓ ଦୂରଦର୍ଶିତା ବଳରେ ଏ ବିରାଟ ସେତୁ ନିର୍ମାଣ କରିଅଛନ୍ତି, ସେମାନଙ୍କର ବିଶ୍ୱାସ, ପବନ ସେତୁର କୌଣସି କ୍ଷତି କରିବ ନାହିଁ । ସେମାନେ ପୁଣି ଆଶା କରନ୍ତି କି, ଭୂକମ୍ପ ଅଥବା ଅନ୍ୟାନ୍ୟ ପ୍ରାକୃତିକ ବିପଦ ମଧ୍ୟ ପୋଲକୁ ଧ୍ୱଂସ କରି ପାରିବ ନାହିଁ । ଇଞ୍ଜିନିୟରମାନଙ୍କର ଏଭଳି କୃତିତ୍ୱକୁ ଦେଶବାସୀ ଭୁଲି ଯିବେ କିପରି ?

 

ଉତ୍ତର ଆମେରିକାର ସାନଫ୍ରାନ୍‌ସିସକୋ ଏକ ବିଖ୍ୟାତ କେନ୍ଦ୍ର । ଉକ୍ତ ସହରଠାରୁ କିଛିଦୂରରେ ଯେଉଁ ଦ୍ୱୀପ ସମୁଦ୍ର ମଧ୍ୟରେ ଦେଖାଯାଏ ତାହାର ନାମ-ୟର୍‍ବା ବ୍ୟୁନା । ଉକ୍ତ ଦ୍ୱୀପଠାରୁ ଆହୁରି କେତେକ ମାଇଲ ଦୂରରେ ଓକ୍‍ଲାଣ୍ଡ ଅବସ୍ଥିତ । ଓକ୍‍ଲାଣ୍ଡ ଓ ସାନଫ୍ରାନ୍‌ସିସକୋ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ପାଇଁ ଏକ ସୁଦୀର୍ଘ ସେତୁ ନିର୍ମିତ ହୋଇଅଛି । ତାହାର ଦୈର୍ଘ୍ୟମା ୮ । ୪୪୦ ଗଜ । ତନ୍ମଧ୍ୟରୁ ସମୁଦ୍ର ମଧ୍ୟରେ କେବଳ ୨୩ ହଜାର ଫୁଟ ଦୈର୍ଘ୍ୟର ଏକ ସେତୁ ରହିଛି । ଅବଶିଷ୍ଟାଂଶ ‘ୟୁର୍‌ବା ବ୍ୟୁନା’ ଦ୍ୱୀପ ମଧ୍ୟରେ ଗତି କରିଅଛି । ଦ୍ୱୀପର ସମସ୍ତ ଅଂଶରେ ସେତୁ ନିର୍ମିତ ହୋଇନାହିଁ । ପାଞ୍ଚଶହ ଚାଳିଶ ଫୁଟ ଯାଏ ଭୂମି ନିମ୍ନରେ ସୁଡ଼ଙ୍ଗ ହୋଇଛି । ତାହାର ଓସାର ୭୬ ଫୁଟ ହେଲେ ଉଚ୍ଚତା ୫୮ ଫୁଟ । ସେହି ସୁଡ଼ଙ୍ଗ ସହିତ ୩୦୪୫ ଫୁଟ ଦୈର୍ଘ୍ୟର ଏକ ପଥ ସେହି ଦ୍ୱୀପ ମଧ୍ୟ ଦେଇ ଗତି କରିଅଛି । ମୋଟଉପରେ କହିବାକୁ ଗଲେ,ଦ୍ୱୀପ ମଧ୍ୟରେ ପ୍ରାୟ ୧/୨ ଅଂଶ ସୁଡ଼ଙ୍ଗ ରହିଛି । ଏଥିରେ ଅଶୀ ନିୟୁତ ଡଲାର ବ୍ୟୟିତ ହୋଇଥିଲା । ସେତୁ କାର୍ଯ୍ୟରେ ବାର ଶହ ଶ୍ରମିକ ଆହତ ଓ ଚବିଶ ଜଣ ମୃତ ହୋଇଥିଲେ । ଶ୍ରମିକମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଡାକବାଜିଯନ୍ତ୍ର ଖଞ୍ଜା ହୋଇଥିଲେ ସୁଦ୍ଧା ବହୁ ଲୋକଙ୍କର ଜୀବନ ବିନଷ୍ଟ ହୋଇଥିଲା ।

 

ପୋଲଟି ବିପୁଳ ଅର୍ଥରେ ନିର୍ମିତ ହେବାପରେ ସାଧାରଣଙ୍କ ପାଇଁ ତାହା ଉଦ୍‌ଘାଟିତ ହୋଇଥିଲା । ନାଉରୀ ଘାଟ କଉଡ଼ି ଆଦାୟ କଲାପରି ସେ ଦେଶର ସରକାର ଯାନଚାଳକମାନଙ୍କଠାରୁ ଏକ ମାସୁଲ ଆଦାୟ କରୁଥିଲେ । ପୋଲ ଖର୍ଚ୍ଚ ସକାଶେ ୨୫ ସେଣ୍ଟ ବା ଏକ ଟଙ୍କା ଚାରିଅଣା ପୋଲର ପ୍ରବେଶଦ୍ୱାର ନିକଟରେ ପ୍ରତ୍ୟେକ ଗାଡ଼ିକୁ ଦାଖଲ କରିବାକୁ ପଡ଼ୁଥିଲା । ପୋଲରେ ହଜାର ହଜାର ଯାନବାହନ ଗମନାଗମନ କରିବା ନିମିତ୍ତ କୋଡ଼ିଏଟି ଦ୍ୱାର ରହିଛି । ପ୍ରତ୍ୟେକ ଗାଡ଼ି ଖୁବ୍ ଅଳ୍ପ ସମୟ ପାଇଁ ପ୍ରବେଶଦ୍ୱାର ନିକଟରେ ଅଟକି ମାସୁଲ ଦେଇ ଚାଲିଯାଆନ୍ତି । କର୍ମଚାରୀମାନେ ତାହା ନେଇ ଅଫିସରେ ଏକତ୍ର କଲା ପରେ ଏକ ଯନ୍ତ୍ରଦ୍ୱାରା ତାହା ଗଣାଯାଏ । ସେହି ଯନ୍ତ୍ରଟିର ନାମ—‘ବିଦ୍ୟୁତ୍ ଚାଳିତ ଗଣନ ଯନ୍ତ୍ର’ (Electrical Counting Machine) । ଏହି ଯନ୍ତ୍ରରେ ମୁଦ୍ରା ପୂରାଇ ଦେଲେ ତାହା କେତେ ହେଲା ସ୍ପଷ୍ଟ ଜଣାଯାଏ । ତତପରେ ସେହି ଅର୍ଥ ବ୍ୟାଙ୍କରେ ଗଚ୍ଛିତ ହୁଏ । ଦିନେ ଦିନେ ପାଞ୍ଚ ଲକ୍ଷରୁ ଅଧିକ ମୁଦ୍ରା ଆଦାୟ ହେବାର ଦେଖାଯାଇଛି ।

 

ସେତୁରେ କିପରି ଯାନବାହନର ଭିଡ଼ ହୋଇଥିାଏ, ତାହା ତୁମେ ନିଶ୍ଚୟ କଳ୍ପନା କରି ପାରୁଥିବ । ପ୍ରତ୍ୟହ ୭୫,୦୦୦ ଯାନବାହନ ଯାତାୟତ କରିବା ଯୋଗୁଁ ପୋଲଟି ସର୍ବଦା ପ୍ରକଂପିତ ହେଉଥାଏ । କେହି ବ୍ୟକ୍ତି ଚାଲି ଚାଲି ଏଥିରେ ଯିବାର ଦେଖା ଯାଇନାହିଁ । ଜଣେ ବ୍ୟକ୍ତି ଦିନରାତି ଚାଲିଲେ ପୋଲଟିକୁ ଏକ ଦିନରେ ପାର ହୋଇପାରେ । ମାତ୍ର ସେ ଦେଶ ଲୋକଙ୍କ ପକ୍ଷରେ ଏହା ସବୁଠାରୁ ହାସ୍ୟାସ୍ପଦ କଥା ।

 

ପୋଲଟି ଦୁଇମହଲା ହେତୁ ଉପର ମହଲାରେ ଛଅଗୋଟି ରାସ୍ତା ମଟର ଗାଡ଼ି ପାଇଁ ରହିଛି । ତଳ ମହଲାରେ ତିନୋଟି ରାସ୍ତା ମାଲବୁହା ମଟର ଗାଡ଼ିପାଇଁ, ତା’ଛଡ଼ା ଦୁଇଟି ରାସ୍ତା ବିଦ୍ୟୁତଚାଳିତ ଗାଡ଼ିପାଇଁ ରହିଅଛି ।

 

ବଡ଼ ବିଚିତ୍ର କଥା ଯେ, ସେତୁର ମୂଳ ପତ୍ତନଠାରୁ ଅଗ୍ରଭାଗ ପର୍ଯ୍ୟନ୍ତ ଉଚ୍ଚତା ୫୮୦ ଫୁଟ । ତନ୍ମଧ୍ୟରୁ ସମୁଦ୍ର ଜଳ ମଧ୍ୟରେ ୨୮୦ ଫୁଟ ଖମ୍ବ ରହିଅଛି ।

 

ପୋଲ ମଝିରେ ଯଦି କୌଣସି ମଟର ଗାଡ଼ି ଦୈବାତ୍ ଖରାପ ହୋଇଯାଏ, ତେବେ ମରାମତି ବ୍ୟବସ୍ଥା ସେହି ମୁହୂର୍ତ୍ତରେ କରାଯାଏ । ମଟରଗାଡ଼ି ମରାମତି ପାଇଁ ମଟର ଘର ଓ ମିସ୍ତ୍ରୀ ଅଛନ୍ତି । ଏହା ଛଡ଼ା ଟେଲିଫୋନ୍ ଏକ୍‌ସଚେଞ୍ଜ ଅଫିସ୍, ରେଡ଼ିଓ ଷ୍ଟେସନ୍, ବ୍ୟାଙ୍କ ଓ ବହୁ ସଂଖ୍ୟକ ଅଫିସ୍ ସେଠାରେ ଦେଖିବାକୁ ମିଳେ । ଗୋଟିଏ ପୋଲିସ୍ ଥାନା ଅଛି, ବହୁ କର୍ମଚାରୀ ସେଠାରେ ରହିଥାନ୍ତି । ପୋଲିସ୍‌ମାନେ କଡ଼ା ପହରା ଦେବାଦ୍ୱାରା ଚୋରି ଦ୍ରବ୍ୟ ସେହି ବାଟରେ ଯିବା ବେଳେ ଧରା ପଡ଼େ ।

 

ଅଗ୍ନି ଭୟରୁ ରକ୍ଷା ପାଇବା ପାଇଁ ନିଆଁ ଲିଭାଳି ଦଳ ଓ ଦମକଳ ସର୍ବଦା ପ୍ରସ୍ତୁତ ହୋଇଥାଏ । ପ୍ରାୟ ତିନିଶହ ଗଜ ବ୍ୟବଧାନରେ ଟେଲିଫୋନ୍ କରିବାର ବ୍ୟବସ୍ଥା ରହିଛି । କାହାରି ମଟର ପଥ ମଧ୍ୟରେ ଖରାପ ହୋଇ ପଡ଼ି ରହିଲେ, ତାଙ୍କୁ ସାହାଯ୍ୟ କରିବା ପାଇଁ ଟାଣୁଆ ସାହାଯ୍ୟକାରୀ ଦଳ ଖବର ପାଇ ଧାଇଁ ଆସନ୍ତି । ସେମାନେ ଅଚଳ ଗାଡ଼ିକୁ ଅନ୍ୟ ମଟର ସାହାଯ୍ୟରେ ଟାଣି ନେଇ ମିସ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦିଅନ୍ତି । ମିସ୍ତ୍ରୀମାନେ ବିଶେଷ ଦକ୍ଷ ହେତୁ ସେମାନେ ଗାଡ଼ିକୁ ମରାମତି କରି ଅଳ୍ପ ସମୟ ମଧ୍ୟରେ କାରଖାନାରୁ ବିଦାୟ କରି ଦିଅନ୍ତି । ଥରେ ଥରେ ଗୋଟିଏ ମଟର ଯୋଗୁଁ ବହୁ ଗାଡ଼ି ଅଯଥା ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି । ଅଚଳ ଗାଡ଼ି ରାସ୍ତା ଉପରେ ଠିଆ ହୋଇ ରହିବା ଯୋଗୁଁ ହଜାର ହଜାର ମଟର ଗାଡ଼ି ପଛକୁ ଧାଡ଼ି ଲଗାଇ ସହର ପର୍ଯ୍ୟନ୍ତ ଠିଆ ହୋଇଥାନ୍ତି ।

 

ଉକ୍ତ ସେତୁ ମଧ୍ୟରେ ଯେଉଁ ଦୁର୍ଘଟଣା ଘଟେ, ତାହାକୁ ପ୍ରତିରୋଧ କରିବା ସହଜସାଧ୍ୟ ନୁହେଁ । ଅଧିକାଂଶ ସମୟରେ ମଟରଚାଳକମାନଙ୍କର ଅସାବଧାନତା ଯୋଗୁଁ ବତୀ ଖୁଣ୍ଟରେ ମଟର ଧକ୍କା ଖାଇ ଧ୍ୱସ୍ତ ବିଧ୍ୱସ୍ତ ହୋଇଥାଏ । ମଟର ମଧ୍ୟ ବେଳେ ବେଳେ ନିଆଁ ଲାଗି ଜଳି ଉଠିଲେ ଲୋକଙ୍କର ମୃତ୍ୟୁ ଘଟେ । ଥରେ ଗୋଟିଏ ଜାହାଜ ବେ’ପୋଲର ଏକ ଉଚ୍ଚ ଖମ୍ବରେ ଧକ୍କା ଦେଇ ଖମ୍ବର ବହୁ ଅଂଶ କ୍ଷତି କରିଥିଲା । ପୋଲଟିକୁ ସର୍ବଦା ଆଲୋକିତ କରିବା ନିମନ୍ତେ ହଜାର ହଜାର ବିଜୁଳି ବତୀ ଜଳେ । ଜାହାଜଗୁଡ଼ିକୁ କୁହୁଡ଼ି ଓ ଅନ୍ଧକାର ମଧ୍ୟରେ ପଥ ଦେଖାଇ ଦେବା ପାଇଁ ସାଇରେନ୍ ଓ ଆଲୋକ ସ୍ତମ୍ଭ ରହିଛି । ବିଜୁଳି ଶକ୍ତି ଯୋଗାଇଁ ଦେବାପାଇଁ ଏକ ବୃହତ୍ ପାଉଆର୍‌ ହାଉସ୍ ପ୍ରତିଷ୍ଠିତ ହୋଇଛି ।

 

ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପୋଲିସ୍‍ମାନଙ୍କର କାର୍ଯ୍ୟ ଏହି ପୋଲରେ ଖୁବ୍ ବେଶୀ-। ସେମାନେ ତାହା ଯେପରି ଦକ୍ଷତା ସହକାରେ ପାଳନ କରନ୍ତି, ତାହା ଅତୀବ ପ୍ରଶଂସନୀୟ-

 

ପୃଥିବୀର ଅଧିକାଂଶ ସେତୁ ହାରାହାରି ଦଶ ବର୍ଷ ମଧ୍ୟରେ ନିର୍ମିତ ହେବାର ଦେଖା ଯାଇଅଛି; ମାତ୍ର ଆମେରିକା ଯୁକ୍ତରାଷ୍ଟ୍ରରେ ଥିବା ‘ସାନ୍‌ଗସ୍’ ନଦୀ ଉପରେ ଯେଉଁ ଚାରିଶହ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ଏକ ସେତୁ ନିର୍ମିତ ହୋଇଅଛି ତାକୁ ଇଞ୍ଜିନିୟରମାନେ ମୋଟେ ଦଶ ଦିନରେ ନିର୍ମାଣ କରିଥିଲେ । ଏହା କଣ ବିଚିତ୍ର ନୁହେଁ କି ?

Image

 

ଇଜିପଟ୍‌ରେ ବିଚିତ୍ର ଭୂଖନନ

 

ଇଜିପଟ୍‍ର ବାଳକ ରାଜାଙ୍କ କାହାଣୀ ପରି ଗଳ୍ପଠାରୁ ଅଧିକ ଚମକପ୍ରଦ । ତାହା ଶୁଣିଲେ ମନେହେବ, ସତେ କଣ ଏ ଘଟଣା ସତ୍ୟ ! ତୁମକୁ ଆଶ୍ଚର୍ଯ୍ୟ ଲାଗିଲେ ସୁଦ୍ଧା ଏ କଥା ନିରାଟ ସତ୍ୟ । ଯେ ତାହା ଦେଖିଛି, ସେ ମନରୁ ପାସୋରି ପାରୁନାହିଁ । ଶୁଣିବା ଲୋକ କୁହୁକ ରାଇଜରେ ବିଚରଣ କଲାପରି ମନେ କରନ୍ତି । ମିଷ୍ଟର କାର୍‍ଟର୍ ନିଜେ କହିଛନ୍ତି, ‘‘ଏହା ମୋ ଜୀବନର ଏକ ଉଦବେଗପୂର୍ଣ୍ଣ ମୁହୂର୍ତ୍ତ !’’

 

ବାସ୍ତବିକ ସେ ଦୃଶ୍ୟ ଅଭୁଲା—ଅପାସୋରା । ଖ୍ରୀଷ୍ଟପୂର୍ବ ଚତୁର୍ଦ୍ଦଶ ଶତାବ୍ଦୀରେ ଇଜିପଟ୍‍ର ଫାରୋ ଟୁଟ୍-ଆଙ୍କ-ଆମେନଙ୍କର ମୃତ ଶରୀରକୁ ଏକ ବୃହତ୍ତ ପିରାମିଡ଼୍ ମଧ୍ୟରୁ ୧୯୨୨ ଖ୍ରୀଷ୍ଟାବ୍ଦରେ ଉଦ୍ଧାର କରାଯାଇଛି । ତାହା ଦେଖି କିଏ ବିଶ୍ୱାସ କରିବ ଯେ, ତିନି ହଜାର ବର୍ଷ ପୂର୍ବର ରାଜାଙ୍କର ଅସ୍ତିତ୍ୱ ଏବେ ସୁଦ୍ଧା ଦେଖିବାକୁ ମିଳିପାରେ !

 

ଦିନେ ଭାରତରେ ଯେପରି ଦ୍ରାବିଡ଼ ସଭ୍ୟତା ଉନ୍ନତିର ଚରମସୀମାରେ ଉପନୀତ ହୋଇଥିବାର ପ୍ରକୃଷ୍ଟ ପ୍ରମାଣ ପଞ୍ଜାବର ହରପ୍‍ପା ଓ ସିନ୍ଧୁ ପ୍ରଦେଶର ମହେଞ୍ଜୋଦାରୋରୁ ମିଳିଅଛି, ସେହିପରି ଆଫ୍ରିକାର ନୀଳନଦୀ ଉପତ୍ୟକାରୁ ଫାରୋମାନଙ୍କର ସନ୍ଧାନ ପ୍ରତ୍ନତାତ୍ତ୍ୱିକମାନେ ପାଇଛନ୍ତି ।

 

‘ଫାରୋ’ କାହାକୁ କହନ୍ତି ଜାଣ କି ? ରାଜା ହିଁ ଇଜିପଟ୍‌ରେ ‘ଫାରୋ’ ବୋଲି ପରିଚିତ । ‘ଫାରୋ’ମାନଙ୍କ ମଧ୍ୟରେ ପ୍ରଥମ କୁଫୁ ବା ଚିଓପସ୍ ସର୍ବଶ୍ରେଷ୍ଠ ।

 

ଇଜିପଟରେ ଯେତେଗୁଡ଼ିଏ ପିରାମିଡ଼୍ ଦୃଷ୍ଟିଗୋଚର ହୁଏ ସେଗୁଡ଼ିକ ଆଉ କିଛି ନୁହେଁ–କେବଳ ରାଜାମାନଙ୍କର କବର । ବିଶାଳତା ଦୃଷ୍ଟିରୁ ଉକ୍ତ ପିରାମିଡ଼୍‍ଗୁଡ଼ିକ ଦର୍ଶନୀୟ-। ରିଜେ ସହର ନିକଟରେ ଯେଉଁ ପ୍ରକାଣ୍ଡ ପିରାମିଡ଼୍ ରହିଛି, ତାହା ଉଚ୍ଚତାରେ ୪୫୫ ଫୁଟ-। ଭୂମି ନିକଟରେ ତାହାର ପ୍ରତ୍ୟେକ ପାର୍ଶ୍ୱ ୭୦୦ ଫୁଟ୍ ଦୈର୍ଘ୍ୟ । କି ବିଶାଳ ଏ ପିରାମିଡ଼୍‌ !!

 

କଥିତ ଅଛି, ଥରେ ବାଳକ ରାଜାଙ୍କର ଅସ୍ଥିଗୁଡ଼ିକ ତାଙ୍କ ପିରାମିଡ଼୍ ଉପରେ ଦେଖାଯାଇଥିଲା । ଏ କଥାଟା ଅଳୀକ ହୋଇପାରେ । ଭୂତ କାହାଣୀ ହେଲେ ବି ବାଳକ ରାଜାଙ୍କର ଅକାଳ ମୃତ୍ୟୁ ହେଲା କାହିଁକି ? ଶାନ୍ତି ସୁଖରେ ଶାୟିତ ମୃତ ବାଳକ ରାଜାଙ୍କୁ ଜାଗ୍ରତ କରାଇଲା କିଏ ? ସେଥିପାଇଁ ସେ କି ଦଣ୍ଡ ପାଇବ ?

 

ଅଧ୍ୟାପକ ଯେ. ସି. ମାର୍‌ଡ଼୍ରୁସ୍ ବାଳକ ରାଜାଙ୍କ କବରର ଦ୍ୱାର ଦେଶରେ ଲୋକମାନଙ୍କୁ ସତର୍କ କରାଇ ନାନା କଥା ଉଲ୍ଲେଖ କରିଅଛନ୍ତି । ଯେଉଁମାନେ କହନ୍ତି କି ଏଭଳି କିଛି କଥା ସମାଧି ଉପରେ ଲିଖିତ ହୋଇନାହିଁ, ସେମାନଙ୍କୁ ତାହାର ଯଥାର୍ଥ ଉତ୍ତର ଅଧ୍ୟାପକ ହିଁ ଦେବେ । ଇଜିପଟ୍‌ବାସୀଙ୍କର ଦୃଢ଼ ବିଶ୍ୱାସ ଯେ, ମନୁଷ୍ୟ ମରିଗଲେ ତାହାର ଆତ୍ମା କିଛି କାଳ ପରେ ପୁନର୍ବାର ଫେରି ଆସି ସେହି ଶରୀରରେ ପ୍ରବେଶ କରେ ଏବଂ ସେହି ଲୋକ ପୁନର୍ଜନ୍ମ ପ୍ରାପ୍ତ ହୁଏ-। ଏହି ଧାରଣା ହେତୁ, ସେମାନେ ମୃତ ଶରୀରକୁ ଯତ୍ନ ସହକାରେ ସାଇତି ରଖିବା ପାଇଁ ଚେଷ୍ଟା କରନ୍ତି ।

 

ଟୁଟ୍-ଆଙ୍କ-ଆମେନଙ୍କ ସମାଧିକୁ ସ୍ପର୍ଶ କରିବାରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତ ଥିଲେ, ସେମାନଙ୍କର ଯେଭଳି ମୃତ୍ୟୁ ଘଟିଥିଲା, ତାହା ଶୁଣିଲେ ଛାତି ଭୟରେ ଥରିଉଠେ । ସେଥିରେ ଯେ କି ରହସ୍ୟ ଜଡ଼ିତ ରହିଛି, ତାହା ତୁମ୍ଭେମାନେ ହିଁ ବିଚାର କରିବ ।

 

ଏଆଙ୍କ-ଟନ୍ ଫାରୋଙ୍କର ଜାମାତାଙ୍କ ନାମ ଟୁଟ୍-ଆଙ୍କ-ଆମେନ୍ । ଏଆଙ୍କ-ଟନ୍ ସତର ବର୍ଷ ରାଜତ୍ୱ କରି ଖ୍ରୀ: ପୂ: ୧୩୫୦ରେ ଦେହ ତ୍ୟାଗ କରିଥିଲେ । ତାଙ୍କ ତୃତୀୟ କନ୍ୟାର ନାମ ଏଆଙ୍କସେନ୍ ପାଟେନ୍ । ଟୁଟ୍-ଆଙ୍କ-ଆମେନଙ୍କୁ ଯେତେବେଳେ ୧୨ବର୍ଷ ବୟସ, ସେତେବେଳେ ସେ ଏଆଙ୍କସେନ୍ ପାଟେନଙ୍କର ପାଣିଗ୍ରହଣ କରିଥିଲେ । ସେ ସୁଶ୍ରୀ, ସରଳ ଓ ବଳିଷ୍ଠ ବାଳକ ରାଜା ଥିଲେ । ତାଙ୍କ ପରି ଫାରୋମାନଙ୍କ ମଧ୍ୟରେ କେହି ବୋଧ ହୁଏ ପ୍ରତିପତ୍ତି ଲାଭ କରିଥିଲେ କି ନାହିଁ ସନ୍ଦେହ । ସେ କେବଳ ନଅବର୍ଷ ଶାସନ କରି ମୃତ୍ୟୁ ମୁଖରେ ପତିତ ହୋଇଥିଲେ । ତାଙ୍କର ମୃତ୍ୟୁ କିପରି କରୁଣ ତାହା ଐତିହାସିକମାନେ ବର୍ଣ୍ଣନା କରିଅଛନ୍ତି । ସେ ଯେଉଁମାନଙ୍କର ସାହାଯ୍ୟ ଓ ସାନ୍ନିଧ୍ୟ ଲାଭ କରିଥିଲେ, ସେମାନେ ହିଁ ତାଙ୍କ କୋମଳ-ପ୍ରାଣକୁ କୀଟଦଂଷ୍ଟ କରାଇଥିଲେ । ସେମାନେ ତାଙ୍କୁ ଜ୍ଞାତସାରରେ ମୃତ୍ୟୁ ମୁଖକୁ ଠେଲି ସ୍ୱ-ଅଭିଷ୍ଟ ସାଦନ କରିଥିଲେ । ତେବେ ସେ ଯାହା ହେଉନା କାହିଁକି, ଟୁଟ୍-ଆଙ୍କ-ଆମେନ୍ ବନ୍ଧୁଶୂନ୍ୟ ଓ ନିଃସନ୍ତାନ ହୋଇ ପ୍ରାଣତ୍ୟାଗ କରିଥିଲେ । ଅଠର ବର୍ଷର ଉଦୀୟମାନ ଯୁବକଙ୍କ ମୃତ୍ୟୁରେ ଦେଶର ଯେ କି କ୍ଷତି ଘଟିଥିବ, ତାହା ବର୍ଣ୍ଣନା କରିବା ଅସମ୍ଭବ ।

 

ସତୁରି ଦିନ ପର୍ଯ୍ୟନ୍ତ ସୁଶ୍ରୀ ବାଳକରାଜାଙ୍କର ଶବକୁ ଏକ ବୃହତ୍ତ ଭାଣ୍ଡ ମଧ୍ୟରେ ନାନାଦି ମସଲାରେ ବୁଡ଼ାଇ ରଖାଯାଇଥିଲା । ତତ୍‍ପରେ ତାହା ଉପରେ ପିରାମିଡ଼୍ ନିର୍ମାଣ କରାଗଲା । ସେ ନୀଳ-ନଦୀର ଉପକଣ୍ଠରେ ଶତାଧିକ ଫାରୋଙ୍କ ସହ ଅନନ୍ତ କାଳ ପାଇଁ ଶାୟିତ ହୋଇଥିଲେ ।

 

ଫାରୋମାନଙ୍କର ସମାଧିଗୁଡ଼ିକରେ ଧନରତ୍ନ ପୂରିଥିବ ଭାବି ବହୁ କାଳରୁ ଦସ୍ୟୁଦଳ ସେଗୁଡ଼ିକୁ ବାରମ୍ବାର ଅପହରଣ କରିବାପାଇଁ ଉଦ୍ୟମ କରିଆସିଛନ୍ତି ଓ ଅର୍ଦ୍ଧ-ଶତାଧିକ ପିରାମିଡ଼କୁ ଲୁଣ୍ଠନ କରି ନେଇଛନ୍ତି । ଟୁଟ୍-ଆଙ୍କ-ଆମେନଙ୍କ ପିରାମିଡ଼୍ ସେହି ଉପଦ୍ରବରୁ ସମ୍ପୂର୍ଣ୍ଣ ରୂପେ ତ୍ରାହି ପାଇନଥିଲା । ଥରେ ଦଳେ ଦସ୍ୟୁ ହୀରା, ନୀଳା, ମୋତି ଇତ୍ୟାଦି ମୂଲ୍ୟବାନ୍ ସମ୍ପତ୍ତି ଲାଭ କରିବା ଆଶାରେ ଉକ୍ତ ସମାଧିକୁ ଲୁଣ୍ଠନ କରିଥିଲେ । ମାତ୍ର ସେମାନେ ଧରାପଡ଼ିବା ଯୋଗୁ ପ୍ରାଣ ବିକଳରେ ଲୁଣ୍ଠିତ ଦ୍ରବ୍ୟଗୁଡ଼ିକୁ ତ୍ୟାଗ କରି ପଳାୟନ କରିଥିଲେ । କେତେକ ସରକାରୀ କର୍ମଚାରୀ ସେହି ସମ୍ପତ୍ତିକୁ ଆତ୍ମାସାତ୍ କରିବାକୁ ଚେଷ୍ଟା କରିଥିଲେ; ମାତ୍ର କାଳ ତାହା ସହି ପାରିଲା ନାହିଁ ।

 

୧୯୨୨ ଖ୍ରୀଷ୍ଟାବ୍ଦ ନଭେମ୍ବର ମାସ ୪ ତାରିଖ ଘଟଣା । ଲର୍ଡ଼ କାର୍‍ନରଭେନ୍, ଲେଡ଼ି ଏଭିଲିନ୍ ହରବଟ୍, ମିଷ୍ଟର ହାଉଆର୍ଡ଼ କାରଟର୍ ଓ କାଲେଣ୍ଡର ନାମକ ତିନିଜଣ ଇଉରୋପୀୟ ସାହେବ ଜନୈକ ମହିଳାଙ୍କ ସହ ନୀଳନଦୀର ଉପତ୍ୟକା ଖୋଳିବାକୁ ଆରମ୍ଭ କଲେ । ବିପୁଳ ଅର୍ଥ ବ୍ୟୟରେ ଖନନ କାର୍ଯ୍ୟ ଚାଲିବାକୁ ଲାଗିଲା । ଛଅ ବର୍ଷ କେବଳ ବାଲି, ପଥର ଉଠାଇବାରେ ଅତୀତ ହୋଇଗଲା । ସେମାନଙ୍କର ବିରାଟ କଳ୍ପନା ବେଳକୁ ବେଳ କ୍ଷୀଣତର ହେବାକୁ ଲାଗିଲା; ମାତ୍ର ଲର୍ଡ଼ କାର୍‍ନରଭେନ୍ ଅର୍ଥ ସାହାଯ୍ୟ କରିବାରେ କୁଣ୍ଠିତ ହୋଇ ନଥିଲେ । କାର୍ଯ୍ୟ ପୂର୍ବାପେକ୍ଷା କ୍ଷିପ୍ରତର ହେବାକୁ ଲାଗିଲା । ପ୍ରାୟ ଦୁଇଶହ ହଜାର ଟନର ମାଟି, ବାଲି, ପଥର ଇତ୍ୟାଦି କଢ଼ାଯିବା ପରେ ଗୃହର ପାଟ ଦେଖାଗଲା । ତାହା ଦେଖି ଲର୍ଡ଼ କାର୍‍ନରଭେନ୍ ସାହେବ ଯାହା ନିଜେ ବ୍ୟକ୍ତ କରିଅଛନ୍ତି, ତାହା ନିମ୍ନରେ ପ୍ରଦତ୍ତ ହେଲା—

 

‘‘ମୁଁ ମିଷ୍ଟର କାରଟରଙ୍କୁ କେତେ ଖଣ୍ଡି ପଥର କାଢ଼ିବାକୁ କହିଲି, କାରଣ ତଦ୍ଦ୍ୱାରା ଉତ୍ତମ ରୂପେ ଦେଖାଯାଇପାରିବ । ଅଳ୍ପ କେତେକ ସମୟ ପରେ ତାହା କରାଗଲା । ସେ ତାଙ୍କ ମୁଣ୍ଡକୁ ଆଂଶିକ ସେହି ଖୋଲ ମଧ୍ୟକୁ ପୂରାଇଲେ । ଏକ ଆଲୋକ ବତୀଦ୍ୱାରା ତାହା ଭିତରେ କଣ ଅଛି, ସେ ଅସ୍ପଷ୍ଟ ଭାବେ ଲକ୍ଷ୍ୟ କଲେ । ଦୀର୍ଘ ନୀରବତା ରାଜତ୍ୱ କରୁଥାଏ । ମୁଁ କମ୍ପିତ ସ୍ୱରରେ କହିଲି ‘‘ଆଚ୍ଛା...ଏ କଣ?’’ ଉତ୍ତର ମିଳିଲା, ‘‘ଏଠାରେ ପରା କେତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ ପଦାର୍ଥ ରହିଛି ।’’ ଲେଡ଼ି ହର୍ବଟଙ୍କୁ ମୋ ସ୍ଥାନଟି ଛାଡ଼ିଦେଇ ମୁଁ ସେହି ଗର୍ତ୍ତମଧ୍ୟକୁ ନିଜେ ପ୍ରବେଶ କଲି ଏବଂ ବହୁ କଷ୍ଟରେ ମୁଁ ମୋର ଉତ୍କଣ୍ଠାକୁ ପ୍ରଶମିତ କରିଥିଲି ।

 

‘‘ପ୍ରଥମେ ଖୁବ୍ କ୍ଷୀଣାଲୋକରେ ଦେଖିଲି, ଯାହା ସବୁ ଦୃଷ୍ଟିପଥାରୂଢ଼ ହେଲା ସେଗୁଡ଼ିକ କେବଳ କନକ ସ୍ତମ୍ଭ ସଦୃଶ ଅନୁମିତ ହେଲା । ଆଲୋକ ସହିତ ଟିକିଏ ଅଧିକ ଅଭ୍ୟସ୍ତ ହେବା ପରେ ଦେଖାଗଲା ଯେ, ସୁନାରେ ଛାଉଣୀ ହୋଇଥିବା ବଡ଼ ବଡ଼ କାଉଚର୍ ମୁଣ୍ଡ ସବୁ ଅଛି । କେତେକ ବାକ୍ସ ଏଣେ ତେଣେ ପଡ଼ିଥାଏ । ଆମ୍ଭେମାନେ ଗର୍ତ୍ତଟିକୁ ଆହୁରି ବିସ୍ତାର କରିଦେଲୁ ଏବଂ ମିଷ୍ଟର କାରଟର କଷ୍ଟେ ମଷ୍ଟେ ତନ୍ମଧ୍ୟକୁ ପ୍ରବେଶ କଲେ । ପଥର ଦୁଇ ଫୁଟ ତଳକୁ ଏକ କୋଠରୀ ଥାଏ ଏବଂ ସେ ଯେତେବେଳେ ଆଲୋକ ବତୀ ଧରି ଚାରିଆଡ଼େ ବିଚରଣ କରୁଥାନ୍ତି ଆମ୍ଭେମାନେ ଜାଣିଲୁ ଯେ, ନିଶ୍ଚୟ କିଛି ସମ୍ପୂର୍ଣ୍ଣ ଅଦ୍ଭୁତ-ଅଦୃଷ୍ଟପୂର୍ବ ପଦାର୍ଥ ଦେଖିବାକୁ ମିଳିଛି । ସେହି କ୍ଷୀଣାଲୋକରେ ସୁଦ୍ଧା ଯେ କେହି କୋଠରୀ ମଧ୍ୟସ୍ଥ ଆସବାବଗୁଡ଼ିକର ବିଚିତ୍ର ସମାବେଶ ଦେଖି ପରିଥାନ୍ତା ।

 

‘‘ତତପରେ ଗର୍ତ୍ତଟୀକୁ କିୟଦଂଶ ବିସ୍ତୃତ କରି ଆମ୍ଭେମାନେ ତନ୍ମଧ୍ୟରେ ପ୍ରବେଶ କଲୁ ଏବଂ ଏଥର ଆବିଷ୍କୃତ ପଦାର୍ଥଗୁଡ଼ିକର ମହତ୍ତ୍ୱ ଅଧିକ ପରିମାଣରେ ଉପଭୋଗ କରିଥିଲୁ । କାରଣ କବରର ଶୀର୍ଷ ଦେଶରୁ ବିଜୁଳିବତୀ ଖଞ୍ଜାଯିବାର ବ୍ୟବସ୍ଥା ହୋଇଥିଲା । ଫଳତଃ ଆମ୍ଭମାନଙ୍କୁ ପରୀକ୍ଷା କରି ଦେଖିବାରେ ଅଧିକ ଆଲୋକ ମିଳିଥିଲା ।’’

 

ଅଦ୍ୟାପି ଆବିଷ୍କୃତ ଦ୍ରବ୍ୟଗୁଡ଼ିକ ଇଜିପଟର ପ୍ରଧାନ ସହର କାଏରୋ ସଂଗ୍ରହଶାଳା (Museum)ରେ ଦେଖିବାକୁ ମିଳେ । ତାହା ଦେଖିବା ଲାଗି ଶହ ଶହ ଦର୍ଶକ ପ୍ରତ୍ୟହ ଏଠାରେ ରୁଣ୍ଡ ହେଉଅଛନ୍ତି ।

 

ସାହେବମାନେ ସେହି କବର ତଳେ ‘ମମି’ ସହ ଯାହା ସବୁ ଦେଖିଲେ, ତାହା ସେ କାଳର ଶିକ୍ଷା, ସଭ୍ୟତା, ସାମାଜିକ ରୀତିନୀତି ବ୍ୟତୀତ ରାଜନୈତିକ ସଂସ୍ଥା ସମ୍ବନ୍ଧରେ ନାନା ତଥ୍ୟ ଯୋଗାଇ ଦିଏ । ବହୁବିଧ ମସଲା ସାହାଯ୍ୟରେ ମୃତ ଦେହକୁ ସୁରକ୍ଷିତ କରିବା ହିଁ ‘ମମି’ ନାମରେ କଥିତ । ‘ମମି’ କିପରି କରାଯାଏ, ତାହା ଅବଧି ପୃଥିବୀର ଅନ୍ୟ କୌଣସି ଅଞ୍ଚଳର ଅଧିବାସୀ ଜାଣି ନାହାନ୍ତି । ଏହାକୁ ଇଜିପିଟବାସୀଙ୍କ ସଭ୍ୟତାର ଏକ ବିଶେଷତ୍ୱ ବୋଲି କୁହାଯାଇପାରେ ।

 

ଷୋଳଟି ପାହାଚ ଆବିଷ୍କୃତ ହେବା ପରେ ଦେଖାଗଲା ଯେ, କୋଠରୀଟି ଚତୁର୍ଦ୍ଦିଗରୁ ରୁଦ୍ଧ ହୋଇଅଛି । ୧୯୨୩ ଖ୍ରୀଷ୍ଟାବ୍ଦ ଫେବୃୟାରୀ ମାସରେ ମିଷ୍ଟର କାର୍‍ଟର୍ ଏବଂ ତାହାଙ୍କର କେତେକ ସହକର୍ମୀ ବହୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଗହଣରେ କୋଠରୀର ଏକ କାନ୍ଥ ଭାଙ୍ଗିଲେ । ଆଲୋକ ପକାଇ ସେମାନେ ଗୋଟିଏ ସୁନାର କାନ୍ଥ ଦେଖିବାକୁ ପାଇଲେ । ଅଧିକ ଚେଷ୍ଟା କରି ଜାଣିଲେ ଯେ, ତାହା ସୁନା କାନ୍ଥ ନୁହେଁ—ଏକ କାଷ୍ଠାଧାର । ମିଷ୍ଟର କାର୍‍ଟର୍ ଅନୁମାନ କଲେ ଯେ, ସମ୍ଭବତଃ ରାଜାଙ୍କର ‘ମମି’ ସେହି ଆଧାର ମଧ୍ୟରେ ରହିଥିବ । ସେହି କାଷ୍ଠାଧାରଟି କୋଠରୀର ଅଧିକାଂଶ ସ୍ଥାନ ଅଧିକାର କରିଥିଲା । ତହିଁରେ ସୁନା ଛାଉଣୀ ହୋଇଥିଲା ଓ ଇସିସ୍, ଓସିରିସ୍ ନାମକ ଦୁଇ ଦେବତାଙ୍କର ରୂପ ତହିଁରେ ଶୋଭା ପାଉଥିଲା । କାଷ୍ଠାଧାରର ଏକ ପ୍ରାନ୍ତରେ ବଡ଼ ବଡ଼ ଦ୍ୱାର ଥିଲା ଏବଂ ସେଗୁଡ଼ିକ ଜଉ ମୁଦ ନହୋଇ କେବଳ ବନ୍ଦ ହୋଇଥିଲା । ତାହାକୁ ଉନ୍ମୁକ୍ତ କରିବା ପରେ ଆହୁରି ଏକ ଆଧାର ଦୃଷ୍ଟିଗୋଚର ହେଲା । ଏଥର ଖନନକାରୀମାନେ ବଡ଼ କ୍ଲାନ୍ତ ହୋଇପଡ଼ିଥିଲେ ଏବଂ ଗ୍ରୀଷ୍ମଋତୁ ଆସି ପହଞ୍ଚିବା ହେତୁ ସେହି କାର୍ଯ୍ୟ କିୟତ୍ ଦିବସ ପାଇଁ ସ୍ଥଗିତ ରଖିଥିଲେ ।

ଦୁଇ ବର୍ଷ ଅତୀତ ହେବାପରେ ପୁନଃ ଖନନ କାର୍ଯ୍ୟ କରାଗଲା । ଏଥର ସେମାନେ ସେହି ଦ୍ୱାରଟିକୁ ଉନ୍ମୋଚନ କରି ଦୁଇଟି ସୁନ୍ଦର କାଷ୍ଠାଧାର ଦେଖିଲେ । ତାହା ଛଡ଼ା ଆହୁରି ଏକ କାଷ୍ଠାଧାର ସେମାନେ ପାଇଥିଲେ ଏବଂ ତହିଁରେ ସୁନା ଛାଉଁଣୀ ହୋଇ ଦେବତାଙ୍କର ଛବି ଅଙ୍କତ ହୋଇଥିଲା । ଚତୁର୍ଥ ଅଧାରଟି ଖୋଲି ସେମାନେ ତହିଁରେ ଏକ ପ୍ରସ୍ତର ଖଚିତ ଶବାଧାର ଦେଖିଲେ । ଉକ୍ତ ଶବାଧାରରେ ଥିବା ଢାଙ୍କୁଣୀଟିର ଓଜନ ପ୍ରାୟ ଦେଢ଼ଟନ୍ ଥିଲା । ସେହି ପ୍ରସ୍ତର ଶବାଧାର ମଧ୍ୟରେ କ୍ରମାନ୍ୱୟରେ ତିନୋଟି କଫିନ୍ ରହିଥିଲା ଏବଂ ପ୍ରତ୍ୟେକ କଫିନରେ ରାଜାଙ୍କର ମୂର୍ତ୍ତି ଥିଲା ।

ନାନା ରଙ୍ଗର ମୂଲ୍ୟବାନ୍ ପ୍ରସ୍ତର ଦ୍ୱାରା ରାଜାଙ୍କର ମସ୍ତକ ଶୋଭା ପାଉଥିଲା । ଗଳାରେ ଏକ ପୁଷ୍ପମାଳା ଲମ୍ବିତ ହୋଇଥିବାରୁ ଦେହର କାନ୍ତି ପରିବର୍ଦ୍ଧନ କରୁଥିଲା । ସେହି ମାଳା କିଞ୍ଚିତ୍ ମଉଳି ଯାଇଥିଲେ ସୁଦ୍ଧା ତହିଁରେ ଏକ ଉତ୍କଟ ସୁଗନ୍ଧ ଥିଲା ।

ଶେଷୋକ୍ତ କଫିନ୍‌ଟି ଖାଲି ସୁନାରେ ନିର୍ମିତ । ତାହାକୁ ଆଠଜଣ ଲୋକ ବହୁ କଷ୍ଟରେ ଉଠାଉଥିଲେ । ତାହାର ମୂଲ୍ୟ ଅନ୍ୟୂନ ୫୦,୦୦୦ ପାଉଣ୍ଡ ହେବ ବୋଲି ଐତିହାସିକମାନେ କହନ୍ତି । ତହିଁରେ ରାଜାଙ୍କର ‘ମମି’ ଉତ୍ତମ ରୂପେ ରକ୍ଷିତ ହୋଇଥିଲା ।

 

ଏତଦ୍‌ବ୍ୟତୀତ ଯେଉଁ ସିଂହ ମସ୍ତକ ଚିହ୍ନିତ ରାଜସିଂହାସନ ଆବିଷ୍କୃତ ହୋଇଛି ତାହା କାଷ୍ଠ ହେଲେହେଁ ଖାଣ୍ଟି ସୁନା ତହିଁରେ ପିନ୍ଧାଇ ଦିଆ ଯାଇଅଛି । ସିଂହାସନର ପଶ୍ଚାତ୍ ଭାଗରେ କାରୁକାର୍ଯ୍ୟ ଖଚିତ ପଟା ଉପରେ ରାଜା ଓ ରାଣୀ ରୂପ ଦେଖିବାକୁ ମିଳେ । ରାଣୀ ସସ୍ମିତ ବଦନରେ ରାଜାଙ୍କ ପୋଷାକକୁ ସଜାଡ଼ି ଦେଉଛନ୍ତି ଏବଂ ଅନ୍ୟ ହାତରେ ଏକ ପାତ୍ର ଧାରଣ କରିଅଛନ୍ତି । ବାସ୍ତବିକ୍ ସେହି ଦୃଶ୍ୟ କି ହୃଦୟସ୍ପର୍ଶୀ ! କି ଜୀବନ୍ତ !!

 

କିନ୍ତୁ ହାୟ ! ସେ ନୀଳ-ଉପତ୍ୟକା କଣ ଥିଲା, କଣ ହୋଇଛି ଆଜି ! ସେ ଧନରତ୍ନ କାହିଁ ? ସବୁ କାଳ ଗର୍ଭରେ ବିଲୟ ଭଜିଥିଲେ ସୁଦ୍ଧା ଜନସ୍ମୃତିରୁ ତାହା କଦାପି ବିସ୍ମୃତ ହେବନାହିଁ ।

 

ଟୁଟ୍-ଆଙ୍କ-ଆମେନ୍ ଜୀବଦ୍ଦଶାରେ ପ୍ରସିଦ୍ଧି ଲାଭ କରି ନ ଥିଲେ; କିନ୍ତୁ ହଜାର ହଜାର ବର୍ଷ ପରେ ପୃଥିବୀବାସୀଙ୍କୁ ସେ ଯେଉଁ ନୂତନ ସନ୍ଦେଶ ଦେଇଅଛନ୍ତି ତାହା ମାନବ ସଭ୍ୟତାର ଯଥେଷ୍ଟ ପରିଚୟ ପ୍ରଦାନ କରିଅଛି । ତାଙ୍କ ‘ମମି’କୁ ଆବିଷ୍କାର କରି ସାହେବମାନଙ୍କର ଯେଉଁ ଦଶା ଘଟିଲା, ତାହା ଜାଣିବା ପାଇଁ ନିଶ୍ଚୟ ଇଚ୍ଛା ହେଉଥିବ । ଅତି ଆଶ୍ଚର୍ଯ୍ୟ କଥା, ଯେଉଁ ବର୍ଷ ଲର୍ଡ଼ କାରନର୍‍ଭନ୍‍ଙ୍କର ଖନନ କାର୍ଯ୍ୟ ସମାପ୍ତ ହେଲା ଠିକ୍ ସେହି ବର୍ଷ ସେ ଏକ ବିଷାକ୍ତ କୀଟ ଦଂଶନରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ବନ୍ଧୁ ଆମେରିକାର କୋଟିପତି ଜର୍ଜ ଯେ. ଗାଉଲଡ଼୍ କବର ପରିଦର୍ଶନ କରିବାକୁ ଆସି ଏକ ବିଷମ ରୋଗରେ ପଡ଼ି ମୃତ୍ୟୁକୁ ବରଣ କଲେ । ବାଉନ ବର୍ଷ ବୟସରେ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଆରଥର୍ ଇ. ଉଏଗଲ୍ ମମିକୁ ଉଦ୍‌ଘାଟନ କରାଯିବା ବେଳେ ଉପସ୍ଥିତ ଥିବାରୁ ତାହାଙ୍କର ମୃତ୍ୟୁ ଘଟିଥିଲା । ଏହାଛଡ଼ା ଦୁଇ ଜଣ ବିଶିଷ୍ଟ ରଞ୍ଜନରଶ୍ମି-ବିଶାରଦ ଫାରୋଙ୍କର ବୟସ ଓ ମୃତ୍ୟୁର କାରଣ ନିର୍ଣ୍ଣୟ କରିବା ନିମନ୍ତେ ପଣ କରିଥିଲେ ସୁଦ୍ଧା ସେମାନେ ବଞ୍ଚି ପାରିନଥିଲେ । ପୁନଶ୍ଚ ଦୁଇଜଣ ଅଧ୍ୟାପକ ଫାରୋଙ୍କ ବିଶ୍ରାମ ସ୍ଥାନ ଦେଖିବା ପରେ ପରେ ମରିଗଲେ । ଯେଉଁ ବ୍ୟକ୍ତି କବର ମଧ୍ୟରୁ ଯାବତୀୟ ଜିନିଷପତ୍ର ଉଠାଉଠି କରିଥିଲେ ତାଙ୍କର ମୃତ୍ୟୁ ଜନୈକ ଘାତକଙ୍କ ଦ୍ୱାରା ଘଟିଥିଲା । ଅନେକ ବ୍ୟକ୍ତି କାହିଁକି ଯେ ଆତ୍ମହତ୍ୟା କରି ଇହ ସଂସାରରୁ ବିଦାୟ ନେଇଥିଲେ ତାହା ଅବଧି ଜଣାପଡ଼ିନାହିଁ ।

 

ଏ କଥା ସତ୍ୟ ଯେ, ତାଙ୍କର ସେହି ଭୌତିକ ସାମଗ୍ରୀଗୁଡ଼ିକୁ ଇତସ୍ତତଃ କରିବା ଦ୍ୱାରା ଇତିହାସ ଏବଂ ବିଜ୍ଞାନକୁ ବହୁ ଅମୂଲ୍ୟ ସମ୍ପଦ ମିଳିଅଛି; କିନ୍ତୁ ତାଙ୍କ ଆତ୍ମା ଚିର ଶାନ୍ତିରେ ରହିବା ହିଁ ସବୁଠାରୁ ବଡ଼ କଥା ।

Image

 

ଦୁଃସାହସିକ ବ୍ୟୋମବିହାର

 

ପ୍ରକୃତି ସହିତ ଲଢ଼େଇ କରିବାର ମନୋବୃତ୍ତି ଯେ ଚାର୍ଲସ୍ ଲିଣ୍ଡବର୍ଗଙ୍କର ଆଜି ଆସିଲା ତାହା ନୁହେଁ; ବହୁଦିନରୁ ଏହାର ସୂଚନା ଊଣା ଅଧିକେ ମିଳିଥିଲା । ସେ ପ୍ରକୃତିର ଭ୍ରୂକୁଞ୍ଚନକୁ ଆତଙ୍କ ନ ମଣି ନିର୍ଭୟରେ ଘନକୁହୁଡ଼ି, ପ୍ରବଳ ଝଡ଼ ଝଞ୍ଜା ଓ ଘୋର ଅନ୍ଧକାର ମଧ୍ୟରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେଉଁଭଳି ତୁମୂଳ ସଂଗ୍ରାମ ଚଳାଇଥିଲେ ତାହା ଅତୁଳନୀୟ । ତାଙ୍କର ନୀତି ଥିଲା—‘କର କିମ୍ବା ମର’ । ଶତ ଲାଞ୍ଛନା ଓ ବିଦ୍ରୂପର ଅଗ୍ନିଦାହ ମଧ୍ୟରେ ପରୀକ୍ଷିତ ହେବା ହିଁ ବୀରତ୍ୱର ଲକ୍ଷଣ ।

 

ଚାର୍ଲସ ଲିଣ୍ଡବର୍ଗଙ୍କୁ ଲୋକେ ‘ନିର୍ବୋଧ ବ୍ୟୋମ ବିହାରୀ’ ବୋଲି କହୁଥିଲେ । ମାତ୍ର ତାଙ୍କର ଅଦ୍ଭୁତ ସାହସ ଓ ଉଗ୍ର ଅଭିଯାନ ବ୍ୟୋମବିହାର-ଇତିହାସରେ ଯେଉଁ ଯୁଗାନ୍ତର ସୃଷ୍ଟି କରିଛି, ତାହା କଦାପି ଭୁଲି ହେବ ନାହିଁ ।

 

ବହୁଯୁଗର ଆକାଶରେ ଉଡ଼ିବାର କଳ୍ପନା ମନୁଷ୍ୟର ଥିଲା । ପୌରାଣିକ ଯୁଗର ପ୍ରାତଃସ୍ମରଣୀୟ ରଘୁକୁଳତିଳକ ରାମଚନ୍ଦ୍ର ପୁଷ୍ପକ ଯାନରେ ଲଙ୍କାରୁ ଅଯୋଧ୍ୟାକୁ ଫେରିଥିଲେ । ଏହି ବୈଜ୍ଞାନିକ ଯୁଗରେ ପୂର୍ବର ପୁଷ୍ପକଯାନ ଯେ ପୁନଃ ଉଦ୍ଭାବିତ ନ ହେବ, ତାହା କିଏ କହିପାରେ ?

 

ପକ୍ଷୀ ପରି ଆକାଶରେ ଡ଼େଣା ମେଲାଇ ଉଡ଼ିବାକୁ ହେଲେ ବଡ଼ ଡେଣା ପ୍ରୟୋଜନ । ତାହା ମିଳିବ କିପରି ? ମନୁଷ୍ୟ ମନରେ ପ୍ରଶ୍ନ ବାରମ୍ବାର ଉତ୍‍ଥିତ ହୋଇଥିଲା । ଦୁଇଜଣ ଫରାସୀ ବାଳକ ପ୍ରଥମେ ଫାନୁସରେ ଧୂଆଁ ପୂରାଇ ତାହାକୁ ଆକାଶରେ ଉଡ଼ାଇଥିଲେ । ଜର୍ମାନୀର ସୁପ୍ରସିଦ୍ଧ ଲିଲେନ୍‌ଥାଲ ଉଡ଼ାଜାହାଜର ଯେଉଁ ସୂତ୍ର ସ୍ଥିର କରିଥିଲେ ତାହା ଉପରେ ନିର୍ଭର କରି ଆମେରିକାର ଭ୍ରାତୃଦ୍ୱୟ ଉଇଲ୍‌ବର୍ ଓ ଅର୍‍ଭାଇଲ୍ ରାଇଟ୍ ଉଡ଼ାଜାହାଜ ନିର୍ମାଣ କରିଥିଲେ । ସେମାନେ ୧୯୦୩ ଖ୍ରୀଷ୍ଟାବ୍ଦ ଡିସେମ୍ବର ୧୭ ତାରିଖ ଦିନ ଆକାଶରେ ଉଡ଼ିଥିଲେ । ମାତ୍ର ସେମାନଙ୍କୁ ବାର ସେକେଣ୍ଡ ମଧ୍ୟରେ ୧୨୦ ଫୁଟରୁ ଅଧିକ ଯିବାକୁ ସୁଯୋଗ ମିଳି ନ ଥିଲା । ଏହାର ପାଞ୍ଚ ବର୍ଷ ପରେ ସେମାନେ ଆଟଲାଣ୍ଟିକ୍ ମହାସାଗରର ପାର୍ଶ୍ୱ ସ୍ଥାନମାନଙ୍କରେ ଭ୍ରମଣ କରିଥିଲେ । କ୍ରମେ ଉଡ଼ାଜାହାଜର ଉନ୍ନତି ହୋଇଥିଲା । ସାନଟୋଜ୍ ଡିଉମଣ୍ଟ ପ୍ୟାରିସକୁ ଯାତ୍ରା କରି ସେଠାରେ ବେଲୁନ ଓ ଉଡ଼ାଜାହାଜ ସମ୍ବନ୍ଧରେ କେତେକ ଗବେଷଣା କରି ସ୍ଥିର କଲେ ଯେ, ଯେ କୌଣସି ଓଜନର ଜିନିଷ ଆକାଶ ପଥରେ ଯାତାୟତ କରି ପାରିବ । ସେଥିପାଇଁ ବାୟୁଠାରୁ ଓଜନ ଉଡ଼ାଜାହାଜ ନିର୍ମାଣ କରାଗଲେ କୌଣସି ବିପଦର ଆଶଙ୍କା ରହିବ ନାହିଁ । ତେଣୁ ସେ ୧୯୦୫ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଏକ ଓଜନଦାର୍ ଉଡ଼ାଜାହାଜ ନିର୍ମାଣ କଲେ । ଦୁଃଖର କଥା, ତାହା ସନ୍ତୋଷଜନକ ହେଲା ନାହିଁ । ଏଥିରେ ସେ ଟିକିଏ ହେଲେ ହତୋତ୍ସାହ ହୋଇ ନଥିଲେ । ବରଂ ଦ୍ୱିଗୁଣ ଉତ୍ସାହରେ ଆହୁରି କେତୋଟି ଉଡ଼ାଜାହାଜ ନିର୍ମାଣ କରିଥିଲେ । ‘ଡେମ୍ୟୁସେଲି’ ନାମକ ଉଡ଼ାଜାହାଜଟିକୁ ବେଶ୍ ଚମତ୍କାର କରି ଗଢ଼ା ଯାଇଥିଲା । ତାହା ଘଣ୍ଟାରେ ଷାଠିଏ ମାଇଲ ବେଗରେ ଗତି କରୁଥିଲା । ସେତେବେଳେ ଉଡ଼ାଜାହାଜ ଭୂପୃଷ୍ଠରୁ ପଞ୍ଚଷଠି ଫୁଟ ଉଚ୍ଚକୁ ଉଠି ତଳକୁ ଓହ୍ଲାଇବା କଠିନ ଥିଲା ।

 

ବିମାନ-ଯାତ୍ରାରେ ଇଂଲଣ୍ଡର ପ୍ରତିପତ୍ତି ସେ ସମୟରେ ଯଥେଷ୍ଟ ନ ଥିଲା । ଫ୍ରାନ୍ସ, ଆମେରିକା ପ୍ରଭୃତି ଦେଶ ଶିଶୁ ଅବସ୍ଥାରେ ଥାଇ ନାନା ଉଦ୍ୟମ କରି ଆସୁଥିଲେ ସୁଦ୍ଧା କୃତିତ୍ୱ ଲାଭ କରି ପାରି ନଥିଲେ ।

 

ବ୍ୟୋମ ପଥରେ ଇଂରେଜ ଜାତିର ପ୍ରାଧାନ୍ୟ ପ୍ରତିଷ୍ଠିତ ହେବା ନିମିତ୍ତ ଲର୍ଡ଼ ନର୍ଥକ୍ଲିଫ୍ ଆପ୍ରାଣ ଚେଷ୍ଟା କରିଥିଲେ । ସେ ଉଡ଼ାଳିମାନଙ୍କୁ ନାନା କ୍ଷେତ୍ରରେ ଉତ୍ସାହିତ କରୁଥିଲେ । ଥରେ ସେ ଘୋଷଣା କଲେ ଯେ, ଯେଉଁ ଉଡ଼ାଳୀ ପ୍ରଥମେ ଇଂଲିଶ୍ ଚାନେଲଙ୍କୁ ଅତିକ୍ରମ କରିପାରିବ, ସେ ତାହାକୁ ଏକ ହଜାର ପାଉଣ୍ଡ ପୁରସ୍କାର ପ୍ରଦାନ କରିବେ । ଉକ୍ତ ପ୍ରତିଯୋଗିତା ବୀର ଉଡ଼ାଳିମାନଙ୍କୁ ବିଶେଷ ଉତ୍ସାହିତ କରିଥିଲା । ଫ୍ରାନ୍ସ ଦେଶର ଏକ ବୈଜ୍ଞାନିକ ହ୍ୟୁବାର୍ଟ ଲାଥାମ୍ ୧୯୦୯ ଖ୍ରୀଷ୍ଟାବ୍ଦ ଜୁନ୍ ମାସରେ ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିଲେ । ସେ ପାଗଯୋଗ ଉଣ୍ଡି ଜୁଲାଇ ମାସ ୧୯ ତାରିଖ ସକାଳ ଘ ୬-୨୦ ମିନିଟରେ ଡୋଭର ଅଭିମୁଖେ ଯାତ୍ରା କଲେ-। ଚାହୁଁ ଚାହୁଁ ଘନ ମେଘମାଳା ମଧ୍ୟରେ ତାଙ୍କ ଉଡ଼ାଜାହାଜଟି ଅଦୃଶ୍ୟ ହେବାରୁ ଲୋକେ ବିସ୍ମିତ ହୋଇ ଭାବିଲେ, ‘ଏ କଣ ଆଉ ଫେରିବେ ସତେ !’

 

ସତକୁ ସତ ଉଡ଼ାଜାହାଜର ପତ୍ତା ହଠାତ୍ କେହି ପାଇଲେ ନାହିଁ । ଶେଷକୁ ଦେଖାଗଲା ଯେ, ଲାଥାମ୍ ଉଡ଼ାଜାହାଜରେ ବସି ମଉଜରେ ସିଗାରେଟ୍ ଟାଣୁଛନ୍ତି । ତେବେ କଣ ଲାଥାମ୍ ପ୍ରତିଯୋଗିତାରେ ଅକୃତକାର୍ଯ୍ୟ ହୋଇଥିଲେ ?

 

ଲାଥାମ୍ ଅକୃତକାର୍ଯ୍ୟ ହୋଇ ସୁଦ୍ଧା ଦୁଃଖିତ ହୋଇ ନଥିଲେ । ସେ ପୁନର୍ବାର ନବ ପ୍ରେରଣାରେ ଉଲ୍ଲସିତ ହୋଇ ପ୍ୟାରିସକୁ ଯାତ୍ରା କଲେ ଏବଂ ସେଠାରେ ନୂତନ ଉଡ଼ାଜାହାଜ ନିର୍ମାଣ କରିବାରେ ଲାଗି ପଡ଼ିଲେ । ଫ୍ରାନ୍ସ ଦେଶର ଦକ୍ଷ ବୈମାନିକ ଲୁଇସ୍ ଇଂଲଣ୍ଡ ଅଭିମୁଖରେ ଯାତ୍ରା ଆରମ୍ଭ କରିଥିଲେ । ସେ ଆକାଶମଣ୍ଡଳ ମଧ୍ୟରେ ଗତିପଥ ନିର୍ଣ୍ଣୟ କରି ପାରିଲେ ନାହିଁ । ଯାହା ହେଉ, ସେ ସକାଳ ଘ ୫-୧୨ ମିନିଟରେ ଡୋଭର ନିକଟବର୍ତ୍ତୀ ଏକ ଅଞ୍ଚଳରେ ଅବତରଣ କରିଥିଲେ । ତାହାଙ୍କ କୃତିତ୍ୱରେ ସମସ୍ତ ଇଂଲଣ୍ଡ ଜୟ ଜୟ ଧ୍ୱନିରେ ପ୍ରକମ୍ପିତ ହେବାକୁ ଲାଗିଲା । ଫ୍ରାନ୍ସ ଦେଶରେ ତାଙ୍କର ପ୍ରଶଂସା ଏହାଠାରୁ ଯେ ଅଧିକ ହୋଇଥିବ, ତାହା କହିବା ବାହୁଲ୍ୟ ମାତ୍ର-

 

ଉଡ଼ାଜାହାଜ ଚାଳକମାନେ ଆକାଶ ପଥରେ କି କି ବିପଦର ସମ୍ମୁଖୀନ ହୁଅନ୍ତି ତାହା ଶୁଣିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ । ଜନୈକ ଚାଳକ ତାଙ୍କ ଅନୁଭୁତିରୁ ଏହିପରି ବର୍ଣ୍ଣନା କରିଅଛନ୍ତି–

 

‘‘ହଠାତ୍ ମୋ ମଟରର କାର୍ଯ୍ୟ ବନ୍ଦ ହୋଇଗଲା । ସମୁଦାୟ ପେଟ୍ରୋଲ ନିଃଶେଷ ହୋଇଥିବାରୁ ତାହା ପଥର ଖଣ୍ଡ ପରି ନିମ୍ନକୁ ଖସିବାକୁ ଲାଗିଲା । କ’ଣ କରିବି ?’’

 

କିଛିଦିନ ପରେ ଲଣ୍ଡନ-ମ୍ୟାନଚେଷ୍ଟର ମଧ୍ୟରେ ଉଡ଼ାଜାହାଜ ପ୍ରତିଯୋଗିତା ହେବାର ଶୁଣାଗଲା । ଏକ ସଂବାଦପତ୍ର ଘୋଷଣା କଲେ, ‘‘ଯେଉଁ ଉଡ଼ାଳୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ବିଘ୍ନରେ ଅବତରଣ କରି ପାରିବେ, ସେ ଦଶ ହଜାର ପାଉଣ୍ଡ ପୁରସ୍କାର ପାଇବେ ।’’ ତାହା ଶୁଣି ଅଧିକାଂଶ ଲୋକ ଅସମ୍ଭବ ମନେକଲେ । କେହି କେହି ପରିହାସ କରି କହିଲେ, ‘‘ଏହା ହୋଇପାରିବ ନାହିଁ ।’’ ଲୋଭ ଦେଖାଇବାର ଫିକର ଖାଲି ।’’ ମାତ୍ର ପ୍ୟୁଲ୍‌ହାନ କାହାରି ହାସ୍ୟରୋଳକୁ ଲକ୍ଷ୍ୟ ନ ରଖି ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିଲେ । ସେ ଲଣ୍ଡନଠାରୁ ୧୮୩ ମାଇଲ ପଥକୁ ଚାରିଘଣ୍ଟା ଦୁଇ ମିନିଟରେ ଯାତ୍ରା କରି ଇଂଲଣ୍ଡର ବିମାନ ବାହିନୀକୁ ଯେପରି ଚମତ୍କୃତ କରିଥିଲେ, ତାହାର ପଟାନ୍ତର ନାହିଁ ।

 

ଏହି ଘଟଣାର ଛଅମାସ ପରେ ୧୯୧୦ ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସରେ ଆହୁରି ଏକ ବିରାଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥର ଶତାଧିକ ମାଇଲ ବ୍ୟାପି ପ୍ରତିଦ୍ୱନ୍ଦିତା ଚାଲିଲା । ପୃଥିବୀର ବୃହତ୍‌ମହାସାଗର ଆଟଲାଣ୍ଟିକାକୁ ଅତିକ୍ରମ କରିବା ପାଇଁ ସ୍ଥିର ହେଲା । ଉଡ଼ାଳିମାନେ ପ୍ରଶଂସା ଓ ପୁରସ୍କାର ଲାଳସାରେ ଯେଭଳି ପ୍ରାଣପାତ ଉଦ୍ୟମ କରିଥିଲେ, ତାହା ଶୁଣିଲେ ମନ ଅସ୍ଥିର ହୋଇପଡ଼େ ।

 

ଓ୍ୟାଲ୍‌ଟର ଉଏଲ୍‌ମ୍ୟାନ୍‌ ନାମକ ଜୈନକ ଆମେରିକାବାସୀ ପ୍ରଥମେ ଆଟଲାଣ୍ଟିକ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ସ୍ୱ ଉଡ଼ାଜାହାଜଟିକୁ ପ୍ରସ୍ତୁତ କରିଥିଲେ । ତାହା ଆକାରରେ ଠିକ୍‌ ସିଗାରେଟ୍‌ ପରି । ତହିଁରେ ଛଅ ଟନ୍ ଓଜନର ଜିନିଷ ରହିଲେ ସୁଦ୍ଧା ତାହା ଦ୍ରୁତବେଗରେ ଉଡ଼ି ପାରୁଥିଲା । ବେତାରଯନ୍ତ୍ର ମଧ୍ୟ ତହିଁରେ ଖଞ୍ଜା ଯାଇଥିଲା । ଉଏଲମ୍ୟାନ୍‌ଙ୍କ ବ୍ୟତୀତ ଆହୁରି ଜଣେ କ୍ୟାପ୍‌ଟେନ୍‌ ଚାଳକ ଥିଲେ । ଜଣେ ବେତାର କାର୍ଯ୍ୟନିର୍ବାହକ, ଦୁଇଜଣ ମିସ୍ତ୍ରୀ ଓ ଜଣେ ଦକ୍ଷ ଇଞ୍ଜିନିୟର୍ ଥିଲେ । ଏତେ ଲୋକ ଥିବା ସତ୍ତ୍ୱେ ଉଡ଼ାଜାହାଜଟି ପ୍ରତିଯୋଗିତା କାଳରେ ବିଶେଷ କାର୍ଯ୍ୟକାରୀ ହୋଇ ନଥିଲା । ଯେଉଁ ଇଞ୍ଜିନିୟର ଏହାକୁ ନିର୍ମାଣ କରିଥିଲେ, ତାଙ୍କର ଧାରଣା ଥିଲା ଉଡ଼ାଜାହଜର କୌଣସି କ୍ଷତି ଘଟିବ ନାହିଁ । ମାତ୍ର ସେ ଏଥିରେ ବିଶେଷ ଦୁଃଖିତ ଓ ମର୍ମାହତ ହୋଇଥିଲେ । ପୁନର୍ବାର ଆହୁରି ଏକ ଉଡ଼ାଜାହାଜ ନିର୍ମିତ ହେଲା । ମାତ୍ର ତାହା ପରୀକ୍ଷିତ ହେଉଥିବା କାଳରେ ନିର୍ମାତାଙ୍କ ସମେତ ଚାରି ଜଣ କର୍ମଚାରୀ ଜୀବନ୍ତ ଅବସ୍ଥାରେ ଭସ୍ମୀଭୂତ ହୋଇଥିଲେ । ଏଣୁ ଆଟଲାଣ୍ଟିକ ପ୍ରତିଯୋଗିତା କିଛିଦିନ ପାଇଁ ସ୍ଥଗିତ ହୋଇଥିଲା ।

 

ଏହି ଘଟଣାର ଠିକ୍‌ ତିନି ବର୍ଷପରେ ପୁନର୍ବାର ଲଣ୍ଡନର ଏକ ସଂବାଦପତ୍ର ଦଶହଜାର ପାଉଣ୍ଡ ପୁରସ୍କାର ଘୋଷଣା କଲେ । ଏଥର ନିଉଫାଉଣ୍ଡଲାଣ୍ଡ ଓ ବିଟ୍ରିଶ୍ ଦ୍ୱୀପପୁଞ୍ଜ ବାଟେ ଆଟଲାଣ୍ଟିକ ମହାସାଗରକୁ ଅତିକ୍ରମ କରିବାକୁ ସ୍ଥିର କରାଗଲା । ମାତ୍ର ଠିକ୍ ଏହି ସମୟରେ ହଠାତ୍ ପ୍ରଥମ ମହାସାଗର ଉପସ୍ଥିତ ହେବାରୁ, ତାହା ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରହିଲା ।

 

ପ୍ରଥମ ବିଶ୍ୱଯୁଦ୍ଧବେଳକୁ ଇଂଲଣ୍ଡର ବିମାନ ପୋତ ଜର୍ମାନୀ ଓ ଫ୍ରାନ୍ସ ଦେଶ ତୁଳନାରେ ଯଥେଷ୍ଟ ଊଣା ଥିଲା । ଯୁଦ୍ଧ ପରେ ପ୍ରତ୍ୟେକ ରାଷ୍ଟ୍ର ସ୍ୱଦେଶର ପୋତସଂଖ୍ୟା ବୃଦ୍ଧି କରିବାକୁ ସୁଯୋଗ ପାଇଥିଲେ । ଆମେରିକା ମଧ୍ୟ ପ୍ରଭୂତ ଉନ୍ନତି କରିଥିଲା ।

 

ଆମେରିକା-ଯୁକ୍ତରାଷ୍ଟ୍ରର ନୌକର୍ତ୍ତାମାନେ ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ପୃଥିବୀରେ ବିପୁଳ ଖ୍ୟାତି ଅର୍ଜନ କରିବାକୁ ଉଦ୍ୟମ ଚଳାଇ ଥିଲେ । ସେମାନେ NC1, NC3, NC4 ନାମକ ତିନୋଟି ଉଡ଼ାଜାହାଜ ନିର୍ମାଣ କରିଥିଲେ ସତ କିନ୍ତୁ ଶେଷାକ୍ତ ଉଡ଼ାଜାହାଜ ପରି ଅନ୍ୟ କେହି ଦୃଢ଼ ନ ଥିଲେ । ଆକାଶ ପଥରେ ପ୍ରତିଯୋଗିତା ଚାଲିଥିବାବେଳେ, ସେମାନଙ୍କୁ ବିପଦରୁ ରକ୍ଷା କରିବାପାଇଁ ଷାଠିଏ ମାଇଲ ଅନ୍ତରରେ ପଯ୍ୟବେକ୍ଷୀ ଜାହାଜ ଗୁଡ଼ିକ ଜଗି ରହିଥିଲେ ।

 

ଇଂଲଣ୍ଡର ଦୁଇଜଣ ବେମାନିକ ହାରି ଓ କିନ୍ଏଥ୍ ଆାକାଶ ପଥରେ ଉଡ଼ି କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । ସେମାନଙ୍କ ସମ୍ୱନ୍ଧରେ କୌଣସି ଖବର ଅନ୍ତର ମିଳିଲା ନାହିଁ; କିନ୍ତୁ ସେହି ବର୍ଷ ମେ ମାସ ୨୬ ତାରିଖ ଦିନ ଘୋଷିତ ହେଲା ଯେ, ନିଉଫାଉଣ୍ଡଲାଣ୍ଡର ପୂର୍ବକୁ ପ୍ରାୟ ଏକ ହଜାର ମାଇଲ ଦୂରରେ ସେହି ବିମାନ ଚାଳକମାନଙ୍କୁ ଉଦ୍ଧାର କରାଯାଇଛି । ବଡ଼ ଆନନ୍ଦର କଥା, ଏତେ ଉଚ୍ଚରୁ ତଳକୁ ପଡ଼ି ସୁଦ୍ଧା ସେମାନଙ୍କ ପ୍ରାଣ ହାନି ହୋଇ ନ ଥିଲା । ଏହି ଘଟଣା ଇଂରେଜମାନଙ୍କର ପ୍ରାଣରେ ଅପାର ଆନନ୍ଦ ଦେଇଥିଲା । ଇଂଲଣ୍ଡର ରାଜା ସେମାନଙ୍କର ଦୁଃସାହସିକ କାର୍ଯ୍ୟକୁ ଧନ୍ୟ ଧନ୍ୟ କହି ରାଜକୀୟ ଉପାଧି ସହ ହଜାର ପାଉଣ୍ଡ ପୁରସ୍କାର ପ୍ରଦାନ କରିଥିଲେ ।

 

ଏତିକିରେ ପ୍ରତିଯୋଗିତାର ଇତିହାସ ସମାପ୍ତ ହୋଇ ନଥିଲା । ଆଲକକ୍ ଓ ବ୍ରାଉନ୍‍ ଦୁହେଁ ପୂର୍ବତନ ଦୂରତ୍ଵ–ରେକର୍ଡ଼କୁ ଲଙ୍ଘି ଯାଇଥିବାରୁ, ସେମାନଙ୍କୁ ‘ନାଇଟ୍’ ଉପାଧି ଅର୍ପଣ କରାଯାଇଥିଲା । ସେମାନଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ଉଡ଼ାଜାହାଜଟିକୁ ଅବଧି ଏକ ସଂଗ୍ରହଶାଳା ( museum) ରେ ରଖାଯାଇଛି ।

 

ପୂର୍ବୋକ୍ତ ସମସ୍ତ ପ୍ରତିଯୋଗିତା ମଧ୍ୟରୁ ୧୯୨୭ ମସିହା ମେ ମାସ ୨୦ ତାରିଖର ପ୍ରତିଯୋଗିତାଟି ସର୍ବୋତ୍କୃଷ୍ଟ । ଉକ୍ତ ପ୍ରତିଯୋଗିତାରେ ଯେଉଁ ବ୍ୟକ୍ତି କୃତିତ୍ୱ ଲାଭ କରିଥିଲେ ସେ ଆଉ କେହି ନୁହନ୍ତି—ଚାର୍ଲସ୍ ଅଗଷ୍ଟସ୍ ଲିଣ୍ଡବର୍ଗ । ତାଙ୍କର ଅଦ୍ଭୁତ ବୀରତ୍ୱ ଓ ଦୁଃସାହସିକ କର୍ମକୁ ଏବେ ସୁଦ୍ଧା ଦକ୍ଷ ବିମାନଚାଳକମାନେ ଭୁରି ଭୁରି ପ୍ରଶଂସା କରନ୍ତି । ତାଙ୍କୁ ‘ଆଟଲାଣ୍ଟିକର ଆଲୋକ’ କହିଲେ ବୋଧହୁଏ ଅସମୀଚୀନ ହେବ ନାହିଁ ।

 

ଲିଣ୍ଡବର୍ଗଙ୍କୁ ଲୋକେ ‘ନିର୍ବୋଧ ବ୍ୟୋମବିହାରୀ’ କହିବାର କେତୋଟି କାରଣ ରହିଛି । ସେମାନେ ତାଙ୍କୁ ଜଣେ ନିହାତି ବେପରବାୟ ବ୍ୟୋମଚାଳକ ବୋଲି ଭାବନ୍ତି । ଜୀବନ ପ୍ରତି ତାଙ୍କର କୌଣସି ମମତା ନଥାଏ । ସେ ଉଡ଼ାଜାହାଜକୁ ଯେପରି ଚଳାନ୍ତି, ତାହା ଦେଖିଲେ ଆଖି ବୁଝି ହୋଇଯାଏ । ପୁନଶ୍ଚ ତାଙ୍କ ବିମାନ ‘ସ୍ପିରିଟ୍ ଅଫ ସେଣ୍ଟ ଲୁଇସ୍’ ଅନ୍ୟାନ୍ୟ ବିମାନ ତୁଳନାରେ ସୁନ୍ଦର ନୁହେଁ, କି ଉପଯୁକ୍ତ ନୁହେଁ । ସେଥିରେ କୌଣସି ଦିଗନିଣ୍ଣୟ ଯନ୍ତ୍ର କିମ୍ବା ବେତାର ଯନ୍ତ୍ର ନ ଥାଏ । ତାହା ଅନ୍ୟ ଯନ୍ତ୍ରପାତି ଛଡ଼ା ପାଞ୍ଚ ହଜାର ଏକ ଶହ ପଞ୍ଚସ୍ତରି ପାଉଣ୍ଡ ଓଜନର ଜିନିଷ ବହନ କରେ । ବାଃ, ପଚିଶ ବର୍ଷ ବୟସ୍କ ଯୁବକର କି ଅଦ୍ଭୁତ ସାହସ ! ତାଙ୍କ ପ୍ରତିଯୋଗିତା କୁ ଦେଖି ଲୋକେ କହିଲେ, ‘‘ନିର୍ବୋଧଟା ଏଥର ନିଶ୍ଚୟ ରହିଯିବ ।’’ ଧୌର୍ଯ୍ୟବାନ୍‌ଳ ଯୁବକ ଲିଣ୍ଡବର୍ଗ ତିଳେ ମାତ୍ର ବିଚଳିତ ନହୋଇ ହସି ଉଠିଲେ ।

 

ମେ ମାସ ୨୦ ତାରିଖ ସକାଳ ଠିକ୍ ଘ ୭-୫୨ ମିନିଟ୍ ବେଳେ ଆମେରିକାର ରୁଜ୍‌ଭେଲ୍‌ଟ ପଡ଼ିଆରୁ ଲିଣ୍ଡବର୍ଗଙ୍କର ‘Spirit of St. Louis’ ଧୀରେ ଧୀରେ ଆକାଶକୁ ଉଠିବାକୁ ଲାଗିଲା । ଦର୍ଶକମଣ୍ଡଳୀ ଚିତ୍ରାର୍ପିତ ପ୍ରାୟ ଆକାଶକୁ ଅନାଇ ଭାବୁଥିଲେ, ଏଥର ବିଚରାଟି ଉଡ଼ାଜାହାଜ ସହ ନିଶ୍ଚୟ ଧ୍ୱଂସ ପାଇଯିବ । ଏକ ଇଞ୍ଜିନ ବିଶିଷ୍ଟ ଉଡ଼ାଜାହାଜ କ’ଣ କେବେହେଲେ ଏତେ ଦୂରପଥ ଭୀଷଣ ଝଡ଼ ବତାସ ମଧ୍ୟରେ ଯାତ୍ରା କରି ପାରିବ ?

 

ଉଡ଼ାଜାହାଜଟି ପ୍ରତିକୂଳ କୁହୁଡ଼ି ଓ ବର୍ଷା ମଧ୍ୟରେ ଗତି କରିବାକୁ ଲାଗିଲା । ନିମିଷକ ମଧ୍ୟରେ ତାହା ପ୍ରାୟ ଆଠ ହଜାର ଫୁଟ ଉର୍ଦ୍ଧ୍ୱକୁ ଉଠିବାରୁ ବରଫ ଖଣ୍ଡ ଉଡ଼ାଜାହାଜର ଡ଼େଣାରେ ଆସି ଧକ୍କା ଦେଉଥାଏ । ତାହା ଦେଖି ଲିଣ୍ଡବର୍ଗ ଆଦୌ ବିଚଳିତ ହେଲେ ନାହିଁ । ବରଂ ‘ମନ୍ତ୍ରର ସାଧନ ଶରୀର ପାତନ ବେନିରୁ ଏକ’—ନୀତିରେ ଉଡ଼ାଜାହାଜକୁ ଚଳାଉଥାନ୍ତି । ସେ ଦଶ ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାର ମାଇଲ ଅତିକ୍ରମ କରିଥିଲେ । ନିଉଫାଉଣ୍ଡଲାଣ୍ଡ ଦ୍ୱୀପରେ ପହଞ୍ଚିବାକୁ ଆହୁରି ପାଞ୍ଚଶହ ମାଇଲ ବାକି ଥିବାବେଳେ ବେତାର ଦ୍ୱାରା ତାଙ୍କର ଆଗମନବାର୍ତ୍ତା ଜନ ସାଧାରଣଙ୍କୁ ଜଣାଇ ଦିଆଗଲା ।

 

ଯାହାହେଉ, ଲିଣ୍ଡବର୍ଗ ସ୍ୱବୀରତ୍ୱ ବଳରେ ହିଁ ଇଂଲଣ୍ଡବାସୀଙ୍କଠାରୁ ଆଶାତୀତ ସମ୍ମାନ ଲାଭ କଲେ । ଫ୍ରାନସ୍ ଦେଶର ସରକାରଙ୍କ ଦ୍ୱାରା ସେ ଏକ ଉପାଧିରେ ମଣ୍ଡିତ ହୋଇଥିଲେ । ଇଂଲଣ୍ଡର ରାଜା ପଞ୍ଚମଜର୍ଜ ତାଙ୍କୁ ‘Air Force Cross’ ପଦକ ପ୍ରଦାନ କରିଥିଲେ । ବେଲଜିଅମ୍‌ର ରାଜା ତାଙ୍କୁ ମଧ୍ୟ ଯଥୋଚିତ ସମ୍ମାନ ଦେଖାଇ ଏକ ଉପହାର ଅର୍ପଣ କରିଥିଲେ । ସେ ପାଞ୍ଚହଜାର ପାଉଣ୍ଡ ଉଡ଼୍ର ଉଇଲସନ୍‌ଙ୍କ ଶାନ୍ତି ପାଣ୍ଠିରୁ ପୁରସ୍କୃତ ହୋଇଥିଲେ ଏବଂ ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେ ।

 

୧୯୨୭ ଖ୍ରୀଷ୍ଟାବ୍ଦ ମେ ମାସ ୨୦ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ଚାର୍ଲସ୍ ଲିଣ୍ଡବର୍ଗ ୨୨୦ ଅଶ୍ୱଶକ୍ତି ବିଶିଷ୍ଟ ଉଡ଼ାଜାହାଜକୁ ଧରି ନିଉୟର୍କର ରୁଜଭେଲ୍‌ଟ ପଡ଼ିଆରୁ ଯାତ୍ରାରମ୍ଭ କରିଥିଲେ । ସେ ଦୀର୍ଘ ୩୩ଘଣ୍ଟା କାଳ ଆକାଶର ଘନ କୁହେଳିକା ଓ ଝଡ଼ ମଧ୍ୟରେ ଗତି କରି ଛତିଶ ଶହ ମାଇଲ ପଥ ଅତିକ୍ରମ କରିଥିଲେ । ଧନ୍ୟ ଲିଣ୍ଡବର୍ଗ ! ଧନ୍ୟ ତୁମର ଦୁଃସାହସିକ କର୍ମ-! ତୁମ ଭଳି ବୀର ପୁରୁଷକୁ ଜଗତ କଦାପି ଭୁଲିପାରିବ ନାହିଁ ।

 

ତତ୍‌ପରେ ଉତ୍ତରମେରୁ ବିଜୟୀ ବାୟାର୍ଡ଼ ଅଣ୍ଟା ଭିଡ଼ି ପ୍ରତିଦ୍ୱନ୍ଦିତା କରିବାକୁ ପ୍ରୟାସୀ ହୋଇଥିଲେ; ମାତ୍ର ଦୁର୍ଭାଗ୍ୟକୁ ତାଙ୍କ ଉଡ଼ାଜାହାଜଟି ସମୂଳେ ବିନଷ୍ଟ ହୋଇଥିଲା । ଅନ୍ୟ ଯେଉଁମାନେ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ, କେହି ଜଣେ ସୁଦ୍ଧା ଲିଣ୍ଡବର୍ଗଙ୍କ ପରି ବିଜୟ-କେତନ ଉଡ଼ାଇ ପାରି ନଥିଲେ ।

 

ଯାହା ଏତେ ଦିନ ପର୍ଯ୍ୟନ୍ତ ଅସମ୍ଭବ ଥିଲା, ସ୍ୱପ୍ନ ପ୍ରତିଭାତ ହେଉଥିଲା, ତାହା ଆଜି କଠୋର ବାସ୍ତବତାରେ ପରିଣତ ହୋଇଛି । ସାଧନାରେ ସିଦ୍ଧି ଅଛି, ଏହା ଲିଣ୍ଡବର୍ଗଙ୍କର କାର୍ଯ୍ୟରୁ ପ୍ରମାଣିତ ହୋଇଛି । ତାଙ୍କର ସାହସ, ସଦିଚ୍ଛା ଓ ସତ୍‌ଚେଷ୍ଟା ତାଙ୍କୁ ବିଜୟୀ ନ କରିବ କିପରି ?

 

ଲିଣ୍ଡବର୍ଗଙ୍କ ବୀରତ୍ୱରେ ଅନୁପ୍ରାଣିତ ହୋଇ ବିମାନଚାଳକମାନେ ଉତ୍ତର ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, କାଲିଫର୍ଣ୍ଣିଆ–ହାଉଆଇ ପ୍ରତିଯୋଗିତାରେ ଯୋଗ ଦେଇଥିଲେ । ପୁନଶ୍ଚ ଆମେରିକା-ଅଷ୍ଟ୍ରେଲିଆ, ଇଂଲଣ୍ଡ-ଅଷ୍ଟ୍ରେଲିଆ ଓ ସମଗ୍ର ପୃଥିବୀକୁ ଉଡ଼ାଜାହାଜରେ ପ୍ରଦକ୍ଷିଣ କରି ଆସିବା ପାଇଁ ଯେଉଁ ପ୍ରତିଯୋଗିତା ଅନୁଷ୍ଠିତ ହେଲା, ସେଥିରେ ବୀର ଚାଳକମାନେ ଅଧିକ ସଂଖ୍ୟାରେ ସହଯୋଗ କରି କୃତିତ୍ୱ ଲାଭ କରିଥିଲେ । ଏବେ ଇଂଲଣ୍ଡର ଜନ୍ ଉଇଲିୟମ୍ ଲଣ୍ଡନଠାରୁ ନିଉୟର୍କ ପର୍ଯ୍ୟନ୍ତ ୬୯୨୦ ମାଇଲ ପଥକୁ ମୋଟେ ଏକ ଦିନରେ ଯାଇ ଫେରି ଆସିଅଛନ୍ତି । ଚଉଦ ଘଣ୍ଟା, ଏକୋଇଶ ମିନିଟ୍ ମଧ୍ୟରେ ଏତେ ବାଟ ଯିବା ବଡ଼ ବିଚିତ୍ର କଥା ନୁହେଁ କି ?

 

ଦୂର ଓ ନିକଟ ମଧ୍ୟରେ ଯେଉଁ ପାର୍ଥକ୍ୟ ବହୁଦିନରୁ ଅନୁଭୂତ ହେଉଥିଲା, ତାହା ବୀର ପୁରୁଷମାନଙ୍କର ମହନୀୟ ତ୍ୟାଗ ଓ ସାଧନା ବଳରେ ଦୂରୀଭୂତ ହୋଇଛି ।

Image

 

ହୀରକରାଜ କୁଲିନନ୍ ଓ କୋହିନୂର

 

କବିଙ୍କର ଭାଷାରେ କହିଲେ

 

‘‘ମୋତି ମୂଲ୍ୟ କାହୁଁ ଜାଣିବ ଶବର ?

 

ମୋତି ଫିଙ୍ଗି କରେ ଗୁଞ୍ଜାରେ ଆଦର ।’’

 

—ଏ କଥାଟି ସତ । ସେଦିନ ଆଫ୍ରିକା ଦେଶର ‘ବୁଅର’ ପିଲାଟି ଯେତେବେଳେ ନଦୀକୂଳରେ ବୁଲୁଥିଲା, ସେ ହଠାତ୍ ଦେଖିଲା ଖଣ୍ଡିଏ ପଥର । ଛୋଟ ପିଲା ତ ! ପଥରର ମୂଲ୍ୟ ବୁଝିବ ଅବା କ’ଣ ? ସେହି ଚକ୍ ଚକ୍ ପଥର ଖଣ୍ଡି ଧରି ସେ ଆନନ୍ଦରେ ଖେଳୁଥାଏ । ଉପରକୁ ଫିଙ୍ଗି ପୁଣି ଧରୁଥାଏ । ହଜିଗଲେ ବି ତାର ଟିକିଏ ଶୋଚନା ନାହିଁ । ପୁଣି ଧାଇଁ ଯାଇ ଆହୁରି ଖଣ୍ଡିଏ ଘେନି ଆସିବ । ପଥର କ’ଣ ଅଭାବ ଅଛି, ଏତେ ଚିନ୍ତା !

 

ଠିକ୍ ଏତିକିବେଳେ ବୁଢୀ ନଇଁ ନଇଁ ଆସି ପୁଅ ପାଖରେ ପହଞ୍ଚିଲା । ସେ କଅଁଳେଇ ସଅଁଳେଇ କହିଲା, ‘‘ବାପ ଡାନିଏଲ ! ତୋ ହାତରେ ସେଇଟା କଣ ? କେଡ଼େ ସୁନ୍ଦର ଦିଶୁଛି ତ ! ଦେଖି—ଦେଖି ।’’ ବୁଢ଼ୀ ଖୁବ୍ କୌଶଳରେ ପୁଅ ହାତରୁ ପଥର ଖଣ୍ଡିକ ଘେନିଗଲା । ପଡ଼ିଶା ଘରେ ପହଞ୍ଚି କହିଲା,‘‘ଭାନ୍, ଦେଖିଲୁ ପୁଅ, ଏ ଜିନିଷଟା କଣ ? କେଡ଼େ ସୁନ୍ଦର ଦିଶୁଛି ତ ?’’ ଭାନ୍ ସେହି ପଥର ଖଣ୍ଡି ଏପଟ ସେପଟ କରି ବହୁବାର ଦେଖିବା ପରେ କହିଲା, ‘‘ମାଉସୀ, ଏଇଟା ବୋଧ ହୁଏ ଖଣ୍ଡେ ପଥର । ନେ, ଆଉ କାହାକୁ ଦେଖାଇବୁ ।’’ ବୁଢ଼ୀ ସାମାନ୍ୟ ପଥର ଖଣ୍ଡେ ଧରି ବାରଦୁଆର ବୁଲିବାକୁ ଆଗ୍ରହ କଲା ନାହିଁ । ସେ ଭାନ୍‌କୁ କହିଲା, ‘‘ନେ ପୁଅ, ଏ ପଥର ଖଣ୍ଡକ ରଖ । ତୋତେ ଆଉ ପଥରଟାଏ ବିକିବି କଣ ?’

 

ଭାନ୍ ମହାଆନନ୍ଦରେ ପଥର ଖଣ୍ଡି ନେଇ ଜନ୍ ନାମକ ଜନୈକ ବେପାରୀଙ୍କୁ ଦେଖାଇଲା । କଥାରେ କହନ୍ତି—‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ।’ ଜନ୍ ପଥରର ମୂଲ୍ୟ ଠଉରାଇ ଭାନ୍‍କୁ କିଛି ମୂଲ୍ୟ ଦେଇ ଘେନିଗଲେ । ତାହା ପରେ ସେ ତାକୁ ନେଇ ସହରର ବିଭିନ୍ନ ଲୋକଙ୍କୁ ଦେଖାଇଲେ । ମାତ୍ର କେହି ତାହା କିଣିବାକୁ ପସନ୍ଦ କଲେ ନାହିଁ । ଏଥର ଜନ୍‍ଙ୍କର ଭାଳେଣି ପଡ଼ିଲା । ସେ ଲାଭ ଆଉ କରିବେ କଣ, ମୂଳେ ମୂଳେ ଜିନିଷଟାକୁ ବିକି ଦେବାକୁ ଗ୍ରାହକ ଖୋଜିଲେ । ଦୁର୍ଯୋଗକୁ କେହି ହେଲେ ଗ୍ରାହକ ହଠାତ୍ ମିଳିଲେ ନାହିଁ ।

 

ଦିନେ ଜନ୍‌ ସେହି ପଥର ଖଣ୍ଡି କାଚରେ ଘଷୁ ଘଷୁ କାଚ କାଟି ହୋଇଗଲା । ଏ କଥା ଜନ୍‌ଙ୍କୁ କୁହୁକ ପରି ବୋଧ ହେଲା । ସେ ତାଙ୍କ ଝରକାର ବିଭିନ୍ନ ସ୍ଥାନରେ ନିଜର ନାମ ଲେଖିଲେ-। ଲୋକେ ଏଥିରେ ଅବାକ୍ ହୋଇ ତାହା ମୂଲ୍ୟବାନ୍ ଜିନିଷ ବୋଲି ବିଚାରିଲେ । ଜଣେ ଇଂରେଜ କର୍ମଚାରୀ ଜନ୍‌ଙ୍କଠାରୁ ତାହା କିଣିବେ ବୋଲି ଚୁକ୍ତି କଲେ; ମାତ୍ର ତାଙ୍କର ଟିକିଏ ସନ୍ଦେହ ହେଲା-। ସେ ଭାବିଲେ କାଳେ ଏହା ମୂଲ୍ୟବାନ ନ ହୋଇଥିବ । ସେଥିପାଇଁ ଜଣେ ଧାତବବିଜ୍ଞାନ-ବେତ୍ତା ତାହା ପରୀକ୍ଷା କରିବା ପାଇଁ ନିଯୁକ୍ତ ହେଲେ । ପରୀକ୍ଷା ପରେ ସେ ରିପୋର୍ଟ ଦେଲେ ଯେ ତାହା ସାଧାରଣ ପଥର ନୁହେଁ—ହୀରା ।

 

‘ତୁଣ୍ଡ ବାଇଦ ସହସ୍ର କୋଶ’ ଭଳି ଏ କଥାଟା ଚାରିଆଡ଼େ ଖେଳିଗଲା । ଇଂରେଜ ସରକାର ତାହା ୨୫ ଶହ ଡଲାର ଦେଇ ସେ ମୂଲ୍ୟବାନ୍ ହୀରକ ଖଣ୍ଡିକ ଘେନିଗଲେ ଏବଂ ସେହି ବର୍ଷ ପ୍ୟାରିସ୍ ସହରରେ ଅନୁଷ୍ଠିତ ହେଉଥିବା ବିରାଟ ପ୍ରଦର୍ଶନୀରେ ହୀରା ଖଣ୍ଡି ବିଶେଷ ଆଦୃତ ହୋଇଥିଲା ।

 

ଭାନ୍‌ଙ୍କୁ ଏଣିକି ବ୍ୟବସାୟ ଫିକର ବେଶ୍ ଜୁଟିଗଲା । ସେ ପୁଣି ଥରେ ଖବର ନେଇ ବୁଝିଲେ ଯେ, ଡାନିଏଲ ଆହୁରି ଖଣ୍ଡେ ବଡ଼ ହୀରା ପଥର ପାଇଛି । ଏଥର ଭାନ୍‌ଙ୍କର ହୃଦୟ ଆନନ୍ଦରେ ଉଦବେଳିତ ହେବାକୁ ଲାଗିଲା । ସେ କାଳ ବିଳମ୍ବ ନ କରି ସେହି ମେଷ ପାଳକ ପିଲାଟିକୁ ପାଞ୍ଚଶହ ମେଣ୍ଢା, ଦଶଟା ବଳଦ ଓ ଗୋଟିଏ ଘୋଡ଼ା ଦେଇ ହୀରକ ଖଣ୍ଡି ହସ୍ତଗତ କଲେ । ମୋତି ମୂଲ୍ୟ ଡାନିଏଲ ବା ଜାଣିବ କାହୁଁ ? ସେ ଏକକାଳୀନ ଏତେଗୁଡ଼ିଏ ଜୀବଜନ୍ତୁ ପାଇ ପଥର କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲା ।

 

ଶହେ କ୍ୟାରଟ୍ ଓଜନର ହୀରା ପୃଥିବୀରେ କେତେ ଖଣ୍ଡ କେଉଁ କେଉଁ ସ୍ଥାନରେ ଅଛି, ତାହାର ଇତିହାସ ଅଦ୍ୟାପି ମିଳିନାହିଁ । ରୁଷିଆ ସମ୍ରାଟଙ୍କ ରାଜଦଣ୍ଡରେ ଯେଉଁ ହୀରକ ଖଣ୍ଡି ରହିଛି ତାହା ଆମ ଭାରତରୁ ଅପହୃତ ହୋଇଥିଲା । ଭାରତର କୌଣସି ଏକ ମନ୍ଦିରରେ ବ୍ରହ୍ମାଙ୍କର ବିଶାଳ ବିଗ୍ରହ ପ୍ରତିଷ୍ଠିତ ଥିଲା । ସେହି ବିଗ୍ରହର ଏକ ଚକ୍ଷୁ ସ୍ୱରୂପ ଉକ୍ତ ହୀରକ ଖଣ୍ଡି ଖଚିତ ହୋଇଥିଲା । ମାତ୍ର ଫ୍ରାନ୍‌ସ ଦେଶର ଜନୈକ ସୈନିକ ଉକ୍ତ ହୀରକ ପ୍ରତି ଲୋଭାବିଷ୍ଟ ହୋଇ ତାହାକୁ ଅପହରଣ କରିଥିଲେ । ତତ୍ପରେ ସେ ଇଂଲଣ୍ଡରେ କୌଣସି ଏକ ପୋତାଧ୍ୟକ୍ଷଙ୍କୁ ତାହା ଦଶ ହଜାର ଡଲାରରେ ବିକ୍ରୟ କରି ବିଶେଷ ଲାଭବାନ୍ ହୋଇଥିଲେ । ପାରସ୍ୟର ଜନୈକ ବଣିକ ତାହାକୁ ନେଇ ରୁଷିଆର ରାଜପୁତ୍ର ଓରଲ୍‍ଫଙ୍କୁ ବିକ୍ରୟ କଲେ ଏବଂ ଯେଉଁ ବିପୁଳ ଧନ ଲାଭ କଲେ, ତାହାର ମୂଲ୍ୟ—ଚାରି ଶହ ପଚାଶ ହଜାର ଡଲାର । ରାଜପୁତ୍ର ତାହାକୁ ଦ୍ୱିତୀୟ କାଥେରାଇନ୍‌ଙ୍କୁ ଉପହାର ସ୍ୱରୂପ ଦେଇ ସ୍ୱ-ଅଭୀଷ୍ଟ ସାଧନ କରିଥିଲେ ।

 

୧୯୦୫ ଖ୍ରୀଷ୍ଟାବ୍ଦରେ ପୃଥିବୀର ବୃହତ୍ତମ ହୀରକ କୁଲିନନ୍‌ ଦକ୍ଷିଣଆଫ୍ରିକାରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ତାହା ଏତେ ତେଜିୟାନ୍‌ ଯେ, ଅନ୍ଧକାର ଗୃହ ଅକ୍ଳେଶରେ ଆଲୋକିତ ହୋଇଯିବ । ତେଣୁ ତାହାର ଅନ୍ୟ ନାମ—ଆଫ୍ରିକାର ଜ୍ୟୋତି । ’ ଉକ୍ତ ହୀରକରାଜର ଓଜନ ତିନିହଜାର କ୍ୟାରଟ୍‌ଠାରୁ କିଞ୍ଚିତ୍ ଅଧିକ । ପ୍ରଥମେ ଟ୍ରାନ୍‌ସଭାଲ ସରକାର ତାହାକୁ ସାତଶହ ପଚାଶ ହଜାର ଡଲାରରେ କ୍ରୟ କରି ଇଂଲଣ୍ଡର ତଦାନୀନ୍ତନ ରାଜା ସପ୍ତମ ଏଡ଼୍ଓ୍ୟାଡ଼୍‌ଙ୍କୁ ତାଙ୍କ ଜନ୍ମୋତ୍ସବ ଦିବସରେ ଉପଢୌକନ ଦେଇଥିଲେ । ମାତ୍ର ତାହାର ପ୍ରକୃତ ଆକାର ଏବେ ଆଉ ନାହିଁ-

 

ମୂଲ୍ୟବାନ୍ ମଣିର ଆଦର ସବୁ ଯୁଗରେ ରହିଛି । ତାହାକୁ ଯେ ଲାଭ କରେ, ସେ ଭାଗ୍ୟଲକ୍ଷ୍ମୀଙ୍କର ସୁପୁତ୍ର ହୁଏ; ଲକ୍ଷ୍ମୀ ତାହା ପ୍ରତି ବରଦାୟିନୀ ହୁଅନ୍ତି—ଏ ଦୃଢ଼ ବିଶ୍ୱାସ ଲୋକଙ୍କର ବହୁ କାଳରୁ ରହି ଆସିଛ ।

 

ପ୍ରାଚ୍ୟ ଦେଶର ନରପତିଗଣ ମଣିକୁ ଜୀବନଠାରୁ କିପରି ଅଧିକ ଆଦର କରୁଥିଲେ, ତାହାର ଦୃଷ୍ଟାନ୍ତ କାବ୍ୟ, କବିତା ଓ ଇତିହାସରୁ ମିଳେ ।

Image

 

Unknown

ହୀରକରାଜ କୋହିନୂର

 

ବହୁ ଅତୀତରେ ଏହି ସୁଜଳା ସୁଫଳା ଭାରତବର୍ଷ ‘ସ୍ୱର୍ଣ୍ଣପ୍ରସୂ’ ବୋଲି ପ୍ରସିନ୍ଧି ଲାଭ କରିଥିଲା । ସେ ଦିନ ଚାଲି ଯାଇଛି । ଭାରତର ପୂର୍ବ ବିଭବ ଲୁଣ୍ଠିତ ହୋଇଛି । କେବଳ ମାଟି, ଗୋଡ଼ିର ଭୂମି ପଡ଼ିରହିଛି । ଦିନେ ଉତ୍କଳର ହୀରାକୁଦରୁ ହୀରା ସଂଗ୍ରହୀତ ହେଇଥିଲା । କିନ୍ତୁ ଆଜି କାହିଁ ? କର୍ପୂର ଉଡ଼ିଯାଇ ପଡ଼ି ରହିଛି କେବଳ କନା ।

 

ହୀରକରାଜ କୋହିନୂରର ଇତିବୃତ୍ତ ବଡ଼ ବିଚିତ୍ର । ତାହା କେବେ ଜନ୍ମଲାଭ କଲା, ତହିଁର ସଠିକ ପ୍ରମାଣ ମିଳେ ନାହିଁ । ତଥାପି ଜନଶ୍ରୁତିରୁ ଜଣାଯାଏ ଯେ, ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ ସ୍ୱଅଙ୍ଗ ଆଭରଣ ନିମିତ୍ତ ଯେଉଁ ସ୍ୟମନ୍ତକ ମଣି ଧାରଣ କରୁଥିଲେ, ତାହା ଆଉ କିଛି ନୁହେଁ, ହୀରକରାଜ କୋହିନୂର । ଯଦୁପତି ଶ୍ରୀକୃଷ୍ଣଙ୍କର ଦେହାନ୍ତର ପରେ ସେହି ମଣିଟିକୁ କିଏ କେଉଁଠାରେ ରଖିଥିଲା, ତାହାର ଐତିହାସିକ ପ୍ରମାଣ ଅଭାବ ଥିଲେ ସୁଦ୍ଧା, ଏ କଥା ସମ୍ଫୂର୍ଣ୍ଣ ସତ୍ୟ ଯେ ଉକ୍ତ ମଣିର ଏକ ପାରମ୍ପରିକ ଐତିହ୍ୟ ରହିଛି । ଏହା ଭାରତର ଏକ ଅମୂଲ୍ୟ ସଂପଦ ।

 

ବହୁକାଳ ଅତୀତ ହେବାପରେ ୧୩୦୪ ଖ୍ରୀଷ୍ଟାବ୍ଦରେ ହୀରକ–ରାଜର ନାମ ଲୋକେ ଶୁଣିବାକୁ ପାଇଥିଲେ । ସେହି ସମୟକୁ ମୁସଲମାନମାନେ ଭାରତରେ ରାଜପଣ କରୁଥାନ୍ତି । ନିଜକୁ ‘ଦ୍ୱିତୀୟ ଆଲେକ୍‌ଜାଣ୍ଡର’ ବୋଲି ପରିଚିତ କରାଉଥିବା ଖିଲିଜୀ ବଂଶର ଅପରିଣାମଦର୍ଶୀ ଆଲାଉଦ୍ଦୀନ ଖିଲିଜୀ ମାଳବାର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କ ଗନ୍ତାଘରକୁ ଅଧିକାର କରିବା ପରେ ଆକସ୍ମିକ ଭାବେ କୋହିନୂରକୁ ଦେଖିଥିଲେ । ତାହାକୁ ସେ ସ୍ୱରାଜଧାନୀକୁ ଘେନି ଆସି ପରମ ଗୌରବ ଅନୁଭବ କରିଥିଲେ । ୧୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତାହା ବିଭିନ୍ନ ସୁଲତାନମାନଙ୍କର ଗନ୍ତାଘରକୁ ଶୋଭାବନ୍ତ କରିଥିଲା । ମାତ୍ର ଲୋଦୀବଂଶର ତୃତୀୟ ଓ ଶେଷ ସମ୍ରାଟ ଇବ୍ରାହିମ ଲୋଦୀ ବାବରଙ୍କର ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ନିମନ୍ତେ ଗୋଆଲିଅର୍‍ର ତତ୍କାଳୀନ ନରପତି ବିକ୍ରମଜିତ୍‌ଙ୍କୁ କୋହିନୂର ପ୍ରଦାନ କରି ତାଙ୍କଠାରୁ ସାହାଯ୍ୟ ଭିକ୍ଷା କରିଥିଲେ । ବୀର ବିକ୍ରମଜିତ୍ ଆନନ୍ଦରେ ରଣପ୍ରାଙ୍ଗଣରେ ଅବତୀର୍ଣ୍ଣ ହୋଇ ଇବ୍ରାହିମଙ୍କୁ ସାହାଯ୍ୟ କରିଥିଲେ । ମାତ୍ର ପରିତାପର ବିଷୟ ଏହି କି, ଇବ୍ରାହିମ ଓ ବିକ୍ରମଜିତ୍ ଉଭୟଙ୍କର ମୃତ୍ୟୁ ଘଟିବାରୁ ରାଜପରିବାର ହୁମାୟୁନଙ୍କଦ୍ୱାରା ଆଗ୍ରାଠାରେ ବନ୍ଦୀ ହୋଇ ରହିଲେ । ରାଣୀ କିଂକର୍ତ୍ତବ୍ୟବିମୂଢ଼ ହୋଇ ହୀରକଟିକୁ ହୁମାୟୁନଙ୍କୁ ଉତ୍କୋଚ ଯାଚି ମୁକ୍ତି ଭିକ୍ଷା ଚାହିଁଥିଲେ ।

 

ତାହାର ଜ୍ୟୋତିରେ ତଦ୍‌ଗତ ହୋଇ ମୋଗଲ ସମ୍ରାଟ୍ ଥରେ କହିଥିଲେ, ‘‘ସାରା ପୃଥିବୀର ଲୋକଙ୍କ ପାଇଁ ଅଢ଼େଇ ଦିନର ଖାଦ୍ୟର କ୍ରୟ କରିବା ନିମନ୍ତେ ଯେତେ ଅର୍ଥ ପ୍ରୟୋଜନ, ସେତିକି କେବଳ କୋହିନୂରର ମୂଲ୍ୟ ।’’

 

ହୁମାୟୁନ୍‌ ଶେରସାହଙ୍କ ଦ୍ୱାରା ପରାଜିତ ହୋଇ ରାଜସ୍ଥାନ ଛାଡ଼ି ଚାଲି ଯାଉଥିବାବେଳେ ମାରବାରର ଶାସକଙ୍କ ନିକଟରେ ଆଶ୍ରୟ ପାର୍ଥୀ ହୋଇଥିଲେ । ରାଜା ମଲ୍ଲଦେବ ହୁମାୟୁନଙ୍କଠାରୁ ହୀରକଟିକୁ କ୍ରୟ କରିବା ଲାଗି ଇଚ୍ଛୁକ ହେବାରୁ, ହୁମାୟୁନ ତାହା ହସ୍ତାନ୍ତର କରିବାକୁ ସ୍ୱୀକୃତ ହେଲେ ନାହିଁ ଏବଂ ସେହି ମୂଲ୍ୟବାନ ହୀରା ପାଇଁ ସେ ସ୍ଥାନ ପରିତ୍ୟାଗ କରି ପାରସ୍ୟକୁ ପଳାୟନ କଲେ । ପାରସ୍ୟର ରାଜା ହୁମାୟୁନ୍‌ଙ୍କୁ ଆଶ୍ରୟ ଦେଇଥିଲେ ଏବଂ ରାଣୀ ହୀରକ ପ୍ରତି ଆକୃଷ୍ଟା ହୋଇ ଅଳଙ୍କାର କରିବା ନିମନ୍ତେ ଉତକଣ୍ଠିତା ହେବାକୁ ଲାଗିଲେ । ରାଣୀଙ୍କର ପ୍ରରୋଚନାରେ ପଡ଼ି ରାଜା ହୀରକଟିକୁ ଆତ୍ମସାତ କରିବା ପାଇଁ କଳ୍ପନା କଲେ; ମାତ୍ର ହୁମାୟୁନ ସ୍ୱ ଆଶ୍ରୟଦାତାଙ୍କୁ ସନ୍ତୁଷ୍ଟ କରାଇବା ଲାଗି ବିଖ୍ୟାତ କୋହିନୁର ସହ ଆହୁରି ୨୫୦ଟି ମୁକ୍ତା ଉପଢ଼ୌକନ ଦେଇଥିଲେ ।

 

ଇତି ମଧ୍ୟରେ ହୁମାୟନଙ୍କର ଭାଗ୍ୟଚକ୍ର ଘୂରି ଆସିଲା । ଦୁଃଖପରେ ସୁଖର ଦିନ ଆସିବାରୁ ସେ ଦିଲ୍ଲୀ ସିଂହାସନ ଲାଭ କରି ସମ୍ରାଟ ହେଲେ । ଏଥର ପାରସ୍ୟର ରାଜା ସାହା ହୀରକଟିକୁ ସ୍ୱଗନ୍ତାଘରେ ରଖି ନ ପାରି ୧୫୪୭ ଖ୍ରୀଷ୍ଟାବ୍ଦରେ ଏକ ରାଜଦୂତ ହସ୍ତରେ ତାହାକୁ ଆହମଦନଗରର ସୁଲତାନଙ୍କୁ ଉପହାର ଦେଲେ । ଏତଦ୍ଦ୍ୱାରା ହୀରକରାଜ କୋହିନୁର ପୁନର୍ବାର ଭାରତକୁ ଫେରି ଆସିଲା ସତ, କିନ୍ତୁ ଆକବର ସେହି ରାଜ୍ୟକୁ ୧୬୦୦ ଖ୍ରୀଷ୍ଟାବ୍ଦରେ ଜୟ କରି କୋହିନୁରକୁ ସ୍ୱକରଗତ କରିଥିଲେ । ଜାହାଙ୍ଗୀର ଓ ଶାହାଜାହାନ ଏହି ହୀରକ ଲାଗି ଯେଉଁ ଆତ୍ମଶ୍ଳାଘା ଦେଖାଇଥିଲେ, ତାହା ସେମାନଙ୍କର ସାର୍ବଭୌମତ୍ୱର ପରିଚୟ ଦେଉଥିଲା । ମାତ୍ର ଆଉରଙ୍ଗଜେବ ତାଙ୍କ ରାଜତ୍ୱକାଳରେ ଉକ୍ତ ହୀରକ ପ୍ରତି ଅଧିକ ଧ୍ୟାନ ଦେଇଥିଲେ । ସେ ହର୍ଟେନସିଓ ବେଗିଓ ନାମକ ଜନୈକ ଇଉରୋପୀୟ ଜହୁରିଙ୍କ କୁପରାମର୍ଶରେ ପଡ଼ି କୋହିନୂରଟିକୁ ଅଧିକ ଉଜ୍ୱଳ କରିବାକୁ ମନ ବଳାଇଲେ । ସେହି ଦୁର୍ବୁତ୍ତ ଜହୁରି ଦଳ ୭୯୩ କ୍ୟାରଟ୍ ଓଜନର ହୀରାକୁ କାଟି କାଟି ୧୯୩ କ୍ୟାରଟ୍ ଓଜନରେ ରଖିଥିଲେ । ଏଥିରେ ଆଉରଙ୍ଗଜେବ ଯେଭଳି ବ୍ୟଥା ଅନୁଭବ କରିଥିଲେ, ତାହା ବର୍ଣ୍ଣନାତୀତ ।

 

ମୋଗଲ ସମ୍ରାଟ୍ ଆଉରଙ୍ଗଜେବଙ୍କ ମୃତ୍ୟୁ ଅନ୍ତେ ପାରସ୍ୟର ଧନଲୋଲୁପ ରାଜା ନାଦିର ସାହ ୧୭୩୯ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ବାଦସାହଙ୍କୁ ପରାସ୍ତ କରି କୋହିନୁରକୁ ଯେଭଳି କୌଶଳରେ ହସ୍ତଗତ କଲେ, ତାହା ବଡ଼ ହୃଦୟସ୍ପର୍ଶୀ । ଲୁଣ୍ଠନକାରୀ, ଲୋଭୀ ନାଦିରସାହ ଦେଖିଲେ ଯେ, ମୋଗଲ ସମ୍ରାଟ୍ କୋହିନୁରଟିକୁ ସ୍ୱମୃକୁଟରେ ସର୍ବଦା ଲୁଚାଇ ରଖୁଛନ୍ତି । ସେ ନାନା ଉପାୟ ପାଞ୍ଚି ଶେଷରେ ଏକ ଭୋଜିର ଆୟୋଜନ କଲେ । ବନ୍ଧୁତା, ମୈତ୍ରୀ ଓ ଶ୍ରଦ୍ଧାର ଜ୍ୱଳନ୍ତ ନିଦର୍ଶନ ପାଇଁ ଦୁହିଁଙ୍କ ମଧ୍ୟରେ ମୁକୁଟ ବିନିମୟ ହେବାର ସ୍ଥିର ହେଲା । ମୋଗଲ ବାଦସାହ କୁଚକ୍ରୀ ନାଦିରସାହଙ୍କ ଦୁରଭିସନ୍ଧି ବୁଝି ନ ପାରି ସ୍ୱମୁକୁଟଟିକୁ ବିନିମୟ କରନ୍ତେ, ସେ ହୀରକଟିକୁ ଚୋରାଇ ନେଇ ସ୍ୱଦେଶକୁ ବାହୁଡ଼ି ଗଲେ । ମାତ୍ର କେତେକ ବର୍ଷ ପରେ ରକ୍ତପିପାସୁ, ଲୁଣ୍ଠରକାରୀ ନାଦିରସାହଙ୍କର ଦେହାବସାନ ହେବାରୁ, ତାଙ୍କ ପରିଷଦର ଧୂର୍ତ୍ତ ସଭାସଦ୍ ଆଗାମହମ୍ମଦ ସାହା ହୀରକରାଜକୁ ହସ୍ତଗତ କରିବା ପାଇଁ ପାରସ୍ୟର ଯୁବରାଜଙ୍କୁ ବହୁ ଭୟ ଦେଖାଇଲେ । ଯୁବରାଜ ହୀନବଳ ହେତୁ ଆଫଗାନିସ୍ଥାନର ଦୁରାନିଙ୍କୁ ସାହାଯ୍ୟ ମାଗିଲେ । ଶେଷକୁ କୋହିନୂର ପୁଣି ସ୍ଥାନାନ୍ତିରିତ ହୋଇ ଦୁରାନିଙ୍କ ନିକଟରେ ରହିଲା ।

 

ଇତି ମଧ୍ୟରେ ପଞ୍ଜାବକେଶରୀ ରଣଜିତ୍‌ ସିଂହ ପ୍ରକାଣ୍ଡ ଶିଖ ସାମ୍ରାଜ୍ୟ ଗଠନ କରି ବଡ଼ ଶକ୍ତିଶାଳୀ ହୋଇଥିଲେ । ସେ ଭାରତର ପୂର୍ବତନ ଗୌରବ ଓ ବିଭବକୁ ପୁନରୁଦ୍ଧାର କରିବା ନିମନ୍ତେ ନାନା କୌଶଳ କରିଥିଲେ । ରଣଜିତ୍ ନିରକ୍ଷର ହେଲେ ସୁଦ୍ଧା ବିଶେଷ ବୁଦ୍ଧିମାନ ଏବଂ ସାହାସୀ ଥିଲେ । ସେ କୌଶଳ କ୍ରମେ ସାହାସୁଜାଙ୍କୁ ବନ୍ଦୀ କରି, ତାଙ୍କୁ ଅନାହାରରେ କିଛି ଦିନ ରଖିବା ଦ୍ୱାରା ସେ ବାଧ୍ୟହୋଇ ପଞ୍ଜାବକେଶରୀଙ୍କ ହସ୍ତରେ କୋହିନୂରକୁ ଅର୍ପଣ କରିଥିଲେ । ରଣଜିତ୍ ସିଂହ ସେହି ମୂଲ୍ୟବାନ୍ ହୀରକରାଜକୁ ସ୍ୱବକ୍ଷଭୂଷାରେ ଧାରଣ କରିବା ଦ୍ୱାରା ତାହାଙ୍କର ଭାଗ୍ୟୋଦୟ ହେଲା ଏବଂ ସେ ଅନତିବିଳମ୍ୱେ ପ୍ରକାଣ୍ଡ ଶିଖବାହିନୀ ଗଠନ କରି ତଦାନୀନ୍ତନ ଲର୍ଡ଼ ବେଣ୍ଟିକ୍‍ଙ୍କୁ ବିସ୍ମୟାଭିଭୂତ କରିଥିଲେ । ସେ ଇଂରେଜମାନଙ୍କର ଶକ୍ତି କେତେ ତାହା ଉତ୍ତମରୂପେ ହୃଦୟଙ୍ଗମ କରିଥିବାରୁ ମୃତ୍ୟୁ ଶଯ୍ୟାରେ କୋହିନୁର କଥା ସ୍ମରଣ କରିଥିଲେ । ଦୂରଦର୍ଶୀ ବୀର ରଣଜିତ୍ ସିଂହ କୋହିନୁରକୁ ଇଂରେଜମାନଙ୍କ ହସ୍ତକୁ ନ ଦେବା ପାଇଁ ବିଶେଷ ତତ୍ପର ଥିଲେ । ସେ କୋହିନୁରକୁ ପୁରୀ ଶ୍ରୀଜଗନ୍ନାଥଙ୍କ ଅଙ୍ଗ ମଣ୍ଡନ କରିବା ଲାଗି ପଠାଇ ଦେବାକୁ ତାଙ୍କ ପାରିଷଦବର୍ଗଙ୍କୁ ଆଦେଶ ଦେଇଥିଲେ । ମାତ୍ର ଦୁଃଖର କଥା, ଅଯୋଗ୍ୟ ପାରିଷଦବର୍ଗ ତାହା ପାଳନ କରିବାରେ ତ୍ରୁଟି କରିଥିଲେ ।

 

୧୮୩୯ ଖ୍ରୀଷ୍ଟାବ୍ଦରେ ବୀର ରଣଜିତ୍ ସିଂହଙ୍କର ମୃତ୍ୟୁ ଘଟିଲା । ତାଙ୍କ ଅନ୍ତେ ୧୮୪୮ ଖ୍ରୀଷ୍ଟାବ୍ଦରେ ଶିଖ ସମର ହେଲା ଏବଂ ଲର୍ଡ଼ ଡ଼େଲହାଉସୀ ଏକ ଘୋଷଣାପତ୍ର ଦ୍ୱାରା ପଞ୍ଜାବକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କଲେ ଏବଂ ରାଣୀ ଝିନ୍ଦନ ଓ ଦିଲୀପ ସିଂହଙ୍କୁ ବୃତ୍ତି ଦେଇ ବିଲାତ ପଠାଇ ଦେଇଥିଲେ । ଇଂରେଜ ସେନାପତି ସାର ଜନ୍ ଲରେନ୍ସ ଯୁଦ୍ଧରେ ଜୟ ଶ୍ରୀମଣ୍ଡିତ ହୋଇ କୋହିନୂରକୁ ତସ୍କର ସଦୃଶ ସ୍ୱପରିଚ୍ଛଦ ମଧ୍ୟରେ ଘେନି ପଳାଇଥିଲେ ।

 

ଏହା ପରେ ଇଷ୍ଟ୍ ଇଣ୍ଡିଆ କଂପାନୀ ସରକାରଙ୍କ ନିଷ୍ପତ୍ତି କ୍ରମେ ୧୮୫୦ ଖ୍ରୀଷ୍ଟାବ୍ଦ ଜୁନମାସ ୩ ତାରିଖରେ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କୁ ତାହା ଉପଢ଼ୌକନ ସ୍ୱରୂପ ପ୍ରଦତ୍ତ ହେଲା-। ୧୮୫୧ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ରାଜଭବନରେ ଯେଉଁ ଏକ ବିରାଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ତହିଁରେ କୋହିନୂର ସର୍ବାପେକ୍ଷା ଶ୍ରେଷ୍ଠ ସ୍ଥାନ ଲାଭ କରିଥିଲା । ସେତେବେଳେ ଉକ୍ତ ହୀରକରାଜର ଆକାର ଅବାଗିଆ ଥିଲା । ବୈଜ୍ଞାନିକ ପ୍ରକ୍ରିୟାରେ ତାକୁ ଉଜ୍ଜ୍ୱଳତର କରିବା ଲାଗି ଚେଷ୍ଟା କରାଗଲା । ଆମଷ୍ଟାର୍ଡ଼ାମର ମେସର୍ସ କଷ୍ଟର ଆଣ୍ଡ ସନସ୍ କଂପାନୀକୁ ତହିଁର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଗଲା । ସେମାନେ ତାକୁ ଯେଉଁ ରୂପ ଦେଲେ, ତାହା ଓଜନର ୧୦୬ କ୍ୟାରଟ୍ ହେଲା-। ଅଧୁନା କୋହିନୂର ଇଂଲଣ୍ଡର ରାଜମୁକୁଟରେ ଅପୂର୍ବ ଜ୍ୟୋତି ବିକିରଣ କରୁଅଛି-। ଇଂଲଣ୍ଡ ରାଜମୁକୁଟର ଓଜନ ୩୯ ଆଉନ୍‌ସ ଏବଂ ତହିଁରେ ୨୯୭ ଟି ମୁକ୍ତା, ୨୬୧୮ଟି ହୀରା ବ୍ୟତୀତ ଆହୁରି ଅନେକ ମୂଲ୍ୟବାନ ମଣି ଖଚିତ ହୋଇଛି ।

 

କୋହିନୂରର ମୂଲ୍ୟ କେତେ ସେ ସମ୍ୱନ୍ଧରେ ବିଭିନ୍ନ ମତ ରହିଛି । ମୋଗଲ ବଂଶର ପ୍ରତିଷ୍ଠାତା ବାବର ତୁର୍କୀ ଭାଷାରେ ଲିଖିତ ତାଙ୍କ ଆତ୍ମଚରିତରେ ଯାହା ଉଲ୍ଲେଖ କରି ଅଛନ୍ତି, ତାକୁ ବିଶ୍ୱାସ କଲେ କୋହିନୂରର ମୂଲ୍ୟ ନିଶ୍ଚୟ ଯଥେଷ୍ଟ ହେବ । ୧୮୩୦ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ଓ ସବର୍ଣ୍ଣଙ୍କର ରଣଜିତ୍ ସିଂହଙ୍କ ସହିତ ଉକ୍ତ ହୀରକରାଜ ସମ୍ୱନ୍ଧରେ କଥୋପକଥନ ହୋଇଥିଲା । ସେଥିରୁ ଜଣାଯାଏ, କୋହିନୁରର ମୂଲ୍ୟ ୩୦ଲକ୍ଷ ପାଉଣ୍ଡ ହେବ । ହାଇଦ୍ରାବାଦ ନିଜାମଙ୍କ ପାଖରେ ଥିବା ଜାକବ ହୀରା ଖଣ୍ଡି ଓଜନରେ ୧୫୦ କ୍ୟାରଟ୍ । ତାହାର ମୂଲ୍ୟ ଅନ୍ୟୂନ ଦେଢଲକ୍ଷ ଟଙ୍କା । ଏଣୁ କୋହିନୂର ନିଶ୍ଚୟ ଦୁଇକୋଟି ମୁଦ୍ରାରୁ ଅଧିକ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ଯେଉଁ କୋହିନୂର ହୀରକ ଲାଗି ଭାରତର ଅତୀତ ନରପତି ଗଣ ନାନା ଦୁଃଖ, ଦୁର୍ଦ୍ଦିନର ସମ୍ମୁଖୀନ ହୋଇ ଯୁଦ୍ଧ ଓ ଷଡ଼ଯନ୍ତ୍ରରେ ଲିପ୍ତ ହୋଇଥିଲେ, ତାହାକୁ ସ୍ୱାଧୀନ ଭାରତର ସନ୍ତାନଗଣ ହରାଇ ବସିବା ବିଶେଷ କ୍ଷୋଭର ବିଷୟ ।

Image

 

ଗଭୀର ସମୁଦ୍ରକୁ ଯାତ୍ରା

 

ଦିନେ ଜର୍ମାନୀର ଦ୍ୱିତୀୟ ଫ୍ରେଡ଼େରିକ୍‌ ଗୋଟିଏ ମୂଲ୍ୟବାନ୍ ସୁନାର କପ୍‌ ସମୁଦ୍ରକୁ ଫିଙ୍ଗିବାର ଦେଖି ଲୋକେ ବିସ୍ମିତ ହୋଇ ପଚାରିଲେ, ‘‘ମହାମହିମ, ମହାନୁଭବ ସମ୍ରାଟ ! ଏଥିର ରହସ୍ୟ କଣ, ଆମେ କେହି କିଛି ଆଦୌ ବୁଝିପାରୁ ନାହୁଁ ।’’

 

ରାଜା ସ୍ମିତ ବଦନରେ ଉତ୍ତର ଦେଲେ,‘‘ସେ ମୋର ଖିଆଲ ! ମୁଁ ଇଚ୍ଛା କରେ ଲୋକେ ସମୁଦ୍ର ଗର୍ଭକୁ ଯିବାକୁ ଉତ୍ସାହିତ ହୁଅନ୍ତୁ । ସେମାନଙ୍କଠାରୁ ସମୁଦ୍ରର ଅଦ୍ଭୁତ କାହାଣୀ ଶୁଣିବାକୁ ମୋର କାହିଁକି ବିଶେଷ ଇଚ୍ଛା ହେଇଅଛି ।’’

 

ମନୁଷ୍ୟର ସେହି ଜ୍ଞାନ-ପିପାସା ଆଜି ଫଳବତୀ ହୋଇଛି । ସେ ବିଜ୍ଞାନ ବଳରେ ବଳୀୟାନ୍ ହୋଇ ସମୁଦ୍ର ସମ୍ୱନ୍ଧରେ ନାନା ଅଭିଜ୍ଞତା ଅର୍ଜନ କଲାଣି ଓ କରୁଛି । ଅନନ୍ତ ମହାଶୂନ୍ୟରେ ବିଚରଣ କରି ବାସ କରିବାକୁ ସେ ଯେପରି ପ୍ରୟାସ କରିଛି, ମହା ସମୁଦ୍ରକୁ ଯାତ୍ରା କରି ବରୁଣଦେବଙ୍କ ଗନ୍ତାଘରୁ ଧନରତ୍ନ ଲୁଟି ଆଣିବା ପାଇଁ ସେହିପରି ଉଦ୍ୟମ ଚଳାଇଅଛି ।

 

ପ୍ରକୃତରେ ସମୁଦ୍ର କେଉଁଠାରେ କେତେ ଗଭୀର ତାହା ମଣିଷର ଅନୁମାନକୁ ସମ୍ପୂର୍ଣ୍ଣ ରୂପେ ଆସି ନାହିଁ । ପୃଥିବୀରେ ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ । ପଣ୍ଡିତମାନେ କହନ୍ତି ଯେ, ଜଳଭାଗ ଅନୁପାତରେ ସ୍ଥଳଭାଗ ମୋଟେ ଏକ ତୃତୀୟାଂଶ । ଏ କଥାଟି କଳନା କରିବା ଅବଶ୍ୟ ଟିକିଏ କଠିନ । ମନେକର, ପୃଥିବୀର ସମସ୍ତ ସ୍ଥଳଭାଗକୁ ଏକତ୍ର କରି ଯଦି କୌଣସିମତେ ଜଳଭାଗ ମଧ୍ୟକୁ ନିକ୍ଷେପ କରାଯାଇପାରନ୍ତା, ତେବେ ବୈଜ୍ଞାନିକ ମାନଙ୍କର ଗଣନା ଅନୁଯାୟୀ ଅଠର ଭାଗରୁ ଏକ ଭାଗ ମାତ୍ର ପାଣି ସମୁଦ୍ରରୁ ସ୍ଥାନଚ୍ୟୁତ ହୁଅନ୍ତା । ଯଦି ପୃଥିବୀକୁ ସମୁଦ୍ରରେ ବୁଡ଼ାଇ ଦିଆଯାଏ, ତେବେ ସମୁଦ୍ରର ଜଳ ଆହୁରି ଆଠ ହଜାର ଫୁଟ ଅଧିକ ହେବ । ଏଥିରୁ ଜଳରାଶିର ବିଶାଳତା କେତେ ତାହା ଅନୁମାନ କର ।

 

୧୯୩୦ ଖ୍ରୀଷ୍ଟାବ୍ଦ ଜୁନ୍‍ମାସ ୬ ତାରିଖର ଘଟଣା । ବର୍ମ୍ମୁଡ଼ା ଦ୍ୱୀପପୁଞ୍ଜଠାରୁ ଆଠମାଇଲ ଦୂରରେ ଗୋଟିଏ ଛୋଟ ଜାହାଜ ଆଟ୍‌ଲାଣ୍ଟିକ ମହାସାଗରରେ ଆସୁଥିବାର ଦେଖାଗଲା । ଜାହାଜଟିକୁ ଲକ୍ଷ୍ୟ କରିବାର ବିଶେଷ କିଛି କାରଣ ନ ଥିଲା । ମାତ୍ର ହଠାତ୍‌ ଲଙ୍ଗର ପଡ଼ିବା ପରେ ଗୋଟିଏ ବିଚିତ୍ର ପଦାର୍ଥ ଜାହାଜ ମଧ୍ୟରୁ ବାହାର କରାଗଲା । ତାହାକୁ ଜଳଗୋଲକ କହନ୍ତି । ତାହା ଇସ୍ପାତରେ ନିର୍ମିତ ଓ ପାଞ୍ଚ ମହଣ ଓଜନରୁ ଅଧିକ ନୁହେଁ । ତନ୍ମଧ୍ୟକୁ ପ୍ରବେଶ କରିବା ପାଇଁ ଏକ କ୍ଷୁଦ୍ର କବାଟ ଓ ଦୁଇଗୋଟି କାଚ ଝରକା ଥିଲା । ଗୋଟିକରେ ବୁଡ଼ାଳିମାନେ ସମୁଦ୍ରର ନିମ୍ନ ଦେଶକୁ ପର୍ଯ୍ୟବେକ୍ଷଣ କରନ୍ତି ଏବଂ ଅନ୍ୟଟିରେ ଉଜ୍ଜ୍ୱଳ ଆଲୋକ ପକାନ୍ତି । ପ୍ରଥମେ ଦୁଇଜଣ ବ୍ୟକ୍ତି କ୍ଷୁଦ୍ର ହାର ଉନ୍ମୋଚନ କରି ତନ୍ମଧ୍ୟକୁ ପ୍ରବେଶ କଲା ଉତ୍ତାରୁ ଜଳଗୋଲକଟିକୁ ଧୀରେ ଧୀରେ ସମୁଦ୍ର ଗର୍ଭକୁ ଖସାଇ ଦିଆଗଲା । ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାପାଇଁ ନଳୀଦ୍ୱାରା ବାୟୁର ବ୍ୟବସ୍ଥା କରାଯାଇଥିଲା । ଗଭୀର ଗଣ୍ଡତଳୁ ବାର୍ତ୍ତା ପ୍ରେରଣ କରିବା ପାଇଁ ଟେଲିଫୋନ ଥିଲା । ଡାକ୍ତର ବିବି ଜଳଗୋଲକ ମଧ୍ୟରେ ପ୍ରବେଶ କରି ସମୁଦ୍ର ଗର୍ଭକୁ ଯାତ୍ରା କରିଥିଲେ ।

 

ଆମେରିକାର ଡାକ୍ତର ଉଇଲିୟମ୍‌ ବିବି ବହୁକାଳରୁ ମାଛମାନଙ୍କ ସମ୍ୱନ୍ଧରେ ଗବେଷଣା କରିବା ପାଇଁ ବିଶେଷ ଇଚ୍ଛୁକ ହୋଇଥିଲେ । ସେ ଜୀବତତ୍ତ୍ୱବିତ୍ ଓ ପକ୍ଷୀବିଶେଷଜ୍ଞ ଥିବାରୁ ସମୁଦ୍ରର ଜଳଚର ପ୍ରାଣୀମାନଙ୍କ ସମ୍ୱନ୍ଧରେ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ସୁଯୋଗ ଖୋଜୁଥିଲେ । ପୂର୍ବରୁ ଲୋକମାନଙ୍କର ଧାରଣା ଥିଲା ଯେ, କୌଣସି ଆଲୋକ ସମୁଦ୍ର ଗର୍ଭକୁ ଯାଇ ପାରେନାହିଁ, କି ସାଧାରଣ ଜୀବ ଜଳ ତଳେ ବାସ କରି ପାରନ୍ତିନାହିଁ । ଯେଉଁ ଜୀବ ସମୁଦ୍ର ତଳେ ବାସ କରନ୍ତି, ସେମାନେ ଅଦ୍ଭୁତ ଏବଂ ବିରାଟ । ଏହି ସବୁ ବିଶ୍ୱାସରୁ ସତ୍ୟାସତ୍ୟ ଉପଲବ୍ଧି କରିବା ପାଇଁ ଡାକ୍ତର ବିବିଙ୍କର ମନ ବିଶେଷ ଉଦ୍‍ବିଗ୍ନ ହୋଇଥିଲା । ସେ ମିସ୍ ହଲିଷ୍ଟର ନାମ୍ନୀ ଜଣେ ମହିଳାଙ୍କ ସାହାଯ୍ୟରେ ସମୁଦ୍ର ଗର୍ଭକୁ ଯାତ୍ରା କରିବା ପାଇଁ ବାର୍ଟନ୍ ସାହେବଙ୍କୁ ସଙ୍ଗୀ କରିଥିଲେ ।

 

ମିସ୍ ହଲିଷ୍ଟର ଜାହାଜ ଉପରେ ଥାଇ ଟେଲିଫୋନ୍ ଧରି କହୁଥାନ୍ତି, ‘‘ଏକ ଶତ ଫୁଟ୍‍ ଖସାଇ ଦିଆଗଲାଣି । କ’ଣ ଦେଖୁଛ ?’’ ଟେଲିଫୋନ୍‌ରେ ଉତ୍ତର ଆସିଲା, ‘‘ପ୍ରଥମେ ପ୍ରଥମେ ଯେଉଁ ମନୋହର ସବୁଜ ଦୀପ୍ତି ଦେଖୁଥିଲୁ, ତାହା କିଞ୍ଚିତ ଫିକା ପଡ଼ୁଛି । ବିଶେଷ କିଛି ପରିବର୍ତ୍ତନ ନାହିଁ ।’’

 

ଶହେ, ଦୁଇ ଶହ, ତିନି ଶହ, ଚାରି ଶହ ଫୁଟ ତଳକୁ ଖସି ସେମାନେ ଛଅଶହ ଫୁଟ ଗଲା ପରେ ମିସ୍‍ ହଲିଷ୍ଟର କହିଲେ, "ଛଅ ଶହ ଫୁଟ ।" ଏତେ ନିମ୍ନକୁ ପୂର୍ବରୁ କେହି ଯାଇଥିବାର ଶୁଣା ନ ଥିଲା । ଛଅଶହ ଫୁଟ ତଳେ ସେମାନେ କାଚ ଝରକାରୁ ଗଭୀର ସମୁଦ୍ରରେ ବିଭିନ୍ନ ଜୀବ ଦେଖି ଆନନ୍ଦିତ ହୋଇଥିଲେ । ଆଠ ଶହ ଫୁଟ ତଳେ ପାଣିର ରଙ୍ଗ ଗାଢ କୃଷ୍ଣବର୍ଣ୍ଣ ଦେଖାଗଲା । ଆହୁରି ନିମ୍ନକୁ ଯାତ୍ରା କରିବା ପାଇଁ ସାହସ ନ କରି ଡାକ୍ତର ବିବି କହିଲେ–‘‘ସେତିକି ଥାଉ, ଏଥର ଉପରକୁ ଉଠାଅ ।’’

 

ମିସ୍ ହଲିଟର ଦେଖିଲେ ଘଣ୍ଟାରେ ବାଜିଛି ଠିକ ଦୁଇଟା । ସଙ୍କେତ ପାଇ ସେହି ଗୋଲକଟିକୁ ଧୀରେ ଧୀରେ ସମୁଦ୍ର ଉପରକୁ ଅଣାଗଲା । ତତ୍ପରେ ମିସ୍ ହଲିଷ୍ଟର ଦୁଇ ବନ୍ଧୁଙ୍କୁ ଆନନ୍ଦରେ ଆଲିଙ୍ଗନ କରି ଧନ୍ୟ ଧନ୍ୟ କହିଲେ ।

 

୧୯୩୪ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୧ ତାରିଖରେ ଏକ ନୂତନ ଧରଣର ଜଳଗୋଲକ ଧରି ଡାକ୍ତର ବିବି ପୁନର୍ବାର ସମୁଦ୍ର ଗର୍ଭକୁ ଯାତ୍ରା କଲେ । ଏଥର ଦୁଇ ହଜାର ପାଞ୍ଚ ଶହ ଫୁଟ ଗଭୀରକୁ ତାଙ୍କ ଜଳଗୋଲକ ଯାଇଥିଲା । ସେତିକିରେ ସେ ହଟି ନ ଯାଇ ପୁନର୍ବାର ପୂର୍ବାପେକ୍ଷା ଅଧିକ ଦୂରଯାତ୍ରା କରିଥିଲେ । ସାଧାରଣତଃ ସମୁଦ୍ର ବୁଡ଼ାଳିମାନେ ୩୦୦ ଫୁଟ ମଧ୍ୟରେ ବୁଡ଼ିଥାନ୍ତି-। ମାତ୍ର ବିବି ତାହାର ଦଶ ଗୁଣ ଅର୍ଥାତ୍ ୩୦୨୮ ଫୁଟ ବା ଅଧମାଇଲରୁ ଅଧିକ ଯାତ୍ରା କରି ପ୍ରଶଂସିତ ହୋଇଥିଲେ । ୧୯୩୦-୧୯୩୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ତିରିଶଥର ବର୍ମୁଡ଼ାଠାରେ ସମୁଦ୍ର ଗର୍ଭକୁ ଅବତରଣ କରି ବହୁ ନୂତନ ତଥ୍ୟ ଲୋକଲୋଚନକୁ ଆଣିଅଛନ୍ତି । ସେ ଖଣ୍ଡିଏ ପୁସ୍ତକରେ ତାଙ୍କର ସକଳ ଅନୁଭୂତିକୁ ପ୍ରାଞ୍ଜଳ ଭାବରେ ଉଲ୍ଲେଖ କରିଥାଆନ୍ତି ।

 

ସମୁଦ୍ର ଗର୍ଭରେ ଯେଉଁ ବିରାଟ ସଂଗ୍ରହଶାଳା (Museum) ରହିଛି, ତତ୍ସମ୍ୱନ୍ଧରେ ସମ୍ୟକ୍ଜ୍ଞାନ ଅର୍ଜ୍ଜନ କରିବା ଉଦ୍ଦେଶ୍ୟରେ ବିବିଙ୍କ ବ୍ୟତୀତ ବହୁ ସାହସୀ ବୀରପୁରୁଷ ଯାତ୍ରା କରୁଅଛନ୍ତି । ମାତ୍ର ସମ୍ଫ୍ରତି ସେମାନେ ପୁରାତନ ପ୍ରଣାଳୀ ଉପରେ ବିଶେଷ ଆସ୍ଥା ରଖୁ ନାହାନ୍ତି । ସମୁଦ୍ରକୁ ଅବତରଣ କରିବା ଏ ଯୁଗରେ ଏକ କ୍ରୀଡ଼ା ବୋଲି ବିବେଚିତ ହେଉଛି । ବୁଡ଼ାଳିମାନଙ୍କ ପାଇଁ ଯେଉଁ ଯନ୍ତ୍ର ଉଦ୍‌ଭାବିତ ହୋଇଛି, ତାହାକୁ ଇଂରାଜୀରେ Aqua Lung କହନ୍ତି । Aqua ଶବ୍ଦର ଅର୍ଥ ଜଳ; Lung ଅର୍ଥ ଫୁସ୍‌ଫୁସ୍ । ଉକ୍ତ ଯନ୍ତ୍ର ଫୁସ୍‌ଫୁସ୍‌କୁ ଯଥେଷ୍ଟ ପରିମାଣରେ ଅମ୍ଳଜାନ ଯୋଗାଏ । ମନୁଷ୍ୟ ଅମ୍ଳଜାନ ବ୍ୟତୀତ ବଞ୍ଚି ପାରେ ନାହିଁ । ତେଣୁ ବୈଜ୍ଞାନିକ ଉପାୟରେ ସେହି ଅଭାବ ପୂରଣ କରାଯାଉଅଛି ।

 

ଜଳ-ଫୁସ୍‌ଫୁସ୍ ଗୋଟିଏ ଛୋଟ ଟାଙ୍କି । ଏଥିରେ ବାୟୁ ସଂକୋଚିତ ହୋଇଥାଏ । ଟାଙ୍କିରୁ ଏକ ରବର ନଳୀ ବୁଡ଼ାଳିର ପାଟିରେ ସଂଯୁକ୍ତ ହୋଇଥାଏ । ବୁଡ଼ାଳୀ ସମୁଦ୍ର ତଳକୁ ଖସିଲେ ଜଳର ଚାପ ହେତୁ ସଂକୋଚିତ ବାୟୁ ସ୍ୱୟଂଚାଳିତ ହୁଏ ଏବଂ ତାହା ବୁଡ଼ାଳିର ପାଟିକୁ ଧୀରେ ଧୀରେ ଆସେ । ତାହା ବ୍ୟତୀତ ବୁଡ଼ାଳୀ ଆଖିରେ ରଙ୍ଗୀନ୍ ଚଷମା ଓ ଗୋଡ଼ରେ ରବର ଆହୁଲା ଲଗାଇଥାନ୍ତି ।

 

ଜଳ-ଫୁସ୍‌ଫୁସ୍ ଦ୍ୱାରା ଜଣେ ବୁଡ଼ାଳୀ ସାଧାରଣତଃ ୨୧୦ ଫୁଟ ପର୍ଯ୍ୟନ୍ତ ସମୁଦ୍ରଗର୍ଭକୁ ଯାତ୍ରା କରିପାରନ୍ତି । ମାତ୍ର ତାହାଠାରୁ ଅଧିକ ଗଲେ ଜଳର ଚାପ ଅସହ୍ୟ ହୁଏ । ବାୟୁର ଚାପ ଅଧିକ ହେଲେ ଫୁସ୍‌ଫୁସ୍‌ରୁ ଦୂଷିତ ଅଙ୍ଗାରକାମ୍ଳ ନିର୍ଗତ ହୋଇ ପାରେନାହିଁ । ଥରେ ଜନୈକ ବୁଡ଼ାଳି ୩୯୭ ଫୁଟ ନିମ୍ନକୁ ଯାଇ ମୃତ୍ୟୁମୁଖରେ ପତିତ ହୋଇଥିଲେ ।

 

ତୁମେ ବିଚାରୁଥିବ, ଜୀବନ୍ତ ମନୁଷ୍ୟ ପାଣିରେ ନ ଭାସି ବୁଡ଼ି ରହେ କିପରି ? ଏ କଥାଟା ବୁଝିବାରେ କୌଣସି କଷ୍ଟ ନାହିଁ । ବୁଡ଼ାଳି ତଳକୁ ଟାଣିହୋଇ ଯିବାପାଇଁ ଅଣ୍ଟାରେ ବେଲ୍‌ଟ ପିନ୍ଧିଥାନ୍ତି ଓ ତହିଁରେ କେତେକ ସେର ଶୀସା ବନ୍ଧା ଯାଇଥାଏ । ତଦ୍ଦ୍ୱାରା ବୁଡ଼ାଳୀ ଉପରକୁ ଉଠି ପାରନ୍ତି ନାହିଁ । ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କ ପକ୍ଷରେ ଜଳ-ଫୁସ୍‌ଫୁସ୍ ଯନ୍ତ୍ର ବ୍ୟବହାର କରିବା କଦାପି ଉଚିତ ନୁହେଁ ।

 

ସମୁଦ୍ରର ଗଭୀରତା ଜାଣିବା ପାଇଁ ୧୯୨୦ ଖ୍ରୀଷ୍ଟାବ୍ଦରେ ଏକ ସୂତ୍ର ପଣ୍ଡିତମାନେ ସ୍ଥିର କରିଥିଲେ । ସେଥିରୁ ଜଣାପଡ଼େ ଯେ, ଶବ୍ଦତରଙ୍ଗ ଜଳର ନିମ୍ନଦେଶକୁ ଯାଇ ଫେରି ଆସିବାକୁ ଯେତେ ସମୟ ଲାଗୁଛି ତଦ୍ଦ୍ୱାରା ଜଳର ଗଭୀରତା ସହଜରେ ସ୍ଥିର ହୋଇପାରିବ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଥିବା ଫିଲିପାଇନ୍ ଦ୍ୱୀପ ନିକଟରେ ସମୁଦ୍ରର ଗଭୀରତା ୩୫,୪୦୦ ଫୁଟ ବା ୬ ମାଇଲରୁ ବେଶି । ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ୨୯୧୪୧ ଫୁଟ । କିନ୍ତୁ ତାକୁ ଯଦି ସେହି ଗଭୀରତମ ଗଣ୍ଡରେ ବୁଡ଼ାଇ ଦିଆଯାଏ, ଯେବେ ଶୃଙ୍ଗର ପ୍ରାନ୍ତଭାଗଠାରୁ ସମୁଦ୍ର ଜଳ ଆହୁରି ପାଞ୍ଚ ହଜାର ଫୁଟରୁ ଅଧିକ ରହିବ । ଧନ୍ୟ ଏ ସୃଷ୍ଟି ! ଧନ୍ୟ ଏ ବିଚିତ୍ର ଜଗତ ! !

 

ସୁଇଜରଲାଣ୍ଡର ଅଧ୍ୟାପକ ଅଗଷ୍ଟ ପିକାର୍ଡ଼ ଭୂମଧ୍ୟସାଗର ମଧ୍ୟରେ ବୁଡ଼ି ସମୁଦ୍ରବୁଡ଼ା ଯନ୍ତ୍ର ସାହାଯ୍ୟରେ ତିନି ହଜାର ଏକଶହ ପଚାଶ ମିଟର ବା ୧୦,୩୩୫ ଫୁଟତଳକୁ ଯାଇ ପାରିଛନ୍ତି । ତାଙ୍କ ବୟସ ୬୯ ବର୍ଷ ହେବା ସତ୍ତ୍ୱେ ସେ ସମୁଦ୍ରର ନିମ୍ନଦେଶରେ ଦୁଇଘଣ୍ଟା ପନ୍ଦର ମିନିଟ କାଳ ରହି ପାରିଥିଲେ ।

Image

 

ଭୁବନବିଖ୍ୟାତ ତାଜମହଲ

 

ଆଜି ‘ତାଜମହଲ’ ପୃଥିବୀବିଖ୍ୟାତ । ‘ମମତାଜମହଲ’ ଙ୍କ ନାମକୁ ସଂକ୍ଷେପରେ ‘ତାଜମହଲ’ କହନ୍ତି । ‘ତାଜ’ ଶବ୍ଦର ଅର୍ଥ ମୁକୁଟ । ସୌନ୍ଦର୍ଯ୍ୟ-ପିପାସୁ, ବିଳାସ-ରସିକ ମୋଗଲ ସମ୍ରାଟ୍ ଶାହାଜାହାନ ଯେଉଁ ଉତ୍ତୁଙ୍ଗ ସୌଧ ନିର୍ମାଣ କରାଇଅଛନ୍ତି, ତାହା ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ଏ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ତାଜମହଲର ଶିଳ୍ପନୈପୁଣ୍ୟ ଓ କଳାବିଭବ ମୋଗଲ ଇତିହାସରେ ଏକ ଯୁଗାନ୍ତର ସୃଷ୍ଟି କରିଛି । ସୁଶାସକ କିମ୍ବା ପ୍ରଜାରଞ୍ଜନଶୀଳ ସମ୍ରାଟ ରୂପେ ଶାହାଜାହାନଙ୍କର ଯେଉଁ ଖ୍ୟାତି ବା ପ୍ରଶସ୍ତି ଅଛି, ତାହାଠାରୁ ବହୁ ଗୁଣରେ ତାଙ୍କର ଅକୃତ୍ରିମ ପ୍ରେମାନୁରାଗ ବଳି ପଡ଼ିଛି । ପ୍ରିୟତମା ପତ୍ନୀଙ୍କର ସ୍ମୃତିରକ୍ଷା ଲାଗି ସେ ଯମୁନା ତୀରସ୍ଥ ଆଗ୍ରା ନଗରୀରେ ଶିଳ୍ପକଳାବିମଣ୍ଡିତ ବିଚିତ୍ର ତାଜମହଲ ନିର୍ମାଣ କରାଇ ପ୍ରଗାଢ଼ ପତ୍ନୀସ୍ନେହର ଯେଉଁ ଜ୍ୱଳନ୍ତ ନିଦର୍ଶନ ଦେଖାଇଅଛନ୍ତି, ତାହା ଇତିହାସ ଯୁଗେ ଯୁଗେ ବଜ୍ରଗମ୍ଭୀର ସ୍ୱରରେ ଘୋଷଣା କରୁଥିବ । ଦିନେ ବିସ୍ମୃତି ଗର୍ଭରେ ମୋଗଲ ସମ୍ରାଟଙ୍କର ନାମ ଲୁଚି ଯାଇପାରେ; ଭୁବନମୋହିନୀ ରୂପ-ସୁନ୍ଦରୀ ନୁରଜାହାନ୍‌ଙ୍କର ରୂପ-ଗୌରବ ବିଷୟରେ କେହି ସନ୍ଦିହାନ ହୋଇପାରେ, ମାତ୍ର ‘ଶୋକପାସୋରା ଅପ୍‌ସରା-ଭୁବନ’ ତାଜମହଲ ଯମୁନା ଜଳରେ ପ୍ରତିବିମ୍ବିତ ହେଉଥିବାଯାଏ, ପ୍ରେମିକ ସମ୍ରାଟ୍‌ଙ୍କର ଅତୁଳନୀୟ ଅନୁରାଗକୁ କେହି ଭୁଲି ଯାଇ ପାରିବେ ନାହିଁ । ତାଜମହଲର ସୌନ୍ଦର୍ଯ୍ୟରେ ମନ ଓ ପ୍ରାଣ କି ଅପୂର୍ବ ଆନନ୍ଦରେ ବୁଡ଼ି ରହେ, ତାହା କଳ୍ପନା କରିବା ସମ୍ଭବ ନୁହେଁ ।

 

ଇତିହାସରୁ ମୋଗଲ ବାଦଶାହଙ୍କର ଯେଉଁ ଚରିତ୍ର ମିଳେ ତାହା ଅତୀବ ଭୟାବହ । ପିତା ପୁତ୍ର, ଭ୍ରାତା ଭ୍ରାତାଙ୍କ ମଧ୍ୟରେ ସିଂହାସନପାଇଁ ଯେଉଁ ଭଳି ଚକ୍ରାନ୍ତ ଓ ବିଭତ୍ସ ନାରକୀୟ ଲୀଳା ଘଟି ଯାଇଛି, ତାହା ଶୁଣିଲେ କିଏ ବିଶ୍ୱାସ କରିବ ଯେ, କୌଣସି ମୋଗଲ ସମ୍ରାଟ୍ ସ୍ୱପତ୍ନୀ ପାଇଁ ଅଦ୍ୱିତୀୟ ସୌଧ ନିର୍ମାଣ କରି ପାରନ୍ତି ! ଯଥାର୍ଥରେ କହିବାକୁ ଗଲେ ଶାହାଜାହାନଙ୍କ ପରି ବିଳାସୀ ଓ ଆଡ଼ମ୍ବର ପ୍ରିୟ ସମ୍ରାଟ୍ କ୍ୱଚିତ୍ ଦେଖାଯାନ୍ତି । ଭି. ଏ. ସ୍ମିଥ୍ କହନ୍ତି, ‘‘ଅବିଶ୍ୱାସୀ, ଦାରୁଣ, ଇନ୍ଦ୍ରିୟପରାୟଣ ଓ ଲୋଭୀ ଶାହାଜାହାନ ଆଓରଙ୍ଗଜେବଙ୍କଠାରୁ ମହତ୍ତର ନ ଥିଲେ ।’’ ସେ ଯାହା ହେଉ, ଶାହାଜାହାନ ତାଜମହଲ ଓ ମୟୂର ସିଂହାସନ ପାଇଁ ଯେଉଁ ଖ୍ୟାତି ଅର୍ଜନ କରିଅଛନ୍ତି, ତାହା ବର୍ଣ୍ଣନାତୀତ ।

 

ଶାହାଜାହାନ ପୁରୁଣା ଦିଲ୍ଲୀନିକଟରେ ଅଜସ୍ର ଧନବ୍ୟୟରେ ବହୁ ପ୍ରାସାଦପୂର୍ଣ୍ଣ ଗୋଟିଏ ସୁନ୍ଦର ସହର ନିର୍ମାଣ କରି ତାହାର ନାମ ‘ଶାହାଜାହାନାବାଦ’ ଦେଇଥିଲେ । ଆଗ୍ରାରେ ଥିବା ପୂର୍ବତନ ରାଜଧାନୀକୁ ଉକ୍ତ ମନୋହର ସ୍ଥଳୀକୁ ଉଠାଇ ଆଣିଥିଲେ । କେବଳ ଏତିକି ନୁହେଁ, ଦିଲ୍ଲୀର ଜୁମାମସ୍‌ଜିଦ୍, ଆଗ୍ରାର ମୋତି ମସ୍‌ଜିଦ୍‌, ଦେଓ୍ୟାନୀଖାସ୍ ଓ ଦେଓ୍ୟାନୀଆମ୍‍ ତାଙ୍କ କୀର୍ତ୍ତିବିଭବର ଅପୂର୍ବ ନିଦର୍ଶନ । ସମ୍ରାଟ୍ ମୋତି ମସ୍‌ଜିଦ୍‌କୁ ଖ୍ରୀ: ୧୬୪୮-୫୫ ମଧ୍ୟରେ ନିର୍ମାଣ କରାଇଥିଲେ । ତାହା ମର୍ମର ପ୍ରସ୍ତରରେ ନିର୍ମିତ ହୋଇଅଛି । ତାଙ୍କ ରାଜତ୍ୱକାଳରେ ଇନ୍ଦୋ-ଇସ୍‌ଲାମୀୟ ସ୍ଥାପତ୍ୟର ଚରମ ଉତ୍କର୍ଷ ସାଧିତ ହୋଇଥିଲା । ଜୀବଦ୍ଦଶାରେ ସମ୍ରାଟ୍ ଯେଉଁ ଅତୁଳନୀୟ ସମାଧି ତୋଳାଇଥିଲେ, ତାହାର କିମ୍ବଦନ୍ତୀ ବଡ଼ ଚିତ୍ତକର୍ଷକ ।

 

ଜାହାଙ୍ଗୀରଙ୍କ ମୃତ୍ୟୁ ଅନ୍ତେ ଦିଲ୍ଲୀ ସିଂହାସନ ଲାଭ ପାଇଁ ଶାହାଜାହାନଙ୍କୁ ସ୍ୱ କନିଷ୍ଠ ଭ୍ରାତା ଶାହାରିୟାର ଓ ରାଜବଂଶର ଅନ୍ୟ କେତେକ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ପଡ଼ିଥିଲା । ସେମାନଙ୍କ ରକ୍ତରେ ସ୍ୱହସ୍ତଦ୍ୱୟକୁ ରଞ୍ଜିତ କରି ଶାହାଜାହାନ ୧୬୨୮ ଖ୍ରୀଷ୍ଟବ୍ଦରେ ନିଜକୁ ଦିଲ୍ଲୀଶ୍ୱର ବୋଲି ଘୋଷଣା କରିଥିଲେ । ଜାହାଙ୍ଗୀର ପୁତ୍ରର ବୀରତ୍ୱରେ ମୁଗ୍‌ଧ ହୋଇ ତାଙ୍କୁ ‘ଶାହାଜାହାନ’ ଉପାଧି ପ୍ରଦାନ କରିଥିଲେ । ‘ଶାହାଜାହାନ’ ଶବ୍ଦର ଅର୍ଥ ପୃଥିବୀର ସମ୍ରାଟ୍ ।

 

ସିଂହାସନ ଲାଭ କରିବାର ଷୋଳବର୍ଷ ପୂର୍ବରୁ ଶାହାଜାହାନ ମମତାଜ ମହଲଙ୍କୁ ବିବାହ କରିଥିଲେ । ସେତେବେଳେ ମମତାଜଙ୍କ ବୟସ ୧୯ବର୍ଷ ଥିଲା ଏବଂ ସେ ଆର୍ଜ୍ଜୁମଣ୍ଡ ବାନୋବେଗମ ନାମରେ ପରିଚିତା ଥିଲେ । ସମ୍ରାଟ ୧୯ବର୍ଷ କାଳ ଗାର୍ହସ୍ଥ୍ୟ ଜୀବନ ଯାପନ କରି ଚଉଦଟି ସନ୍ତାନର ପିତା ହୋଇଥିଲେ । ସେହି ସନ୍ତାନମାନଙ୍କ ମଧ୍ୟରୁ ଆଠଗୋଟି ପୁତ୍ର ଓ ଛଅଗୋଟି କନ୍ୟା ଥିଲେ । କଥିତ ଅଛି ମମତାଜମହଲ ଶେଷୋକ୍ତ ସନ୍ତାନ ପ୍ରସବ କରିବାବେଳେ ଗର୍ଭସ୍ଥିତ ନବ ଶିଶୁ କୁଆଁ କୁଆଁ ଚିତ୍କାର କଲା । ଉକ୍ତ ଘଟଣା ଧୀରେ ଧୀରେ ରାଜନଅରରୁ ରାଜ୍ୟସାରା ବ୍ୟାପିଗଲା । ସମସ୍ତେ କହିଲେ, ‘‘ସମ୍ରାଜ୍ଞୀଙ୍କର ମୃତ୍ୟୁ ସୁନିଶ୍ଚିତ ।’’ ସତକୁ ସତ ଦୀର୍ଘ ତିରିଶ ଘଣ୍ଟା କାଳ ଗର୍ଭଯନ୍ତ୍ରଣାରେ ବ୍ୟଥିତା ହୋଇ ସମ୍ରାଜ୍ଞୀ ଶେଷଥର ପାଇଁ ସମ୍ରାଟ୍‌ଙ୍କୁ ପାଖକୁ ଡାକି ଲୋତକପୂର୍ଣ୍ଣ ନୟନରେ କହିଲେ, ‘‘ସ୍ୱାମୀ, ପ୍ରଭୋ, ଜୀବନସର୍ବସ୍ୱ, ଏ ଦାସୀର ସମସ୍ତ ଦୋଷ ମାର୍ଜନା କରିବେ । ଜ୍ଞାତରେ ହେଉ ଅଥବା ଅଜ୍ଞାତସାରରେ ହେଉ, ଏ ଦାସୀ ଶ୍ରୀଚରଣରେ ଯେଉଁ ଅପରାଧ କରିଥିବ, ସ୍ୱୀୟ କ୍ଷମାଗୁଣରେ ଏ ଅଭାଗିନୀକୁ କ୍ଷମା କରିବେ । ପ୍ରଭୋ ! ସେ ଚିର କାଳପାଇଁ ଚରଣତଳେ ଦାସୀ ହୋଇ ଜୀବନଯାପନ କରିବାକୁ ଆଶା କରିଥିଲା; କିନ୍ତୁ ବିଧାତା ତାହା କରି ଦେଲା ନାହିଁ । ସେହି ପଦସେବାରୁ ବଞ୍ଚିତା ହୋଇ ସେ ଗନ୍ତବ୍ୟ ପଥରେ ଚାଲି ଯାଉଛି-। ପିତାଙ୍କ ରାଜତ୍ୱ କାଳରେ ଏ ଅଧୀନା କାରାଗୃହରେ ସୁଦ୍ଧା ସେହି ସେବାରୁ ବଞ୍ଚିତା ହୋଇ ନଥିଲା; କିନ୍ତୁ ଏହି ଦୁଃଖିନୀ ଯେତେବେଳେ ପ୍ରଭୁଙ୍କର ସୁଖ ସୌଭାଗ୍ୟମୟ ଜୀବନର ସଙ୍ଗିନୀ ହେବାକୁ ଇଚ୍ଛା କରିଥିଲା, ବିଧାତାଙ୍କର ଆଦେଶ ହେଲା—‘ସେ ସୁଖରୁ ଭାଗ୍ୟହୀନା ବଞ୍ଚିତା ହେବ-।’ ପ୍ରଭୁଙ୍କ ଆଦେଶରେ ମୁଁ ଚାଲି ଯାଉଛି । ଅଧୀନାର ଦୁଇଟି ମାତ୍ର ଅନ୍ତିମ ଜୀବନର ପ୍ରାର୍ଥନା–ପରାଣଦେବତା, ଏ ଶେଷ ଭିକ୍ଷା ରକ୍ଷା କରିବେ ।

 

‘‘ପ୍ରଥମେ ମୋ ଅନ୍ତେ ମୋର ଚାରିପୁତ୍ର ଦିଲ୍ଲୀ ସିଂହାସନ ଆରୋହଣ କରି ଆପଣଙ୍କର ଯଶଃ ରକ୍ଷା କରିବାକୁ ନିଶ୍ଚୟ ସମର୍ଥ ହେବେ । ତେଣୁ ଅନ୍ୟ ଦାର ପରିଗ୍ରହ କରିବେ ନାହିଁ ।

 

‘‘ଦ୍ୱିତୀୟରେ ମୋ ସମାଧି ଉପରେ ଏପରି ଏକ ସମାଧି ମନ୍ଦିର ନିର୍ମାଣ କରିବେ, ଯାହା କି ପୃଥିବୀରେ ଅଦ୍ୱିତୀୟ ସୌନ୍ଦର୍ଯ୍ୟଶାଳୀ ହେବ । ତାହା ମୋଗଲ ସମ୍ରାଟଙ୍କର ପ୍ରାଣପ୍ରିୟା ହତଭାଗିନୀ—‘ମମତାଜ’ର ନାମକୁ ଜଗତବିଖ୍ୟାତ ଓ ଅମର କରିବ ।’’

 

ସମ୍ରାଟ୍ ସାଶ୍ରୁଲୋଚନରେ ବ୍ୟଥିତ ହୋଇ ମମତାଜଙ୍କର ଅପୂର୍ବ ପ୍ରେମମୂର୍ତ୍ତିକୁ ବଞ୍ଚିଥିବା ଯାଏ ହୃଦୟରେ ସ୍ଥାପନ କରିବେ ବୋଲି ଦୃଢ଼ପ୍ରତିଜ୍ଞ ହେଲେ । ‘‘ତାଙ୍କ ସମାଧି ଉପରେ ଏକ ସମାଧି ମନ୍ଦିର ନିର୍ମାଣ କରିବେ ଏବଂ ତାହା ଭୁବନବିଖ୍ୟାତ ହେବ’’—ଏ ପ୍ରତିଶ୍ରୁତି ସମ୍ରାଟ୍ ବାରମ୍ବାର କରି କହିବାକୁ ଲାଗିଲେ । ସମ୍ରାଜ୍ଞୀ ଅନ୍ତିମ ଶଯ୍ୟାରେ ସ୍ୱାମୀଙ୍କର ପ୍ରେମନିଷ୍ଠା ଦେଖି ଆନନ୍ଦରେ କାନ୍ଦି ପକାଇଲେ । ଚାହୁଁ ଚାହୁଁ ତାଙ୍କ ମୁଖମଣ୍ଡଳ ପାଣ୍ଡୁର ଦିଶିଲା । ଚକ୍ଷୁଯୁଗଳ ଧ୍ରୁବ ତାରା ସମ ନିଶ୍ଚଳ ହେବାରୁ ସମ୍ରାଟ ଭୋ ଭୋ କାନ୍ଦି ଉଠିଲେ ।

 

ଏହା ପରେ ବିଳାସପ୍ରିୟ ସମ୍ରାଟ୍‌ଙ୍କ ମନରେ ଯେଉଁ ବୈରାଗ୍ୟ ଜାତ ହେଲା, ତାହା ବଡ଼ ମର୍ମସ୍ପର୍ଶୀ । ସମ୍ରାଟ୍ ଆମୋଦ ପ୍ରମୋଦ, ମୂଲ୍ୟବାନ୍ ବସ୍ତୁ, ଆଭରଣ ଓ ତୂଳିତଳ୍ପ ବର୍ଜନ କରି ଦୀନ ହୀନ ବେଶରେ କାଳାତିପାତ କରିବାକୁ ଲାଗିଲେ । ନିୟତିର ମାୟା ଯାହା, ତାହା ନିଶ୍ଚୟ ଘଟିବ । ତହିଁକି ମନୁଷ୍ୟର ହାତ କାହିଁ ?

 

ଇତି ମଧ୍ୟରେ ଦୁଇବର୍ଷ ଅତୀତ ହୋଇଗଲା । ସମ୍ରାଟ୍ ୧୬୩୦ ଖ୍ରୀଷ୍ଟାବ୍ଦରେ ମାନସିଂହଙ୍କ ବଂଶଧର ଜୟସିଂହଙ୍କଠାରୁ ଏକ ବିସ୍ତୀର୍ଣ୍ଣ ଜମି କ୍ରୟ କଲେ । ସମ୍ରାଟ୍‌ଙ୍କ ଆଦେଶରେ ଶିଳ୍ପୀମାନେ ବିଭିନ୍ନ ନକ୍‌ସା ଦିଲ୍ଲୀଶ୍ୱରଙ୍କ ନିକଟରେ ଉପସ୍ଥାପନ କଲେ । ସମ୍ରାଟ୍ ସେଗୁଡ଼ିକୁ ତନ୍ନ ତନ୍ନ ଦେଖି ପ୍ରୟୋଜନୀୟ ପରିବର୍ତ୍ତନ ସହ ଏକ ଉତ୍କୃଷ୍ଟ ନକ୍‌ସାକୁ ଗ୍ରହଣ କଲେ । ମୁକାରବତ୍ ଖାଁ ଓ ମିର୍ ଅବ୍‌ଦୁଲ୍ କରିମ୍ ଉଭୟେ ଏହାର ତତ୍ତ୍ୱ ନେଇଥିଲେ । ଉତ୍କଳ, କାନ୍ଦାହାର, ଦିଲ୍ଲୀ, କାଶ୍ମୀର ପ୍ରଭୃତି ଅଞ୍ଚଳରୁ ଆସିଥିବା ଦକ୍ଷ କୋଡ଼ିଏ ହଜାର ଶିଳ୍ପୀ ବାଇଶି ବର୍ଷ ଲାଗି ତାଜମହଲର କାର୍ଯ୍ୟ ଶେଷ କରିଥିଲେ । ଏଥିରେ କୋଡ଼ିଏ ପ୍ରକାର ବିଭିନ୍ନ ପ୍ରସ୍ତର ବ୍ୟବହୃତ ହୋଇଅଛି । ସେଥି ମଧ୍ୟରୁ ଅଧିକାଂଶ ଏସିଆ ଓ ଆଫ୍ରିକା ମହାଦେଶରୁ ବଛାଯାଇ ବହୁ ମୂଲ୍ୟରେ ଆସିଥିଲା । କଥିତ ଅଛି, ପଥରଗୁଡ଼ିକ ଯେତେ ଖଣ୍ଡି ଶଗଡ଼ ଗାଡ଼ିରେ ଅଣାଯାଇଥିଲା, ଯଦି ସେଗୁଡ଼ିକୁ ପଛକୁ ପଛ ଖଞ୍ଜି ଦିଆଯାଏ, ତେବେ ତାହା ଦୂରତାରେ ପ୍ରାୟ ଦୁଇ ହଜାର ଚାଳିଶ ମାଇଲ ହେବ । ସମ୍ରାଟ୍ ରାଜ୍ୟର କୋଟି କୋଟି ଧନ ବ୍ୟୟ କରି ଯାହା କରିଅଛନ୍ତି, ତାହା କଦାପି ଭୁଲି ହେବ ନାହିଁ ।

 

ତାଜମହଲର ଗଠନକୌଶଳ ଅତି ଚମତ୍କାର ! ଏକ ସୁଦୀର୍ଘ ପ୍ରାଚୀର ମସଜିଦ୍‌ର ଚତୁର୍ଦ୍ଦିଗରେ ଘେରି ରହିଛି । ପୂର୍ବପଶ୍ଚିମ ପାର୍ଶ୍ୱ ପ୍ରାଚୀରର ଦୈର୍ଘ୍ୟ ୧୨୪୦ ହାତ । ଉତ୍ତର-ଦକ୍ଷିଣ ପାର୍ଶ୍ୱର ପ୍ରସ୍ଥ ୬୬୭ ହାତ । ଏତଦ୍‌ବ୍ୟତୀତ ପ୍ରାଚୀରର ଚାରିକୋଣରେ ଚାରୋଟି ଚୂଡ଼ା ଏବଂ ତିନି ପାର୍ଶ୍ୱରେ ତିନୋଟି ତୋରଣ ରହିଛି । ତାଜମହଲର ମୁଖ୍ୟ ତୋରଣଟି ବୃହତ୍ତମ । ତୋରଣଗୁଡ଼ିକ ଉପରେ ଅବସ୍ଥିତ; ତାହା ଉପରେ ୨୬ଟି ସୁବର୍ଣ୍ଣ କଳସ ରହିଛି । ପ୍ରତ୍ୟେକ କୋଠରୀ ମଧ୍ୟରେ ସୁନାର ଶିଙ୍କୁଳାରେ ରତ୍ନଦୀପମାନ ଝୁଲୁଥିଲା । ମାତ୍ର ଆଜି ସେ ସବୁ ଅପହୃତ ହୋଇଛି ।

 

ଶାହାଜାହାନ ସିଂହାସନ ଅଧିକାର କରିବାବେଳକୁ ତାଙ୍କ ଅଧୀନରେ ଦୁଇଟି ବଡ଼ ଘରେ ଯଥେଷ୍ଟ ସୁନା, ରୂପା, ମଣି, ମାଣିକ୍ୟ ଗଚ୍ଛିତ ଥିଲା । ସେହି ମୂଲ୍ୟବାନ୍ ଜିନିଷଗୁଡ଼ିକୁ ନେଇ ଏକ ସୁନ୍ଦର ସିଂହାସନ କରିବାପାଇଁ ସମ୍ରାଟଙ୍କର ଅତୀବ ଇଚ୍ଛା ବଳିଥିଲା । ବିବାଦଲ ଖାଁଙ୍କ ତତ୍ତ୍ୱାବଧାନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଲା । ଏଥିପାଇଁ ପୂରା ସାତ ବର୍ଷ ଲାଗିଥିଲା । ସିଂହାସନଟି ପାୟ ଖଟପରି ଦିଶୁଥିଲା । ତାହାର ଗୋଡ଼ଗୁଡ଼ିକ ସୁନାରେ ନିର୍ମିତ ହୋଇଥିଲା । ବାର ଗୋଟି ଉଜ୍ଜ୍ୱଳ ସ୍ତମ୍ଭଦ୍ୱାରା ଏକ ଚନ୍ଦ୍ରାତପ ଉଦ୍‌ଭାସିତ ହେଉଥିଲା । ସ୍ତମ୍ଭ ଦେହରେ ଦୁଇଟି ମୟୂର ଖଚିତ ହୋଇ ଜୀବନ୍ତ ଦିଶୁଥିଲେ ।

 

ତାଜମହଲର ରକ୍ଷଣାବେକ୍ଷଣ ନିମନ୍ତେ ସମ୍ରାଟ ତିରିଶଟି ପ୍ରଗଣାର ଆୟ ଅନ୍ୟୂନ ଏକ ଲକ୍ଷ ମୁଦ୍ରା ଖଞ୍ଜି ଦେଇ ଯାଇଥିଲେ ।

 

ଆଜି ଶାହାଜାହାନ ନାହାନ୍ତି, କି ମମତାଜମହଲ ନାହାନ୍ତି; କିନ୍ତୁ ସେହି ଅନାବିଳ ପ୍ରେମର ଉଜ୍ଜ୍ୱଳ ନିଦର୍ଶନ ‘ତାଜମହଲ’ ମୂକ ସାକ୍ଷୀ ରୂପେ ଦଣ୍ଡାୟମାନ ହୋଇ ଅତୀତ ଯୁଗର ଦିଲ୍ଲୀଶ୍ୱରଙ୍କ ଗୁଣ କୀର୍ତ୍ତନ କରୁଛି ।

Image

 

ମାରାତ୍ମକ ବୋମାବର୍ଷଣ ଓ ଜନକ୍ଷୟ

 

ଖ୍ରୀଷ୍ଟ ଜନ୍ମର ଅର୍ଦ୍ଧ ସହସ୍ରାଧିକ ବର୍ଷ ପୂର୍ବେ ଭାରତର ସୁପ୍ରସିଦ୍ଧ ହିନ୍ଦୁ ଦାର୍ଶନିକ କଣାଦ ସୂକ୍ଷ୍ମ ଚିନ୍ତା ବଳରେ ପ୍ରଚାର କରିଥିଲେ ଯେ, ବିଶ୍ୱ ପ୍ରକୃତିର ସକଳ ବସ୍ତୁ ସୂକ୍ଷ୍ମାତିସୂକ୍ଷ୍ମ କଣିକାର ସମନ୍ୱୟରେ ଗଠିତ । ତତ୍‌ପୂର୍ବରୁ ଉପନିଷଦକାରମାନେ ଏହି ପରିଦୃଶ୍ୟମାନ ଜଡ଼ଜଗତ ମୂଳରେ ପଞ୍ଚ ମହାଭୂତ ବା ପଞ୍ଚ ମୌଳିକପଦାର୍ଥ ଅଛି ବୋଲି ଜାଣିଥିଲେ । ସେଗୁଡ଼ିକ କ୍ଷିତି, ଅପ୍, ତେଜ, ମରୁତ୍, ବ୍ୟୋମ । ସେମାନଙ୍କର ସେହି ଅଭ୍ରାନ୍ତ ପରମାଣୁବାଦ, ଏ ଯୁଗର ବୈଜ୍ଞାନିକମାନଙ୍କ ନିକଟରେ ଯେଭଳି ବିଶ୍ୱଧ୍ୱଂସୀ ରୂପ ଧାରଣ କରିଛି, ତାହା ନ ଜାଣିଛି କିଏ ?

 

ବିଗତ ଦ୍ୱିତୀୟ ମହାସମରର ଆଶୁ-ଅବସାନ ପାଇଁ ପରମାଣୁ ବୋମା ଯେ ମୁଖ୍ୟତଃ ଦାୟୀ, ଏହା ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇପାରେ । ଉକ୍ତ ବୋମା ଯୋଗୁଁ ଜାପାନର ସମୃଦ୍ଧିମନ୍ତ ନଗରୀଦ୍ୱୟ ହିରୋସୀମା ଓ ନାଗାସାକିରେ ଯେଉଁ ଅଶ୍ରୁତପୂର୍ବ ଓ ଅଦୃଷ୍ଟପୂର୍ବ ଲୋମହର୍ଷଣକାରୀ ଘଟଣା ଘଟିଗଲା, ତାହାର ସୁବିସ୍ତୃତ ବିବରଣୀ ପ୍ରକାଶ କରିବା ବଡ଼ କଠିନ । ଏଥିରେ ଯେଉଁ ପ୍ରଭୂତ ଧନ ଓ ଜନକ୍ଷୟ ଘଟିଥିଲା, ତାହା ଚିନ୍ତା କଲେ ହୃଦୟ ଦୁଃଖରେ ଭାଙ୍ଗିପଡ଼େ ।

 

ପରମାଣୁ ବୋମା ଉଦ୍ଭାବିତ ହେବା ପୂର୍ବରୁ ପୃଥିବୀରେ ଟି. ଏନ୍. ଟି. (T.N.T.) ଶ୍ରେଷ୍ଠ ବିସ୍ଫୋରକ ରୂପେ ପରିଚିତ ହେଉଥିଲା । ଆମେରିକା ଯୁକ୍ତରାଷ୍ଟ୍ରର ସରକାର ବିପୁଳ ଅର୍ଥ ବ୍ୟୟକରି ନିଉମେକ୍‌ସିକୋର ସାଣ୍ଟାଫୋ ସହର ନିକଟରେ ଏକ ପ୍ରକାଣ୍ଡ କାରଖାନା ପ୍ରତିଷ୍ଠା କରିଥିଲେ ଏବଂ ଡକ୍ଟର ରବର୍ଟ ଓ ପେନ୍‌ହେମରଙ୍କ ତତ୍ତ୍ୱାବଧାନରେ ପରମାଣୁ ବୋମା ପ୍ରସ୍ତୁତ କରାଯାଇଥିଲା । ଉକ୍ତ ବୋମା ଟି. ଏନ୍. ଟି. ଅପେକ୍ଷା ବହୁ ଗୁଣରେ ଶକ୍ତିଶାଳୀ । ୫୪୦,୦୦୦ ମହଣ T.N.T. ର ବିସ୍ଫୋରଣ ଶକ୍ତି ଗୋଟିଏ ବୋମା ସହିତ ସମାନ । ପରମାଣୁ ବୋମା କି କାଣ୍ଡ ସୃଷ୍ଟିକରେ, ତାହା କାହାରିକୁ ଜଣା ନଥିଲା । ବୈଜ୍ଞାନିକମାନେ ମଧ୍ୟ ତାହା ପରୀକ୍ଷା କରିବା ପାଇଁ ଆମେରିକାର ଏରିଜୋନୋ ସହରର ଏକ ପ୍ରସିଦ୍ଧ ଲୌହ ଦୁର୍ଗକୁ ମନୋନୀତ କରିଥିଲେ । ୧୯୪୫ ମସିହା ଜୁଲାଇ ମାସ ୧୭ ତାରିଖ ସକାଳ ୫ । ୩୦ ମିନିଟ୍ ସମୟରେ ବୋମାକୁ ପରୀକ୍ଷା କରିବାର ସ୍ଥିର ହେଲା । ଡକ୍ଟର ହେମର, ଜେନରାଲ ଗ୍ରୋଭେସ୍ ଓ ଆହୁରି କେତେକ ପ୍ରଖ୍ୟାତ ବୈଜ୍ଞାନିକ ପୂର୍ବଦିନ ୧୬ ତାରିଖ ରାତ୍ରି ତିନିଟାବେଳେ ପରିଚାଳନା କେନ୍ଦ୍ରରେ ଉପସ୍ଥିତ ହୋଇ, ସମସ୍ତ ଯନ୍ତ୍ରପାତି ଠିକ୍ ଅଛି କି ନାହିଁ ଉତ୍ତମ ରୂପେ ପରୀକ୍ଷା କରିଥିଲେ । ପୂର୍ବରୁ ଅସଂଖ୍ୟ ଦର୍ଶକ ସତର ହଜାର ଗଜ ଦୂରରେ ଥାଇ ସେହି ଭୟାବହ ଦୃଶ୍ୟକୁ ଅପେକ୍ଷା କରି ରହିଥାନ୍ତି । ବୋମା ବିସ୍ଫୋରଣର ଅବସ୍ଥା ଲିପିବଦ୍ଧ କରିବାପାଇଁ କେତେକ ବୈଜ୍ଞାନିକ ଓ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ଫଟୋଗ୍ରାଫର୍ ପ୍ରସ୍ତୁତ ହୋଇଥିଲେ । ପାଗ ବିଶେଷ ପ୍ରତିକୂଳ ନ ଥିଲେ ସୁଦ୍ଧା ଘନ ଅନ୍ଧକାର ରାତ୍ରିରେ ବୋମାଟିକୁ ପରୀକ୍ଷା କରାଗଲା । ଦେଖାଗଲା, ସେହି ମୁହୂର୍ତ୍ତରେ ଏକ ଉଜ୍ଜ୍ୱଳ ଆଲୋକପିଣ୍ଡ ମଧ୍ୟାହ୍ନକାଳୀନ ସୂର୍ଯ୍ୟଙ୍କଠାରୁ ବହୁଗୁଣରେ ଉଜ୍ଜ୍ୱଲତର ହୋଇ ନଭୋମଣ୍ଡଳକୁ ଉତ୍‌କ୍ଷିପ୍ତ ହୋଇଥିଲା । ନୀଳ ଚଷମା ବ୍ୟବାହାର କରି ନ ଥିବା ଦର୍ଶକମାନଙ୍କ ବ୍ୟତୀତ ଅନ୍ୟମାନେ ପ୍ରାୟ ଆଖିରେ କଷ୍ଟ ଅନୁଭବ କରିଥିଲେ । ଛଅ ମାଇଲ ଦୂରରେ ଥିବା ଜନୈକ ଦର୍ଶକ ଅଳ୍ପ ସମୟ ପାଇଁ ଅନ୍ଧ ହୋଇ ଯାଇଥିଲେ । ଦୂର ପର୍ବତଗୁଡ଼ିକ ଠିକ୍ ଦିନପରି ପ୍ରତୀୟମାନ ହେଉଥିଲା । ଅଲୋକ ଉଦ୍ଭବ ହେବାର ଚାଳିଶ କି ପଚାଶ ସେକେଣ୍ଡପରେ ଏକ ପ୍ରଳୟଙ୍କରୀ ଗର୍ଜନ ଶୁଣାଗଲା । ଦୁଇଶହ ପଚାଶ ମାଇଲ ଦୂରରେ ଥିବା ଗୃହଗୁଡ଼ିକର ଝରକାସମୂହ ଶବ୍ଦରେ ପ୍ରକଂପିତ ହୋଇଗଲା । ଭୂପୃଷ୍ଠରୁ ପ୍ରାୟ ଚାଳିଶ ହଜାର ଫୁଟ ଉର୍ଦ୍ଧ୍ୱକୁ ବିରାଟ ଧୂମ୍ର-ମେଘ-ପଟଳ ଉଠି ଆକାଶକୁ ଘଡ଼ିକେ ଆଚ୍ଛାଦନ କରିଥିଲା । ପ୍ରବଳ ଝଡ଼ଯୋଗୁଁ ଦୁଇ ଜଣ ବ୍ୟକ୍ତି ବହୁ ଦୂରକୁ ଉଡ଼ିଯାଇଥିଲେ । ୧୨୦ ମାଇଲ ଦୂରରେ ଥିବା ଆଲବୁକୋୟାର୍କ ସହରଟି ଠିକ୍ ଦିନ ପରି ଆଲୋକିତ ହୋଇଗଲା । ଗୋଟିଏ ଅନ୍ଧ ବାଳିକା ଚିତ୍କାର କରି କହିଲା—‘ଏ କି ଆଲୋକ !’

 

ଏ ପ୍ରକାର ବୋମା ଆମେରିକାର ବିଭିନ୍ନ ସ୍ଥାନରେ ତିନିଥର ପରୀକ୍ଷିତ ହୋଇଥିଲା । ପରିଶେଷରେ ଆମେରିକାର ସୈନ୍ୟବାହିନୀକୁ ତାହା ବ୍ୟବହାର କରିବା ନିମନ୍ତେ ଆଦେଶ ଦିଆଯାଇଥିଲା ।

 

୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖ । ସମୟ ଠିକ୍ ସକାଳ ୯।୩୦ ମିନିଟ୍ । ଏତିକିବେଳେ ଆମେରିକାର ବିମାନ ବାହିନୀ ବିଶ୍ୱ-ବିଶ୍ରୁତ ପରମାଣୁ ବୋମାକୁ ଜାପାନର ସାମରିକ ସହର ହିରୋସୀମା ଉପରେ ନିକ୍ଷେପ କରିଥିଲେ । ସେହି ସମୟକୁ ହିରୋସୀମାର ଜନସଂଖ୍ୟା ଚାରି ଲକ୍ଷ ପଞ୍ଚାଳିଶ ହଜାର ଥିଲା । ମାତ୍ର ସେକଣ୍ଡ ମଧ୍ୟରେ ବୋମାଯୋଗୁ ପ୍ରାୟ ଏକ ଲକ୍ଷ ଜନକ୍ଷୟ ହୋଇଥିଲା । ପ୍ରାୟ ଦୁଇ ଲକ୍ଷ ବ୍ୟକ୍ତି କ୍ଷତବିକ୍ଷତ ହୋଇ କରୁଣ ଚିତ୍କାର କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ଦାରୁଣ ଯନ୍ତ୍ରଣା ଭୋଗ କରି ପ୍ରାଣ ହରାଇଥିଲେ । ଯେଉଁମାନେ ବଞ୍ଚି ରହିଥିଲେ, ସେମାନଙ୍କର ଯାତନାକାହାଣୀ ବର୍ଣ୍ଣନା କରିବା ସହଜ ନୁହେଁ ।

 

ବୋମା ବିସ୍ଫୋରିତ ହେବାକ୍ଷଣି ତହିଁରେ ଥିବା ଇଉରେନିୟମ ନାମକ ଏକ ଧାତୁର ଲକ୍ଷ ଲକ୍ଷ ଡିଗ୍ରୀ ତାପ-ବାଷ୍ପ ସୃଷ୍ଟି ହୋଇଥିଲା ଏବଂ ତାହା ଆକାଶର ସାଧାରଣ ଚାପ ଅପେକ୍ଷା ଶହେ କୋଟି ଗୁଣ ଅଧିକ ହେଲା । ଲକ୍ଷାଧିକ ଲୋକ ଦୁଇ ସେକେଣ୍ଡ ମଧ୍ୟରେ ଛାରଖାର ହୋଇଗଲେ । ଜାପାନର ପଦାର୍ଥବିତ୍ ଯୋସିଓ ନିସାନା ବିଧ୍ୱସ୍ତ ନଗରୀର ଯେଉଁ ବିଭତ୍ସ କରୁଣ ଚିତ୍ର ବର୍ଣ୍ଣନା କରନ୍ତି, ତାହା ଶୁଣିଲେ ହୃଦୟ ଦୁଃଖରେ ଦ୍ରବୀଭୂତ ହୁଏ । ବିଜ୍ଞାନର ଚରମ ପରିଣତି କି ଭୟଙ୍କର ତାହା ଅକ୍ଲେଶରେ ବୁଝିହୁଏ ।

 

ପଦାର୍ଥବିତ୍ ଦେଖିଲେ ଯେ, କେହି ବ୍ୟକ୍ତି ଠିଆହୋଇ ମରିଯାଇଛି ଓ ଆଉ କେହି ମାଟି କାମୁଡ଼ି ଭୂମିରେ ପଡ଼ିଛି । କାହାର ଆଖିରୁ ରକ୍ତ ଝରୁଥିଲେ, ଆଉ କାହାର କାନରୁ ରକ୍ତ ଧାର ବୋହୁଥିଲା । କେହି ରକ୍ତ ବାନ୍ତି କରି ଆଖି ଦୁଇଟି ମୁଦି ଦେଇ ଢ଼ୁଳାଇ ପଡ଼ିଛି । କେଉଁଠି ପାଗଳିନୀ ମାତା ତାହାର ଅର୍ଦ୍ଧଦୁଗ୍‌ଧ ମୃତ ସନ୍ତାନକୁ ପିଠିରେ ପକାଇ ବିଳାପ କରି କରି ସହରମଧ୍ୟରୁ ପଳାଇଯାଉଛି । କାହାର ମୁଣ୍ଡ ଥିଲେ, କାହାର ହାତ ନାହିଁ । ମଣିଷ ଶବକୁ ଚିହ୍ନିବା ଆଦୌ ସହଜ ହେଉ ନ ଥିଲା । ସହରର ପୋଲିସ ଫଉଜ ପ୍ରାୟ ନିଶ୍ଚିହ୍ନ ହୋଇ ଯାଇଥିଲେ । ଡାକ୍ତରଖାନା, ସ୍କୁଲ, କଲେଜ, ଉପାସନା ମନ୍ଦିର ପ୍ରଭୃତି ଧୂଳିସାତ୍ ହୋଇଥିଲା । ସହରର ମେୟର ତାଙ୍କ ପରିଷଦ ବର୍ଗଙ୍କ ସହ ମୃତ୍ୟୁମୁଖରେ ପତିତ ହୋଇଥିଲେ । ଚିକିତ୍ସା ନ ପାଇ ଲୋକ ହାହାକାର ହୋଇ ପ୍ରାଣ ହରାଉଥିଲେ । ସାରା ସହରଟା ଆର୍ତ୍ତନାଦରେ କଂପି ଯାଉଥିଲା ।

 

ବୋମା ଫୁଟିବାର କିୟତ୍‌କ୍ଷଣ ପରେ ସହରରେ ଅଗ୍ନ୍ୟୁତ୍ସବ ଦେଖା ଯାଇଥିଲା । ପ୍ରକାଣ୍ଡ ଅଗ୍ନିଶିଖା ତାହାର ଲେଲିହାନ ଜିହ୍ୱା ବିସ୍ତାର କରି ସହରଟିକୁ ଭସ୍ମୀଭୂତ କରିବାକୁ ଲାଗିଲା । କେତେକ ବ୍ୟକ୍ତି ପଳାଇଯିବାର ଉପାୟ ନ ଦେଖି ପୋଡ଼ି ହୋଇ ମଲେ । କେହି କେହି ଜୀବନ୍ତ ଦଗ୍‌ଧ ହୋଇ ସାହାଯ୍ୟ ଭିକ୍ଷା କରୁଥିଲେ ସୁଦ୍ଧା ଦୁଃଖ ଶୁଣିବାକୁ କାହାରିକୁ ବେଳ ନ ଥିଲା ।

 

ଜାପାନର ଜଣେ ଅଫିସର୍ କହନ୍ତି ଯେ, ସେ ଏକ ହୋଟେଲରେ ବସି ଭୋଜନ କରୁଥିବାବେଳେ ହଠାତ୍ ଆକାଶମଣ୍ଡଳ ଲକ୍ଷ ଗୁଣରେ ଆଲୋକିତ ହେଲା । ସେ ବିସ୍ମିତ ହୋଇ ପଦାକୁ ଧାଇଁ ଆସିଲେ, କିନ୍ତୁ ସେ କିଛି ଦେଖି ପାରିଲେ ନାହିଁ । କାହୁଁ ଏକ ମୋଟା କମ୍ବଳ ତାଙ୍କ ଉପରେ ଆସି ପତିତ ହେଲା । ସେ ତାହା ଘୋଡ଼ାଇ ହୋଇ ତଳେ ମୁହଁ ମାଡ଼ି ଶୋଇ ରହିଲେ । ତତ୍‌କ୍ଷଣାତ୍ ତାଙ୍କର ଜ୍ଞାନ ହଜିଗଲା । ସେ ଆଉ କିଛି ଜାଣି ପାରିଲେ ନାହିଁ । କେତେକ ସମୟ ଅତିବାହିତ ହେବା ପରେ ସେ ସଂଜ୍ଞାଲାଭ କରି ଦେଖିଲେ ଯେ ସହରଟା ଆଉ ନାହିଁ । ପୋଡ଼ି ଜଳି ଭସ୍ମ ହୋଇଯାଇଛି ।

 

ଯେଉଁ ଉଡ଼ାଜାହାଜରେ ପରମାଣୁ ବୋମାକୁ ନିଆଯାଇଥିଲା ତାହାର ନାମ—ଏଲୋନାଗେ । ‘ଟିବ୍‌ବେଟ୍’ ‘ମକ୍‌ସଭାଇଲ’ ଓ ‘ପାର୍ସନ ତହିଁର ଚାଳକ ହୋଇଥିଲେ । ବୋମା ପଡ଼ିବାର ଚାରିଘଣ୍ଟା ପରେ ଟିବ୍‌ବେଟ୍ ଦୂରରୁ ଫଟୋ ଉତ୍ତୋଳନ କରିବା ପାଇଁ ଚେଷ୍ଟା କରିଥିଲେ; ମାତ୍ର ଆକାଶମଣ୍ଡଳ କେବଳ ଧୂମାଳ ଛଡ଼ା ଅନ୍ୟ କିଛି ଦେଖାଯାଉ ନ ଥିଲା ।

 

ବିମାନର କ୍ୟାପ୍‌ଟେନ୍ କହନ୍ତି,‘‘....କୌଣସି ବାଧାବିଘ୍ନ ଘଟି ନାହିଁ; ଅନୁକୂଳ ଅବସ୍ଥାରେ ସକାଳ ୯।୩୦ ମିନିଟ୍‌ରେ ଆମେ ବୋମା ନିକ୍ଷେପ କଲୁ । ଆମେ ଜାଣିଥିଲୁ ଯେ, ସେଠାରେ ସାଙ୍ଗେ ସାଙ୍ଗେ କି ନାରକୀୟ ଲୀଳା ସଂଘଟିତ ହେବ; ତେଣୁ ୩୦ ସେକେଣ୍ଡରୁ କମ୍ ସମୟରେ ଆମେ ବିମାନ ଘେନି ଫେରି ଆସିଲୁ ।’’

 

‘‘ଆମେ ପଛରେ ଯାହା ଦେଖିଲୁ, ତାହା ସହଜରେ ବିଶ୍ୱାସ କରି ହେବ ନାହିଁ । ଆମ ତଳେ ଏକ ପ୍ରକାଣ୍ଡ କୃଷ୍ଣପଟଳ ମେଘ କ୍ଷିପ୍ର ବେଗରେ ଉପରକୁ ଉଠୁଥିବାର ଦେଖାଗଲା । ...ଆମ୍ଭେମାନେ ଅନ୍ୟୂନ ଦଶ ମାଇଲ ଦୂରରେ ଯେତେବେଳେ ହେଲୁ; ପ୍ରତ୍ୟେକ ବ୍ୟକ୍ତି ରଙ୍ଗିନ୍ ଚଷମା ପିନ୍ଧିଥିଲେ ସୁଦ୍ଧା ସେତେବେଳେ ପର୍ଯ୍ୟନ୍ତ ଆମ୍ଭେମାନେ ଆଖିରେ ଏକ ଆଘାତ ଅନୁଭବ କରୁଥଲୁ ।’’

 

ହିରୋସୀମାରେ ବୋମା ପଡ଼ିବାର ଠିକ୍ ତିନିଦିନ ପରେ ଅଗଷ୍ଟ ୯ ତାରିଖ ଦିନ ସାର୍ ଚାର୍ଲସ ସୁଇଜେ ‘ଗ୍ରେଟ୍ ଆର୍ଟିଷ୍ଟ’ ନାମକ ଏକ ଜାହାଜରେ ଯାଇ ଜାପାନର ଅନ୍ୟତମ ସୌନ୍ଦର୍ଯ୍ୟଶାଳୀ ନଗରୀ ନାଗାସାକି ଉପରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରିଥିଲେ । ତାହା ପୁନରାୟ ମହାପ୍ରଳୟ ସୃଷ୍ଟି କରିଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ବିଜୟ ଗର୍ବରେ ଉନ୍ମତ୍ତ ହୋଇ ଯେଉଁ ବେତାର ବାର୍ତ୍ତାଦ୍ୱାରା ଜାପାନକୁ ଚରମ ସତର୍କ ବାଣୀ ଶୁଣାଇଥିଲେ, ତାହା ଏହି—‘‘ଜାପାନରେ ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିବା ପର୍ଯ୍ୟନ୍ତ ଆମ୍ଭେମାନେ ପରମାଣୁ ବୋମା ପ୍ରୟୋଗ କରୁଥିବୁ ।’’

 

‘‘ଜଗତ ଜାଣୁ ଯେ, ଆମ୍ଭେମାନେ ପ୍ରଥମେ ଜାପାନର ସାମରିକ ଘାଟି ହିରୋସୀମା ଉପରେ ପ୍ରଥମ ପରମାଣୁ ବୋମା ପକାଇଛୁ । ତାର କାରଣ, ଆମେ ଯେତେଦୂର ସମ୍ଭବ ବେସାମରିକ ଲୋକଙ୍କୁ ଏହି କଷ୍ଟରୁ ବଞ୍ଚାଇବାକୁ ଚାହିଁଥିଲୁ । ଏ ଆକ୍ରମଣ ସତର୍କ ସୂଚକ ମାତ୍ର; ଯଦି ଜାପାନ ଆତ୍ମସମର୍ପଣ ନ କରେ, ତେବେ ଜାପାନର ଯୁଦ୍ଧଶିଳ୍ପ କେନ୍ଦ୍ରମାନଙ୍କ ଉପରେ ଏ ବୋମା ନିକ୍ଷେପ କରାଯିବ ଏବଂ ଫଳରେ ଲକ୍ଷ ଲକ୍ଷ ବେସାମରିକ ବ୍ୟକ୍ତିଙ୍କର ପ୍ରାଣ ବିନଷ୍ଟ ହେବ-। ମୁଁ ଜାପାନର ବେସାମରିକ ଅଧିବାସୀମାନଙ୍କୁ ଶିଳ୍ପକେନ୍ଦ୍ର ଛାଡ଼ି ଶୀଘ୍ର ଚାଲିଯିବାକୁ ପରାମର୍ଶ ଦେଉଛି—ନୋହିଲେ ମୃତ୍ୟୁ ଅବଶ୍ୟମ୍ଭାବୀ ।

 

‘‘ଆମେ ଭଗବାନଙ୍କୁ ଧନ୍ୟବାଦ ଦେଉଛୁ ଯେ, ଏହା ଆମ ଶତ୍ରୁ ହାତକୁ ନ ଯାଇ ଆମ ହାତକୁ ଆସିଛି । ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଜଗତର ହିତ ନିମନ୍ତେ ଏବଂ ତାଙ୍କର ଉଦ୍ଦେଶ୍ୟ ସାଧନ ପାଇଁ ଏହାକୁ ବ୍ୟବହାର କରିବାରେ ସେ ଆମକୁ ପରିଚାଳିତ କରିବେ।’’

 

ଏହାପରେ ଜାପାନ ସରକାର ବୃଥା ଧନ ଜନକ୍ଷୟକୁ ଶ୍ରେୟ ନ ମଣି ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ ଏବଂ ଦ୍ୱିତୀୟ ବିଶ୍ୱମହାଯୁଦ୍ଧ ଏହିଠାରେ ସମାପ୍ତ ହେଲା । ଯୁଦ୍ଧର ଅବସାନ ହୋଇଥିଲେ ସୁଦ୍ଧା ପୃଥିବୀବାସୀଙ୍କ ହୃଦୟରୁ ଆଣବିକ ଶକ୍ତିର ଚମକ କଦାପି ଦୂରୀଭୂତ ହୋଇନାହିଁ ।

 

ବୋମାର ବିସ୍ଫୋରଣହେତୁ ଯେଉଁମାନେ ସେହି ମୁହୂର୍ତ୍ତରେ ପ୍ରାଣତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ସୁଖୀ । ଯେଉଁମାନେ କୌଣସି ଆଘାତ ନ ପାଆନ୍ତି, ସେମାନେ ବୋମାର ପରବର୍ତ୍ତୀ ପ୍ରଭାବ (After-effect) ଦ୍ୱାରା ଆକ୍ରାନ୍ତ ହୋଇ ଧୀରେ ଧୀରେ ମୃତ୍ୟୁର ସନ୍ନିକଟ ହୁଅନ୍ତି ଏବଂ ପରିଶେଷରେ ପ୍ରାଣ ବିସର୍ଜନ କରନ୍ତି । ଉକ୍ତ ବୋମାରୁ ଯେଉଁ ଗାମା-ରଶ୍ମି ବିଚ୍ଛୁରିତ ହୁଏ ତାହା ଫୁସ୍‌ଫୁସ୍, ହୃଦ୍‌ଯନ୍ତ୍ର ଓ ମସ୍ତିସ୍କକୁ ନିଷ୍କ୍ରିୟ କରିଦିଏ । ଲୋକେ ରକ୍ତସ୍ରାବ, ଜର, ନାନା ଦୈହିକ ଯନ୍ତ୍ରଣାରେ ପ୍ରପୀଡ଼ିତ ହୁଅନ୍ତି । ଅସ୍ଥି ମଧ୍ୟସ୍ଥିତ ମଜ୍ଜା ଗାମା-ରଶ୍ମି ପ୍ରଭାବରେ ନଷ୍ଟ ହୁଏ ଏବଂ ମୁଣ୍ଡବାଳ ଉପୁଡ଼ିଯାଏ ଓ ଦେହରୁ ଶକ୍ତି କ୍ରମଶଃ ହ୍ରାସ ପାଏ ।

 

ବୋମାର ମାରାତ୍ମକତା ଦର୍ଶାଇବାକୁ ଯାଇ ବୈଜ୍ଞାନିକମାନେ କହନ୍ତି ଯେ, ଏଥିରୁ ଯେଉଁ ଶକ୍ତି ନିର୍ଗତ ହୁଏ ତାହା ସମୂହ ଶକ୍ତିର ଏକ ସହସ୍ରାଂଶ । ଯଦି ସମୁଦାୟ ଶକ୍ତିକୁ କାର୍ଯ୍ୟରେ ପ୍ରୟୋଗ କରାଯାଏ ତେବେ ଫଳ କି ଭୟଙ୍କର ନ ହେବ ?

 

ପରମାଣୁଶକ୍ତି ଜନକଲ୍ୟାଣର ଏକ ଅସରନ୍ତି ଉତ୍ସ ! ଅଧୁନା ଏହାଦ୍ୱାରା କର୍କଟ ରୋଗ ଭଲ ହେବାପାଇଁ ବିଶେଷଜ୍ଞମାନେ ଚେଷ୍ଟା କଲେଣି । ପୁନଶ୍ଚ ରେଳଗାଡ଼ି ଓ ବୁଡ଼ାଜାହାଜ ଏହି ଶକ୍ତିବଳରେ ଯାତାୟାତ କରିବ ବୋଲି ବୈଜ୍ଞାନିକମାନେ ପ୍ରତିଶ୍ରୁତି ଦେଉଛନ୍ତି ।

 

ଈଶ୍ୱର କରନ୍ତି, ମନୁଷ୍ୟର ବୁଦ୍ଧି ସତ୍‌ଦିଗରେ ପରିଚାଳିତ ହୋଇ ପୃଥିବୀର ମଙ୍ଗଳ ହେଉ ।

Image

 

ସମୟବିଜ୍ଞାପକ ବିଚିତ୍ର ଘଣ୍ଟା

 

ଅତି ପ୍ରାଚୀନ କାଳରୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ଲୋକେ ସମୟ ରଖିବାର ଉପାୟ ଜାଣିଥିଲେ । ଜ୍ୟୋତିସ୍ତତ୍ୱବିତ୍ ପଣ୍ଡିତ ଭାସ୍କରାଚାର୍ଯ୍ୟ ସ୍ୱକନ୍ୟା ଲୀଳାବତୀଙ୍କୁ ବିବାହ ଦେବା ପାଇଁ ଶୁଭଲଗ୍ନ ସ୍ଥିର କରିବା ଉଦ୍ଦେଶ୍ୟରେ ଜଳପାତ୍ରରେ ଏକ ଛିଦ୍ର କରି ତାହାକୁ ଜଳରେ ଭସାଇ ଦେଇଥିଲେ । ସ୍ଥିର କରିଥିଲେ, ପାତ୍ରଟି ଜଳରେ ପୂର୍ଣ୍ଣ ହେବାକ୍ଷଣି ଶୁଭଲଗ୍ନ ଉପସ୍ଥିତ ହେବ । ପ୍ରାଚୀନ ଇଜିପ୍‌ଟ୍‌ବାସୀ ଜଳପୂର୍ଣ୍ଣ ପାତ୍ର ତଳେ ଏକ ସୂକ୍ଷ୍ମ ଛିଦ୍ର କରୁଥିଲେ ଏବଂ ଜଳ ତହିଁରୁ ଟୋପା ଟୋପା ହୋଇ ପଡ଼ୁଥିଲା । ସେମାନେ ପାତ୍ର ଦେହରେ ସମବ୍ୟବଧାନରେ ଯେଉଁ ସମୟ ଚିହ୍ନି ଅଙ୍କନ କରିଥିଲେ ତଦ୍ଦ୍ୱାରା ହିଁ ହାରାହାରି ସମୟ ନିରୂପିତ ହେଉଥିଲା । ପାଣି ଯେତିକି ଝରୁଥିଲା, ସେମାନେ ଅଙ୍କିତ ଚିହ୍ନରୁ ସମୟ ଜାଣୁଥିଲେ । ଇଂଲଣ୍ଡର ରାଜା ଆଲଫ୍ରେଡ଼୍ ଘଣ୍ଟା କ’ଣ ଜାଣି ନ ଥିଲେ । ସେ ପ୍ରତ୍ୟହ ଆଠ ଘଣ୍ଟା ରାଜକାର୍ଯ୍ୟ କରି ଆଠ ଘଣ୍ଟା ବିଳାସ ବ୍ୟସନରେ ଲିପ୍ତ ରହୁଥିଲେ-। ଅବଶିଷ୍ଟ ସମୟତକ ସେ ବିଶ୍ରାମ କକ୍ଷରେ ଅତିବାହିତ କରୁଥିଲେ । କେତେ ଘଣ୍ଟା ରାଜକାର୍ଯ୍ୟ କରିବେ, ସେ ତାହା ଜାଣିବା ପାଇଁ ମହମବତୀକୁ ସମାନ ତିନି ଅଂଶରେ ବିଭକ୍ତ କରି ପ୍ରତ୍ୟେକ ଅଂଶ ପାଇଁ ଏକ ଏକ ଚିହ୍ନ ବା ସଙ୍କେତ ଦେଇଥିଲେ । ମହମବତୀଟି ଯେତିକି ଜଳୁଥିଲା, ସମୟ ସେତିକି ପରିମାଣରେ ଅତୀତ ହେଉଥିଲା ବୋଲି ସେ ଧରି ନେଉଥିଲେ ।

 

ମାଲିକମାନେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କଲାବେଳେ ଖଣ୍ଡିଏ ଖଣ୍ଡିଏ କାଠି ଦେଇ ସମୟ ସ୍ଥିର କରୁଥିଲେ । ଖ୍ରୀଷ୍ଟ ଜନ୍ମ ହେବାର ପ୍ରାୟ ପନ୍ଦର ଶହ ବର୍ଷ ପୂର୍ବେ ଇଜିପଟ୍‌ବାସୀ ‘ଛାୟା-ଘଡ଼ି’ ଦ୍ୱାରା ସମୟ ନିରୂପଣ କରିଥିଲେ । ଏହା ପ୍ରାୟ ବର୍ଗାକାର ଥିଲା । ମହମବତୀ ବ୍ୟବହୃତ ନ ହେବା ପୂର୍ବରୁ ଲୋକେ କାଉଁରିଆ ବତୀ ବ୍ୟବହାର କରୁଥିଲେ । ତାହା ଜଳିବା ଦ୍ୱାରା ସମୟ ଜାଣୁଥିଲେ । ପୁନଶ୍ଚ କାଠିକୁ ଭୂଇଁରେ ପୋତି ସମୟ ମଧ୍ୟ ଜାଣୁଥିଲେ । ସୂର୍ଯ୍ୟ ଉଦିତ ହେବା ବେଳେ କାଠିର ଛାୟା ବଡ଼ ହେଉଥିଲା । ଦ୍ୱିପ୍ରହର ବେଳେ ତାହା ସବୁଠାରୁ କ୍ଷୁଦ୍ରତମ ହୋଇ ସୂର୍ଯ୍ୟାସ୍ତ ବେଳକୁ ଦୀର୍ଘତମ ହେଉଥିଲା । ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବେଢ଼ା ମଧ୍ୟରେ ଯେଉଁ ‘ସୂର୍ଯ୍ୟ ଘଡ଼ି’ ଦେଖାଯାଏ, ତାହା ସମ୍ଭବତଃ ସେହି ପୂର୍ବତନ ଘଡ଼ିର ଜ୍ୱଳନ୍ତ ନିଦର୍ଶନ । କଟକ ରେଭେନ୍‌ସା କଲେଜ ପ୍ରାଙ୍ଗଣରେ ଏହିପରି ଏକ ‘ସୂର୍ଯ୍ୟ ଘଡ଼ି ଥିବାର ଦେଖାଯାଏ ।

 

ସମୟ ନିରୂପଣ କରିବା ଦିଗରେ ପାଶ୍ଚାତ୍ୟ ଦେଶର ଲିଓନାର୍ଡ଼ୋ ଭିନ୍‌ସି, ଟାଇକୋ ବ୍ରାହେ, ଗାଲିଲିଓ, ଖ୍ରୀଷ୍ଟିୟାନ ହ୍ୟୁରେନିସ୍ ଓ ନିଉଟନ୍‌ଙ୍କ ଦାନ ଅତୁଳନୀୟ ।

 

ଲିଓନାର୍ଡୋଙ୍କ ଦ୍ୱାରା ଲିଖିତ ଏକ ପାଣ୍ଡୁଲିପିର ନାମ ‘କୋଡାଇସ୍ ଆଟଲାଣ୍ଟିକୋ’ । ତାହାଙ୍କ ମୃତ୍ୟୁର କେତେକ ବର୍ଷ ପରେ ଉକ୍ତ ପାଣ୍ଡୁଲିପିଟି ୧୮୯୪ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହେଲା-। ଏଥିରେ ଅନେକଗୁଡ଼ିଏ ଚିତ୍ର ଦେଖିବାକୁ ମିଳେ । ଘଡ଼ି ନିର୍ମାଣର କେତେକ ତଥ୍ୟ ସେ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଅଛନ୍ତି । କେହି କେହି କହନ୍ତି ଯେ, ଆଜିକାଲି କାନ୍ଥଘଣ୍ଟାମାନଙ୍କରେ ଯେଉଁ ପେଣ୍ଡୁଲମ୍ ବା ଦୋଳକ ଲାଗିଛି, ତାହା ତାଙ୍କରି କଳ୍ପନାରୁ ପ୍ରସୂତ । ମାତ୍ର ସେ ତାହାକୁ କାର୍ଯ୍ୟରେ ପରିଣତ କରିଥିବାର କୌଣସି ପ୍ରମାଣ ଅବଧି ମିଳିନାହିଁ ।

 

ବ୍ରାହେ ପ୍ରଧାନତଃ ଜଣେ ଜ୍ୟୋତିଷଜ୍ଞ ଥିଲେ । ସେ ତତ୍କାଳୀନ ଘଡ଼ି (Time-pieces) ଉପରେ କେତେକ ପରିବର୍ତ୍ତନ ଆଣିଥିଲେ । ମାତ୍ର ପରବର୍ତ୍ତୀକାଳରେ ଚିନ୍ତାଶୀଳ ବ୍ୟକ୍ତିମାନେ ତାଙ୍କ ପ୍ରମାଣକୁ ସମ୍ପୂର୍ଣ୍ଣ ଭ୍ରମ ବୋଲି ପ୍ରକାଶ କରିଥିଲେ । କୋପର୍‌ନିକସ୍ କହିଥିଲେ ଯେ, ପୃଥିବୀ ସ୍ୱମେରୁଦଣ୍ଡର ଚତୁର୍ଦ୍ଦିଗରେ ଘୂରି ଆସିବାକୁ ଚବିଶ ଘଣ୍ଟା ପ୍ରୟୋଜନ କରୁଅଛି । ଗାଲିଲିଓ ଘଣ୍ଟାରେ ପେଣ୍ଡୁଲମ୍ କିପରି ପ୍ରଥମେ ଉଦ୍ଭାବନ କରିଥିଲେ, ତାହା ଶୁଣ ।

 

ଥରେ ଗାଲିଲିଓ ପାଠପଢ଼ା କୋଠରୀରେ ବସିଥିବାବେଳେ ଦେଖିଲେ ଯେ, ତାଙ୍କ ମୁଣ୍ଡଉପରେ ଯେଉଁ ଆଲୋକଟି ଝୁଲୁଅଛି, ତାହା ପବନ ଯୋଗୁଁ ଦୋଳାୟିତ ହେଉଅଛି । ସେ ତାହା ଦେଖି ବିଚାରିଲେ, ଆଚ୍ଛା, ନାଡ଼ିକୁ ଚିପିଧରି ଆଲୋକର ଦୋଳନକୁ ଲକ୍ଷ୍ୟ କଲେ କିପରି ହେବ । ସେ ଅନୁଭବ କଲେ, ଆଲୋକ ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବାପାଇଁ ଏକ ନିର୍ଦ୍ଦଷ୍ଟ ସମୟ ନେଉଅଛି । ତେଣୁ ଘଡ଼ିରେ ଯଦି ଏହିପରି ଏକ ଦୋଳନ ଖଞ୍ଜାଯାଏ, ତେବେ ତ ବେଶ୍ କାର୍ଯ୍ୟକାରୀ ହେବ । ସେ ଦୋଳନ ଖଞ୍ଜିଲେ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଠିକ୍ ହୋଇ ନ ଥିଲା । ମୃତ୍ୟୁ ପୂର୍ବରୁ ସ୍ୱପୁତ୍ରକୁ ନିଜ ସାଧନାର ଗୁପ୍ତ ତଥ୍ୟ ଜଣାଇ ଗାଲିଲିଓ ଇହସଂସାରରୁ ବିଦାୟ ନେଇଥିଲେ-

 

ତତ୍‌ପରେ ହ୍ୟୁଜେନି ୧୬୩୬ ଖ୍ରୀଷ୍ଟାବ୍ଦରେ ତାଙ୍କ ପେଣ୍ଡୁଲମ୍ ଘଡ଼ିଟିକୁ ନୂତନ ରୂପ ଦେଇଥିଲେ । ସେ ଯେଉଁ ସୂତ୍ର ସ୍ଥିର କରି ଯାଇଥିଲେ, ତାହା ଶହେ ବର୍ଷ ପରେ କାର୍ଯ୍ୟକାରୀ ହୋଇଥିଲା । ତାଙ୍କ ପରେ ନିଉଟନ୍ ଆହୁରି କେତେକ ବିଜ୍ଞାନ-ସମ୍ମତ ତଥ୍ୟ ସ୍ଥିର କରିଥିଲେ ।

 

ଷୋଡ଼ଶ ଶତାବ୍ଦୀରେ ସୁଇଜରଲ୍ୟାଣ୍ଡବାସୀ ବିଶିଷ୍ଟ ଗଣିତଜ୍ଞ ଓ ଜ୍ୟୋତିଷଜ୍ଞ ଯୋଷ୍ଟ ବରଜି ଘଡ଼ି ନିର୍ମାଣ କରିବା ଦିଗରେ ଯେଉଁସବୁ ଉନ୍ନତି କରିଥିଲେ, ତାହା ବିଶେଷ ପ୍ରଶଂସନୀୟ । ମାତ୍ର ଦୁଃଖର କଥା, ଜନସାଧାରଣ ତାଙ୍କୁ ଜାଣନ୍ତି ନାହିଁ । କାରଣ ସେ ସ୍ୱପ୍ରତିଭାର ପରିଚୟ ପ୍ରଦାନ କରିବା ନିମନ୍ତେ କୌଣସି ତଥ୍ୟ ଲିପିବଦ୍ଧ କରି ନ ଥିଲେ । ସେ ଯେଉଁ ‘ଗଣନା ସଙ୍କେତ’ ଉଭାବନ କରିଥିଲେ, ତାହା ବିଶେଷ ଉଲ୍ଲେଖଯୋଗ୍ୟ । ପେଣ୍ଡୁଲମ୍‌କୁ ଘଡ଼ିରେ ବ୍ୟବହାର କରିବାକୁ ସେ କଦାପି ପସନ୍ଦ କରି ନ ଥିଲେ ।

 

ଜନ୍‌ଓ ଜେମ୍‌ସ୍‌ ନାମକ ଦୁଇଜଣ ବ୍ୟକ୍ତି ଅଷ୍ଟାଦଶ ଶତାବ୍ଦୀରେ ଘଣ୍ଟା ଇତିହାସରେ ଏକ ନବଯୁଗ ଆନୟନ କରିଥିଲେ । ଆଜିକାଲି ନାନାଦି ଘଣ୍ଟା ଦେଖିବାକୁ ମିଳେ । କେତେକ ଘଣ୍ଟା ସାତ ଦିନରେ ଥରେ ଲେଖାଏଁ ଚାବି ପ୍ରୟୋଜନ କରେ । ଆଉ କେତେକ ପ୍ରତିଦିନ ଚାବି ଦେଲେ ଚଳେ । ‘ସ୍ୱତଃଚଳ ଘଣ୍ଟା’ ଆଦୌ ଚାବି ପ୍ରୟୋଜନ କରେ ନାହିଁ । ତାହାକୁ ଦିନର କେତେକ ସମୟ ହାତରେ ବାନ୍ଧି ରଖିଲେ, ତାହା ସ୍ୱତଃ ପରିଚାଳିତ ହୁଏ । Auto Race Timer ଦ୍ୱାରା ଏକ ସେକେଣ୍ଡର ଏକ ଶତାଂଶ ଅକ୍ଳେଶରେ ଜାଣି ହେବ । ଏହି ପ୍ରକାର ଘଣ୍ଟା ମଟରଗାଡ଼ି ପ୍ରତିଯୋଗିତାରେ ବିଶେଷ ସାହାଯ୍ୟ କରେ ।

 

ଆଜିକାଲି କୋଲ୍‌ଗେଟ୍‌ଘଡ଼ି ଆମେରିକାର ବହୁ ଦର୍ଶକଙ୍କୁ ଆକୃଷ୍ଟ କରି ପାରିଛି । ଏହା ଷ୍ଟେଚ୍ୟୁ ଅଫ୍‌ ଲିବର୍ଟିଠାରୁ ଅଧିକ ସୁନ୍ଦର । ଉକ୍ତ ଘଡ଼ି ଆମେରିକାର ପ୍ରଧାନ ସହର ଜାର୍ସିଠାରେ କୋଲ୍‌ଗେଟ୍‌ କଂପାନୀଙ୍କର ବିରାଟ ଅଟ୍ଟାଳିକାରେ ବିଦ୍ୟମାନ । ଯେ କେହି ଦର୍ଶକ ଏହି ବିରାଟ ଘଡ଼ିକୁ ନିଉୟର୍କ ବନ୍ଦରଠାରୁ ଅକ୍ଳେଶରେ ଦେଖିପାରିବେ । କଂପାନୀର ପ୍ରସିଦ୍ଧ ଘଡ଼ି ନିର୍ମାତା ଉଆରେନ୍‌ଡେଭି ତାହାକୁ ୧୯୨୪ ମସିହା ଡିସେମ୍ୱର ପହିଲାରେ ନିର୍ମାଣ କରିଥିଲେ ।

 

ଘଡ଼ିଟି ଦେଖିବାକୁ ଠିକ୍‌ ଅଷ୍ଟଭୂଜାକାର । ତାହାର ବ୍ୟାସ ୧୬ ଗଜ ୨ ଫୁଟ ଓ ଡାଏଲର କ୍ଷେତ୍ରଫଳ ୧୯୬୩ ବର୍ଗଫୁଟ । ଏଥିରେ ଯେଉଁ ଦୁଇଟି କଣ୍ଟା ରହିଛି, ସେ ଦୁଇଟି ଲମ୍ୱକୁ ମିଶାଇ ଦେଲେ ତାହା ଆଠଜଣ ଲୋକଙ୍କର ଉଚ୍ଚତା ସହିତ ସମାନ ହେବ । ଘଣ୍ଟାକଣ୍ଟାର ଦୈର୍ଘ୍ୟ ୧୯ ଫୁଟ ୮ ଇଞ୍ଚ ଏବଂ ଓସାର ୮ ଫୁଟରୁ ନ୍ୟୂନ ନୁହେଁ । ଏହି କଣ୍ଟାର ଓଜନ ମ ୨୧ । ୨୪ ସେରରୁ କିଞ୍ଚିତ୍‌ ଅଧିକ । ମିନିଟ୍‌କଣ୍ଟାଟି ମଧ୍ୟ ଦୈର୍ଘ୍ୟରେ ୨୯ ଫୁଟ ୩ ଇଞ୍ଚ ଏବଂ ଓସାରରେ ୮ ଫୁଟ । ତାହାର ଓଜନ ମ ୨୭।୨୦ ସେର । ଅର୍ଥାତ୍‌ ଏହା ଘଣ୍ଟାକଣ୍ଟାଠାରୁ ୨୭୫ ପାଉଣ୍ଡ ଅଧିକ-। ଘଡ଼ିରେ ଯେଉଁ ଦଣ୍ଡଟି ରହିଛି, ତାହା ପାଞ୍ଚ ଶହ ପାଉଣ୍ଡ ଓଜନ । ଏହାର ବ୍ୟାସ ୭ ଫୁଟ ହେବ-। ପ୍ରାୟ ଦୁଇ ଟନ ଓଜନର ଦୁଇଟି କଣ୍ଟାକୁ ସମ୍ଭାଳିବା ପାଇଁ ଏତେ ବଡ଼ ଦଣ୍ଡ ନ ହେଲେ କଣ୍ଟା ଦୁଇଟି ରହିପାରିବ କିପରି ?

 

ଘଣ୍ଟାର ଡାଏଲ୍‌ ଉପରେ ଯେଉଁ ବାରଗୋଟି ସାଙ୍କେତିକ ଚିହ୍ନ ରହିଛି, ପ୍ରତ୍ୟେକ ଚିହ୍ନର ଲମ୍ୱ ୭ ଫୁଟ, ଓସାର ୨ ଫୁଟ ୫ ଇଞ୍ଚ । ୩୫୦ଟି ବିଜୁଳିବତୀ ଦ୍ୱାରା ଘଣ୍ଟାଟି ରାତିରେ ଆଲୋକିତ ହୁଏ । ଅଠେଇଶଟି ଶକ୍ତିଶାଳୀ ବେଟାରୀ ବିଜୁଳିବତୀକୁ ଆଲୋକ ଯୋଗାଇଥାନ୍ତି । ଆମ୍ଭମାନଙ୍କର ହାତଘଣ୍ଟାରୁ ଚାବି ସରିଗଲେ ତାହା ଆଉ ବେଶୀ ସମୟ କାର୍ଯ୍ୟକାରୀ ହୁଏ ନାହିଁ । ମାତ୍ର ଏହି ପ୍ରକାଣ୍ଡ ଘଡ଼ି ବିନା ସାହାଯ୍ୟରେ ଚାରି ଦିନ ପର୍ଯ୍ୟନ୍ତ ଗତି କରୁଥାଏ । ଦୀର୍ଘ ୨୧ବର୍ଷ ପୂର୍ବେ ଉକ୍ତ ଘଡ଼ିଟି ନିର୍ମିତ ହୋଇଥିଲେ ସୁଦ୍ଧା ତାହା କୌଣସି ଗୁରୁତର ମରାମତି ପ୍ରୟୋଜନ କରି ନାହିଁ । ଦୁଇଜଣ ବ୍ୟକ୍ତି ପ୍ରତ୍ୟହ ଘଡ଼ିର ଡାଏଲ ଓ କଣ୍ଟାଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି । ଏଥିରେ ଥିବା ଦୋଳକଟିର ଲମ୍ବ ଜଣେ ବୟସ୍କ ଲୋକର ଉଚ୍ଚତାଠାରୁ ଅଧିକ । ତାହାର ଓଜନ ୨୩୦ ପାଉଣ୍ଡରୁ କଦାପି ଊଣା ନୁହେଁ । ମିନିଟ୍‌ କଣ୍ଟାଟି ଚବିଶ ଘଣ୍ଟା ମଧ୍ୟରେ ୧୩୨୦ ଗଜବାଟ ପରିଭ୍ରମଣ କରି ଆସେ । ଏହାର ପ୍ରତ୍ୟେକ ଅଂଶ ସହିତ ସମ୍ପର୍କ ରଖିବାକୁ ହେଲେ ଗୋଟିଏ ନିଶୁଣିର ପ୍ରୟୋଜନ ପଡ଼େ । ବାଃ... କି ବିରାଟ ଏ ଘଡ଼ି ! ! ଆମ ହାତ ଘଡ଼ି ଠାରୁ ତାହା କେତେ ବଡ଼ ଏବେ କଳ୍ପନା କରି କହି ପାରିବ କି ?

Image

 

ସର୍ବୋଚ୍ଚ ଶୃଙ୍ଗକୁ ଆରୋହଣ

 

‘‘ଆମ୍ଭେମାନେ ଶିଖର ଉପରେ ଉଡ଼ିଲୁଁ । ଦୁଇ ଶହ ମାଇଲ ଦୂରରୁ ମନୁଷ୍ୟମାନେ ଏଭରେଷ୍ଟର ଯେଉଁ ରୁଦ୍ରସୁନ୍ଦର ବିଶାଳ ତୁଷାର ମୁକୁଟ ଦେଖି ବିମୁଗ୍‌ଧ ହୁଅନ୍ତି, ତାହାରି ଉପରେ ଆମ୍ଭେମାନେ ଉଡ଼ିଲୁ । ପ୍ରକାଣ୍ଡ ବରଫସ୍ତର ଏତେ ଜୋରରେ ଆମ ବିମାନ ଦେହରେ ଆସି ଧକ୍‌କା ହେଉଥାଏ ଯେ, ବୋଧ ହେଉଥାଏ, ସତେ ଯେପରି ଝରକାଗୁଡ଼ିକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । ବିମାନ ଚାଳକ ବିଚକ୍ଷଣ କୌଶଳ ସହକାରେ ବିମାନକୁ ଘୂରାଇ ଫେରାଇ ଚଳାଉଥାନ୍ତି ଏବଂ ମୁଁ ସେହି ସୁଯୋଗରେ ହିମଶିଳାଗୁଡ଼ିକର କେତୋଟି ତିର୍ଯ୍ୟକ ଚିତ୍ର ଶୀଘ୍ର ଉଠାଇ ନେଲି ।’’ —ବ୍ଳାକର ସାହେବ ସିନା ଉଡ଼ାଜାହାଜରେ ଉଡ଼ି ଏଭରେଷ୍ଟର ଦୃଶ୍ୟ ଦେଖିଥିଲେ, ମାତ୍ର ଭାରତୀୟ ନେପାଳୀ ତେନଜିଂ ନର୍କି ପ୍ରଥମେ ଏହାର ଶୀର୍ଷ ଦେଶରେ ପାଦ ପକାଇ ଯେଉଁ ଅନିର୍ବଚନୀୟ ଖ୍ୟାତି ସମଗ୍ର ପୃଥିବୀରୁ ଲାଭ କଲେ, ତାହା ଇତିହାସ ଯୁଗେ ଯୁଗେ ଘୋଷଣା କରୁଥିବ ।

 

ଆମ ଜନ୍ମଭୂମି ଭାରତର ଉତ୍ତରରେ ଯେଉଁ ବିରାଟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରାଚୀର ସଦୃଶ ଦଣ୍ଡାୟମାନ ହୋଇଅଛି, ତାହାର ନାମ ହିମାଳୟ । ଗିରିରାଜ ହିମାଳୟ ସର୍ବଦା ତୁଷାରାଚ୍ଛନ୍ନ-। ନେପାଳ, କାଶ୍ମୀର, ସିକିମ୍‌, ଭୁଟାନ ପ୍ରଭୃତି ରାଜ୍ୟ ହିମାଳୟ ପ୍ରଦେଶର ଅନ୍ତର୍ଗତ । ଦୁଇ ହଜାର ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ୭୪ ଗୋଟି ଶୃଙ୍ଗ ହିମାଳୟରେ ଦେଖାଯାଏ । ମାତ୍ର ତନ୍ମଧ୍ୟରୁ ଏଭରେଷ୍ଟ ଉଚ୍ଚତମ । ଏହି ସର୍ବୋଚ୍ଚ ଶୃଙ୍ଗ ୨୯,୧୪୧ ଫୁଟ ଉଚ୍ଚରେ ମସ୍ତକ ଉତ୍ତୋଳନ କରି ବରଫ କିରୀଟଦ୍ୱାରା ବହୁଯୁଗ ହେଲା ଦୁର୍ଜୟ ହୋଇ ରହିଥିଲା । ଚଉଦ ହଜାର ଫୁଟ ଉଚ୍ଚରେ ଥିବା ସମସ୍ତ ସ୍ଥାନ ସର୍ବଦା ବରଫରେ ଆଚ୍ଛନ୍ନ ରହିଥିଲେହେଁ ପୃଥିବୀପୃଷ୍ଠର ଏହି ଉଚ୍ଚତମ ଶୃଙ୍ଗର ଶୀର୍ଷଦେଶକୁ ଯିବାପାଇଁ ମନୁଷ୍ୟ କଦାପି ପଶ୍ଚାତ୍‌ପଦ ହୋଇନାହିଁ । ବରଫମୟ ଶୃଙ୍ଗକୁ ଆରୋହଣ କଲେ କିଭଳି ଦୁର୍ଦ୍ଦଶା ଭୋଗିବାକୁ ହୁଏ, ତାହା ଧାରଣା କରିବା ସମ୍ପୂର୍ଣ୍ଣ ଅସମ୍ଭବ-

 

ବହୁବର୍ଷ ପୂର୍ବେ ଭାରତର ପୂର୍ବତନ ସର୍ଭେୟର ଜେନେରାଲ ସାର୍‌ ଜର୍ଜ ଏଭରେଷ୍ଟ ପ୍ରଥମେ ଏହି ଶୃଙ୍ଗ ବିଷୟରେ ପ୍ରଚାର କରିବାରୁ ତାଙ୍କ ନାମାନୁଯାୟୀ ଏହାର ନାମ ଏଭରେଷ୍ଟ ହୋଇଛି । ଗତ ୩୨ ବର୍ଷ ହେଲା ବିଭିନ୍ନ ଦେଶର ଆରୋହୀ ଦଳ ପ୍ରାଣମୂର୍ଚ୍ଛା ଚେଷ୍ଟା କରି ଏହାକୁ ଜୟ କରିବା ପାଇଁ ଯେଉଁ ସାହସ ଦେଖାଇଅଛନ୍ତି, ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ ।

 

ଯୁଗ ଯୁଗ ଧରି ଯେଉଁ ନଗାଧିରାଜ ହିମାଳୟ ଭାରତର ବହୁ କବି ଓ ଚିତ୍ରକରଙ୍କୁ ଆନନ୍ଦ ଦେଇ ଆସୁଅଛି, ତାହାରି ଶୀର୍ଷର ଅଭିଯାନ କାହାଣୀ ବଡ଼ ଚିତ୍ତାକର୍ଷକ । ପର୍ବତ ଆରୋହଣ ଦୁରୂହ ବ୍ୟାପାର ହେଲେହେଁ ମନୁଷ୍ୟ ମନର ଅସାଧାରଣ ସାହସ ଓ ବଳକୁ ସେ କେବେହେଲେ ହଟାଇ ପାରିନାହିଁ । ତେଣୁ ସେହି ଅଜେୟ ଏଭରେଷ୍ଟ ଶିଖର ବୀର ତେନ୍‌ଜିଂଙ୍କ ଦ୍ୱାରା ୧୯୫୩ ଖ୍ରୀଷ୍ଟାବ୍ଦ ମେ ମାସ ୨୯ ତାରିଖ ଦିନ ବିଜିତ ହୋଇଛି । ଅଶୀଦିନର ଅକ୍ଳାନ୍ତ ପରିଶ୍ରମ ଓ ବାଧାବିଘ୍ନ ପରେ ତେନଜିଂ ପୃଥିବୀରେ ଧନ୍ୟ ହୋଇଅଛନ୍ତି ।

 

ହିମାଳୟ ପର୍ବତକୁ ଆରୋହଣ କରିବା କଥା ପ୍ରଥମେ ଆଲପ୍‌ସ୍ ଆରୋହଣକାରୀ ଡଗଲାସ୍‌ ଫ୍ରେସ୍‌ଫିଲଡ଼୍‌ଙ୍କ ମନରେ ୧୮୮୦ ଖ୍ରୀଷ୍ଟାବ୍ଦରେ ଉଦିତ ହୋଇଥିଲା । ଭାରତର ତତ୍କାଳୀନ ବଡ଼ଲାଟ ଲଡ଼୍‌କର୍ଜନଙ୍କ ସମୟରୁ ଏକ ଯୋଜନା ସ୍ଥିର କରାଯାଇଥିଲା । ମାତ୍ର କେତେକ କାରଣବଶତଃ ସେହି ଯୋଜନାଟି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ୧୯୧୪ ଖ୍ରୀଷ୍ଟାବ୍ଦରେ ଦଳେ ଇଂରେଜ ଏଭରେଷ୍ଟ ଜୟ କରିବା ଉବ୍ଦେଶ୍ୟରେ ଚେଷ୍ଟା କରିଥିଲେ; କିନ୍ତୁ ସେହି ସମୟରେ ଇଉରୋପରେ ମହାସମର ଆରମ୍ଭ ହେବାରୁ ତାହା ସ୍ଥଗିତ ରହିଲା ।

 

ହିମାଳୟକୁ ଆରୋହଣ କରିବା ସାମାନ୍ୟ ବ୍ୟାପାର ନୁହେଁ । ତାହା ଅତ୍ୟୁଚ୍ଚ ଓ ଦୁର୍ଗମ ହୋଇଥିବାରୁ ପ୍ରତିକ୍ଷଣରେ ମୃତ୍ୟୁର ସମ୍ଭାବନା ଥାଏ । ପର୍ବତର ବହୁ ଅଂଶ ବରଫଦ୍ୱାରା ପୂରି ରହେ ବୋଲି ଆରୋହୀମାନେ କେବେହେଲେ ଉଠିବାକୁ ସୁଯୋଗ ପାଆନ୍ତି ନାହିଁ । ଘନ କୁହୁଡ଼ି, ଝଡ଼ବର୍ଷା, କରକାପାତ ପ୍ରଭୃତି ନାନା ପ୍ରାକୃତିକ ବିପଦ ପ୍ରାୟ ସର୍ବଦା ଲାଗି ରହିଥାଏ । ବରଫାଚ୍ଛନ୍ନ ପର୍ବତ ଉପରକୁ ଉଠିବାବେଳେ ଗୋଡ଼ ଖସି ଯିବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଆରୋହୀମାନେ ସଙ୍ଗରେ କୁରାଢ଼ି ନେଇ ବରଫରେ ସ୍ଥାନେ ସ୍ଥାନେ ପାହାଚ ତିଆରି କରି ଉପରକୁ ଉଠନ୍ତି । ଥରେ ଯଦି ଦୈବାତ୍‌ କାହାରି ଗୋଡ଼ ଖସିଯାଏ, ତେବେ ସେହି ଉଚ୍ଚ ସ୍ଥାନରୁ ଗଡ଼ିଗଡ଼ି ତଳକୁ ଆସିଲେ ଅବସ୍ଥା ଯାହା ହେବ, ତାହା ସହଜରେ ଅନୁମେୟ । ପ୍ରତି ମୁହୂର୍ତ୍ତରେ ଆରୋହୀ ମୃତ୍ୟୁସହିତ ଯାତ୍ରା କଲାଭଳି ମନେକରେ । ତେଣୁ ବିପଦରୁ ରକ୍ଷା ପାଇବା ପାଇଁ ଏକ ଶକ୍ତ ଦଉଡ଼ି ଅଣ୍ଟାରେ ନ ବାନ୍ଧିଲେ ଉପରକୁ ଉଠିବାକୁ କଦାପି ସମ୍ଭବ ହୁଏ ନାହିଁ । ଏହା ବ୍ୟତୀତ ଖଣ୍ଡେ ବାଡ଼ି ମଧ୍ୟ ବିଶେଷ ସାହାଯ୍ୟ ଦେଇ ଜୀବନକୁ ବେଳେ ବେଳେ ରକ୍ଷା କରିନିଏ ।

 

ପାଗଯୋଗ ନ ଦେଖି ପର୍ବତ ଉପରକୁ ଯାତ୍ରା କରିବା ଉଚିତ ନୁହେଁ । କାରଣ ବରଫଖଣ୍ଡ ତରଳିଯାଇ ଯଦି ଦୈବାତ୍‌ ଆରୋହୀ ଉପରେ ଖସିପଡ଼େ, ତେବେ ସେହିଠାରେ ତାହାର ମୃତ୍ୟୁ ଘଟେ । କେହି ଅସାବଧାନତା ହେତୁ ବରଫଗର୍ତ୍ତରେ ପଡ଼ିଗଲେ, ତହିଁରୁ ରକ୍ଷା ପାଇବାର ଉପାୟ ନ ଥାଏ । କୋଡ଼ିଏ ହଜାର ଫୁଟ ଉଚ୍ଚରେ ବାୟୁ ଏତେ ପତଳା ଯେ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଆରୋହୀ କଷ୍ଟ ଅନୁଭବ କରେ । ତେଣୁ ଅମ୍ଳଜାନ ଥଳୀ ପିଠିରେ ବୋହିନେବାପାଇଁ ନିତାନ୍ତ ପ୍ରୟୋଜନ ପଡ଼େ । ନିଜେ ଉଠିବା ସଙ୍ଗେ ସଙ୍ଗେ ଜିନିଷପତ୍ର ଓ ଖାଦ୍ୟପେୟ ବହନ କରି ନେବା ସବୁଠାରୁ ଅଧିକ କଷ୍ଟଦାୟକ । ସୂର୍ଯ୍ୟକିରଣ ବରଫ ଉପରେ ଚକ୍‌ ଚକ୍‌ କଲେ, ଆଖି ଝଲସିଯାଇ ମୁଦି ହୋଇଯାଏ । ବହୁ ମୂଲ୍ୟବାନ୍‌ ଗରମ ପୋଷାକ, ଜୋତା ଇତ୍ୟାଦି ସଙ୍ଗରେ ନ ଥିଲେ ପର୍ବତ ଉପରକୁ ଉଠିବା ସମ୍ଭବ ହୁଏନାହିଁ ।

 

ନାନା କାରଣରୁ ତିବ୍ଦତ୍‌ବାସୀ ଏହାକୁ ‘ତୁଷାର ଦେଶ’ ବୋଲି ଆଖ୍ୟା ଦେଇଥାନ୍ତି । ସେମାନେ ମନେ କରନ୍ତି, ହିମାଳୟ ଆରୋହଣ କଲେ ମୃତ୍ୟୁ ଛଡ଼ା ଅନ୍ୟ କିଛି ଗତି ନାହିଁ ।

 

ଏତେ ବାଧା ଓ ବିପଦ ସତ୍ତ୍ୱେ ସାର ଫ୍ରାନ୍‌ସିସ୍‌ ୟଙ୍ଗ୍ ହଜବ୍ୟାଣ୍ଡ୍‌ଙ୍କ ପ୍ରେରଣାରେ ଗୋଟିଏ ଦଳ ୧୯୧୨ ଖ୍ରୀଷ୍ଟାବ୍ଦ ମେ ମାସ ୧୮ ତାରିଖ ଦିନ ପୁନର୍ବାର ଏଭରେଷ୍ଟ ଉପରକୁ ଉଠିବା ପାଇଁ ଉଦ୍ୟମ କରିଥିଲେ । କେଉଁ ପଥରେ ଯିବା ସୁବିଧାଜନକ ହେବ, ତାହା ଆରୋହୀଦଳର ନେତା କର୍ଣ୍ଣେଲ ହାଓ୍ୟାର୍ଡ଼ ବେରି ପ୍ରଥମେ ସ୍ଥିର କରି ଦାର୍ଜିଲିଂଠାରୁ ତିବ୍ଦତ ଅଭିମୁଖରେ ଯାତ୍ରା କଲେ । ତିବ୍ଦତ ସ୍ୱାଧୀନ ରାଜ୍ୟ ହେତୁ ଏହାର ଶାସକ ‘ଦଲାଇଲାମା’ଙ୍କଠାରୁ ଅନୁମତି ନେଇ ସେମାନେ ଯାତ୍ରା କରିଥିଲେ । ମାତ୍ର ସେମାନେ ସେଥିରେ କୃତକାର୍ଯ୍ୟ ନ ହୋଇ ଫେରି ଆସିଲେ ।

 

ତତ୍ପର ବର୍ଷ ଦ୍ୱିତୀୟ ଥର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଜେନେରାଲ ବ୍ରୁସ୍‌ ଏହି ଅଭିଯାନର ଦଳପତି ଥିଲେ । ତୃତୀୟ ଥର ପାଇଁ ତାଙ୍କ ନେତୃତ୍ୱରେ ଯେଉଁ ଦଳ ଗଠିତ ହୋଇଥିଲା, ତାହା ପୂର୍ବାପେକ୍ଷା ଅଧିକ ବୀରତ୍ୱର ପରିଚୟ ଦେଇଥିଲା । ଏହି ଦଳର ଆରୋହୀମାନେ ପୃଥିବୀପୃଷ୍ଠରୁ ୨୭,୦୦୦ ଫୁଟ ଉଚ୍ଚକୁ ଯାଇଥିବାରୁ ପରମ ଆନନ୍ଦ ଅନୁଭବ କରିଥିଲେ । ମାତ୍ର ମାଲୋରୀ ଓ ଆରଭିନ୍‌ ଚିରଦିନ ପାଇଁ ଅନନ୍ତ ତୁଷାରରାଶି ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରି ହିମାଳୟ ବକ୍ଷରେ ଲୀନ ହୋଇଥିଲେ ।

 

ମାଲୋରୀ ଓ ଆରଭିନ୍‌ ହିମାଳୟର ଏଭରେଷ୍ଟ ଶୃଙ୍ଗକୁ ଉଠିଥିଲେ ବୋଲି କିଏ କହିପାରିବ ? ସମ୍ଭବତଃ ସେମାନେ ପରମ ଉତ୍ସାହରେ ଆପ୍ରାଣ ଚେଷ୍ଟା କରି ନାନା ଝଡ଼ଝଂଜା ମଧ୍ୟରେ ଗତି କରିଥିବେ । ଘନତୁଷାର ଓ କାଳରାତି ସେମାନଙ୍କ ଯାତ୍ରାରେ ଅନ୍ତରାୟ ହୋଇଥିବା କିମ୍ୱା ନିଃଶ୍ୱାସ ପ୍ରଶ୍ୱାସରେ ଗୁରୁ ଯନ୍ତ୍ରଣା ଭୋଗକରି ସେମାନେ ପ୍ରାଣ ହରାଇଥିବେ । ଯାହା କିଛି କାରଣ ହେଉନା କାହିଁକି, ସେମାନେ ହିମାଳୟ ନିକଟରେ ପରାଜିତ—ଏ କଥା ନିରାଟ ସତ୍ୟ ।

 

ଏହି ଘଟନାର ନଅବର୍ଷ ପରେ ରଟ୍‌ଲେଜ୍‌ଙ୍କ ନେତୃତ୍ୱରେ ପୁନରାୟ ଏକ ଅଭିଯାନ ହୋଇଥିଲା । ରଟ୍‌ଲେଜ୍‌ ସଫଳକାମ ହୋଇ ନଥିଲେ ହେଁ ଏଭରେଷ୍ଟ ଉପରୁ ଖଣ୍ଡିଏ ବରଫକଟା କୁରାଢ଼ି ପାଇ ତାହାକୁ ମାଲୋରୀ ଓ ଆରଭିନ୍‌ଙ୍କ ସ୍ମୃତି ଚିହ୍ନ ସ୍ୱରୂପ ସଙ୍ଗରେ ଘେନି ଫେରି ଆସିଥିଲେ ।

 

ଏତେ ଉଦ୍ୟମ, ଏତେ ତ୍ୟାଗ ଓ ଏତେ ବୀର ପୁରୁଷଙ୍କର ଜୀବନୋତ୍ସର୍ଗ ଫଳରେ ସୁଦ୍ଧା ଯେଉଁ ଏଭରେଷ୍ଟ ପରାଜିତ ହୋଇପାରି ନ ଥିଲା, ତାହା ୧୯୫୩ ଖ୍ରୀଷ୍ଟାବ୍ଦ ମେ ମାସ ୨୯ ତାରିଖ ଦିନ ମନୁଷ୍ୟର ସାହସ ନିକଟରେ ପରାଜୟ ସ୍ୱୀକାର କଲା । ଏହି ଶେଷ ସଂଗ୍ରାମର ବିଜୟୀ ବୀର ହେଉଛନ୍ତି ଭାରତୀୟ ତେନ୍‌ଜିଂ ଓ ନିଉଜିଲାଣ୍ଡବାସୀ ହିଲାରୀ ।

 

ପୂର୍ବ ନେପାଳ ଅନ୍ତର୍ଗତ ସୋଲୋଖୁମ୍ୱୁ ନାମକ ସ୍ଥାନରେ ଥାମୀ ଗ୍ରାମରେ ତେନ୍‌ଜିଂଙ୍କର ଜନ୍ମ । ବାଲ୍ୟକାଳରୁ ତାଙ୍କର ପର୍ବତ ଆରୋହଣ ସ୍ପୃହା ବଳବତୀ ଥିଲା । ସେ ଯେତେବେଳେ ଇଉରୋପୀୟ ପାହାଡ଼ଚଢ଼ାଳି ଦଳଙ୍କର ଏଭରେଷ୍ଟ ଅଭିଯାନ ଆୟୋଜନ ଦେଖିଲେ, ସେତେବେଳେ ତାଙ୍କର ହୃଦୟ ଆନନ୍ଦରେ ନାଚି ଉଠିଲା ଏବଂ ସେ ଉକ୍ତ ଇଉରୋପୀୟ ଦଳ ସଙ୍ଗେ ଯୋଗ ଦେଲେ । ଏଥିପୂର୍ବରୁ ସେ ଆଉ କେତେଥର ମଧ୍ୟ ଅଭିଯାନରେ ଯୋଗ ଦେଇଥିଲେ-। ୧୯୫୨ ଖ୍ରୀଷ୍ଟାବ୍ଦର ସ୍ୱିଡ଼େନୀୟ ଅଭିଯାନରେ ସେ ୨୮,୨୧୫ ଫୁଟ ପର୍ଯ୍ୟନ୍ତ ଉଠି ପ୍ରତିକୂଳ ପାଗ ଯୋଗୁ ଫେରି ଆସିଥିଲେ ।

 

୧୯୫୩ ଖ୍ରୀଷ୍ଟାବ୍ଦରେ ଯେଉଁ ଅଭିଯାନ ହୋଇଥିଲା, କର୍ଣ୍ଣେଲ ସାର ଜନ୍‌ହଣ୍ଟ ତହିଁର ନେତା ଥିଲେ । ସେ ତେନଜିଂଙ୍କର ସାହସ ଓ ପର୍ବତାରୋହଣ ଅଭିଜ୍ଞତା ଭଲରୂପେ ଜାଣି ତାଙ୍କୁ ନିଜ ଦଳରେ ଗ୍ରହଣ କରିଥିଲେ । ନିଉଜିଲାଣ୍ଡର ହିଲାରୀ ଓ ଭାରତୀୟ ତେନଜିଂ ସର୍ବୋଚ୍ଚ ଶିଖରକୁ ଉଠି ସେଠାରେ ନେପାଳର ପତାକା, ଇଉନିୟନ୍‌ଜ୍ୟାକ୍‌, ଭାରତର ତ୍ରିରଙ୍ଗାପତାକା ଓ ଜାତିସଂଘ ପତାକା ପୋତିଥିଲେ । ଏତେଦିନ ପରେ ଏଭରେଷ୍ଟ ଉପରେ ମନୁଷ୍ୟର ପାଦ ପଡ଼ିଲା-

 

ତେନଜିଂ ନେପାଳର ଶେରପାଜାତୀୟ ଲୋକ । ‘ଶେରପା’ ଶବ୍ଦର ଅର୍ଥ ବ୍ୟାଘ୍ର । ଏହି ଜାତୀୟ ଲୋକମାନେ ସାଧାରଣତଃ ଖୁବ୍‌ ସାହସୀ । ତେନଜିଂ ନେପାଳରେ ଜନ୍ମ ହୋଇଥିଲେ ସୁଦ୍ଧା ୧୯୩୩ ଖ୍ରୀଷ୍ଟାବ୍ଦରୁ ସେ ଦାର୍ଜିଲିଂରେ ଆସି ସ୍ଥାୟୀ ଭାବରେ ବସବାସ କରି ରହୁଥିଲେ । ସେଥିଯୋଗୁଁ ତେନଜିଂଙ୍କ ଗୌରବରେ ଭାରତ ଓ ନେପାଳ ଉଭୟ ଦେଶ ଗୌରବାନ୍ୱିତ ହୋଇଅଛି-

 

ତେନଜିଂ ଭାରତୀୟ ସୈନ୍ୟବାହିନୀରେ କିଛି ଦିନ କାର୍ଯ୍ୟ କରିଥିଲେ ଏବଂ ୧୯୪୮ ଓ ୧୯୫୦ ଖ୍ରୀଷ୍ଟାବ୍ଦରେ ସେ କାଶ୍ମୀରରେ ଚାରିମାସ ରହି ବରଫ ଖେଳ ବିଷୟରେ ଶିକ୍ଷା ଦେଉଥିଲେ ।

 

ଏଭରେଷ୍ଟରୁ ଓହ୍ଲାଇ ସେ ପ୍ରଥମେ ତାଙ୍କ ମା’ଙ୍କୁ ସାକ୍ଷାତ୍‌ କରିଥିଲେ । ମା’ ପୁଅର ଏହି ଐତିହାସିକ ଗୌରବରେ ଅତିଶୟ ଆନନ୍ଦିତା ହୋଇ କହିଲେ, ‘‘ହିମାଳୟର ସର୍ବୋଚ୍ଚ ଶୃଙ୍ଗକୁ ଯେତେବେଳେ ତୁ ଜିଣି ଆସିଲୁଣି ଆଉ ଏଣିକି ସେ ହିମାଳୟକୁ ତୋର ଯିବାର ଆବଶ୍ୟକତା ନାହିଁ-।’’

 

ତେନଜିଂଙ୍କର ପତ୍ନୀ ମଧ୍ୟ ଖୁବ୍‌ ଭାଗ୍ୟବତୀ । ସ୍ୱାମୀଙ୍କ ଯୋଗୁଁ ସେ ସର୍ବତ୍ର ସମ୍ମାନିତା ହୋଇଅଛନ୍ତି । ତେନଜିଂ ଏଭରେଷ୍ଟରୁ ଓହ୍ଲାଇବା ପରେ ଦେଶ ବିଦେଶରେ ତାଙ୍କୁ ସରକାରୀ ଓ ବେସରକାରୀ ଭାବରେ ବିପୁଳ ଆଦର ଅଭ୍ୟର୍ଥନା କରାଯାଇଥିଲା । ନେପାଳର ରାଜା ତ୍ରିଭୂବନ ଦେବ ତାଙ୍କୁ ‘ନେପାଳ ତାରା’ ପଦବୀରେ ଭୂଷିତ କରିଥିଲେ । ଭାରତ ସରକାର ତାଙ୍କୁ ‘ମହାବଳ ବ୍ୟାଘ୍ର’ ଉପାଧି ସହ ସ୍ୱତନ୍ତ୍ର ପଦକ ପ୍ରଦାନ କରିଅଛନ୍ତି । ଇଂଲଣ୍ଡର ରାଣୀ ତାଙ୍କୁ ଖୁବ୍‌ ଆନନ୍ଦରେ ସମ୍ମାନିତ କରି ଉପାଧି ପ୍ରଦାନ କରିଅଛନ୍ତି । କଲିକତା, ଦିଲ୍ଲୀ, ବମ୍ୱେ ଓ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ତାଙ୍କର ବୀରୋଚିତ ଅଭ୍ୟର୍ଥନା କରାଯାଇ ତାଙ୍କୁ ସ୍ୱର୍ଣ୍ଣପଦକ ଓ ଟଙ୍କାଥଳୀମାନ ଉପହାର ଦିଆଯାଇଥିଲା ।

 

ତାଙ୍କ ବୀରୋଚିତ କାର୍ଯ୍ୟର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଡାକ ଟିକେଟ ୧୯୫୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଦିନ ପ୍ରକାଶିତ ହେଲା । ଉକ୍ତ ଟିକେଟରେ ଏଭରେଷ୍ଟ ଶୃଙ୍ଗର ଛବି ଅଙ୍କିତ ଥିଲା ଏବଂ ଇଂରେଜୀ ଓ ହିନ୍ଦୀରେ ଲେଖାଥିଲା—‘‘ଏଭରେଷ୍ଟ ବିଜୟ’’ । ଏହାଛଡ଼ା ତହିଁରେ ‘‘୧୯୫୩ ମଇ ୨୯ ତାରିଖ’’ ଉଲ୍ଲେଖ କରାଯାଇଥିଲା ।

 

ଏଭରେଷ୍ଟ ଆରୋହଣରେ ଅଭିଜ୍ଞତା ସମ୍ବନ୍ଧରେ ତେନଜିଂ କହିଥିଲେ, ‘‘ଏଭରେଷ୍ଟ ଉପରକୁ ଉଠିଲୁ ମେ ମାସ ୨୯ ତାରିଖ ଦିନ ପୂର୍ବାହ୍ନ ଘ ୧୧-୩୦ ମିନିଟ୍‌ ସମୟରେ । କେତେବେଳେ ହିଲାରୀ, କେତେବେଳେ ବା ମୁଁ ଆଗେଇଥାଉ; କିନ୍ତୁ ପ୍ରାୟ ଏକ ସଙ୍ଗରେ ଦୁହେଁଯାକ ଶିଖରରେ ପହଞ୍ଚିଲୁ । ମୁଁ ହିଲାରୀଙ୍କୁ କୁଣ୍ଢାଇ ପକାଇଲି । ତା’ ପରେ ମୁଁ ବ୍ରିଟେନ, ନେପାଳ, ଜାତିସଂଘ ଓ ଭାରତର ପତାକା ଟେକି ଧରିଥିବା ଅବସ୍ଥାରେ ହିଲାରୀ ମୋର ଫଟୋ ଉଠାଇନେଲେ ।

 

‘‘ଏଭରେଷ୍ଟ ଉପରକୁ ଉଠି ମୁଁ ପ୍ରକୃତ ସୁଖ ଅନୁଭବ କରି ନ ଥିଲି । ଯେତେବେଳେ ସର୍ବନିମ୍ନ ତମ୍ୱୁକୁ ନିର୍ବିଘ୍ନରେ ଓହ୍ଲାଇ ଆସି ବୁଝିଲି ଯେ, ଅଭିଯାନର ପ୍ରତ୍ୟେକ ଲୋକ ନିରାପଦରେ ଅଛନ୍ତି, ସେତେବେଳେ ମୋର ଆନନ୍ଦର ସୀମା ରହିଲା ନାହିଁ । ମୁଁ ମି: ହଣ୍ଟ୍‌ଙ୍କୁ କୁଣ୍ଢାଇ ପକାଇଲି-।’’

 

ଏକଥା ଧ୍ରୁବ ଯେ, ପୃଥିବୀର ଆଉ ଯେ କୌଣସି ବୀରପୁରୁଷ ଧନ ଜୀବନ ବିନିମୟରେ ଏଭରେଷ୍ଟର ଏକ ସ୍ପନ୍ଦନପୂର୍ଣ୍ଣ ବିବରଣୀ ଜଗତବାସୀଙ୍କୁ ଶୁଣାଇ ପାରନ୍ତି; କିନ୍ତୁ ତେନଜିଂ ଓ ହିଲାରୀ ଏଭରେଷ୍ଟର ପ୍ରଥମ ବିଜୟୀ ବୋଲି ଯୁଗେ ଯୁଗେ ପ୍ରଶଂସିତ ହେଉଥିବେ ।

Image

 

ବିଚିତ୍ର ଶବ୍ଦ

 

ହାତରୁ କଂସା କି ଥାଳିଆଟିଏ ପଡ଼ିଗଲେ ଅଥବା କଂସାପାତ୍ରକୁ ଦୈବାତ୍‌ ଝୁଣ୍ଟିପଡ଼ିଲେ ତହିଁରୁ ଏକ ଶବ୍ଦ ସୃଷ୍ଟି ହୁଏ । ସେହି ଶବ୍ଦକୁ ଅଧିକ ସମୟ ଗତି କରିବାକୁ ସୁଯୋଗ ନ ଦେଇ ଆମେ ତତ୍‌କ୍ଷଣାତ୍‌ ବନ୍ଦ କରିଦେଉଁ । କାରଣ ତାହା ବିଶେଷ ଶ୍ରୁତିକଟୁ ବୋଧହୁଏ । ଶବ୍ଦ ଶିହରିତ ହେବା ପୂର୍ବରୁ ପାତ୍ରଟିର ମୃଦୁ କମ୍ପନ ଘଟେ । ପାତ୍ର କଂପିତ ହେବାରୁ ଶବ୍ଦ ସୃଷ୍ଟି ହୁଏ । ତେଣୁ ଶବ୍ଦ ଓ କମ୍ପମାନ ପାତ୍ର ମଧ୍ୟରେ ଏକ ନିଗୂଢ଼ ସମ୍ପର୍କ ଥିଲାପରି ଅନୁମିତ ହୁଏ ନାହିଁ କି ? ଶବ୍ଦ ପାତ୍ରରୁ ଉତ୍ପତ୍ତି ହୋଇ ଧୀରେ କଂସାର ଚତୁର୍ବ୍ଦିଗରେ ଥିବା ବାୟୁମଣ୍ଡଳକୁ ତରଙ୍ଗାୟିତ କରେ ଏବଂ ତାହା କର୍ଣ୍ଣକୁହରରେ ପ୍ରବେଶ କରି କର୍ଣ୍ଣସ୍ଥିତ ସୂକ୍ଷ୍ମ ପରଦାକୁ ଆଘାତ କରେ । ଅନ୍ତଃକର୍ଣ୍ଣରେ ତରଙ୍ଗ ସୃଷ୍ଟି ହୋଇ ଶ୍ରୋତୃସ୍ନାୟୁଦ୍ୱାରା ତାହା ମସ୍ତିଷ୍କକୁ ଯିବାରୁ ଆମେ ଶବ୍ଦ ଶୁଣିବାକୁ ପାଉଁ ।

ପୂର୍ବୋକ୍ତ ଶବ୍ଦ ସୃଷ୍ଟି ହେବାବେଳେ ଖାଲି ଯେ ପାତ୍ରଟି ପ୍ରକଂପିତ ହେଲା ଏପରି ନୁହେଁ; ଗୃହସ୍ଥିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆଶିଂକ ଭାବେ କଂପିତ ହୁଏ । ଉକ୍ତ କମ୍ପନ ଶବ୍ଦର ଗୁରୁତା ଉପରେ ନିର୍ଭର କରେ ।

ଯେଉଁ ପଦାର୍ଥ ଏକ ସେକେଣ୍ଡରେ ଅଳ୍ପଥର ଶିହରିତ ହୁଏ, ତହିଁରୁ କ୍ଷୀଣ ଶବ୍ଦ ଶୁଣିବାକୁ ମିଳେ । ଦୂରତାକୁ ଯେପରି ମିଟାର, ସେଣ୍ଟିମିଟାର, ମିଲିମିଟାରଦ୍ୱାରା ମପାଯାଏ, ଶବ୍ଦକୁ ସେହିପରି ବେଲ, ଡେସିବେଲ, ମିଲିବେଲ ଏକକ ଦ୍ୱାରା ସ୍ଥିର କରାଯାଏ । ପ୍ରତ୍ୟେକ ଲୋକ ୯୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ ଶୁଣିପାରେ । ତଦୁର୍ଦ୍ଧ୍ୱ ଶବ୍ଦ ତାହା ପକ୍ଷରେ ଅତ୍ୟଧିକ ଶ୍ରୁତିକଟୁ ହୁଏ । ଅନୁସନ୍ଧିତ୍ସୁ ଚିକିତ୍ସକଗଣ ଓ ମନୋତତ୍ତ୍ୱବିତ୍‌ମାନେ କହନ୍ତି ଯେ, ମନୁଷ୍ୟ ଉପରେ ଶବ୍ଦର ପ୍ରଭାବ ଯଥେଷ୍ଟ ରହିଛି । ତାହା ମନୁଷ୍ୟର ଏକାଗ୍ରତାରେ ଘୋର ଅନ୍ତରାୟ ସୃଷ୍ଟି କରେ ଏବଂ ମନୁଷ୍ୟକୁ କାର୍ଯ୍ୟରେ କଦାପି ସ୍ଥିର କରାଇ ଦିଏନାହିଁ । ଲୋକ ଅଧିକ କାଳ କାର୍ଯ୍ୟ କରିବାକୁ ଯାଇ ଶେଷକୁ ହତାଶ ହୋଇପଡ଼େ ।

ଚିକିତ୍ସକମାନେ ସର୍ବଦା ରୋଗୀମାନଙ୍କୁ ଚୁପ୍‌ ହୋଇ ଶୋଇବାପାଇଁ ଉପଦେଶ ଦିଅନ୍ତି । ତଦ୍ୱାରା ରୋଗୀ ଶାନ୍ତି ଓ ସୁଖ ଅନୁଭବ କରେ ଏବଂ ତୁରନ୍ତ ଆରୋଗ୍ୟ ଲାଭ କରେ । ଆମେରିକାର ଜନୈକ ସର୍ଜନ କହନ୍ତି କି ଯୁଦ୍ଧକ୍ଳାନ୍ତ ସୈନିକମାନଙ୍କ ମଧ୍ୟରୁ ଶତକଡ଼ା ଶତାନବେ ଭାଗ କେବଳ ନୀରବରେ ଶୋଇ ରହିବା ଯୋଗୁଁ ଆରୋଗ୍ୟ ହୋଇଛନ୍ତି । କାରଖାନାର ଶ୍ରମିକମାନଙ୍କୁ ପରୀକ୍ଷା କରି ଦେଖାଗଲା ଯେ, ସେମାନେ ଶବ୍ଦ ନ୍ୟୂନ ହେଲେ ଅଧିକ କାର୍ଯ୍ୟ କରିପାରୁଛନ୍ତି । ପୂର୍ବାପେକ୍ଷା ସେମାନେ ଶତାଅଶୀ ଭାଗ ଉତ୍କୃଷ୍ଟତର ଜିନିଷ ଉତ୍ପାଦନ କରିବାକୁ କ୍ଷମ ହେଉଅଛନ୍ତି । ପୁନଶ୍ଚ ଶତକଡ଼ା ୧୨ ଭାଗ ଉତ୍ପାଦନ ବୃଦ୍ଧି ପାଉଛି । ଅତ୍ୟଧିକ ଶବ୍ଦ ଯେ ସର୍ବଦା ବିପଜ୍ଜନକ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

ଥରେ ଏକ ବିଚିତ୍ର ଶବ୍ଦ ସାଧାରଣ ଶବ୍ଦଠାରୁ କୋଟି କୋଟି ଗୁଣରେ ଅଧିକ ହୋଇ କିପରି ପୃଥିବୀରେ କେତେ ଅଞ୍ଚଳକୁ ଆତଙ୍କିତ କରିଥିଲା, ତାହାର ଏକ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

ଏହି ବସୁଧା ଉପରେ ଯୁଗ ଯୁଗ ଧରି କେତେ ପ୍ରାକୃତିକ ଦୁର୍ଘଟଣା ନ ଘଟିଛି ଓ ନ ଘଟୁଛି ? କିନ୍ତୁ ପୃଥିବୀ ତାହା ସହିଛି । ଅଗ୍ନ୍ୟୁତ୍ପାତଦ୍ୱାରା ଭୂମି କେଉଁଠି ରୁକ୍ଷ ଓ ଟଂକିଳ ହେଲେ ଆଉ କେଉଁଠି ସୁଜଳା-ସୁଫଳା ହେଉଛି । ପ୍ରକୃତିର ଏହି ରହସ୍ୟଭେଦ କରିବା ମନୁଷ୍ୟ ପକ୍ଷରେ କଠିନ ହେଲେ ସୁଦ୍ଧା, ସେ କଦାପି ତହିଁରୁ ନିବୃତ୍ତ ହୋଇନାହିଁ । ତାହାର ଦମ୍ଭ, ତାହାର ସାହସ ବୃଦ୍ଧି ହେବା ବ୍ୟତୀତ ହ୍ରାସ ହେଉ ନାହିଁ ।

ପୃଥିବୀର ବିଭିନ୍ନ ସ୍ଥାନରେ ଅନ୍ୟୂନ ପାଞ୍ଚଶହ ଆଗ୍ନେୟଗିରି ରହିଛି । ତନ୍ମଧ୍ୟରୁ କେତେ ମୃତ ଓ କେତେକ ଜୀବିତ । ଜୀବିତ ଆଗ୍ନେୟଗିରିମାନଙ୍କରୁ ଯେଉଁ ଅଗ୍ନ୍ୟୁପାତ ଘଟେ, ତାହା ଅତୀବ ଭୟଙ୍କର । ସିସିଲି ଦ୍ୱୀପରେ ଥିବା ଏଟ୍‌ନା, ଲିପାରି ଦ୍ୱୀପରେ ଥିବା ଷ୍ଟ୍ରମ୍ୱୋଲି ଆଗ୍ନେୟଗିରି ବଡ଼ ବିପଦପୂର୍ଣ୍ଣ । ଇଟାଲୀରେ ଅବସ୍ଥିତ ବସୁଭିୟସ୍‌ କୌଣସି ଗୁଣରେ ନ୍ୟୂନବୋଲି କୁହାଯାଇ ନପାରେ ।

ଉକ୍ତ ବିସୁଭିୟସ୍‌ ୭୯ ଖ୍ରୀଷ୍ଟାବ୍ଦରେ ଜୀବନ୍ତ ଥିଲା । ସେହି ଜୀବନ୍ତ ଅବସ୍ଥାରେ ତହିଁରୁ ତରଳ ଧାତୁ ଦ୍ରବ୍ୟ ନିର୍ଗତ ହୋଇ ଚତୁର୍ବ୍ଦିଗକୁ ବିକ୍ଷିପ୍ତ ହେଉଥିଲା । ପର୍ବତକୁ କେନ୍ଦ୍ରକରି ପନ୍ଦର ମାଇଲ ପର୍ଯ୍ୟନ୍ତ ପାଉଁଶ ବରଫ ପରି ଜମି ରହିଲା ଏବଂ ତିନୋଟି ସହର ସମ୍ପୂର୍ଣ୍ଣରୂପେ ପୋତି ହୋଇ ପଡ଼ିଥିଲା । ଏବେ ସେହି ସହରଗୁଡ଼ିକୁ ଖୋଲାଯାଇ ସେ କାଳର ବହୁ ପଦାର୍ଥ ଓ ମୃତର ଶରୀର ଆବିଷ୍କୃତ ହୋଇଛି । ୧୬୩୧ ଖ୍ରୀଷ୍ଟାବ୍ଦରେ ଘଟିଥିବା ଅଗ୍ନ୍ୟୁତ୍ପାତଦ୍ୱାରା ଅଠର ହଜାର ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ । ଧୂମପଟଳ ଭୂପୃଷ୍ଠରୁ ସତର ହଜାର ଫୁଟ ଉଚ୍ଚକୁ ଉତ୍‌ଥିତ ହୋଇଥିଲା ।

ମଣ୍ଟପିଲେ ଆଗ୍ନେୟଗିରି ଯୋଗୁଁ ପ୍ରାୟ ତିରିଶ ହଜାର ଲୋକ ଅଳ୍ପ କେତେକ ସେକେଣ୍ଡ ମଧ୍ୟରେ ଜୀବନ ହରାଇଥିଲେ । ଏହାଛଡ଼ା ସାନ୍‌ଫ୍ରାନ୍‌ସିସ୍‌କୋ ଭୂମିକମ୍ପ, ଫିଲିପାଇନର ଟାଆଲ ଭୂମିକମ୍ପ ପୃଥିବୀର ଯାହା କ୍ଷତି କରିଛି, ତାହା ଶୁଣିଲେ ଛାତି ଭୟରେ ଥରିଉଠେ । ଜାପାନରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହେବାର ଦେଖାଯାଇଛି । ୧୯୨୩ ମସିହାରେ ଏଠାରେ ଯେଉଁ ଅଗ୍ନ୍ୟୁତ୍ପାତ ହୋଇଥିଲା, ତବ୍ଦ୍ୱାରା ଷାଠିଏ ହଜାର ଲୋକ ପୋକ ମାଛିପରି ପ୍ରାଣତ୍ୟାଗ କରିଥିଲେ । ବିହାର ଭୂମିକମ୍ପ ପରେ ଏକ ଖଣ୍ଡପ୍ରଳୟ ସଂଘଟିତ ହୋଇ ନେପାଳ ଓ ବିହାରର ବିଭିନ୍ନ ସ୍ଥାନରୁ ଅନ୍ୟୂନ ଏଗାର ହଜାର ଲୋକ ମରିଥିଲେ ଓ ପନ୍ଦର ହଜାର ବର୍ଗମାଇଲ ପରିମିତ ଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ।

୧୮୮୩ ମସିହା ଅଗଷ୍ଟ ମାସ ୨୭ ତାରିଖ ଦିନ ଭୂକମ୍ପ ହୋଇ ଯେଉଁ ଶବ୍ଦ ଶୁଣାଯାଇଥିଲା, ତାହା ସର୍ବାପେକ୍ଷା ବୃହତ୍ତମ । ଏହି ଶବ୍ଦ ବାୟୁ-ତରଙ୍ଗରେ ମିଶି ସମଗ୍ର ପୃଥିବୀକୁ ସାତଥର ଘୂରି ଆସିଥିଲା । ଏହା କଣ ତୁମେ କଳ୍ପନା କରି ପାରୁଛ ?

କେତେଥର ଭୂମିକମ୍ପ, ଅଗ୍ନ୍ୟୁତ୍ପାତ ଓ ପରମାଣୁ ବୋମା ରଡ଼ିରେ ପୃଥିବୀ ପ୍ରକମ୍ପିତ ନ ହୋଇଛି ? କିନ୍ତୁ କ୍ରାକାଟୋଆ ଦ୍ୱୀପର ଉଦ୍‌ଗୀରଣଶବ୍ଦ ସମସ୍ତଙ୍କୁ ବଳି ପଡ଼ିଅଛି । ଆମ ଦେଶର ପୂର୍ବ ଦିଗରେ କ୍ରାକାଟୋଆ ଦ୍ୱୀପଟି ପ୍ରଶାନ୍ତ ମହାସାଗରସ୍ଥ ଯାଭା ଓ ସୁମାତ୍ରା ଦ୍ୱୀପ ନିକଟରେ । ସୁନ୍ଦାପ୍ରଣାଳୀଦ୍ୱାରା ଉକ୍ତ ଦ୍ୱୀପ ଦୁଇଟି ବିଚ୍ଛିନ୍ନ ହୋଇଛି । ଏହି ପ୍ରଣାଳୀରେ ଥିବା କ୍ରାକାଟୋଆ ଦ୍ୱୀପରେ ଗୋଟିଏ ଆଗ୍ନେୟଗିରି ଅଛି । ଦୀର୍ଘ ଦୁଇ ଶହ ବର୍ଷ ଧରି ଉକ୍ତ ଦ୍ୱୀପସ୍ଥିତ ଆଗ୍ନେୟଗିରି ମୃତ ଅବସ୍ଥାରେ ଥିଲା । ମାତ୍ର ଅକସ୍ମାତ୍‌ ୧୮୮୩ ମସିହାର ବସନ୍ତ ଋତୁରେ ଏହି ଦ୍ୱୀପଖଣ୍ଡରେ ଯେଉଁ ପ୍ରଳୟ ସୃଷ୍ଟି ହୋଇଥିଲା, ତାହା ଶୁଣିଲେ ଲୋମ ଟାଙ୍କୁରି ଉଠେ । ଦ୍ୱୀପର ଅର୍ଦ୍ଧାଂଶ ସମ୍ପୂର୍ଣ୍ଣରୂପେ ଲୋପ ପାଇଥିଲା । ପର୍ବତଗହ୍ୱରରୁ ଯେଉଁ ଗର୍ଜନ କ୍ରମାଗତ ଆସୁଥିଲା, ତାହା ଶ୍ରବଣ କରିବା ସବୁଠାରୁ ଅଧିକ ଅସହ୍ୟ ହେଉଥିଲା । ଧୂଳି ଓ ଧୂମପଟଳଦ୍ୱାରା ମେଘମଣ୍ଡଳ ଆକାଶରେ ଘୋଟି ଯାଇଥିଲା । ଦିନ କି ରାତି ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭୂତ ହେଉ ନଥିଲା ! ଶହେ ମାଇଲ ବ୍ୟାପୀ ଏପରି ଅନ୍ଧକାର ଘୋଟିଥିଲା ଯେ, ଗଛପତ୍ର, ଘରଦ୍ୱାର, ପାହାଡ଼ ଜଙ୍ଗଲ କିଛି ମାତ୍ର ଦେଖା ଯାଉ ନଥିଲା । ଦ୍ୱୀପ ଚତୁଃପାର୍ଶ୍ୱସ୍ଥିତ ସମୁଦ୍ର ଜଳ ଅତ୍ୟଧିକ ଉତ୍ତପ୍ତ ହୋଇଥିଲା । ଅଗଷ୍ଟ ମାସ ମଧ୍ୟଭାଗରେ କ୍ରମାଗତ ଭୂମିକମ୍ପ ହୋଇ ସମଗ୍ର ଦ୍ୱୀପ ଓ ପ୍ରଣାଳୀଟିକୁ ଅନ୍ଧକାର କରି ରଖିଥିଲା ।

ନିମ୍ନୋକ୍ତ ବିବରଣୀ ସେହି ଭୟାବହ ପ୍ରଳୟ କାଣ୍ଡର ଏକ ସଂକ୍ଷିପ୍ତ ପରିଚୟ ପ୍ରଦାନ କରେ ।

୧୮୮୩ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଯେଉଁ ଶବ୍ଦ ଶ୍ରୁତିଗୋଚର ହେଲା, ତାହା ପ୍ରଳୟଠାରୁ ଆହୁରି ବିକଟ ଓ ରୋମାଞ୍ଚକର । ମାନବ ସଭ୍ୟତାର ଧ୍ୱଂସଲାଗି ପ୍ରକୃତି ଯେଉଁ କରାଳ ମୁଖ ବ୍ୟାଦାନ କରିଥିଲା, ତାହା ମନୁଷ୍ୟ ଜନ୍ମଜନ୍ମାନ୍ତରରେ ସୁଦ୍ଧା ଭୁଲିପାରିବ ନାହିଁ ।

ଅଗ୍ନ୍ୟୁତ୍ପାତରେ ତରଳ ଧାତୁଦ୍ରବ୍ୟ ଓ ପାଉଁଶ ଆକାଶମଣ୍ଡଳକୁ ଉତ୍‌ଥିତ ହେବାରୁ ଜାହାଜର ରକ୍ଷକମାନେ ମହା ଆତଙ୍କ ମନେ କଲେ । ସେମାନେ ଧୂମାଳ ଆକାଶକୁ ଦେଖି ଜାହାଜ ଚଳାଇବା ନିମନ୍ତେ କଦାପି ସାହସ କଲେ ନାହିଁ । କେବଳ ସ୍ୱ ସ୍ୱ ସ୍ଥାନରେ ଜାହାଜକୁ ଅଟକାଇ ରଖି ଅବସ୍ଥାକୁ ଲକ୍ଷ୍ୟ କଲେ । ଷୋଳଶହ ମାଇଲ ଦୂରରେ ପାଉଁଶ ପଡ଼ିବାର ମଧ୍ୟ ଦେଖାଗଲା । ସମୁଦ୍ରର ଢେଉ ଜଳପତ୍ତନଠାରୁ ଶହେ ଫୁଟ ଉଚ୍ଚକୁ ଉଠିବାକୁ ଲାଗିଲା । ଢେଉର ବେଗ ଏତେ ଅଧିକ ହେଲା ଯେ, ତାହା ସୁଦୂର ଫ୍ରାନ୍‌ସ ଓ ଇଂଲଣ୍ଡ ଉପକୂଳକୁ ଘନ ଘନ ଆଘାତ କରିଥିଲା । ଯେଉଁ ହଜାର ହଜାର ମହଣ ମାଛ ପାଣିରେ ଭାସୁଥିଲେ, ସେମାନଙ୍କ ମଧ୍ୟରୁ ବହୁ ବଡ଼ ମାଛ ମୃତ୍ୟୁମୁଖରୁ କଦାପି ରକ୍ଷାପାଇ ନ ଥିଲେ ।

ଶବ୍ଦର ଭୀଷଣତା ସମ୍ୱନ୍ଧରେ ଏତିକି କୁହାଯାଇପାରେ ଯେ, ୧୦୭୩ ମାଇଲ ଦୂରବର୍ତ୍ତୀ ସୁମାତ୍ରା ଦ୍ୱୀପର ଉତ୍ତରପ୍ରାନ୍ତରେ ବାସକରୁଥିବା ଅଧିବାସୀମାନେ କୌଣସି ଶତ୍ରୁର ଆକ୍ରମଣ ବୋଲି ଆଶଙ୍କା କରି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଥିଲେ । ବୋର୍ଣ୍ଣିଓ ଉପକୂଳରେ ଉକ୍ତ ଶବ୍ଦ ଠିକ୍‌ ତୋପଧ୍ୱନି ସଦୃଶ ଜଣାଯାଉଥିଲା । ସିଙ୍ଗାପୁର ଏହାଠାରୁ ୫୨୨ ମାଇଲ ଦୂରରେ ଥିଲେ ସୁଦ୍ଧା ଏଠାର ଅଧିବାସୀମାନେ ବଡ଼ ତତ୍ପର ହୋଇପଡ଼ିଥିଲେ । ସେମାନେ ବିଚାରିଥିଲେ ଯେ, କୌଣସି ଜାହାଜ ସମୁଦ୍ରରେ ବିପନ୍ନ ହୋଇ ସାହାଯ୍ୟ ପାଇଁ ସଂକେତ ଦେଉଅଛି । ତେଣୁ ସଙ୍ଗେ ସଙ୍ଗେ ଦୁଇଟି ଜାହାଜକୁ ସମୁଦ୍ରକୁ ପଠାଯାଇଥିଲା । ଘଟଣାସ୍ଥଳରୁ ତିନି ହଜାର ମାଇଲ ଦୂରରେ ଥିବା ଲୋକମାନେ ସୁଦ୍ଧା ଏ ଶବ୍ଦ ଶୁଣିବାକୁ ପାଇଥିଲେ ।

ଏହାଛଡ଼ା ଉଦ୍‌ଗୀରଣ ଘଟିବାର ଚାରିଘଣ୍ଟା ପରେ ସିଂହଳଠାରୁ ଆହୁରି ଦୂରକୁ ଉକ୍ତ ଶବ୍ଦ ଶ୍ରୁତିଗୋଚର ହୋଇଥିଲା । ବାୟୁତରଙ୍ଗ ପୃଥିବୀର ଏକ ପ୍ରାନ୍ତରୁ ଅପର ପ୍ରାନ୍ତକୁ ଯାଇ ପୁଣି ସେହି ଉତ୍ପତ୍ତି ସ୍ଥଳକୁ ଫେରି ଆସିଥିଲା । ଶ୍ୟାମ ଦେଶର ବ୍ୟାଙ୍କକ୍‌ ଓ ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳର ଲୋକେ ଉକ୍ତ ଶବ୍ଦ ଶୁଣି ବିସ୍ମିତ ହୋଇଥିଲେ । ମୋଟ ଉପରେ କହିବାକୁ ଗଲେ, କ୍ରାକାଟୋଆ ଦ୍ୱୀପକୁ କେନ୍ଦ୍ରକରି ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ—ଚତୁର୍ବ୍ଦିଗର ଲୋକେ ଏହି ମହାଶବ୍ଦରେ ବିବ୍ରତ ହୋଇଥିଲେ । ଉଦ୍‌ଗୀରଣଦ୍ୱାରା ୩୬ ହଜାରରୁ ଅଧିକ ଲୋକ ଓ ତିନିଶହ ଗ୍ରାମ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଥିଲା ।

ଏଭଳି ଦୃଷ୍ଟାନ୍ତ ପୃଥିବୀରେ କେବେହେଲେ ମିଳିନାହିଁ । ଏହି ହୃଦୟବିଦାରକ ଦୃଶ୍ୟକୁ ମାନବସମାଜ ଭୁଲିଯିବ କିପରି ?

ସୃଷ୍ଟିର ରହସ୍ୟ କି ବିଚିତ୍ର, ସ୍ରଷ୍ଟା ଏକା ତାହା ଜାଣନ୍ତି ସିନା !!

Image

 

ଏ ଯୁଗରେ ବେତାର

 

ଏ ଯୁଗର ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ ମଧ୍ୟରେ ତୁମ୍ଭେମାନେ ଯେଉଁ ଟେଲିଗ୍ରାଫ, ବେତାର ଟେଲିଗ୍ରାଫ, ରେଡ଼ିଓ, ଟେଲିପ୍ରିଣ୍ଟର, ବେତାର ଟେଲିପ୍ରିଣ୍ଟର, ଟେଲିଟାଇପ୍‌, ଟେଲିଫୋନ୍‌, ବେତାର ଟେଲିଫୋନ୍‌, ‘କଥା କହୁଥିବା ବ୍ୟକ୍ତି ଦେଖିବା ଟେଲିଫୋନ’ (See-as-you-talk Telephone)ର ନାମ ଶୁଣିବାକୁ ପାଅ, ସେମାନଙ୍କ ମଧ୍ୟରୁ ‘ରେଡ଼ିଓ’ ଯନ୍ତ୍ରର ଅଦ୍ଭୁତ କୃତୀତ୍ୱ ସମ୍ୱନ୍ଧରେ ଆଲୋଚିତ ହେବ । ‘ରେଡ଼ିଓ’ ଯନ୍ତ୍ରଦ୍ୱାରା ଆମେ ବେତାର ସମ୍ୱାଦ ଶୁଣିବାକୁ ପାଉ । ଉକ୍ତ ଯନ୍ତ୍ର ଉଭାବିତ ନ ହେବା ପୂର୍ବରୁ ମନୁଷ୍ୟ ଶତ ଶତ ଯୋଜନରୁ ସଙ୍ଗୀତ କିମ୍ୱା ସମ୍ବାଦ ଅଳ୍ପ ସମୟ ମଧ୍ୟରେ ଶୁଣିବାକୁ ପାଉ ନଥିଲା । ଖ୍ୟାତନାମା ଜନନାୟକ, ରାଜନୀତିଜ୍ଞ ବକ୍ତାମାନଙ୍କଠାରୁ ଉଦ୍‌ବୋଧନ ଶୁଣିବା ତାହା ପକ୍ଷରେ ସମ୍ଭବ ହେଉ ନଥିଲା । କିନ୍ତୁ ଆଜି ଶତ ନୁହେଁ କି ସହସ୍ର ନୁହେଁ, ଲକ୍ଷ ଲକ୍ଷ ଜନତା ବିଭିନ୍ନ ସ୍ଥାନରେ ଥାଇ ସମ୍ୱାଦ ଶୁଣିବାକୁ ପାଉଅଛନ୍ତି । ଇଥର ତରଙ୍ଗ ମାଧ୍ୟମରେ ଶିକ୍ଷା ଓ ସଭ୍ୟତା ଦୂରଦୂରାନ୍ତରକୁ ପ୍ରେରିତ ହୋଇ ସାମାଜିକ ଓ ରାଜନୈତିକ ଜୀବନରେ ତୁମୂଳ ବିପ୍ଳବ ସୃଷ୍ଟି କରିଛି । ଯେଉଁ ମହା-ମନୀଷୀ ତାଙ୍କର ଅପୂର୍ବ ତ୍ୟାଗ ଓ ସାଧନା ବଳରେ ଭୂପୃଷ୍ଠରୁ ଦୂରତ୍ୱବୋଧ ଘୁଞ୍ଚାଇ ଦେଇଅଛନ୍ତି, ସେହି ବ୍ୟକ୍ତି ଇଟାଲୀବାସୀ-ମାର୍କୋନି ।

 

ରେଡ଼ିଓ ଉଦ୍ଭାବିତ ହେବା ପୂର୍ବରୁ ୧୮୩୨ ଖ୍ରୀଷ୍ଟାବ୍ଦରେ ମୋର୍ସ ବିଜୁଳିଶକ୍ତି ଓ ତା’ର ସାହାଯ୍ୟରେ ସଂବାଦ ପ୍ରେରଣ କରୁଥିଲେ । ତାହାକୁ ଟେଲିଗ୍ରାଫ୍‌ କହନ୍ତି । ଟଙ୍କା ଓ ସଂବାଦ ଟେଲିଗ୍ରାଫ୍‌ ଦ୍ୱାରା ଦୂରସ୍ଥାନକୁ ପଠାଯାଉଛି । ତାର ଅଫିସମାନଙ୍କରେ ଯେଉଁ ଯନ୍ତ୍ରଟି ସର୍ବଦା ଟକ୍‌ଟକ୍‌ ଶବ୍ଦ କରୁଥାଏ, ତାହା ଟେଲିଗ୍ରାଫ୍‌ଯନ୍ତ୍ର । ତୁମେ ପଚାରିପାର, ‘‘ତାର ଅଫିସରେ ତ ସର୍ବଦା ତା’ର ଯନ୍ତ୍ରଟି ଟକ୍‌ଟକ୍‌ କରେ; କର୍ମଚାରୀମାନେ ତାଙ୍କ ବାର୍ତ୍ତାଟି କେଉଁଟି, ଜାଣନ୍ତି କିପରି ?’’ ପ୍ରତ୍ୟେକ ଅଫିସ ପାଇଁ ଏକ ସାଙ୍କେତିକ ଚିହ୍ନ ରହିଛି । ସେହି ସଙ୍କେତରେ ଅନ୍ୟ କୌଣସି ଅଫିସ ଡାକିଲେ ସଂପୃକ୍ତ ଅଫିସ୍‌ର କର୍ମଚାରୀମାନେ ତହିଁରେ ଧ୍ୟାନ ଦିଅନ୍ତି ଓ ବାର୍ତ୍ତାନୁଯାୟୀ କାର୍ଯ୍ୟ କରିଥାନ୍ତି ।

 

ଲୋକମାନଙ୍କର ଅସୁବିଧା ଏତିକିରେ ମେଣ୍ଟି ଯାଇ ନଥିଲା । ଦୂର ସ୍ଥାନ କିମ୍ବା ସମୁଦ୍ର ମଧ୍ୟରେ ଥିବା ଜାହାଜରୁ ଖବର ପାଇବାକୁ ହେଲେ ତାହା ସମ୍ଭବ ହେଉ ନ ଥିଲା । ତେଣୁ ବୈଜ୍ଞାନିକମାନେ ସେହି ଅସୁବିଧାକୁ ଦୂର କରିବା ପାଇଁ ନିରନ୍ତର ଗବେଷଣା କଲେ । ସ୍କଟ୍‌, ଜେମ୍‌ସ୍‌, ବାଉମ୍ୟାନ ପ୍ରଭୃତି ବୈଜ୍ଞାନିକମାନେ ପ୍ରଥମେ ଟେ ନଦୀର ଉପର ବାଟେ ବିନା ତାର ସାହାଯ୍ୟରେ ସଂବାଦ ପଠାଇବାକୁ ସମର୍ଥ ହୋଇଥିଲେ । ବୈଜ୍ଞାନିକ କ୍ଳାର୍କ ମ୍ୟାକ୍‌ସଓୟେଲ ଓ କୁକ୍‌ସ ବାୟୁମଣ୍ଡଳର ଉପର ଭାଗରେ ଇଥରତରଙ୍ଗ ରହିଛି ବୋଲି ଏକ ନୂତନ ତଥ୍ୟ ପ୍ରକାଶ କରିବାରୁ ଲୋକେ ତାହା ବିଶ୍ୱାସ କଲେ ନାହିଁ । ସେମାନେ ମତ ଦେଲେ ଯେ, ଆଲୋକରେ ତରଙ୍ଗ ପରି ଇଥରରେ ତରଙ୍ଗ ରହିଛି ।

 

ତରଙ୍ଗ କ’ଣ ଜାଣ କି ? ମନେକର, ତୁମେ ପୁଷ୍କରିଣୀକୁ ଏକ ଟେକା ଫିଙ୍ଗିଲ । ତଦ୍ଦ୍ୱାରା ପାଣିରେ ସେହିକ୍ଷଣି ଏକ ଢେଉ ବା ତରଙ୍ଗ ଉତ୍ପତ୍ତି ହୋଇ ପୁଷ୍କରିଣୀସାରା ଖେଳିଯାଇ ତାହା କୂଳଆଡ଼କୁ ଗତି କରିବ । ଏହି ତରଙ୍ଗ ଜଳରେ ତଳ ଉପର ହୋଇ ଗତି କରେ । ବିଦ୍ୟୁତ୍‌ ତରଙ୍ଗ ଆକାଶମାର୍ଗରେ ଠିକ୍‌ ଏହିପରି ଗତି କରେ । ଟେକା ଫିଙ୍ଗିବାଦ୍ୱାରା ଜଳରେ କଂପନ ସୃଷ୍ଟି କରାଗଲା ।

 

ପୂର୍ବେ ଲୋକଙ୍କର ଧରଣା ଥିଲା ଯେ, ଶହେ, ଦୁଇ ଶହ ମାଇଲ ଉପରେ ଆଉ ବାୟୁ ନାହିଁ । ଖାଲି ଶୂନ୍ୟ ଆକାଶ । ମାତ୍ର ଉକ୍ତ ଧାରଣା ଅଧୁନା ଦୂରୀଭୂତ ହୋଇଛି । ବାୟୁମଣ୍ଡଳ ଉପରେ ଇଥର ଠିକ୍‌ ସମୁଦ୍ରପରି ବିସ୍ତୃତ । ଏହାକୁ କେହି ଛୁଇଁ ବା ଦେଖି ପାରିବେ ନାହିଁ । ସଂବାଦ ସେହି ତରଙ୍ଗ ଦେହରେ ଉପସ୍ଥିତ ହେଲେ ତାହା କ୍ଷିପ୍ରବେଗରେ ଆକାଶସାରା ଖେଳିଯାଏ ।

 

ବୈଜ୍ଞାନିକମାନେ ଅନୁମାନ କରନ୍ତି ଯେ, ପ୍ରତ୍ୟେକ ପଦାର୍ଥ ଓ ଶୂନ୍ୟ ସ୍ଥାନ ଇଥରରେ ପୂର୍ଣ୍ଣ । ପୃଥିବୀ ପୃଷ୍ଠରୁ ଦଶ ମାଇଲ ପର୍ଯ୍ୟନ୍ତ ଟ୍ରପୋସ୍ଫିୟର ଏବଂ ଦଶ ମାଇଲଠାରୁ ପଚିଶ ମାଇଲ ମଧ୍ୟରେ ଷ୍ଟ୍ରାଟୋସ୍ଫିୟର୍‌ ରହିଛି । ଏହି ଦୁଇଟି ମଣ୍ଡଳ ବାୟୁମଣ୍ଡଳର ଅନ୍ତର୍ଗତ । ଆୟନ ମଣ୍ଡଳ ବାର ମାଇଲଠାରୁ ଦୁଇଶହ ଷାଠିଏ ମାଇଲ ପର୍ଯ୍ୟନ୍ତ ବିସ୍ତୃତ । ଏହି ମଣ୍ଡଳ ଭିତରେ ଡି-ସ୍ତର, ଇ-ସ୍ତର, ଏଫ୍‌ସ୍ତର, ଓ ଜି-ସ୍ତର ଅଛି ।

 

ଶବ୍ଦ ଓ ଆଲୋକର ଗତି ଅଛି । ଆଲୋକ ଶବ୍ଦ ଅପେକ୍ଷା କ୍ଷିପ୍ରତର । ମନେକର, ଜଣେ ଲୋକ ଅଳ୍ପ ଦୂରରେ ବନ୍ଧୁକ ଫୁଟାଗଲା । ଆଗେ ତୁମେ କଣ ଦେଖିବ ? ଧୂଆଁ । ଧୂଆଁ ପରେ ଶବ୍ଦ ଶୁଣିବାକୁ ପାଇବ । ଛଅ ମାଇଲ ଦୂରରେ ଯଦି ଗୋଟିଏ ଶବ୍ଦ ହୁଏ, ତାହା ତୁମ ନିକଟରେ ପହଞ୍ଚିବାକୁ ପ୍ରାୟ ଅଧମିନିଟିଏ ସମୟ ଲାଗିବ । ତେଣୁ ସେହି ହିସାବରେ ଶବ୍ଦ ଏକ ସେକଣ୍ଡରେ ୧୧୩୦ ଫୁଟ ବେଗରେ ଗତି କରେ । ସାତଶହ କୋଡ଼ିଏ ମାଇଲ ପଥ ଯିବାକୁ ଶବ୍ଦକୁ ମୋଟେ ଏକ ଘଣ୍ଟା ସମୟ ଲାଗେ । ମାତ୍ର ଆଲୋକ ଏକ ସେକଣ୍ଡରେ ୧୮୬୦୦୦ ମାଇଲ ଗତି କରେ । ପୃଥିବୀର ଚତୁର୍ଦ୍ଦିଗରେ ସାତଥର ଘୂରି ଆସିବାକୁ ଆଲୋକକୁ ଏକ ସେକେଣ୍ଡ ସମୟ ସୁଦ୍ଧା ଲାଗେ ନାହିଁ । ବେତାର ତରଙ୍ଗର ଗତି ଆଲୋକର ଗତି ସହିତ ସମାନ ହୋଇଥିବାରୁ ବେତାର ଯୋଗେ ଆଜି ଦୂର ଦେଶମାନଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇ ପାରୁଅଛି ।

 

କ୍ଳାର୍କ ମ୍ୟାକ୍‌ସଓୟେଲ ଓ କୁକ୍‌ସ ବାୟୁମଣ୍ଡଳର ଉପରି ଭାଗରେ ଯେଉଁ ଇଥର ତରଙ୍ଗ ତଥ୍ୟ ପ୍ରକାଶ କଲେ, ତାହାକୁ ଜର୍ମାନୀର ଜନୈକ ପଣ୍ଡିତ ସ୍ୱୀକାର କରିଥିଲେ । ତତ୍ପରେ ଅଲିଭାର ଲଜ୍‌ ଓ ପଫ୍‌ କେତେଗୋଟି ଯନ୍ତ୍ର ନିର୍ମାଣ କରି ନାନା ପରୀକ୍ଷା କରିଥିଲେ । ମାତ୍ର ଦୁଃଖର କଥା, ସେମାନେ ଦୀର୍ଘ ନଅ ବର୍ଷକାଳ ଇଥର ତରଙ୍ଗ ସମ୍ଭନ୍ଧରେ ଗବେଷଣା କରି ସୁଦ୍ଧା କୃତିତ୍ୱଲାଭ କରି ପାରିଲେ ନାହିଁ ।

 

ପାଶ୍ଚାତ୍ୟ ଦେଶରେ ଏ ବିଷୟରେ ନାନା ଗବେଷଣା ଚାଲିଥିବା ବେଳେ ଆମ ଭାରତର ବିଶିଷ୍ଟ ବୈଜ୍ଞାନିକ ସାର୍‌ ଜଗଦୀଶଚନ୍ଦ୍ର ବସୁ କଲିକତାର ବିଜ୍ଞାନଗାର ମଧ୍ୟରେ ଇଥର ତରଙ୍ଗ ସମ୍ବନ୍ଧରେ ସବୁ ଆଲୋଚନା କରି ସ୍ଥିର କରିଥିଲେ ଯେ, ଇଥର ତରଙ୍ଗଦ୍ୱାରା ସଂଙ୍କେତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଅକ୍ଳେଶରେ ପଠାଯାଇପାରେ । ସେ ୧୮୯୫ ଖ୍ରୀଷ୍ଟାବ୍ଦରେ କଲିକତାର ଟାଉନ ହଲରେ ବହୁ ବିଜ୍ଞବ୍ୟକ୍ତି ଓ ବଙ୍ଗଳାର ଲାଟଙ୍କ ଉପସ୍ଥିତିରେ ବେତାରାବାର୍ତ୍ତା ପ୍ରେରଣ କରି ଦର୍ଶକମାନଙ୍କୁ ଚମତ୍କୃତ କରିଥିଲେ ।

 

ଶବ୍ଦ କିପରି ରେଡ଼ିଓକୁ ଆସେ, ତାହା ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ । ମନେକର, ତୁମ ଭାଇ ଜଣେ ସଙ୍ଗୀତଜ୍ଞ । ସେ କଟକ ରେଡ଼ିଓ ଷ୍ଟେସନରେ ସଙ୍ଗୀତ ଦେବାକୁ ଗଲେ । ତାଙ୍କୁ ଯେ କୌଣସିଠାରେ ସଙ୍ଗୀତ ଗାଇବାକୁ ପଡ଼ିବ ନାହିଁ । ଏଥିପାଇଁ ସ୍ୱତନ୍ତ୍ର କୋଠରୀ ଓ ଯନ୍ତ୍ର ଅଛି । ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ରେଡ଼ିଓକେନ୍ଦ୍ରରୁ ସଂବାଦ, ସଙ୍ଗୀତ ଇତ୍ୟାଦି ପରିବେଷଣ କରାଯାଏ । ପ୍ରଥମେ ତୁମ ଭାଇ ରେଡ଼ିଓକେନ୍ଦ୍ରରେ ଥିବା ଏକ ମାଇକ୍‌ ସମ୍ମୁଖରେ ସଙ୍ଗୀତ ଗାଇବେ । ଉକ୍ତ ଯନ୍ତ୍ର ସେହିକ୍ଷଣି ସଙ୍ଗୀତକୁ ଗ୍ରହଣ କରି ବହୁଗୁଣ ବଢ଼ାଇ ଦେବ ଏବଂ ଶବ୍ଦକୁ ବିଦ୍ୟୁତ ତରଙ୍ଗରେ ପରିଣତ କରିବ । ବେତାରକେନ୍ଦ୍ର ଉପରେ ଯେଉଁ ଏକ ଉଚ୍ଚ ତାର–ଖୁଣ୍ଟି ଦେଖାଯାଏ, ତାହାକୁ ‘ଏରିଏଲ’ କହନ୍ତି । ବିଦ୍ୟୁତ୍‌ ତରଙ୍ଗ ‘ଏରିଏଲ’ଠାରୁ ଆକାଶର ଚତୁର୍ଦ୍ଦିଗକୁ ବିକ୍ଷିପ୍ତ ହୁଏ । ବିଦ୍ୟୁତ୍‌ ତରଙ୍ଗ ସଙ୍ଗୀତକୁ ଯଥାର୍ଥ ରୂପେ ବହନ କରିବାରେ ହେଳା କରେ ନାହିଁ ।

 

ବର୍ତ୍ତମାନ ତୁମେ ପ୍ରଶ୍ନ କରିପାର, ପୃଥିବୀରେ ତ ବହୁତ ସ୍ଥାନରେ ବେତାରକେନ୍ଦ୍ର ରହିଛି ଏବଂ ସେମାନେ ସର୍ବଦା ସଂବାଦ ପ୍ରେରଣ କରୁଅଛନ୍ତି; କିନ୍ତୁ ସେହି ସଂବାଦ କାହିଁକି ଆମ ରେଡ଼ିଓରେ ଏକ ସମୟରେ ଶୁଭୁ ନାହିଁ ? ଏହାର ଉତ୍ତର ଅବଶ୍ୟ ଜଟିଳ । ତେବେ ଏତିକି ମନେ ରଖିବାକୁ ହେବ ଯେ, ଶବ୍ଦବାହୀ ତରଙ୍ଗଗୁଡ଼ିକ କେତେବେଳେ ହେଲେ ପରସ୍ପର ସହିତ ମିଳିତ ନ ହେବାପାଇଁ ତହିଁର ବ୍ୟବସ୍ଥା କରାଯାଇଅଛି ।

 

ମାର୍କୋନି ବିଜ୍ଞାନାଗାର ମଧ୍ୟରେ ଆଲୋଚନା କରୁଥିବାବେଳେ ତାଙ୍କ ବୟସ ମୋଟେ ଏକୋଇଶ ବର୍ଷ ହୋଇଥିଲା । ସେତିକିବେଳେ ସେ ଏକ ମାଇଲ ମଧ୍ୟରେ ସଙ୍କେତ ପଠାଇ ପାରି କୃତକାର୍ଯ୍ୟ ହୋଇଥିଲେ । ଏହି ସମୟରେ ରୁଷିଆର ପଫ୍‌ ନାମକ ଏକ ବ୍ୟକ୍ତି ଜାହାଜର ମାସ୍ତୁଲ ଉପରେ ଖଣ୍ଡିଏ ତାର ଟାଣି ଆକାଶରୁ ବିଦ୍ୟୁତ ସଂଗ୍ରହ କରୁଥିଲେ । ସେହି ଧାରଣାକୁ ମନରେ ରଖି ମାର୍କୋନି ଆହୁରି ବିଭିନ୍ନ ଉପାୟରେ ସମ୍ବାଦ ପଠାଇ ପାରିବେ ବୋଲି ବିଶ୍ୱାସ କଲେ । ବାରମ୍ବାର ଚେଷ୍ଟାକରି ଶେଷରେ ସେ କୃତକାର୍ଯ୍ୟ ହେଲେ । ତାଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରି ବିଭିନ୍ନ ଦେଶର ସରକାର ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଇଟାଲୀର ରାଜା ଓ ରାଣୀ ତାଙ୍କୁ ସ୍ୱଦେଶକୁ ଯାଇ ଯିବାପାଇଁ ଆହ୍ଵାନ କରିଥିଲେ । ମାର୍କୋନି ସ୍ଵଦେଶକୁ ଯାଇ ସ୍ପେଜିୟର ସମୁଦ୍ରକୂଳରେ ଗୋଟିଏ ବେତାର ଷ୍ଟେସନ ସ୍ଥାପନ କରି ସେଠାରୁ ବାର ମାଇଲ ଦୂରବର୍ତ୍ତୀ ଏକ ଯୁଦ୍ଧଜାହାଜକୁ ସମ୍ବାଦ ପ୍ରେରଣ କରିଥିଲେ । ଏଥିରେ ଲୋକେ ବିସ୍ମିତ ହୋଇ ତାଙ୍କୁ ଧନ୍ୟ ଧନ୍ୟ କହିଥିଲେ ।

 

ଏହାପରେ ଇଂଲଣ୍ଡର ଏକ କମ୍ପାନୀ ତାଙ୍କୁ ସାହାଯ୍ୟ କରିବାପାଇଁ ପ୍ରସ୍ତୁତ ହେଲେ ଏବଂ ୧୮୯୮ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ବେତାର ଟେଲିଗ୍ରାଫ୍‌ ପ୍ରତିଷ୍ଠିତ ହେଲା । ପର ବର୍ଷ ସେ ଇଂଲିଶ ଚାନେଲ୍‌ ବାଟେ ଏକ ସମ୍ବାଦ ପଠାଇବାରୁ ଜାହାଜ ପାଇଁ ଏହା ବିଶେଷ ଉପଯୋଗୀ ବୋଲି ନାବିକମାନେ ମନେ କରିଥିଲେ । ଯୁଦ୍ଧ ଜାହାଜରେ ବେତାରଯନ୍ତ୍ର ଖଞ୍ଜା ହେବାପାଇଁ ପ୍ରଥମେ ସୈନ୍ୟବିଭାଗ ପକ୍ଷରୁ ପ୍ରସ୍ତାବ ଆଗତ ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ଯୁଦ୍ଧରେ ଏହା ବିଶେଷ ସାହାଯ୍ୟ ଦେଇଥିଲା ।

 

୧୯୦୧ ଖ୍ରୀଷ୍ଟାବ୍ଦରେ ମାର୍କୋନିଙ୍କ ଦ୍ୱାରା ଉଦ୍ଭାବିତ ବେତାରବାର୍ତ୍ତା ଏକ ରହସ୍ୟମୟ ଘଟଣା ସୃଷ୍ଟି କରିଥିଲା । ଏହି ବର୍ଷ ସେ ଆଟଲାଣ୍ଟିକ ମହାସାଗର ବାଟେ ସମ୍ବାଦ ପଠାଇବା ପାଇଁ ସ୍ଥିର କରିଥିଲେ । ତେଣୁ ଗୋଟିଏ ବେତାରକେନ୍ଦ୍ର ଦକ୍ଷିଣ କର୍ଣ୍ଣଓ୍ୱାଲର ପୋଲଧୁଠାରେ ପ୍ରତିଷ୍ଠା କରିଥିଲେ । ମାତ୍ର ଏକ ଭୀଷଣ ଝଡ଼ ହେତୁ ସେହି କେନ୍ଦ୍ରଟି ତିଷ୍ଠିପାରିଲା ନାହିଁ । କେତେକ ଲୋକ ତାଙ୍କୁ ପରିହାସ କରି କହିଲେ, ‘‘ଆମେ ସେହି କଥା କହୁଥିଲୁ—ଏବେ କ’ଣ ହେଲା ?’’ ମାର୍କୋନି ତିଳେମାତ୍ର ହତୋତ୍ସାହ ନ ହୋଇ ପୁନର୍ବାର ପୋଲଧୁ ବେତାରକେନ୍ଦ୍ରକୁ ଗଠନ କଲେ । ଝଡ଼ ଓ ବତାସ ତାଙ୍କ ଉଦ୍ୟମରେ ବହୁ ବାଧାବିଘ୍ନ ସୃଷ୍ଟି କରିଥିଲେ ସୁଦ୍ଧା ସେ ଏକ ଶକ୍ତିଶାଳୀ ବେତାରକେନ୍ଦ୍ର ପ୍ରତିଷ୍ଠା କଲେ । ପ୍ରଥମେ ସେ ଯେଉଁ ଅକ୍ଷର ପ୍ରେରଣ କରିଥିଲେ, ତାହା ଇଂରାଜୀ ବର୍ଣ୍ଣମାଳାର ‘S’ ଅକ୍ଷର ।

 

୧୯୦୨ ଖ୍ରୀଷ୍ଟାବ୍ଦରେ ସେ ୧୫୫୭ ମାଇଲ ଦୂରତା ମଧ୍ୟରେ ସଂବାଦ ପଠାଇ କୃତକାର୍ଯ୍ୟ ହୋଇଥିଲେ । ବେତାର-ଟେଲିଗ୍ରାଫ-ଦ୍ୱାରା ଅପରାଧୀ କିପରି ଧରାପଡ଼େ ତାହାର ଗୋଟିଏ ଉଦାହରଣ ନିମ୍ନରେ ଦିଆଗଲା ।

 

ଥରେ କ୍ରିପେନ୍‌ ନାମକ ଜନୈକ ଡାକ୍ତର ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଗୋଟିଏ ଜାହାଜରେ କାନାଡ଼ା ପଳାଇ ଯାଉଥିଲେ । ହଠାତ୍‌ ଏହି ସଂବାଦ ପୋଲିସ ଜାଣିପାରି ସଙ୍ଗେ ସଙ୍ଗେ ଜାହାଜର ଚାଳକଙ୍କ ନିକଟକୁ କ୍ରିପେନ୍‌ଙ୍କ ବିଷୟରେ ଟିପ୍‌ପଣୀ ଦେଇ ଜଣାଇଲେ । ତାଙ୍କର ଉଚ୍ଚତା, ବର୍ଣ୍ଣ, ଚାଲିଚଳଣ, ଚାହାଣୀ ଇତ୍ୟାଦିର ସଙ୍କେତ ପାଇ ଜାହାଜର ଚାଳକ ସେହି ମୁହୂର୍ତ୍ତରେ ତାଙ୍କ ଜାହାଜକୁ ଅନୁସନ୍ଧାନ କରି କ୍ରିପେନ୍‌ଙ୍କୁ ଚିହ୍ନି ସଙ୍ଗେ ସଙ୍ଗେ ପୋଲିସ୍‌ଙ୍କୁ ଜଣାଇଲେ । ଇଂରେଜ ପୋଲିସ ଡାକ୍ତରଙ୍କୁ ବନ୍ଦୀକରି ନେବାପାଇଁ ବେତାର ସଂବାଦଦ୍ୱାରା କାନାଡ଼ାର ପୋଲିସଙ୍କୁ ଅନୁରୋଧ କଲେ । କାନାଡ଼ା ପୋଲିସ୍‌ ସେହି ଅନୁରୋଧରେ ଅପରାଧୀକୁ ଧରି ଇଂରେଜମାନଙ୍କ ଜିମା ଦେବାରୁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା ।

 

ଏହାଛଡ଼ା ବେତାର ଟେଲିଗ୍ରାଫ୍‌ଦ୍ୱାରା ୧୯୦୪ ଖ୍ରୀଷ୍ଟାବ୍ଦରେ ଆଟଲାଣ୍ଟିକ ମହାସାଗର ମଧ୍ୟଦେଇ ଦୂର ଦେଶକୁ ଦୈନିକ ପତ୍ରିକା ପାଇଁ ସମ୍ବାଦ ପଠାଯାଇଥିଲା । ଠିକ୍‌ ପରବର୍ତ୍ତୀ ବର୍ଷ ମାର୍କୋନି ଲଣ୍ଡନର ରୟେଲ ଇନ୍‌ଷ୍ଟିଚିଉସନ୍‌ରେ ଏକ ଭାଷଣ ଦେଇ କହିଲେ ଯେ, ସମୟ ଆସିବ ଯେତେବେଳେ କି ପୃଥିବୀର ଚତୁର୍ଦ୍ଦିଗରେ ବେତାର ସମ୍ବାଦ ଶସ୍ତା ଓ ସହଜରେ ଲୋକମାନଙ୍କ ଉପକାର ପାଇଁ ବ୍ୟବହୃତ ହୋଇପାରିବ ।

 

ବାସ୍ତବିକ୍‌ ମାର୍କୋନି ଯାହା ବ୍ୟକ୍ତ କରିଅଛନ୍ତି, ତାହା ଯଥାର୍ଥ । ବେତାର ଆଜି ଜଗତରେ ଯୁଗାନ୍ତର ଆଣିଛି–ଏ କଥା ସୁନିଶ୍ଚିତ !

Image

 

ସୁଏଜ୍‌ ଓ ପାନାମା କେନାଲ

 

ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ମିଶର ପୃଥିବୀ ମଧ୍ୟରେ ସଭ୍ୟତା ଓ ସମ୍ପଦରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା । ଏ ଦେଶର ନରପତିଙ୍କୁ ‘ଫାରେ’ କୁହାଯାଏ । ସେମାନଙ୍କ ରାଜତ୍ୱ କାଳରେ ଲୋହିତସାଗର (Red Sea)ରୁ ନୀଳନଦୀର ତ୍ରିକୋଣଭୂମି ପର୍ଯ୍ୟନ୍ତ ଏକ ବିସ୍ତୃତ କେନାଲ ଖୋଳା ଯାଇଥିଲା । ତାହା କାଳର କରାଳ ଧ୍ୱଂସକାରୀ ପ୍ରଭାବରେ ଭୂଗର୍ଭରେ ପୋତି ହୋଇ ଯାଇଥିଲେ ସୁଦ୍ଧା ତହିଁର ଧ୍ୱସାଂବଶେଷ ଅବଧି ଦେଖିବାକୁ ମିଳେ ।

 

ପାରସିକମାନଙ୍କଦ୍ୱାରା ତହିଁର ଜୀର୍ଣ୍ଣସଂସ୍କାର ହୋଇଥିଲା । ଖ୍ରୀଷ୍ଟଜନ୍ମର ଚାରିଶତ ବର୍ଷ ପୂର୍ବେ ମିଶର ଦେଶର ରାଜାମାନେ କେନାଲଗୁଡ଼ିକ ଜନକଲ୍ୟାଣରେ ଲଗାଇଥିଲେ । ସେମାନଙ୍କ ପରେ ମୁସଲମାନ ଶାସକଗଣ ତତ୍‌ପ୍ରତି ଅଧିକ ଧ୍ୟାନ ଦେଇଥିଲେ । ଆଜିକାଲି ଯେଉଁ ସୁଏଜ୍‌କେନାଲ ଦେଖାଯାଏ, ତାହାର ପ୍ରକୃତ ନିର୍ମାତା ଫରାସୀ ଦେଶର ନିପୁଣ ଇଂଜିନିୟର–ଫର୍ଡିନାଣ୍ଡ ଡି ଲେସେପ୍‌ସ ।

 

ସୁଏଜ କେନାଲ ମିଶର ଦେଶର ଅନ୍ତର୍ଗତ । ଏହା ଲୋହିତ ସାଗର ଓ ଭୂମଧ୍ୟସାଗରକୁ ସଂଯୁକ୍ତ କରୁଅଛି । ବାଣିଜ୍ୟ ପଥ ସୁଗମ ହେବାପାଇଁ ଉକ୍ତ କେନାଲଟି ଖୋଳାଯିବାର କଳ୍ପନା କରାଯାଇଥିଲା । ଫର୍ଡିନାଣ୍ଡ ପୋର୍ଟ ସୟଦ ବନ୍ଦରଠାରୁ ସୁଏଜବନ୍ଦର ପର୍ଯ୍ୟନ୍ତ ଏକଶୟ ମାଇଲ ବ୍ୟାପୀ ଏକ ସୁଦୀର୍ଘ କେନାଲର ନକ୍‌ସା ଅଙ୍କନ କରିଥିଲେ । ୧୮୫୬ ଖ୍ରୀଷ୍ଟାବ୍ଦରେ ଯେଉଁ କଂପାନୀ ଗଠିତ ହୋଇଥିଲା ତାହାର ନାମ—‘ସୁଏଜ କେନାଲ କଂପାନୀ’ । ଉକ୍ତ କଂପାନୀ ପ୍ରଥମେ କେନାଲ ଖର୍ଚ୍ଚର ଏକ ମୋଟାମୋଟି ବ୍ୟୟରେ ହିସାବ ଅଟକଳ କରିଥିଲେ । ସେଥିଲାଗି ଫ୍ରାନ୍‌ସ ଓ ମିଶର ଦେଶର ରାଜାମାନେ ପୂର୍ଣ୍ଣ ସହଯୋଗ କରିବାରୁ କାର୍ୟ୍ୟାରମ୍ଭ ହେବାର ସ୍ଥିର ହେଲା । କେନାଲ ଖନନର ସମୁଦାୟ ବ୍ୟୟରୁ ଅଦ୍ଧେକ ଫ୍ରାନ୍‍ସ ଓ ମିଶର ଦେଶର ରାଜା ଖେଦଭ ବହନ କରିଥିଲେ । ୧୮୬୯ ମସିହା ନଭେମ୍ବର ମାସ ୧୭ ତାରିଖ ଦିନ ସମ୍ରାଜ୍ଞୀ ଇଜେନି (Eugenie) କାର୍ଯ୍ୟର ଶୁଭ ଦେଇଥିଲେ । ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଡିସ୍‌ରେଲି ଇଂରେଜମାନଙ୍କ ପାଇଁ ୧୮୭୫ ମସିହାରେ ସମୁଦାୟ ଚାରି ଲକ୍ଷ ଅଂଶରୁ ୧୭୬,୬୦୨ ଅଂଶ କ୍ରୟ କରିଥିଲେ । ଉକ୍ତ ଅଂଶଗୁଡିକ ମିଶର ଦେଶର ରାଜା ଖେଦିଭ ଇଂରେଜମାନଙ୍କୁ ଚାଳିଶ ଲକ୍ଷ ପାଉଣ୍ଡରେ ବିକ୍ରି କରି ଦେଇଥିଲେ । ସେହି ଅଂଶଗୁଡ଼ିକ ଖୁବ୍‌ ଅଳ୍ପଦିନ ପରେ ପ୍ରାୟ ଚାରି କୋଟି ପାଉଣ୍ଡକୁ ବୃଦ୍ଧି ପାଇଥିଲା । ଖେଦିଭଙ୍କ ପ୍ରଚେଷ୍ଟାରୁ କୁଲିମାନେ ଅଳ୍ପ ମଜୁରୀ ନେଇ କାର୍ଯ୍ୟ କରିଥିଲେ । କେନାଲଟି ସମ୍ପନ୍ନ ହେବାକୁ ପ୍ରାୟ ଦଶ ବର୍ଷ ସମୟ ଲାଗିଥିଲା ।

 

ପ୍ରଥମେ ସୁଏଜ କେନାଲର ଓସାର ଯଥେଷ୍ଟ ନ ଥିଲା । ତାହା କେବଳ ୭୨ ଫୁଟ ଓସାର ଥିବାରୁ ତହିଁରେ ଏକକାଳୀନ ଦୁଇଟି ଜାହାଜ ସୁରୁଖୁରୁରେ ଯାତାୟାତ କରିପାରୁ ନ ଥିଲା । ବୃହତ୍‌ ଜାହାଜଗୁଡ଼ିକ ଦୀର୍ଘ ସମୟ ଧରି ଅପେକ୍ଷା କରୁ ରହିଥିଲା । ଏଣୁ କେନାଲର ଓସାର ୧୩୫ ଫୁଟରୁ ୧୯୬ ଫୁଟ ପର୍ଯ୍ୟନ୍ତ କରାଯାଇଅଛି । ମୋଡ଼ ବା ଛକ ସ୍ଥାନମାନଙ୍କର ତାହାର ଓସାର ୨୫୦ ଫୁଟରୁ କଦାପି ଊଣା ହୋଇ ନାହିଁ । କେନାଲର ଗଭୀରତା ପ୍ରାୟ ୪୦ ଫୁଟ ହୋଇଥିବାରୁ ଏଥିରେ ୩୩ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଜାହାଜ ଗମନାଗମନ କରିବା ନିମନ୍ତେ ଅନୁମତି ମିଳେ ନାହିଁ । ‘କୁଇନ୍‌ମେରୀ’ ଅଥବା ‘ଏଲିଜାବେଥ୍‌’ ଜାହାଜ ଏହା ମଧ୍ୟରେ ଯିବା ସମ୍ପୂର୍ଣ୍ଣ ଅସମ୍ଭବ ।

 

କେନାଲ ମଧ୍ୟରେ ଜାହାଜଗୁଡ଼ିକ ଗମନାଗମନ କରୁଥିବାବେଳେ ନାବିକମାନଙ୍କୁ ଟ୍ରେନ୍‌ଓ ମଟର ଗାଡ଼ିର ଚାଳକଙ୍କ ପରି ସଂକେତ ପ୍ରତି ଲକ୍ଷ୍ୟ ରଖିବାକୁ ପଡ଼େ । ଏଥିପାଇଁ କେନାଲ କୂଳରେ ତେର ଗୋଟି ସିଗ୍‌ନାଲ ଷ୍ଟେସନ ରହିଛି । ସଂକେତାନୁଯାୟୀ ଛୋଟ ଜାହାଜଗୁଡ଼ିକ ଧୀରେ ଧୀରେ କୂଳକୁ ଆଉଜି ଯାଇ ବଡ଼ ଜାହାଜମାନଙ୍କୁ ପଥ ଛାଡ଼ି ଦେଇଥାନ୍ତି ।

 

କୌଣସି ବଡ଼ ଜାହାଜ କେନାଲ ମଧ୍ୟରେ ସାଢ଼େ ଛଅ ମାଇଲ ଗତିରୁ ଅଧିକ ବେଗରେ ଯିବାପାଇଁ ଅନୁମତି ଦିଆଯାଏ ନାହିଁ । ଗୋଟିଏ ଜାହାଜ ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ଯିବା ପାଇଁ ପ୍ରାୟ ବାରଘଣ୍ଟାରୁ ଅଧିକ ସମୟ ଦରକାର ପଡ଼େ । ତେଣୁ ଦିନକ ମଧ୍ୟରେ ଖୁବ୍‌ ବେଶୀ କୋଡ଼ିଟିଏ ଜାହାଜ ଗତାଗତ କରେ କି ନାହିଁ ସନ୍ଦେହ । ଏକ ବଡ଼ ଜାହାଜ କେନାଲରେ ଯିବାକୁ ହେଲେ ତାହାକୁ ପ୍ରାୟ ତିନି ହଜାର ପାଉଣ୍ଡ ମାସୁଲ ଦେବାକୁ ହୁଏ ।

 

ଅଧୁନା ସୁଏଜ କେନାଲରୁ ଏକ ବୃହତ୍‌ ନାଳ ଖୋଳି ସିନାଲ ପ୍ରଦେଶରେ ଜଳସେଚନ କରିବା ପାଇଁ ଜାତିସଂଘ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ଇଜିପଟ୍‌ ସରକାର ପୂର୍ଣ୍ଣ ଦାୟିତ୍ୱ ବହନ କରିବେ ବୋଲି ପ୍ରାକଶିତ । ଏତଦ୍ଦ୍ୱାରା ଦେଶର ବହୁ ଉନ୍ନତି ସାଧିତ ହେବ ।

 

ସୁଏଜ କେନାଲ ଖୋଳା ହେବା ପରେ ଇଉରୋପ ସହିତ ଭାରତ, ସିଂହଳ, ବ୍ରହ୍ମଦେଶ, ଅଷ୍ଟ୍ରେଲିଆ, ଚୀନ ଓ ଜାପାନର ବାଣିଜ୍ୟ ବୃଦ୍ଧି ପାଇଅଛି ଓ ଦେଶ ଦେଶ ମଧ୍ୟରେ ବାଣିଜ୍ୟ ସଂପର୍କ ଦୃଢ଼ରୁ ଦୃଢ଼ତର ହେଉଛି ।

 

ସୁଏଜ୍‌ କେନାଲ ପରି ଆହୁରି ଏକ ବୃହତ୍‌ କେନାଲ ପାନାମା ରାଜ୍ୟରେ ଅବସ୍ଥିତ । ଆମେରିକା ଯୁକ୍ତରାଷ୍ଟ୍ର ପାନାମା ନାଳ ଓ ତାହାର ଉଭୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପାଞ୍ଚମାଇଲ ସ୍ୱଅଧିକାର ଭୁକ୍ତ କରିଅଛନ୍ତି । ଉକ୍ତ କେନାଲଦ୍ୱାରା ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗର ମଧ୍ୟରେ ଏକ ନିବିଡ଼ ସଂପର୍କ ସ୍ଥାପିତ ହୋଇଅଛି । ପାନାମା କେନାଲର ଦୈର୍ଘ୍ୟ ପ୍ରାୟ ୫୦ ମାଇଲ । ସୁଏଜ କେନାଲ ସଦୃଶ ପାନାମା କେନାଲ ସମୁଦ୍ର ପତ୍ତନରେ ଅବସ୍ଥିତ ହୋଇ ନ ଥିବାରୁ ଊଚ୍ଚ ପାର୍ବତ୍ୟ ଭୂମିକୁ ଜାହାଜ ସମୁଦ୍ରରୁ କିପରି ଉପରକୁ ଉଠେ, ତାହା ବିଶେଷ ଦର୍ଶନୀୟ । ଜାହାଜଗୁଡ଼ିକ ନାଳରେ ଯିବାବେଳେ ଲକ୍‌ ସାହାଯ୍ୟରେ ଧୀରେ ଧୀରେ ୮୫ ଫୁଟ ଉଚ୍ଚକୁ ଉଠେ ଓ ସେହି ଲକ୍‌ସାହାଯ୍ୟରେ ଧୀରେ ଧୀରେ ସମୁଦ୍ର ପତ୍ତନକୁ ଖସିଆସେ । ଲକ୍‌ ନିକଟରେ ଯେଉଁ ରେଳପଥ ରହିଛି, ତାହା ଉପରେ ଚାଳିତ ବିଦ୍ୟୁତ୍‌ ଇଂଜିନ୍‌ ଜାହାଜଗୁଡ଼ିକ ଟାଣି ରଖେ ଓ ଧୀରେ ଧୀରେ ପାରି କରାଏ ।

 

ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରୁ ବଣିକମାନେ ଏକ ନିକଟତମ ପଥ ନିର୍ମାଣ କରିବାର କଳ୍ପନା କରି ଆସୁଥିଲେ । ଚାରିଶହ ବର୍ଷ ଅତୀତ ହୋଇଗଲେ ସୁଦ୍ଧା କଳ୍ପନାଟି କାର୍ଯ୍ୟକାରୀ ହୋଇପାରୁ ନଥିଲା । ୧୮୮୦ ମସିହାରେ ସୁଏଜ କେନାଲର ପ୍ରଖ୍ୟାତ ଇଞ୍ଜିନିୟର ଫର୍ଡିନାଣ୍ଡ ଡି ଲେସେପସ୍‌ ଦଳେ ତରୁଣ ଇଞ୍ଜିନିୟରଙ୍କୁ ସଙ୍ଗରେ ଘେନି ପାନାମା ନାମକ ସ୍ୱାଧୀନ ରାଜ୍ୟରେ ଉପସ୍ଥିତ ହୋଇଥିଲେ । ମାପଚୁପ୍‌ ହୋଇ ସେହି ରାଜ୍ୟରୁ ଦଶ ମାଇଲ ପରିମିତ ଜମି କ୍ରୟ କରାଗଲା । ମାତ୍ର ମେଲେରିଆ ରୋଗର ପ୍ରାଦୁର୍ଭାବ ଯୋଗୁ କେତେ ଜ୍ୱରରେ ପୀଡ଼ିତ ହେଲେ ଓ ଆଉ କେତେକ ଜୀବନ ହରାଇଲେ । ନାନା ଅସୁବିଧା ସତ୍ତ୍ୱେ ଫରାସୀ ସରକାର ଦୁଇଥର ଉଦ୍ୟମ କରି କୃତକାର୍ଯ୍ୟ ହୋଇପାରିଲେ ନାହିଁ । ଶେଷକୁ ଆମେରିକା ଯୁକ୍ତରାଷ୍ଟ୍ର ସରକାରଙ୍କ ହସ୍ତରେ ତାହା ଅର୍ପଣ କରି ସେଠାରୁ ପ୍ରାଣ ଘେନି ପଳାଇଥିଲେ ।

 

୧୯୧୪ ମସିହାରେ ଆମେରିକା ଯୁକ୍ତରାଷ୍ଟ୍ର ସରକାର ଡ୍ରେଜର ନାମକ ଏକ ମାଟିଖୋଳା ଯନ୍ତ୍ର ସାହାଯ୍ୟରେ ପ୍ରଥମେ ପାନାମା ରାଜ୍ୟର ଅଗଭୀର କୋଲନ ଉପସାଗରରୁ ମାଟି ଖୋଳାଇଲେ । ତାହା ସହିତ ସାମିଲ୍‌କରି ସ୍ଥଳଭାଗରେ କେନାଲ ଖୋଳା ଚାଲିଲା । ସମତଳ ଅଞ୍ଚଳରେ ପ୍ରାୟ ସାତ ମାଇଲ ବ୍ୟୀପୀ ନାଳ ଖୋଳା ସରିବା ପରେ ଏକ ପାର୍ବତ୍ୟ ନଦୀର ସମ୍ମୁଖୀନ ହେବାକୁ ପଡ଼ିଲା । ନଦୀଶଯ୍ୟାରେ ୭୨୦୦ ଫୁଟ ଦୈର୍ଘ୍ୟ ଓ ୧୦୫ ଫୁଟ ଉଚ୍ଚତାବିଶିଷ୍ଟ ଏକ ବନ୍ଧ ନିର୍ମାଣ କରାଯାଇ ନଦୀଜଳକୁ ଆବଦ୍ଧ କରାଗଲା । ଫଳତଃ ସେହି ଉଚ୍ଚ ସମତଳ ଅଞ୍ଚଳରେ ବାଇଶ ମାଇଲ ଦୈର୍ଘ୍ୟର ଏକ ଦୀର୍ଘ ହ୍ରଦ ସୃଷ୍ଟି ହେଲା । ଉକ୍ତ ହ୍ରଦଟି କୃତ୍ରିମ ଓ ପାନାମାର ଏକ ଅଂଶବିଶେଷ । ଉଚ୍ଚ ପତ୍ତନକୁ ଜାହାଜ ଯିବାପାଇଁ ଦୁଇ ଧାଡ଼ି ଲକ୍‌ର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଲକ୍‌ର ଦୈର୍ଘ୍ୟ ତିନିଶହ ଗଜ ଓ ତହିଁରେ ବ୍ୟବହୃତ ହୋଇଥିବା ଗୋଟିଏ ଗୋଟିଏ କବାଟର ଓଜନ ପ୍ରାୟ ଚଉଦ ହଜାର ମହଣ । ସେହି କବାଟଗୁଡ଼ିକ ବିଦ୍ୟୁତ୍‌ ସାହାଯ୍ୟରେ ଖୋଲାଯାଏ । ଲକ୍‌ରେ ଜାହାଜ କିପରି ଯାଏ ତାହା ପୂର୍ବରୁ କୁହାଯାଇଅଛି ।

 

ପାନାମା ନାଳଟି ସ୍ଥଳଭାଗରେ ସାଢ଼େ ଚାରି ମାଇଲ ଲମ୍ବ । ଏହାର ଗଭୀରତା ୪୨ ଫୁଟ ଓ ଚଉଡ଼ା ୩୦୦ ଫୁଟରୁ ୧୦୦୦ ଫୁଟ । ଜାହାଜଗୁଡ଼ିକ ଉକ୍ତ ନାଳ ଅତିକ୍ରମ କରିବାକୁ ପ୍ରାୟ ଆଠଘଣ୍ଟା ସମୟ ଲାଗେ । ଗୋଟିଏ ଜାହାଜ, ଏଥିରେ ଥରେ ମାତ୍ର ଯିବାପାଇଁ, ପ୍ରାୟ ଷାଠିଏ ହଜାର ଟଙ୍କାରୁ ଅଧିକ ମାସୁଲ ଦିଏ । ତେଣୁ ସବୁ ଜାହାଜ ଏତେ ମାସୁଲ ଦେଇ ଯିବାଆସିବା କରିପାରନ୍ତି ନାହିଁ ।

 

ପାନାମା କେନାଲଟିକୁ ଖୋଳାଇବା ପାଇଁ କିପରି ବୀର ଯୁବକମାନେ ପ୍ରାଣତ୍ୟାଗ କରିଥିଲେ, ତାହା ବିଶେଷ ଉଲ୍ଲେଖଯୋଗ୍ୟ ।

 

୧୯୦୦ ମସୀହାରେ ହାଭାନାରେ ପ୍ରବଳ ପୀତଜ୍ୱର ଓ ମେଲେରିଆ ଜ୍ୱର ଦେଖାଗଲା-। ଲୋକେ ପୋକମାଛି ପରି ପ୍ରାଣ ହରାଇବାକୁ ଆରମ୍ଭ କଲେ । ଡାକ୍ତରମାନେ ରୋଗର କାରଣ ନିର୍ଣ୍ଣୟ କରିବାପାଇଁ ବଡ଼ ବ୍ୟସ୍ତ ହୋଇ ନାନା ଅନୁସନ୍ଧାନ ଓ ଗବେଷଣା ଚଳାଇଲେ । ଡାକ୍ତର ଫିନେ୍‌ଲ ବହୁ ଗବେଷଣା ପରେ ଘୋଷଣା କଲେ, ‘‘ବିଷାକ୍ତ ମଶା ହିଁ ଜ୍ୱର ଉତ୍ପତ୍ତିର ପ୍ରଧାନ କାରଣ ।’’

 

ସତକୁ ସତ ଦିନେ ଦୈବାତ୍‌ ଏକ ମଶା ଡାକ୍ତର ଲାଜୀୟର୍‌ଙ୍କ ହାତରେ ଆସି ବସିପଡ଼ିଲା । ସେ ଆନନ୍ଦିତ ହୋଇ କହିଲେ, ‘‘ମଶାକୁ ମୁଁ ଖୋଜିବା ପୂର୍ବରୁ ସେ ମୋ ପାଖରେ ଆପେ ଆପେ ଧରା ଦେଇଅଛି । ଦେଖାଯାଉ, ପରୀକ୍ଷା କରିବାର ବେଶ ସୁଯୋଗ ମିଳିଛି ।’’ ବାସ୍ତବିକ୍‌ ଡାକ୍ତରମାନଙ୍କର ସେବା ମନୋବୃତ୍ତି ଓ ପବିତ୍ର କର୍ତ୍ତବ୍ୟନିଷ୍ଠା ଦେଶ ଓ ଜାତିର ଆଦର୍ଶ । କେବଳ ମୃତ୍ୟୁଯୁଦ୍ଧରୁ ମନୁଷ୍ୟକୁ ବଞ୍ଚାଇ ଯେଉଁ ମହନୀୟ କର୍ତ୍ତବ୍ୟ ପାଳନ କରନ୍ତି, ତାହାର ପୁରସ୍କାର କାହିଁ ?

 

ମଶାଟି ହାତର ବିଭିନ୍ନ ଅଂଶରେ ବସି ମନ ଖୁସିରେ ରକ୍ତ ଶୋଷଣ କରିବାକୁ ଆରମ୍ଭ କଲା । ଥରେ ନୁହେଁ କି ଦୁଇ ଥର ନୁହେଁ—ବାରମ୍ବାର ଠାକୁ ଠା ଉଡ଼ି ବିଷାକ୍ତ ଜୀବଟି ପେଟ ପୂରାଇ ଖାଇବାରେ ଲାଗିଲା । ଲାଜୀୟାର ଘଉଡ଼ାଇ ନ ଦେଇ ଖୁବ୍‌ ଧୀରସ୍ଥିର ହୋଇ ବସି ରହିଲେ ।

 

ଠିକ୍‌ବାର ଦିନ ଭିତରେ ତାଙ୍କୁ ଭୀଷଣ ଜ୍ୱର ହେଲା ଓ ସେ ମଲେ ।

 

ଲାଜୀୟାର ମଲେ ସତ, କିନ୍ତୁ ସେ ଭାବୀ ଗବେଷକମାନଙ୍କ ପାଇଁ ଯେଉଁ ପଥ ଉଦ୍‌ଘାଟନ କରି ଯାଇଥିଲେ, ତାହା ମାନବଜାତିର ଅଶେଷ କଲ୍ୟାଣ କରିଅଛି ।

 

ଡାକ୍ତର ଲାଜୀୟାର୍‌ଙ୍କ ଆବିଷ୍କୃତ ତଥ୍ୟ ଉପରେ ଅଟଳ ବିଶ୍ୱାସ ରଖି ଡାକ୍ତର ରିଡ଼୍‌ ପରୀକ୍ଷା ଚଳାଇଲେ । ଦୁଇଜଣ ନିର୍ଭୀକ ବୀରପୁରୁଷ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ‘‘ଯଦି ଆମ୍ଭମାନଙ୍କଦ୍ୱାରା ଦେଶ, ଜାତି କିମ୍ବା ମାନବସମାଜର ମଙ୍ଗଳ ସାଧିତ ହୁଏ, ତେବେ ଆମ୍ଭେମାନେ ଏଇ ଜୀବନ ଉତ୍ସର୍ଗ କରୁଛୁ, ଗ୍ରହଣ କରନ୍ତୁ ।’’ ଡାକ୍ତର ରିଡ଼୍‌ ସେମାନଙ୍କର ସେବାମନୋବୃତ୍ତି, ଦେଶହିତୈଷୀ ଗୁଣ ଓ ବୀରତ୍ୱକୁ ଆନନ୍ଦରେ ଅଭିନନ୍ଦନ ଜଣାଇଥିଲେ ।

 

ତତ୍‌ପରେ ସରକାର ଘୋଷଣା କରି ସ୍ୱେଚ୍ଛାସେବୀ ବୀରପୁରୁଷମାନଙ୍କୁ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ଆହ୍ୱାନ କଲେ । ସେଥିପାଇଁ ଉପଯୁକ୍ତ ପୁରସ୍କାର ମଧ୍ୟ ଘୋଷିତ ହେଲା ।

 

ତେଣୁ ମୋରାନ ନାମ....ହେବା ପାଇଁ ସାହସ ବାନ୍ଧି...ମଶା କାମୁଡ଼ିବା ପରେ....ଭୀଷଣଭାବେ ଆକ୍ରାନ୍ତ ହେ ।

 

ଅନ୍ତ କଲେ ଓ ମ... ଇଲେ । ତିନି ମାସ ... ଆଦିରୁ ମଶାମାନଙ୍କୁ ମାରି ନିଃ... ର ଆତଙ୍କ ଲୋକଙ୍କ ମନରୁ କିଞ୍ଚିତ.....ଲ ।

 

ଏହାପରେ ଡାକ୍ତରମାନେ ଯେ ଶାନ୍ତିରେ ରହି ... ହଁ । ମଶା କେଉଁ ବିଷାକ୍ତ ଜୀବାଣୁକୁ ବହନ କରୁଅଛି, ଅନୁସନ୍ଧାନ କରିବା ପ୍ରୟୋଜନ ପଡ଼ିଲା । ଜାପାନର ପ୍ରସିଦ୍ଧ ଡା.... ଶୁଚି ରୋଗର ଜୀବାଣୁକୁ ଆବିଷ୍କାର କରି ତହିଁର ଏ ନିଷେଧକ ଟୀକା ପ୍ରସ୍ତୁତ କଲେ । ଏହାକୁ ପ୍ରସ୍ତୁତ କରିବାରେ ସେ ବହୁବାର ଅକୃତକାର୍ଯ୍ୟ ହୋଇଥିଲେ; କିନ୍ତୁ ସ୍ୱକର୍ତ୍ତବ୍ୟ-ସାଧନା-ଭବିଷ୍ୟରୁ ସେ ତିଳେ ମାତ୍ର ବିଚ୍ୟୁତ ହୋଇ ନଥିଲେ । ପରିଶେଷରେ କାର ପୂର୍ଣ୍ଣ ସଫଳତା ଦକ୍ଷିଣ ଆମେରିକାର ଦଶ ହଜାର ଲୋକଙ୍କଠାରେ ପ୍ରମାଣିତ ହୋଇଥିଲା ।

 

ଆମେରିକା ଦେଶବାସୀ ତାଙ୍କ ମହତ୍ତ୍ୱ ଓ ଉପକାରକୁ ଯାଇ ନ ପାରି ଯେଉଁ କୃତଜ୍ଞତା ଦେଖାଇଅଛନ୍ତି, ତାହା.... । ଏବେ ଇକୁଏଡରଠାରେ....ଉଡ଼ାଜାହାଜ ତାଙ୍କରି ନାମରେ.....ଧନା ଧନ୍ୟ ଜନହିତ....କରିବାରେ...ଯୋଉ ସମ୍ମାନ....ଅଛନ୍ତି, ତାହା ତୁମପରି....ଙ୍କର ଐକାନ୍ତିକ ତ୍ୟାଗ ଉପରେ ସନ୍ଦେହ ନାହିଁ ।

Image